ପାକିସ୍ତାନର ସବୁଠାରୁ ବଡ଼ ଏବଂ ସମ୍ବେଦନଶୀଳ ପ୍ରଦେଶ ବଲୁଚିସ୍ତାନ , ଯେଉଁଠାରେ ଏବେ ପାକିସ୍ତାନ ସରକାର ଏବଂ ସେନା ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ବେକାବୁ ହୋଇପଡ଼ିଛି। ପାକିସ୍ତାନର ମୂଳଦୁଆକୁ ହଲାଇ ଦେଇଛି ସେଠାକାର ବିଦ୍ରୋହୀ ସଂଗଠନ ‘ବଲୁଚ୍ ଲିବରେସନ୍ ଆର୍ମି’ ବା BLA। ଏହି ସଂଗଠନ ପକ୍ଷରୁ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ପାକିସ୍ତାନୀ ସେନାର ନିଦ ହେରଫେର କରିଦେଇଛି। BLA ଦାବି କରିଛି ଯେ, ଗତ ମାତ୍ର ୧୨ ଦିନ ଭିତରେ ସେମାନେ ବଲୁଚିସ୍ତାନରେ ଏକ କି ଦୁଇଟି ନୁହେଁ, ବରଂ ୩୪ଟି ବଡ଼ଧରଣର ସାମରିକ ଅଭିଯାନ ଓ ଆକ୍ରମଣ ଚଳାଇଛନ୍ତି। ଆଉ ଏହି ସବୁ ଆକ୍ରମଣରେ ପାକିସ୍ତାନୀ ସେନାର ୧୪ ଜଣ ଯବାନ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।

ଏହି ପୂରା ଘଟଣାର ବିସ୍ତୃତ ତଥ୍ୟ। BLA ର ମୁଖପାତ୍ର ଜୀୟନ୍ଦ ବଲୋଚ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଅକ୍ଟୋବର ୯ ରୁ ଅକ୍ଟୋବର ୨୦ ଭିତରେ ଏହି ସମସ୍ତ ଆକ୍ରମଣ କରାଯାଇଛି। ସଂଗଠନର କହିବା କଥା ଯେ, କେବଳ ସେନା କର୍ମଚାରୀ ନୁହଁନ୍ତି, ବରଂ ସରକାରୀ ଗୁଇନ୍ଦା ସଂସ୍ଥା ISI କିମ୍ବା ମିଲିଟାରୀ ଇଣ୍ଟେଲିଜେନ୍ସର ସହଯୋଗୀ, ସୂଚନାଦାତା ଏବଂ ସରକାରଙ୍କ ଦ୍ୱାରା ସମର୍ଥିତ ସଶସ୍ତ୍ର ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି।
ଏପରିକି, ଏହି ଅଭିଯାନ ସମୟରେ BLA ଯବାନମାନେ ଜଣେ କାର୍ଯ୍ୟରତ ପାକିସ୍ତାନୀ ସେନା ସୈନିକକୁ ଜୀବନ୍ତ ବନ୍ଦୀ କରିବାରେ ମଧ୍ୟ ସଫଳ ହୋଇଛନ୍ତି। ଏହି ଘଟଣା ପାକିସ୍ତାନୀ ସେନାର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
![]()
ଯଦି ଆମେ ଏହି ଆକ୍ରମଣଗୁଡ଼ିକର ତାଲିକା ଦେଖିବା, ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ BLA କିପରି ସୁରକ୍ଷା ବାହିନୀକୁ ଗୋଟିଏ ପରେ ଗୋଟିଏ ଝଟ୍କା ଦେଉଛି।
• ୧୩ ଅକ୍ଟୋବରରେ, ହରନାଇ ଜିଲ୍ଲାର ଶାହରାଗ୍ ଅଞ୍ଚଳରେ ଏକ ପାକିସ୍ତାନୀ ସେନା ଯାନକୁ ଆଇଇଡି (IED) ବିସ୍ଫୋରଣ ଜରିଆରେ ଉଡ଼ାଇ ଦିଆଯାଇଥିଲା। ଏଥିରେ ୩ ଜଣ ସୈନିକ ଘଟଣାସ୍ଥଳରେ ନିହତ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
• ସେହିପରି, ୧୬ ଅକ୍ଟୋବରରେ କେଚ୍ ଜିଲ୍ଲାର ଦସ୍ତ ଅଞ୍ଚଳରେ ସେନା ଉପରେ ଘାତକ ଆକ୍ରମଣ କରାଯାଇ ଆଉ ୩ ଜଣ ସୈନିକଙ୍କୁ ମାରିଦିଆଗଲା।
• ୧୫ ଅକ୍ଟୋବରରେ ଜୁମଦାନ ଅଞ୍ଚଳରେ ସେନା କାଫିଲାକୁ ସୁରକ୍ଷା ଦେଉଥିବା ଯବାନଙ୍କୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଜଣେ ସୈନିକ ପ୍ରାଣ ହରାଇଥିଲେ।
କେବଳ ସେତିକି ନୁହେଁ ଦର୍ଶକବନ୍ଧୁ, BLA କେବଳ ସେନା କ୍ୟାମ୍ପ ବା ଯାନବାହନ ନୁହେଁ, ବରଂ ପାକିସ୍ତାନର ଅର୍ଥନୈତିକ ଏବଂ ଭିତ୍ତିଭୂମି ଉପରେ ମଧ୍ୟ ପ୍ରଚଣ୍ଡ ଆକ୍ରମଣ କରିଛି। ୧୪ ଅକ୍ଟୋବରରେ ମାଷ୍ଟୁଙ୍ଗରେ ହୋଇଥିବା ଆକ୍ରମଣରେ ଦୁଇଜଣ ସୈନିକ ମୃତ୍ୟୁବରଣ କରିଥିବା ବେଳେ, ସେଠାକାର ଗୁରଗିନା ଗ୍ରୀଡ ଷ୍ଟେସନ୍ ନିକଟରେ ଏକ ସ୍ନାଇପର୍ ଆକ୍ରମଣରେ ଆଉ ଜଣେ ସୈନିକ ନିହତ ହୋଇଛନ୍ତି।
ବିଦ୍ରୋହୀମାନେ ନିଜର ‘ଅର୍ଥନୈତିକ ନାକାବନ୍ଦୀ’ ନୀତି ଅଧୀନରେ ବିଭିନ୍ନ ପ୍ରମୁଖ ରାଜପାଥ୍ଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି। ଉଦାହରଣ ସ୍ୱରୂପ, ୧୮ ଅକ୍ଟୋବରରେ ଖୁଜଦାର ଅଞ୍ଚଳରେ, ଯାହାକି ଚୀନ୍-ପାକିସ୍ତାନ ଇକୋନମିକ୍ କରିଡର (CPEC) ର ଏକ ମୁଖ୍ୟ ମାର୍ଗ, ସେଠାରେ BLA ସଂପୂର୍ଣ୍ଣ ୩ ଘଣ୍ଟା ଧରି ରାସ୍ତା ନିଜ କବ୍ଜାରେ ରଖିଥିଲା। ଏହି ସମୟରେ ଗୋଟିଏ ପାକିସ୍ତାନୀ ସୈନ୍ୟକୁ ମଧ୍ୟ ବନ୍ଦୀ କରାଯାଇଥିଲା। ସେହିପରି ଆଉ ଏକ ସ୍ଥାନରେ ୪ ଘଣ୍ଟା ଧରି ରାସ୍ତା ଅବରୋଧ କରି ସେନା ପାଇଁ ନିଆଯାଉଥିବା ସମସ୍ତ ରାସନ ସାମଗ୍ରୀ ଏବଂ ଯାନବାହନକୁ ଜବତ କରି ନିଆଯାଇଛି।
ଏତିକିରେ କଥା ସରିନାହିଁ। ବିଦ୍ରୋହୀମାନେ ସୁରକ୍ଷା ବାହିନୀର ପୋଲିସ ଚୌକି ଏବଂ ଥାନାଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ୧୫ ଅକ୍ଟୋବରରେ କିଲା ଅବ୍ଦୁଲ୍ଲାଠାରେ ଥିବା ପାଙ୍କୀ ଥାନା ଏବଂ ଚାଗଈରେ ଥିବା ୟାକମଚ୍ ପୋଲିସ ଷ୍ଟେସନକୁ ବୋମା ପକାଇ ଉଡ଼ାଇ ଦିଆଯାଇଛି। ଲସବେଲାରେ ମଧ୍ୟ ପୋଲିସ ଗାଡ଼ି ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଅବଶ୍ୟ, ଏହି ସଂଗଠନ ଏହା ମଧ୍ୟ ସ୍ୱୀକାର କରିଛି ଯେ ଗତ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ସେମାନଙ୍କର ୬ ଜଣ ଲଢ଼ୁଆ (Fighter) ମଧ୍ୟ ବିଭିନ୍ନ ସଂଘର୍ଷରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ BLA ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯେତେଦେଳେ ପର୍ଯ୍ୟନ୍ତ ଏକ ‘ସ୍ୱାଧୀନ ଏବଂ ସାର୍ବଭୌମ ବଲୁଚିସ୍ତାନ’ ଗଠନ ନହୋଇଛି, ସେମାନଙ୍କର ଏହି ସଶସ୍ତ୍ର ସଂଗ୍ରାମ ଏହିପରି ଜାରି ରହିବ।
ଏପରି ପରିସ୍ଥିତିରେ, ଅନ୍ୟପଟେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟ ନୀରବ ବସିନାହିଁ। ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି ଯେ ସେମାନେ ବଲୁଚିସ୍ତାନରେ ଗତ ଗୋଟିଏ ବର୍ଷ ଭିତରେ ୧୧୦୦ରୁ ଅଧିକ ବିଦ୍ରୋହୀଙ୍କୁ ନିପାତ କରିଛନ୍ତି।
ଯଦି ପାକିସ୍ତାନ ସେନା ଏତେ ସଂଖ୍ୟାରେ ବିଦ୍ରୋହୀଙ୍କୁ ମାରିଥିବା ଦାବି କରୁଛି, ତେବେ ମାତ୍ର ୧୨ ଦିନ ଭିତରେ କିପରି BLA ଏକାସାଙ୍ଗରେ ୩୪ଟି ବଡ଼ ଆକ୍ରମଣ କରିବାକୁ ସାହସ କଲା? କିପରି ସେନା ଯାନ ଏବଂ ପୋଲିସ ଷ୍ଟେସନଗୁଡ଼ିକୁ ଧ୍ୱଂସ କରାଗଲା? ଏହା ସ୍ପଷ୍ଟ ଭାବେ ପ୍ରମାଣ କରୁଛି ଯେ ବଲୁଚିସ୍ତାନରେ ପାକିସ୍ତାନୀ ସେନାର ପଡ଼ିଥିବା ପ୍ରଭାବ କମିବାରେ ଲାଗିଛି ଏବଂ ସେଠାକାର ପରିସ୍ଥିତି କ୍ରମଶଃ ସରକାରଙ୍କ ହାତରୁ ବାହାରି ଯାଉଛି।
ବଲୁଚିସ୍ତାନର ଏହି ଅଶାନ୍ତି କେବଳ ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ନୁହେଁ, ବରଂ ଏହା ସେଠାକାର ଅର୍ଥନୀତି ଏବଂ ଚୀନର ସ୍ୱାର୍ଥ (CPEC ପ୍ରୋଜେକ୍ଟ) ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।
also read
https://purvapaksa.com/naveen-with-traitors/


