ଭାରତୀୟ ରାଜନୀତିର ସବୁଠାରୁ ପୁରୁଣା ଏବଂ ଏକଦା ସବୁଠାରୁ ଶକ୍ତିଶାଳୀ ଦଳ କଂଗ୍ରେସର ପତନ ପ୍ରକୃତରେ କେବେ ଏବଂ କିପରି ଆରମ୍ଭ ହେଲା? ଏହି ପ୍ରଶ୍ନର ଉତ୍ତରରେ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି। କିନ୍ତୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହ ତାଙ୍କ ଆତ୍ମଜୀବନୀ ‘ୱାନ୍ ଲାଇଫ୍ ଇଜ୍ ନଟ୍ ଇନଫ୍’ରେ ଯାହା ଉଲ୍ଲେଖ କରିଛନ୍ତି, ତାହା ଆଜିର ରାଜନୀତିରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି…
କଂଗ୍ରେସ ପତନର କାହାଣୀକୁ ନେଇ ଦେଶରେ ହଜାର ହଜାର ପ୍ରକାରର ମତ ରହିଛି। କେହି କେହି କୁହନ୍ତି ଯେ ଯେତେବେଳେ ମହାତ୍ମା ଗାନ୍ଧୀ କଂଗ୍ରେସ କମିଟି ଏବଂ ୱାର୍କିଂ କମିଟିର ମତକୁ ଏଡ଼ାଇ ଜବାହରଲାଲ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ଏବଂ ଦଳର ମୁଖ୍ୟ ହେବା ପାଇଁ ବାଟ ପରିଷ୍କାର କରିଦେଇଥିଲେ, ସେତେବେଳୁ ହିଁ ଏହାର ଭିତ୍ତିଭୂମି ଦୁର୍ବଳ ହୋଇଯାଇଥିଲା। ପୁଣି କେତେକେ କୁହନ୍ତି ଯେ ପରବର୍ତ୍ତୀ ସମୟରେ ନେହେରୁ ନିଜ ଝିଅକୁ ପ୍ରଧାନମନ୍ତ୍ରୀ ଥାଇ ମଧ୍ୟ ଦଳର ଅଧ୍ୟକ୍ଷ କରିବା ଦିଗରୁ ପତନ ଆରମ୍ଭ ହୋଇଥିଲା।
ଯଦି ଆମେ ଆହୁରି ଆଗକୁ ଯିବା, ତେବେ ୧୯୬୯ ମସିହାରେ ସିଣ୍ଡିକେଟ୍ ଏବଂ ଇଣ୍ଡିକେଟ୍ ବିବାଦକୁ ନେଇ ଦଳ ଦୁଇଭାଗ ହେବା, ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦଳ ଭଙ୍ଗାଯାଇ ‘କଂଗ୍ରେସ (ଆଇ)’ ଗଠନ ହେବା ଏବଂ ୧୯୯୯ ମସିହାରେ ସୋନିଆ ଗାନ୍ଧୀଙ୍କ ବିଦେଶୀ ମୂଳ ପ୍ରସଙ୍ଗକୁ ନେଇ ଶରଦ ପାୱାର, ପି.ଏ. ସାଙ୍ଗମା ଏବଂ ତାରିଖ ଅନୱରଙ୍କ ଦଳ ଛାଡ଼ି ଏନ୍ସିପି ଗଠନ କରିବା ଭଳି ଘଟଣାକୁ ପତନର ମୁଖ୍ୟ କାରଣ ବୋଲି କୁହାଯାଏ।
କିନ୍ତୁ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଅଭିଜ୍ଞ କୂଟନୀତିଜ୍ଞ ସ୍ୱର୍ଗୀୟ ନଟବର ସିଂହ ଏକ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଭିତରର କାହାଣୀ ବର୍ଣ୍ଣନା କରିଛନ୍ତି। ତାଙ୍କ ପୁସ୍ତକରେ ସେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ପ୍ରକୃତରେ ୧୯୮୬ ରୁ ୧୯୮୮ ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ନିଜ ସରକାର ଏବଂ ପ୍ରଶାସନ ଉପରୁ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ ଖସିଯାଇଥିଲା। ଏବଂ ଏହାର ମୂଳରେ କିଛି ପ୍ରମୁଖ ଘଟଣା ଓ ଭୁଲ ନିଷ୍ପତ୍ତି ରହିଥିଲା।
ରାଜୀବ ଗାନ୍ଧୀଙ୍କ ସରକାରର ତିନୋଟି ବଡ଼ ଭୁଲ ଏବଂ ସଙ୍କଟ
ନଟବର ସିଂହଙ୍କ ବିଶ୍ଳେଷଣ ଅନୁଯାୟୀ, ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳରେ ଏପରି ତିନୋଟି ପ୍ରମୁଖ ସମସ୍ୟା ଉଭା ହୋଇଥିଲା, ଯାହାକୁ ସେ ସଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହୋଇଥିଲେ।
ଦାର୍ଜିଲିଂରେ ଅଲଗା ରାଜ୍ୟର ଦାବି ନେଇ ‘ଗୋର୍ଖା ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ’ର ଆନ୍ଦୋଳନ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିଲା। ଶେଷରେ ଏହାର ସମାଧାନ ପାଇଁ ସେମାନଙ୍କୁ ଏକ ସେମି-ଅଟୋନୋମସ୍ ବଡ଼ି ( ଅର୍ଦ୍ଧ-ସ୍ୱାୟତ୍ତ ଶାସନ)ର ମାନ୍ୟତା ଦେବାକୁ ପଡ଼ିଥିଲା।
୧୯୮୫ ମସିହାରେ ଶାହାବାନୋ ମାମଲାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ପ୍ରାରମ୍ଭରେ ରାଜୀବ ଗାନ୍ଧୀ ନିଜର ମନ୍ତ୍ରୀ ଆରିଫ ମହମ୍ମଦ ଖାନ୍ଙ୍କୁ ସଂସଦରେ ଏହି ରାୟର ପକ୍ଷ ନେବାକୁ ଏବଂ ଏହାର ଜୋରଦାର ଆଲୋଚନା କରିବାକୁ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅଲ ଇଣ୍ଡିଆ ମୁସଲିମ ପର୍ସନଲ୍ ଲ ବୋର୍ଡ ଏବଂ ଅନ୍ୟାନ୍ୟ ମୌଲବୀମାନଙ୍କ ଚାପରେ ପଡ଼ି, ଯେତେବେଳେ କଂଗ୍ରେସ ନେତୃତ୍ୱକୁ ବୁଝାଗଲା ଯେ ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କ ହାତଛଡ଼ା ହୋଇଯିବ, ସେତେବେଳେ ସରକାର ସଂସଦରେ ଆଇନ ଆଣି ସୁପ୍ରିମକୋର୍ଟଙ୍କ ରାୟକୁ ଓଲଟାଇ ଦେଇଥିଲେ। ଏହି ନିଷ୍ପତ୍ତି ଦେଶର ରାଜନୈତିକ ବାତାବରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା।
ଅରୁଣ ନେହେରୁଙ୍କ ପ୍ରୟାସରେ ଅଯୋଧ୍ୟାରେ ରାମ ମନ୍ଦିରର ତାଲା ଖୋଲାଗଲା ଏବଂ ପରେ ଶିଳାନ୍ୟାସ କରାଗଲା। ମାତ୍ର ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ସମ୍ଭାଳି ନ ପାରି ଏହାକୁ ପରୋକ୍ଷରେ ଅଧିକ ଜଟିଳ କରାଗଲା, ଯାହାର ପରିଣତି ୧୯୯୦ ମସିହାରେ ଲାଲକୃଷ୍ଣ ଆଡ଼ବାନୀଙ୍କ ରଥଯାତ୍ରା ମାଧ୍ୟମରେ ସାମ୍ନାକୁ ଆସିଥିଲା। ଏହା ସହିତ ୨୮୫ ନିୟୁତ ଡଲାରର ବୋଫର୍ସ ତୋପ କିଣା ସଉଦା ଏବଂ ସ୍ୱିଡିସ୍ ରେଡିଓର ଖବର ପ୍ରସାରଣ ପରେ ଦେଶବର୍ଷରେ ଯେଉଁ ଦୁର୍ନୀତିର ଅଭିଯୋଗ ଆସିଲା, ତାହାକୁ ମଧ୍ୟ ସରକାର ସଠିକ୍ ଢ଼ଙ୍ଗରେ ମୁକାବିଲା କରିପାରିନଥିଲେ।
ଗୋଟିଏ ସରକାର ଚଳାଇବା ପାଇଁ ପ୍ରଶାସନିକ ସ୍ଥିତି ଏବଂ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ। କିନ୍ତୁ ୧୯୮୪ରୁ ୧୯୮୯ ମସିହା ମଧ୍ୟରେ ରାଜୀବ ଗାନ୍ଧୀ ନିଜର ମନ୍ତ୍ରିମଣ୍ଡଳରେ ପ୍ରାୟ ଦୁଇ ଦର୍ଜନ (୨୪ ଥରରୁ ଅଧିକ) ଅଦଳବଦଳ କରିଥିଲେ । ଏହି ପାଞ୍ଚ ବର୍ଷର କାର୍ଯ୍ୟକାଳ ମଧ୍ୟରେ କେବଳ ମାଧବରାଓ ସିନ୍ଧିଆ (ରେଳମନ୍ତ୍ରୀ) ତାଙ୍କ ପଦବୀରେ ପୂରା ପାଞ୍ଚ ବର୍ଷ ରହିଥିଲେ, ଯେତେବେଳେ କି ଏହି ସମୟ ମଧ୍ୟରେ ଚାରି ଜଣ ବୈଦେଶିକ ମନ୍ତ୍ରୀ ଏବଂ ଛଅ ଜଣ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ବଦଳାଯାଇଥିଲେ।
ଏଭଳି ବାରମ୍ବାର ନେତୃତ୍ୱ ବଦଳିବା ଦ୍ୱାରା ସରକାରୀ ନୀତିରେ କୌଣସି ସ୍ଥାୟିତ୍ୱ କିମ୍ବା କଣ୍ଟିନ୍ୟୁଟି ରହିପାରିଲା ନାହିଁ। କୌଣସି ମନ୍ତ୍ରୀଙ୍କର ନିଜ ପଦବୀକୁ ନେଇ କୌଣସି ଭରସା ନଥିଲା ଯେ ସେ କେତେ ଦିନ ପଦରେ ରହିବେ।
ଏହି ସମୟର ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣାଟି ଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟଶୈଳୀ। ରାଜୀବ ଗାନ୍ଧୀଙ୍କ ପାଖରେ କିଛି ବିଶେଷ ପରାମର୍ଶଦାତା ଥିଲେ (ଯେଉଁମାନଙ୍କ ନାମ ନଟବର ସିଂହ ସ୍ପଷ୍ଟ କରିନାହାନ୍ତି), ଯେଉଁମାନଙ୍କ ପରାମର୍ଶରେ ସରକାର ଚାଲୁଥିଲା। ଏହି ଲୋକମାନଙ୍କ ମନରେ କଂଗ୍ରେସ ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀମାନଙ୍କ ପ୍ରତି ସାମାନ୍ୟ ସମ୍ମାନ ନଥିଲା। ସେମାନେ ବରିଷ୍ଠ ନେତାମାନଙ୍କୁ ସର୍ବସାଧାରଣରେ ଅପମାନିତ କରୁଥିଲେ।
ପରିସ୍ଥିତି ଏପରି ହୋଇଥିଲା ଯେ, ସେନାଧ୍ୟକ୍ଷ କେ. ସୁନ୍ଦରଜୀ ଏବଂ ସେତେବଳାକାର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅରୁଣ ସିଂହ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ, ମାତ୍ର ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏହାର କୌଣସି ସୂଚନା ନଥିଲା! ଯେତେବେଳେ ନଟବର ସିଂହ ଏହି କଥା ରାଜୀବ ଗାନ୍ଧୀଙ୍କ ଦୃଷ୍ଟିକୁ ଆଣିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ସେ ନିଜ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ସହ କ’ଣ କରିବେ, କାରଣ ଅରୁଣ ସିଂହ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ। ସେତେବେଳେ ନଟବର ସିଂହ ସ୍ପଷ୍ଟ ଭାବେ କହିଥିଲେ— “ଆପଣ ଦୁନ୍ ସ୍କୁଲର ଓଲ୍ଡ ବଏଜ୍ ଆସୋସିଏସନର ପ୍ରେସିଡେଣ୍ଟ ନୁହଁନ୍ତି, ଆପଣ ଭାରତର ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କର କୌଣସି ବନ୍ଧୁ ନଥାଆନ୍ତି।”
୧୯୮୪ ମସିହାରେ ଦିଲ୍ଲୀ ଏବଂ ଦେଶର ବିଭିନ୍ନ ସ୍ଥାନରେ ଶିଖ୍ ସଂହାର ପରେ ପରେ ଦେଶର ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ସହ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇଯାଇଥିଲା। ଅବସ୍ଥା ଏପରି ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ସାମ୍ବିଧାନିକ ତଥା ଆନୁଷ୍ଠାନିକ ସମ୍ପର୍କ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ଯେଉଁ ସାପ୍ତାହିକ ବୈଠକରେ ରାଷ୍ଟ୍ରପତିଙ୍କୁ ଦେଶର ସ୍ଥିତି ବିଷୟରେ ଅବଗତ କରାଇଥା’ନ୍ତି, ସେହି ପରମ୍ପରାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା। ଶେଷରେ ରାଜୀବ ଗାନ୍ଧୀଙ୍କୁ ନିଜର ଘନିଷ୍ଠ ବନ୍ଧୁ ଅରୁଣ ସିଂହଙ୍କୁ ମଧ୍ୟ ମନ୍ତ୍ରୀପଦରୁ ବରଖାସ୍ତ କରିବାକୁ ପଡ଼ିଥିଲା ଏବଂ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେବାକୁ ପଡ଼ିଥିଲା।
ତେବେ ନଟବର ସିଂହଙ୍କ ଏହି ସମୀକ୍ଷାରୁ ଏକଥା ସ୍ପଷ୍ଟ ହୁଏ ଯେ କଂଗ୍ରେସ ଦଳର ଅଧୋପତନର ମୂଳଦୁଆ ବା ବିହନ ବୋଧହୁଏ ୧୯୮୦ ଦଶକର ଶେଷ ଭାଗରେ, ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ମଧ୍ୟରେ ହିଁ ପଡ଼ିସାରିଥିଲା। ଆଜି ଆମେ ରାଜନୈତିକ ମଞ୍ଚରେ ଯାହା ଦେଖୁଛୁ, ତାହା ସେହି ସମୟର ଭୁଲ୍ ନୀତି ଏବଂ ପ୍ରଶାସନିକ ଦୁର୍ବଳତାର ଏକ ପରିଣତି ମାତ୍ର ।
Also read : https://purvapaksa.com/pakistans-entry-into-brics-china-and-russia-in-favor-india-holds-the-veto-power/


