ପଶ୍ଚିମବଙ୍ଗ ; ଯେଉଁଠି ରାଜନୀତି କେବଳ ଭୋଟ୍ ନୁହେଁ, ବରଂ ଏକ ଆବେଗ। ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଥିବା ଲଢ଼େଇ ପଛରେ ଏକ ବଡ଼ ଶକ୍ତି କାମ କରୁଛି । ଯାହା ହେଉଛି ଆର୍.ଏସ୍.ଏସ୍. ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଗାମୀ ନିର୍ବାଚନ ପୂର୍ବରୁ ଆର୍.ଏସ୍.ଏସ୍. ବଙ୍ଗଳାର କୋଣ ଅନୁକୋଣରେ ନିଜର ଜାଲ ବିଛାଇବା ଆରମ୍ଭ କରିଦେଇଛି। କୌଣସି ବଡ଼ ସଭା ନୁହେଁ, ବରଂ ଶହ ଶହ ଛୋଟ ଛୋଟ ବୈଠକ ମାଧ୍ୟମରେ ସଂଘ ଏବେ ମମତା ବାନାର୍ଜୀଙ୍କ ଗଡ଼ରେ ନିଜର ବାନା ଉଡ଼ାଇବାକୁ ପ୍ରସ୍ତୁତ ହେଉଛି।

ଆର୍.ଏସ୍.ଏସ୍.ର କାମ କରିବାର ଶୈଳୀ ସବୁବେଳେ ନିଆରା। ସଂଘ ଏବେ ପଶ୍ଚିମବଙ୍ଗରେ ‘ମାଇକ୍ରୋ-ମ୍ୟାନେଜମେଣ୍ଟ’ ଉପରେ ଗୁରୁତ୍ୱ ଦେଉଛି। ରିପୋର୍ଟ ଅନୁସାରେ, ସଂଘର କାର୍ଯ୍ୟକର୍ତ୍ତାମାନେ ଗାଁ ଗାଁ ବୁଲି ଲୋକଙ୍କ ସହ ମିଶୁଛନ୍ତି। ସେଠାରେ କୌଣସି ବଡ଼ ଭାଷଣବାଜି ହେଉନାହିଁ, ବରଂ ‘ପାରିବାରିକ ବୈଠକ’ କିମ୍ବା ‘ଗୋଷ୍ଠୀ ଆଲୋଚନା’ ମାଧ୍ୟମରେ ହିନ୍ଦୁତ୍ୱ ଏବଂ ଜାତୀୟତାବାଦର ଚେତନା ଜଗାଯାଉଛି। ବିଶେଷ କରି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ, ଯେଉଁଠି ଅନୁପ୍ରବେଶ ଏକ ବଡ଼ ସମସ୍ୟା, ସେଠାରେ ଆର୍.ଏସ୍.ଏସ୍. ନିଜର ଶାଖା ସଂଖ୍ୟା ଦ୍ରୁତ ଗତିରେ ବଢ଼ାଇବାରେ ଲାଗିଛି।”

ଗତ କିଛି ବର୍ଷର କିଛି ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗରେ ଆର୍.ଏସ୍.ଏସ୍. ଶାଖାର ସଂଖ୍ୟା ପ୍ରାୟ ଦୁଇଗୁଣା ହୋଇଯାଇଛି। କେବଳ ଦକ୍ଷିଣ ବଙ୍ଗଳା ନୁହେଁ, ବରଂ ଉତ୍ତର ବଙ୍ଗଳାର ଚା’ ବଗିଚା ଅଞ୍ଚଳରେ ମଧ୍ୟ ସଂଘର ପ୍ରଭାବ ବଢୁଛି। ଏହି ସଂଘଠନ ମାଧ୍ୟମରେ ସେମାନେ କେବଳ ଶାରୀରିକ ବ୍ୟାୟାମ କରୁନାହାନ୍ତି, ବରଂ ସ୍ଥାନୀୟ ଲୋକଙ୍କ ସାମାଜିକ ଏବଂ ସାଂସ୍କୃତିକ ସମସ୍ୟାର ସମାଧାନ ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ଏହା ବିଜେପି ପାଇଁ ଏକ ମଜବୁତ ଗ୍ରାଉଣ୍ଡ୍ ପ୍ରସ୍ତୁତ କରୁଛି।

ଏହି ସାଇଲେଣ୍ଟ୍ ଅପରେସନ୍ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାଇଁ ଏକ ବଡ଼ ଆହ୍ୱାନ। ଟିଏମସି ସବୁବେଳେ ଅଭିଯୋଗ କରିଆସିଛି କି ଆର୍.ଏସ୍.ଏସ୍. ଧର୍ମ ନାମରେ ଲୋକଙ୍କୁ ବିଭାଜିତ କରୁଛି। କିନ୍ତୁ ସଂଘର କହିବା କଥା ହେଉଛି, ସେମାନେ କେବଳ ସମାଜ ସଂସ୍କାର ଏବଂ ସେବା କାର୍ଯ୍ୟ କରୁଛନ୍ତି। ରିପୋର୍ଟ ଅନୁସାରେ, ଆର୍.ଏସ୍.ଏସ୍. ଏବେ ମହିଳା ଏବଂ ଯୁବପିଢ଼ିଙ୍କୁ ନିଜ ସହ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଲାଉଛି। ଯଦି ଏହି ରଣନୀତି ସଫଳ ହୁଏ, ତେବେ ଆଗାମୀ ନିର୍ବାଚନରେ ବଙ୍ଗଳାର ଭୋଟ୍ ସମୀକରଣ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇପାରେ।

ବର୍ତ୍ତମାନ ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ସନ୍ଦେଶଖାଲି ପରି ଘଟଣାକୁ ନେଇ ରାଜନୀତି ସରଗରମ ରହିଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଆରଏସଏସ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି। ସଂଘର କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ବୁଝାଉଛନ୍ତି କି କିପରି ବଙ୍ଗଳାର ପୁରାତନ ସଂସ୍କୃତି ବିପଦରେ ଅଛି। ସେମାନେ ବଙ୍ଗଳା ଭାଷା ଏବଂ ମହାପୁରୁଷମାନଙ୍କ (ଯେପରିକି ସ୍ୱାମୀ ବିବେକାନନ୍ଦ ଏବଂ ସୁଭାଷ ବୋଷ) ଆଦର୍ଶକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି, ଯାହା ଦ୍ୱାରା ବଙ୍ଗାଳୀ ଅସ୍ମିତା ଏବଂ ହିନ୍ଦୁତ୍ୱର ଏକ ମିଶ୍ରଣ ପ୍ରସ୍ତୁତ କରାଯାଇପାରିବ।

ବଡ଼ ବଡ଼ ରାଲି ଏବଂ ହେଲିକପ୍ଟର ପ୍ରଚାର ତ ସମସ୍ତେ ଦେଖନ୍ତି, କିନ୍ତୁ ଏହି ‘ସାଇଲେଣ୍ଟ୍ ଅପରେସନ୍’ର ପରିଣାମ କ’ଣ ହେବ, ତାହା ଦେଖିବା ବାକି ରହିଲା। କ’ଣ ଆର୍.ଏସ୍.ଏସ୍.ର ଏହି ଛୋଟ ଛୋଟ ବୈଠକ ମମତା ବାନାର୍ଜୀଙ୍କ ବିଶାଳ ସଂଗଠନକୁ ମାତ୍ ଦେଇପାରିବ? କ’ଣ ବଙ୍ଗଳାରେ ପରିବର୍ତ୍ତନର ହାୱା ଆସିବ?


