ଓଡ଼ିଶା ରାଜନୀତିରେ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ପ୍ରଶ୍ନ ସୃଷ୍ଟି ହୋଇଛି—ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀକୁ ଘେରିବା ପାଇଁ କ’ଣ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହା ତାଙ୍କ ନିଜର ଦେଶପ୍ରେମ ଏବଂ ରାଜନୈତିକ ଦୂରଦୃଷ୍ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି?
ପ୍ରସଙ୍ଗର ମୂଳଦୁଆ ଏବଂ ସିଜେପି (CJEP) ବିବାଦ
ପ୍ରଥମେ ଜାଣିବା ଦରକାର, ଏହି ସମଗ୍ର ବିବାଦର କେନ୍ଦ୍ରବିନ୍ଦୁରେ କେଉଁମାନେ ଅଛନ୍ତି? ଗତ କିଛି ମାସ ହେଲା ଆମେରିକାର କିଛି ଭାରତ ବିରୋଧୀ ତତ୍ତ୍ୱଙ୍କ ଇସାରାରେ ଭାରତରେ ଏବଂ ବିଶେଷକରି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବା ପାଇଁ ଏକ ଅପଚେଷ୍ଟା ଚାଲିଥିବା ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ‘ସିଜେପି’ ନାମକ ଏକ ସଂଗଠନର କିଛି ଯୁବକଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା।
ଏହି ସଂଗଠନର ଦ୍ୱୟ ନେତା—୨୮ ଓ ୩୧ ବର୍ଷ ବୟସ୍କ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା—ଏକ ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ ଏବଂ ଅନୁପ୍ରବେଶ ଅଭିଯୋଗରେ ପୋଲିସ ଦ୍ୱାରା ଅଟକ ରହି ବିଚାର ବିଭାଗୀୟ କଷ୍ଟୋଡିରେ ଥିଲେ। ତେବେ, ଗତକାଲି କିଛି ସର୍ତ୍ତ ସହିତ ସେମାନେ ଜାମିନରେ ମୁକ୍ତ ହୋଇଛନ୍ତି।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ହେଲା, ଏହି ଦୁଇ ଯୁବକଙ୍କ ମୁକ୍ତି ପରେ ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶ୍ରେୟ ନେବାକୁ ପଛାଇବେ ନାହିଁ। କାରଣ, ଗତ ୨୦ ତାରିଖରେ ନବୀନ ପଟ୍ଟନାୟକ ଏକ ଟୁଇଟ୍ କରି ଦାବି କରିଥିଲେ ଯେ, ଏହି ଯୁବକମାନଙ୍କ ବିଚାରାଧୀନ ହାଜତ ଉପରେ ତୁରନ୍ତ ପୁନଃବିଚାର କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଆବଶ୍ୟକ।
ନବୀନଙ୍କ ଟୁଇଟ୍ ଏବଂ ଆନ୍ତର୍ଜାତୀକ ସ୍ତରର ମୁଖା

ନବୀନ ପଟ୍ଟନାୟକଙ୍କ ଯୁକ୍ତି ଥିଲା ଯେ, ଜାତୀୟ ପତାକା ଉତ୍ତୋଳନ କରିବା—ଯଦିଓ ତାହା ଏକ ନିଷିଦ୍ଧ ଅଞ୍ଚଳରେ ହୋଇଥିଲା—ସେଥିପାଇଁ ଏତେ ଦୀର୍ଘ ସମୟ ଧରି କାହାକୁ ଅଟକ ରଖିବା ଠିକ୍ ନୁହେଁ। ଦେଶର ଯୁବପିଢ଼ି ଯେପରି ଆଇନ ଶାସନ ଏବଂ ସାମ୍ବିଧାନିକ ଅଧିକାର ଉପରୁ ଆସ୍ଥା ନ ହରାନ୍ତି, ସେଥିପାଇଁ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଦର୍ଶାଇଥିଲେ।
କିନ୍ତୁ ପ୍ରଶ୍ନ ଉଠୁଛି—ସତ କଥା କ’ଣ? ସତ କଥା ହେଲା, ନବୀନ ପଟ୍ଟନାୟକ ଯେଉଁମାନଙ୍କ ପାଇଁ ଏତେ ଦରଦ ଦେଖାଇଛନ୍ତି, ସେମାନେ ପ୍ରକୃତରେ କିଏ? ଆମେରିକାରେ ବସିଥିବା କିଛି ଭାରତ ବିରୋଧୀ ତତ୍ତ୍ୱମାନଙ୍କଠାରୁ ଅର୍ଥ ନେଇ, ସେମାନଙ୍କ ଇସାରାରେ ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏମାନେ ଆନ୍ଦୋଳନ କରୁଛନ୍ତି ବୋଲି ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା ମ୍ୟାରି ମିଲବେନ ସ୍ପଷ୍ଟ ଭାବରେ ଅଭିଯୋଗ ଆଣିଛନ୍ତି।
ଜଣେ ବାହାର ଦେଶର ବ୍ୟକ୍ତି ଭାରତ ବିରୋଧୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରୁଛନ୍ତି, ଆଉ ଆମ ରାଜ୍ୟର ଜଣେ ବରିଷ୍ଠ ତଥା ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଥିବା ନେତା ସେହିଭଳି ଲୋକଙ୍କ ସମର୍ଥନରେ ଠିଆ ହେଉଛନ୍ତି। ଏହା କ’ଣ ରାଜନୈତିକ ଅନ୍ଧ ସମର୍ଥନ ନା ଆଉ କିଛି?
ଅବଶ୍ୟ ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ, କାରଣ ଯେଉଁ ନେତା ରାଜ୍ୟ ବାହାର ଶକ୍ତି ଓ ଅଣ ଓଡ଼ିଆ ଅଫିସରମାନଙ୍କୁ ରାଜ୍ୟରେ ଶକ୍ତିଶାଳୀ କରିବା ପାଇଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ନେତାମାନଙ୍କୁ କୋଣଠେସା କରି ସେମାନଙ୍କୁ ଦଳ ଛାଡ଼ିବାକୁ ପରୋକ୍ଷରେ ବାଧ୍ୟ କରନ୍ତି, ତାଙ୍କଠାରୁ ଆଉ ଅଧିକ କ’ଣ ଆଶା କରିବା।
ସିଜେପି ନେତାଙ୍କ କାର୍ଯ୍ୟକଳାପ ଏବଂ ଜେନ-ଜି (Gen-Z) ପ୍ରସଙ୍ଗ
ଏହି ଯୁବକମାନଙ୍କ କାର୍ଯ୍ୟକଳାପ କେବଳ ଏତିକିରେ ସୀମିତ ନଥିଲା। ସୌରଭ ଦାସ ଓ ଆଶୁତୋଷ ରାଙ୍କା ନିଜକୁ ‘ଜେନ-ଜି’ (Gen-Z) ପ୍ରତିନିଧି ବୋଲି ଦାବି କରୁଥିଲେ, ଯେତେବେଳେ କି ପ୍ରକୃତରେ ସେମାନେ ସେହି ବୟସ ବର୍ଗର ନୁହଁନ୍ତି। ସେମାନେ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ନିକଟରେ ବଣ୍ଡରେ ଦସ୍ତଖତ କରିଥିଲେ ହେଁ ତାହାକୁ ଅମାନ୍ୟ କରି ଜାଣିଶୁଣି ନିଷେଦ୍ଧାଞ୍ଚଳରେ ଅନୁପ୍ରବେଶ କରିଥିଲେ। ଏହି ଆନ୍ଦୋଳନର ଅନ୍ୟତମ ପ୍ରମୁଖ ନେତ୍ରୀ ଆଇସାର ସଭାନେତ୍ରୀ ନେହା ବୋରା, ଯିଏକି ବାଂଲାଦେଶ ଓ ନେପା ଭଳି ଆମ ଦେଶରେ ଅରାଜକତା ସୃଷ୍ଟି କରିବାକୁ ବାରମ୍ବାର ଧମକ ଦେଉଛନ୍ତି।
ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଲା—ଗତ ସେପ୍ଟେମ୍ବର ୨୧ ତାରିଖରେ ସିଜେପି ନେତା ସୌରଭ ଦାସ ବିଜେଡି ନେତାଙ୍କ ସହିତ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ବୁଲି ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଅପଚେଷ୍ଠା କରିଥିଲେ। ଯଦିଓ ସେଥିରେ ସେମାନେ ସଫଳ ହୋଇନଥିଲେ, କିନ୍ତୁ ଏହି ଘଟଣା ସ୍ପଷ୍ଟ କରୁଛି ଯେ ବିଜେଡି ନେତୃତ୍ୱ ଏବଂ ଏହି ବିବାଦୀୟ ଯୁବକମାନଙ୍କ ଭିତରେ କୌଣସି ନା କୌଣସି ଲିଙ୍କ୍ ରହିଛି। ବୋଧହୁଏ ଏହାରି ପ୍ରତିଦାନ ସ୍ୱରୂପ ନବୀନ ପଟ୍ଟନାୟକ ସେମାନଙ୍କୁ ସମର୍ଥନ ଜଣାଇ ଟୁଇଟ୍ କରିଥିଲେ।
ବିଜେଡି ନେତାମାନେ ଆଜିକାଲି କଥା କଥାକେ ‘ଜେନ-ଜି’ (Gen-Z) ଭୋଟରଙ୍କ ଉପରେ ଭରଷା କରି ବିଜେପି ସରକାରକୁ ବଦଳାଇ ଦେବାକୁ ଧମକ ଦେଉଛନ୍ତି। କିନ୍ତୁ ପ୍ରକୃତ ସତ୍ୟ କ’ଣ? ଗତ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା କଲେଜ ନିର୍ବାଚନରେ ପ୍ରକୃତ ଜେନ-ଜି ପିଲାମାନେ ବିଜେଡି ନେତାମାନଙ୍କୁ ଆଇନା ଦେଖାଇ ଦେଇଛନ୍ତି। ରାଜ୍ୟର ଯୁବପିଢ଼ି ଏବେ ଆଉ ଏଭଳି ଭ୍ରମାତ୍ମକ ରାଜନୀତିର ଜାଲରେ ପଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। କାରଣ ବିଜେଡି ଶାସନକୁ ଆଖସିବା ପରଠାରୁ ରାଜ୍ୟର ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ନଷ୍ଟ କରି ଦେଇଛି। ଯାହା ଫଳରେ ଆମ ରାଜ୍ୟର ଛାଥ୍ରଛାତ୍ରୀମାନେ; ସର୍ବଭାରତୀୟ ପରୀକ୍ଷାରେ ଅନ୍ୟ ରାଜ୍ୟର ପିଲାଙ୍କଠାରୁ ପଛରେ ପଡ଼ି ଯାଉଛନ୍ତି।
ନବୀନଙ୍କ ନିଜ ଶାସନ କାଳର ଇତିହାସ
ନବୀନ ପଟ୍ଟନାୟକ ତାଙ୍କ ଟୁଇଟରେ ବଡ଼ ବଡ଼ କଥା ଲେଖିଥିଲେ—ଦେଶର ଯୁବପିଢ଼ି ଯେପରି ଆଇନ ଶାସନ ଏବଂ ସାମ୍ବିଧାନିକ ଅଧିକାର ଉପରୁ ଆସ୍ଥା ନ ହରାନ୍ତି, ତାହା ସୁନିଶ୍ଚିତ କରିବା ଦରକାର। କିନ୍ତୁ, ଟିକିଏ ଆତ୍ମସମୀକ୍ଷା କରିବାକୁ ପଡ଼ିବ—ନବୀନବାବୁ ନିଜେ କ’ଣ ଏହା ଭୁଲିଗଲେଣି ଯେ ତାଙ୍କ ୨୪ ବର୍ଷର ଶାସନକାଳରେ ବିଜେଡି ସରକାର ବିରୋଧରେ ଯିଏ ବି ଭିନ୍ନମତ ପୋଷଣ କରୁଥିଲା, ତାଙ୍କୁ କିପରି ବିନା ଦୋଷରେ ଜେଲରେ ପୂରାଇ ଦିଆଯାଉଥିଲା? ଏପରିକି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କିପରି ତାଙ୍କ ଖବରକାଗଜରୁ ରାତିଅଧିଆ ବିତାଡ଼ିତ କରାଯାଇ ତାଙ୍କ ନାଁ’ରେ ବିଭିନ୍ନ ମାଲିମକଦ୍ଦମା କରାଗଲା ସେ କଥାକୁ ବୋଧହୁଏ ସେ ଭୁଲି ଗଲେଣି।
ସେତେବେଳେ କ’ଣ ସମ୍ବିଧାନିକ ଅଧିକାର କିମ୍ବା ଆଇନ ଶାସନର କଥା ମନେ ପଡ଼ୁନଥିଲା? ନିଜ ବିରୋଧୀଙ୍କୁ ମୁହଁ ଖୋଲିବାକୁ ଦିଆଯାଉନଥିଲା, ଆଉ ଆଜି ଯେତେବେଳେ ରାଷ୍ଟ୍ର ବିରୋଧୀ ଶକ୍ତିଙ୍କ ସହ ଜଡ଼ିତ ବୋଲି ଅଭିଯୋଗ ହେଉଥିବା ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେତେବେଳେ ଓଡ଼ିଶାର ଜନସାଧାରଣ ସବୁକିଛି ଦେଖୁଛନ୍ତି ଏବଂ ବୁଝୁଛନ୍ତି ମଧ୍ୟ।
୨୦୦୫ ମସିହାରେ ତତ୍କାଳୀନ ବିଜେଡି ସରକାର ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ପରେ ମୁଖ୍ୟତଃ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ୧,୫୫୧ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଚିହ୍ନଟ କରିଥିଲେ ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ ‘କ୍ୱିଟ୍ ଇଣ୍ଡିଆ’ (ଭାରତ ଛାଡ଼ିବା) ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସକୁ ସନ୍ଦିଗ୍ଧ ବାଂଲାଦେଶୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରଶାସନକୁ ସେହି ଚିହ୍ନଟ ବ୍ୟକ୍ତିମାନଙ୍କ ବିରୋଧରେ କୌଣସି କଡ଼ା କିମ୍ବା ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମନା କରିଥିଲେ, ଯାହାଫଳରେ ସେମାନଙ୍କ ଦେଶାନ୍ତରୀକରଣ ପ୍ରକ୍ରିୟା ସ୍ଥଗିତ ରହିଥିଲା। ବିଜେଡି ଶାସନ କାଳରେ ଯେଉଁଠି ଟିକିଏ ସରକାରୀ ଯାଗା ଥିଲା ତାହାକୁ ଜାଗା ମିଶନ ନାଁରେ ସେଠି ବସ୍ତି କରିବାକୁ ଅନୁମତି ଦିଆଯାଇଥିଲା। ଆଉ ଏହି ବସ୍ତିରେ ସନ୍ଦିଗ୍ଧ ବାଂଲାଦେଶୀମାନେ ରହୁଥିବା ଅଭିଯୋଗ ହୁଏ। ଏହି ସନ୍ଦିଗ୍ଧ ବାଂଲାଦେଶୀମାନେ ବିଜେଢଡିର ଭୋଟବ୍ୟାଙ୍କ ହୋଇଥିବାରୁ ଏବେ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ରାଜନୈତିକ ସ୍ୱାର୍ଥ ପାଇଁ, ଗୋଟିଏ ଦଳକୁ କାଉଣ୍ଟର କରିବା ପାଇଁ, ଦେଶର ସାର୍ବଭୌମତ୍ୱ ଏବଂ ନିରାପତ୍ତା ସହ ଜଡ଼ିତ ପ୍ରସଙ୍ଗରେ ଏଭଳି ଅନୁକମ୍ପା ପ୍ରଦର୍ଶନ କରିବା କ’ଣ ଜଣେ ଦୂରଦର୍ଶୀ ନେତାଙ୍କୁ ଶୋଭା ପାଏ କି? ଆଜି ଏହି ପ୍ରଶ୍ନ ଓଡ଼ିଶାର ପ୍ରତିଟି ନାଗରିକଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରୁଛି।
also read
Odisha’s Mineral Wealth and the Paradox of Development II ଓଡ଼ିଶାର ଖଣି ସମ୍ପଦ ଏବଂ ବିକାଶର ବିଡ଼ମ୍ବନା
https://purvapaksa.com/odishas-mineral-wealth-and-the-paradox-of-development/


