ପ୍ରତିଦିନ ସକଳୁ ଉଠି ଜଣେ ଓଡ଼ିଆ ଭାବେ ଯେତେବେଳେ ଆମେ ସୋସିଆଲ ମିଡିଆ ଖୋଲୁ, ସେତେବେଳେ ମନରେ ଗୋଟିଏ ପ୍ରଶ୍ନ ଆସେ—ଆଜି ଆମର କେଉଁ ସାଂସ୍କୃତିକ ପରିଚୟଟିକୁ ଛଡ଼ାଇ ନିଆଗଲା? କେବେ ଆମର ରସଗୋଲା ଉପରେ ଦାବି ହୁଏ, ତ କେବେ ଛେନାପୋଡ଼ କିମ୍ବା ଗୀତଗୋବିନ୍ଦକୁ ନେଇ ଅନ୍ୟ ରାଜ୍ୟର ଲୋକେ ନିଜର ବୋଲି ପ୍ରଚାର କରନ୍ତି।
ହୁଏତ ପଡ଼ୋଶୀ ରାଜ୍ୟ ଭାବେ ସେମାନେ ଆମ ପାଖରେ ରହିଛନ୍ତି, କିଛି ଶିଖିଛନ୍ତି କିମ୍ବା ଜାଣିଛନ୍ତି, କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ ଆମର ହଜାର ବର୍ଷର ପୁରୁଣା ପରମ୍ପରାକୁ ହଠାତ୍ ସେମାନେ ନିଜର ବୋଲି ଘୋଷଣା କରିବେ।
ଗତ କିଛି ଦିନ ହେବ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ (UP Tourism)ର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ କସଗଞ୍ଜର ଏକ ଖାଦ୍ୟକୁ “ମୁଙ୍ଗ କା ଡାଲମା” ବୋଲି ଅଭିହିତ କରିଛନ୍ତି ଏବଂ ତାକୁ ସେଠାକାର ଆତ୍ମାର ଖାଦ୍ୟ ବୋଲି ଦର୍ଶାଇଛନ୍ତି। କିନ୍ତୁ ପ୍ରଶ୍ନ ଆସୁଛି—ଏହି “ଡାଲମା” ଶବ୍ଦଟି କେଉଁଠୁ ଆସିଲା?
ଆମେ ଯେତେବେଳେ “ଡାଲମା” କହୁଛୁ, ଏହା କେବଳ ଏକ ଡାଲି କିମ୍ବା ପନିପରିବା, ମିଶାଏ ରନ୍ଧା ଖାଦ୍ୟ ନୁହେଁ; ଏହା ହେଉଛି ଓଡ଼ିଆ ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଇତିହାସ ଏବଂ ପ୍ରାଚୀନ ଓଡ଼ିଆ ଗ୍ରନ୍ଥଗୁଡ଼ିକ ଆଡ଼କୁ ଦୃଷ୍ଟି ପକାନ୍ତୁ। ଏହା ବିଶ୍ୱାସ କରାଯାଏ ଯେ “ଡାଲମା” ପ୍ରଥମେ ନୀଳମାଧବ—ଅର୍ଥାତ୍ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦିମ ସ୍ୱରୂପକୁ, ସବର ଜନଜାତିଙ୍କ ଦ୍ୱାରା ଅର୍ପଣ କରାଯାଇଥିଲା।
ଆମ ଶ୍ରୀମନ୍ଦିରର ଛପନ ଭୋଗ ଭିତରୁ “ଡାଲମା” ହେଉଛି ଏକ ମୁଖ୍ୟ ପ୍ରସାଦ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ମହାପ୍ରଭୁଙ୍କୁ ଅର୍ପଣ କରାଯାଇଆସୁଛି। ଶ୍ରୀମନ୍ଦିରର ରୋଷଶାଳାରେ କିପରି ପାରମ୍ପରିକ ମାଟି ହାଣ୍ଡିରେ କାଠ କୋଇଲା ଆଞ୍ଚରେ ଡାଲମା ପ୍ରସ୍ତୁତ କରାଯାଏ, ତାହାର ପ୍ରମାଣ ଆଜି ବି ଜୀବନ୍ତ ରହିଛି। ଏପରିକି ଓଡ଼ିଶାର ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ମଧ୍ୟ ଏହାର ସଠିକ୍ ଉଲ୍ଲେଖ ରହିଛି।
୧୫୫୦ ଶତାବ୍ଦୀରେ ରଚିତ ଶୂଦ୍ରମୁନି ସାରଳା ଦାସଙ୍କ “ସାରଳା ମହାଭାରତ”କୁ ଆପଣ ଦେଖନ୍ତୁ। ସେଥିରେ ମଧ୍ୟ ଡାଲମାର ସ୍ପଷ୍ଟ ପ୍ରସଙ୍ଗ ରହିଛି। ମହାଭାରତର କଥାବସ୍ତୁ ଅନୁଯାୟୀ, ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟରେ, ଭୀମ ରାଜା ବିରାଟଙ୍କ ରୋଷଘରେ “ବଲ୍ଲଭ” ନାମରେ ରୋଷେୟା କାମ କରୁଥିଲେ।
ସେହି ସମୟର ଏକ କାହାଣୀ ଅନୁଯାୟୀ, ଦିନେ ରୋଷଘରେ ସମସ୍ତ ପନିପରିବା ଏବଂ ତେଲ-ମସଲା ସରିଯିବାରୁ, ଭୀମ ସମସ୍ତ ଜଙ୍ଗଲୀ ପନିପରିବା, ବଣ ପରିବା ଏବଂ ବିଭିନ୍ନ ପ୍ରକାର ଡାଲିକୁ ଏକାଠି ମାଟି ହାଣ୍ଡିରେ ସିଝାଇଥିଲେ। ସେହିପରି ଭାବେ ପ୍ରଥମଥର ପାଇଁ ଡାଲମା ପ୍ରସ୍ତୁତ ହୋଇଥିଲା ବୋଲି ପୁରାଣ ଏବଂ ଲୋକକଥାରେ ବର୍ଣ୍ଣିତ ଅଛି। କିନ୍ତୁ ଆଜି ଉତ୍ତର ପ୍ରଦେଶର ସେହି କସଗଞ୍ଜର ପରିବେଷଣକୁ ଦେଖିଲେ ମନରେ ପ୍ରଶ୍ନ ଆସେ, ସେମାନେ କେବେ ଓଡ଼ିଶାର ଏହି ପରମ୍ପରାକୁ ଆପଣେଇ ନେଇ ଆଜି ନିଜର ବୋଲି ଦାବି କରୁଛନ୍ତି କି?
ଡାଲମା କେବଳ ମନ୍ଦିର ବା ପୁରାଣରେ ସୀମିତ ନୁହେଁ। ଏହା ପ୍ରତ୍ୟେକ ଓଡ଼ିଆ ଘରର ରୋଷେଇଘରର ଆତ୍ମା। ବିଶେଷକରି କାର୍ତ୍ତିକ ମାସ ପୂରା ଶୀତୁଆ ସକାଳରେ, ପବିତ୍ର ହବିଷ୍ୟ ଅନ୍ନ ସାଙ୍ଗକୁ ଗରମ ଗରମ ଡାଲମା ଖାଇବାର ଯେଉଁ ଆନନ୍ଦ, ତାହା କେବଳ ଜଣେ ଓଡ଼ିଆ ହିଁ ଅନୁଭବ କରିପାରିବ।
ଆମ ଘରମାନଙ୍କରେ ବାଇଗଣ, ମାଟିଆଳୁ, କଦଳୀ, ସାରୁ, କନ୍ଧମୂଳ, ଛୁଇଁ ଏବଂ ବିଭିନ୍ନ ପୋଷକତତ୍ତ୍ୱରେ ଭରପୂର ପନିପରିବା ସହିତ ମୁଗ ଡାଲି ପକାଇ ଯେଉଁ ଘରୋଇ ଡାଲମା ପ୍ରସ୍ତୁତ ହୁଏ, ତାହାର ସ୍ୱାଦ ଏବଂ ବାସ୍ନା ସ୍ୱତନ୍ତ୍ର। ଉତ୍ତର ପ୍ରଦେଶ ବା ଅନ୍ୟାନ୍ୟ ରାଜ୍ୟରେ ଯଦିଓ ମୁଗ ଡାଲି ସହିତ ପନିପରିବା ପକାଇ କିଛି ଖାଦ୍ୟ ପ୍ରସ୍ତୁତ କରାଯାଏ, ତାକୁ ସେମାନେ ସାଧାରଣତଃ “ଡାଲ ସବ୍ଜି” ବା ସେହିଭଳି କିଛି ନାମରେ ଜାଣନ୍ତି। କିନ୍ତୁ ସେମାନେ କେବେ ମଧ୍ୟ ଏହାକୁ “ଡାଲମା” ବୋଲି କୁହନ୍ତି ନାହିଁ।
ହଠାତ୍ ପର୍ଯ୍ୟଟନ ପ୍ରଚାର ପାଇଁ ଏଭଳି ଏକ ସ୍ୱତନ୍ତ୍ର ଓଡ଼ିଆ ଶବ୍ଦ ଏବଂ ବ୍ୟଞ୍ଜନକୁ ବ୍ୟବହାର କରି, ତାର ମୂଳ ପରିଚୟକୁ ଲୁଚାଇବା କିମ୍ବା ବଦଳାଇବା କେତେଦୂର ଯୁକ୍ତିଯୁକ୍ତ? ଏହା କେବଳ ଏକ ଖାଦ୍ୟର ପ୍ରଶ୍ନ ନୁହେଁ, ବରଂ ଏହା ଆମ ସାଂସ୍କୃତିକ ସ୍ୱତ୍ତ୍ୱ ଏବଂ ବୌଦ୍ଧିକ ସମ୍ପତ୍ତି ଅଧିକାର ସହିତ ଜଡ଼ିତ।
ଆମର ଏହି ଭିଡିଓର ଉଦ୍ଦେଶ୍ୟ କୌଣସି ରାଜ୍ୟର ସାଂସ୍କୃତିକ ପରମ୍ପରା କିମ୍ବା ଖାଦ୍ୟ ଐତିହ୍ୟକୁ ଅପମାନିତ କରିବା ନୁହେଁ। ଉତ୍ତର ପ୍ରଦେଶର ସମୃଦ୍ଧ ଖାଦ୍ୟ ସଂସ୍କୃତି ରହିଛି, ତାକୁ ଆମେ ସମ୍ମାନ କରୁ। କିନ୍ତୁ ଯେତେବେଳେ ସେଠାକାର ପର୍ଯ୍ୟଟନ ବିଭାଗ ଅଧୀନରେ କାମ କରୁଥିବା କିଛି ସୋସିଆଲ ମିଡିଆ ଏକ୍ସପର୍ଟ କିମ୍ବା ଏଜେନ୍ସି ଏଭଳି ଭୁଲ୍ କରନ୍ତି—ଓଡ଼ିଶାର ମୌଳିକ ଖାଦ୍ୟକୁ ଅନ୍ୟ କୌଣସି ରାଜ୍ୟର “ସୋଲ୍ ଫୁଡ୍” ବୋଲି ପ୍ରଚାର କରନ୍ତି—ସେତେବେଳେ ଜଣେ ସଚେତନ ଓଡ଼ିଆ ଭାବେ ଆମର ପ୍ରତିବାଦ କରିବା ଏକାନ୍ତ ଆବଶ୍ୟକ।
ଯେପରି ପୂର୍ବରୁ ଆମେ ରସଗୋଲା ପାଇଁ ଆଇନଗତ ଲଢ଼ିଲୁ ଏବଂ ଜିଆଇ ଟ୍ୟାଗ୍ ହାସଲ କଲୁ, ସେହିପରି ଆମର ପ୍ରତ୍ୟେକଟି ସାଂସ୍କୃତିକ ପ୍ରତୀକ ଓ ଖାଦ୍ୟକୁ ସୁରକ୍ଷା ଦେବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ।


