ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଧରଣର ଆଲୋଚନା ଚାଲିଛି। ଯେଉଁ ଦଳ ଗୋଟିଏ ସମୟରେ ଖୁବ୍ ଶୃଙ୍ଖଳିତ ଏବଂ ଏକାଠି ଥିବା ପରି ମନେ ହେଉଥିଲା, ଆଜି ସେହି ବିଜୁ ଜନତା ଦଳ ବା ବିଜେଡି ଭିତରେ କାୟା ମେଲିଛି ଗଭୀର ଅସନ୍ତୋଷ। ଗତ ଅକ୍ଟୋବର ୨ ତାରିଖରେ ଦଳ ପକ୍ଷରୁ ୧୧୫ ଜଣିଆ ଏକ ବିଶାଳ ‘ଜମ୍ବୋ ମିଡିଆ ଟିମ୍’ ଘୋଷଣା କରାଗଲା। କାଗଜକଲମରେ ଏହା ଏକ ଗଣମାଧ୍ୟମ ପରିଚାଳନା କମିଟି ଦେଖାଯାଉଥିଲେ ମଧ୍ୟ, ରାଜନୈତିକ କରିଡରରେ ଏବେ ଚର୍ଚ୍ଚା ଜୋର୍ ଧରିଛି—ଏହା କ’ଣ ବରିଷ୍ଠ ନେତାମାନଙ୍କୁ ସମ୍ମାନ, ନା ସେମାନଙ୍କୁ ପୂରାପୂରି ଅପମାନିତ କରି କୋଣଠେସା କରିବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର?
ଜମ୍ବୋ ମିଡିଆ ଟିମ୍ – ସମ୍ମାନ ନା ଅପମାନର ଖେଳ?
ଦର୍ଶକବନ୍ଧୁ, ଗତ ଅକ୍ଟୋବର ୨ ତାରିଖରେ ବିଜେଡି ଯେଉଁ ୩୦ ଜଣିଆ ରାଜ୍ୟ ମୁଖପାତ୍ର ତାଲିକା ପ୍ରକାଶ କଲା, ସେଥିରେ ରହିଛି ଓଡ଼ିଶା ରାଜନୀତିର କେତେକ ଜଣାଶୁଣା ଓ ଭେଟେରାନ୍ ଚେହେରା। ଏହି ତାଲିକାରେ ସ୍ଥାନ ପାଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରୀନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଚନ୍ଦ୍ରଶେଖର ସାହୁଙ୍କ ଭଳି ବରିଷ୍ଠ ନେତା।
/odishatv/media/media_files/2026/06/24/sujata-karthikeyan-likely-to-join-bjd-major-announcement-expected-at-sankha-bhawan-in-bhubaneswar-2026-06-24-15-03-12.jpg)
କିନ୍ତୁ ପ୍ରଶ୍ନ ହେଉଛି—ଆଜି ଏହି ନେତାମାନେ କେଉଁ ସ୍ଥିତିରେ ଅଛନ୍ତି? ସେମାନେ ବୟସର ଅପରାହ୍ନରେ ଅଛନ୍ତି ଏବଂ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ କି ନାହିଁ, ତାହା ନିଜେ ଏକ ସନ୍ଦେହ ଘେରରେ ଅଛି। ସାଧାରଣତଃ ରାଜନୈତିକ ଦଳମାନଙ୍କରେ ଯୁବ ଏବଂ ଉତ୍ସାହୀ ନେତାମାନଙ୍କୁ ମୁଖପାତ୍ର ଦାୟିତ୍ୱ ଦିଆଯାଇଥାଏ, ଯାହାଫଳରେ ସେମାନେ ଟିଭି ଡିବେଟ୍ରେ କିମ୍ବା ଗଣମାଧ୍ୟମରେ ଦଳର ପକ୍ଷକୁ ଦୃଢ଼ତାର ସହ ରଖିପାରିବେ। କିନ୍ତୁ ଯେଉଁ ବରିଷ୍ଠ ନେତାମାନେ ଦଳର ସରକାର ଅମଳରେ ବଡ଼ ବଡ଼ ବିଭାଗର ମନ୍ତ୍ରୀ ଥିଲେ, ଦଳର ସଂଗଠନକୁ ନିଜ ହାତରେ ଗଢ଼ିଥିଲେ, ଆଜି ସେମାନଙ୍କୁ ସଂଗଠନ କିମ୍ବା ପିଏସି (PAC) ପରି ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ନ ଦେଇ ହାତରେ ମୁଖପାତ୍ର ପଦର ‘ବ୍ୟାଜ୍’ଟା ମରାଇ ଦିଆଯାଇଛି।
ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ଏହା ସେମାନଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ବୟସର ଗାରିମାକୁ ସମ୍ମାନ ନୁହେଁ, ବରଂ ଏକପ୍ରକାର ଉପହାସ। ଏପରିକି ଏହି ତାଲିକାରେ ଏଭଳି କିଛି ନେତାଙ୍କୁ ବି ସାମିଲ କରାଯାଇଛି, ଯାହାଙ୍କର ମିଡିଆ ସହିତ ଦୂରଦୂରାନ୍ତ ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ। ଯେପରିକି ଅତନୁ ସବ୍ୟସାଚୀ ନାୟକ! ଯିଏକି ମିଡିଆଠାରୁ ନିରାପଦ ଦୂରତାରେ ରହିବାକୁ ଭଲ ପାଆନ୍ତି। ଏସବୁ ଦେଖିଲା ପରେ ସ୍ପଷ୍ଟ ଜାଣିହୁଏ ଯେ, ଏହା ପଛରେ ଏକ ବଡ଼ ଧରଣର ମାନସିକ ଚାପ ପ୍ରୟୋଗ ଏବଂ କୋଣଠେସା କରିବାର ଖେଳ ଲୁଚି ରହିଛି।
ପ୍ରଣବ ପ୍ରକାଶ ଦାସ ଓ ଦେବୀ ମିଶ୍ରଙ୍କ ସ୍ଥିତି: କିଏ କେଉଁଠି?
ଏହି ଜମ୍ବୋ ଟିମ୍ର ଗଣନା ଏତିକିରେ ସରି ନାହିଁ। ଦଳର ପୂର୍ବତନ ସଂଗଠନ ସମ୍ପାଦକ ତଥା ଏକ ସମୟରେ ଅତି ପ୍ରଭାବଶାଳୀ ନେତା ଥିବା ପ୍ରଣବ ପ୍ରକାଶ ଦାସ, ଯାହାଙ୍କୁ ସମସ୍ତେ ‘ବବି ଦାସ’ ବୋଲି ଜାଣନ୍ତି, ତାଙ୍କୁ ଏହି ତାଲିକାର ୧୨ ନମ୍ବରରେ ରଖାଯାଇଛି। ଏହା ଜରିଆରେ ପରୋକ୍ଷରେ ତାଙ୍କୁ ବାର୍ତ୍ତା ଦିଆଯାଇଛି ଯେ ଦଳରେ ତାଙ୍କର ପୂର୍ବପରି ଆଉ ସେହି ପ୍ରଭାବଶାଳୀ ସ୍ଥିତି ନାହିଁ, ବରଂ ତାଙ୍କର ଗ୍ରାଫ୍ ଏବେ ତଳକୁ ଖସି ଯାଇଛି।
ସେହିପରି, ଦେବୀ ପ୍ରସାଦ ମିଶ୍ରଙ୍କ କଥା ଦେଖନ୍ତୁ। ଦଳର ପରାଜୟ ପରଠାରୁ ଦୀର୍ଘ ଅଢ଼େଇ ବର୍ଷ ହେଲା ସାଂଗଠନିକ କାର୍ଯ୍ୟର ତଦାରଖ ଦାୟିତ୍ୱ ଦେବୀ ମିଶ୍ରଙ୍କ ହାତରେ ନ୍ୟସ୍ତ ଥିଲା। ପୁଣି ପରାଜୟ ପରେ ପାଣ୍ଡିଆନଙ୍କ ପ୍ରତି ବଢ଼ୁଥିବା ଆକ୍ରୋଶକୁ ପ୍ରଶମିତ କରିବା ପାଇଁ, ସୁଜାତାଙ୍କୁ ଦଳରେ ସାମିଲ କରିବା ନିମନ୍ତେ ବିଧାୟକମାନଙ୍କ ଘରକୁ ଘର ବୁଲି ସମର୍ଥନ ପ୍ରସ୍ତୁତ କରୁଥିଲେ ଏହି ବରିଷ୍ଠ ନେତାମାନେ। କିନ୍ତୁ ଆଜି ସେହି ଦେବୀ ପ୍ରସାଦ ମିଶ୍ର ଏବଂ ଅତନୁ ସବ୍ୟସାଚୀଙ୍କୁ ମଧ୍ୟ ମୁଖପାତ୍ର ତାଲିକାରେ ସାମିଲ କରି ପରୋକ୍ଷରେ ଚେତାଇ ଦିଆଯାଇଛି ଯେ, ପାଣ୍ଡିଆନ ଦମ୍ପତ୍ତିଙ୍କ ଆଗରେ ସେମାନଙ୍କର ଅବସ୍ଥା କ’ଣ। ତାଙ୍କୁ ମଧ୍ୟ ଏକ ପ୍ରକାର ‘ଲଲିପପ୍’ ଧରାଇ ଦିଆଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରି ଏବଂ ପାଣ୍ଡିଆନ ପରିବାରର ପତିଆରା
ଏହି ସମସ୍ତ ଘଟଣାଚକ୍ରର ପରଦା ପଛର ମାଷ୍ଟରମାଇଣ୍ଡ କିଏ? ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଏହି ସମସ୍ତ କମିଟି ପଛରେ ରହିଛନ୍ତି ଦଳର ଅଘୋଷିତ ସର୍ବେସର୍ବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ।
ଗତ ସେପ୍ଟେମ୍ବର ୨୮ ତାରିଖରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆଳରେ ସୁଜାତା ପାଣ୍ଡିଆନଙ୍କୁ ରାଜନୀତିର ପବ୍ଲିକ ପ୍ଲାଟଫର୍ମରେ ଏକ ‘ଗ୍ରାଣ୍ଡ ଡେବ୍ୟୁ’ ବା ଭବ୍ୟ ପ୍ରବେଶ କରାଯାଇଥିଲା। ସେହି ଦିନ ମଞ୍ଚରେ ସୁଜାତାଙ୍କୁ କେନ୍ଦ୍ରବିନ୍ଦୁ କରାଯିବା, କ୍ୟାମେରା ଫ୍ରେମରୁ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ପଛକୁ ହଟିବାକୁ ବାଧ୍ୟ କରାଯିବା ଏବଂ ମଞ୍ଚରୁ ସେ ସ୍ୱୟଂ କର୍ମୀମାନଙ୍କ ଆପତ୍ତି-ଅଭିଯୋଗ ଗ୍ରହଣ କରିବା—ଏସବୁ କୌଣସି ସାଧାରଣ ଘଟଣା ନଥିଲା। ଏହା ଥିଲା ଏକ ସୁଚିନ୍ତିତ ରଣନୀତି।

ଆଜିର ଏହି ଜମ୍ବୋ ମିଡିଆ ଟିମ୍ ଘୋଷଣା ମାଧ୍ୟମରେ ସୁଜାତା ରାଉତ କାର୍ତ୍ତିକେୟନ ଦଳ ଭିତରେ ନଜର ଶକ୍ତି ଏବଂ ସାଙ୍ଗଠନିକ ପତିଆରାକୁ ପୁଣିଥରେ ପ୍ରଦର୍ଶନ କରିଛନ୍ତି। ଦଳର ସୁପ୍ରିମୋ ନବୀନ ପାଟନାୟକଙ୍କ ଦସ୍ତଖତ କେବଳ ଏକ ଔପଚାରିକତା ପାଲଟି ଯାଇଛି ବୋଲି ଏବେ ଦଳୀୟ କର୍ମୀମାନେ ଅନୁଭବ କରୁଛନ୍ତି।
କିଏ କେମିତି ହେଲେ ‘ବ୍ଲୁଆଏଡ୍ ବୟ’? ଅରୁଣ ସାହୁଙ୍କ ବଦଳିଥିବା ଭୂମିକା
ଆସନ୍ତୁ ବର୍ତ୍ତମାନ ନଜର ପକାଇବା ଏହି ତାଲିକାର ଅନ୍ୟ କିଛି ରୋଚକ ଦିଗ ଉପରେ। ଦଳର ପରାଜୟ ପରଠାରୁ ଯେଉଁମାନେ ପାଣ୍ଡିଆନଙ୍କୁ ଖୋଲାଖୋଲି ବିରୋଧ କରି କୋଣଠେସା ହୋଇ ରହିଥିଲେ, ସେହିଭଳି ଜଣେ ନେତା ହେଉଛନ୍ତି ଅରୁଣ କୁମାର ସାହୁ। କିନ୍ତୁ ଆଜି ଦୃଶ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି! ଅରୁଣ ସାହୁ ଏବେ ସୁଜାତାଙ୍କର ସବୁଠାରୁ ଖାସ୍ ବା ‘ବ୍ଲୁଆଏଡ୍ ବୟ’ ପାଲଟି ଯାଇଛନ୍ତି।
ବିଧାନସଭାର ମୌସୁମୀ ଅଧିବେଶନରେ ଅରୁଣଙ୍କ ରଣନୀତି ଅନୁସାରେ ହିଁ ଦଳ ଆଗକୁ ବଢ଼ିଥିଲା। ସୁଜାତାଙ୍କ ସଙ୍କେତରେ କାମ କରିବାର ପୁରସ୍କାରସ୍ୱରୂପ ତାଙ୍କୁ ଇଲେକ୍ଟ୍ରୋନିକ ମିଡିଆର ମୁଖ୍ୟ ସଂଯୋଜକ ଭଳି ଏକ ଗୁରୁଦାୟିତ୍ୱ ନ୍ୟସ୍ତ କରାଯାଇଛି। ପାଣ୍ଡିଆନଙ୍କ ସହିତ ଭିନ୍ନମତ ପୋଷଣ କରୁଥିବା ଅରୁଣଙ୍କୁ ଏହି ପଦବୀ ଦେଇ ତାଙ୍କର ‘ମାନ ଭଞ୍ଜନ’ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ସେହିପରି ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ଭଳି ପୁରୁଖା ନେତାମାନଙ୍କୁ ମଧ୍ୟ ମୁଖ୍ୟ ସଂଯୋଜକ ପଦ ଦେଇ ନିଜ ପଲ୍ଲାରେ ରଖିବାକୁ ଏକ ‘ଚେକ୍-ଆଣ୍ଡ-ବାଲାନ୍ସ’ ରଣନୀତି ଖେଳାଯାଇଛି।

ଆଉ ଗୋଟିଏ କୌତୁହଳର କଥା ଦେଖନ୍ତୁ—ଜାତୀୟ ମୁଖପାତ୍ର ତାଲିକାରେ ଦଳର ଜଣେ ନବାଗତ ସଦସ୍ୟ ତଥା ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ସନ୍ତୃପ୍ତ ମିଶ୍ରଙ୍କୁ ଏକ ନମ୍ବର ସ୍ଥାନରେ ରଖାଯାଇଛି। କିନ୍ତୁ ଯେଉଁମାନେ ଦଳର ସଂସଦୀୟ ଦଳର ପୂର୍ବତନ ମୁଖିଆ ସସ୍ମିତ ପାତ୍ର କିମ୍ବା ବର୍ତ୍ତମାନର ସଂସଦୀୟ ଦଳ ମୁଖିଆ ମାନସ ମଙ୍ଗରାଜଙ୍କ ଭଳି ନେତା, ସେମାନଙ୍କୁ ଏହି ତାଲିକାରେ ତଳକୁ ରଖାଯାଇଛି। ଏହା କ’ଣ ସୂଚାଉଛି? ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଦଳରେ ପୁରୁଣା ଅଭିଜ୍ଞତାଠାରୁ ବର୍ତ୍ତମାନ ନୂଆ ନିୟନ୍ତ୍ରକମାନଙ୍କର ପ୍ରିୟଭାଜନ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ବିଜେଡିର ଏହି ଜମ୍ବୋ ଟିମ୍ ଗଠନ ପରେ ଦଳର ଆଭ୍ୟନ୍ତରୀଣ ରାଜନୀତି ଏବେ ସମ୍ପୂର୍ଣ୍ଣ ସରଗରମ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସାରଦା ପ୍ରସାଦ ନାୟକଙ୍କ ଭଳି ଅସନ୍ତୁଷ୍ଟ ବରିଷ୍ଠ ନେତାମାନଙ୍କୁ ମୁଖପାତ୍ର ପଦରେ ବାନ୍ଧି ପାଟି ବନ୍ଦ କରିବାକୁ ପ୍ରୟାସ କରାଯାଇଥିଲେ ହେଁ, ତୃଣମୂଳ ସ୍ତରରେ ଏହାର ପ୍ରତିକ୍ରିୟା ବହୁତ ଭିନ୍ନ ହେବାରେ ଲାଗିଛି। ପାଣ୍ଡିଆନ ପରିବାରର ଏଭଳି ଗୋଟିଚାଳନା ଦଳର ପୁରୁଣା ଏବଂ ତୃଣମୂଳ ସ୍ତରର ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷକୁ ଆଗାମୀ ଦିନରେ ଏକ ବିସ୍ଫୋରକ ରୂପ ଦେଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ଆଶଙ୍କା କରୁଛନ୍ତି। ନବୀନ ବାବୁଙ୍କ ନାଁରେ ଚାଲିଥିବା ଏହି ପରଦା ପଛର ଖେଳ ଆଗକୁ ବିଜେଡିକୁ କେଉଁଆଡ଼େ ନେଇଯିବ, ତାହା ସମୟ କହିବ।
also read
https://purvapaksa.com/naveens-overflowing-affection-three-obc-leaders-spill-the-beans/


