ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାର ଶୁଣାଣି ଏବଂ ରାୟ ପ୍ରକାଶ କରିବା ସମୟରେ ବିଚାରପତିମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପାରମ୍ପରିକ ଓ କଳଙ୍କିତ ଶବ୍ଦାବଳୀ ଉପରେ ଏବେ ଅଙ୍କୁଶ ଲଗାଯିବ। ପ୍ରଧାନ ବିଚାରପତି ଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ବ୍ୟବହୃତ ହେଉଥିବା ଭାଷାରେ ବ୍ୟାପକ ପରିବର୍ତ୍ତନ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। କୋର୍ଟର ଭାଷା କେବଳ ଏକ ଶୈଳୀ ନୁହେଁ, ବରଂ ଏହା ନ୍ୟାୟ ପ୍ରଦାନର ପ୍ରକ୍ରିୟା ଏବଂ ସମାଜର ମାନସିକତାକୁ ପ୍ରଭାବିତ କରିଥାଏ ବୋଲି ପ୍ୟାନେଲ୍ ସ୍ପଷ୍ଟ କରିଛନ୍ତି।
ଏହିସବୁ ରୁଢ଼ିବାଦୀ ଶବ୍ଦ ବ୍ୟବହାର ଉପରେ ରୋକ୍
ଜଷ୍ଟିସ୍ ଅନିରୁଦ୍ଧ ବୋସ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି – ଯେଉଁଥିରେ ଗୁଜରାଟ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସୋନିଆ ଗୋକାନୀ, ମଧ୍ୟପ୍ରଦେଶର ପୂର୍ବତନ ଡିଜିପି ଅନୁରାଧା ଶଙ୍କର, ସୁପ୍ରିମ୍ କୋର୍ଟ ଆଡଭୋକେଟ୍ ସୁରତ ସିଂହ ଏବଂ ମାନବବିଜ୍ଞାନୀ ଲକି ଟିଭି ଜେହୋଲ ସାମିଲ ଅଛନ୍ତି – ନିଜ ରିପୋର୍ଟରେ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି:
- ‘ପବିତ୍ରତା’ ଓ ‘ଲଜ୍ଜା’ : “ନାରୀଟି ନିଜର ପବିତ୍ରତା ହରାଇଲା” କିମ୍ବା “ତାଙ୍କର ଲଜ୍ଜାଭଙ୍ଗ ହେଲା” ଭଳି ଶବ୍ଦ ବ୍ୟବହାର କରାଯିବ ନାହିଁ। ଏହି ଶବ୍ଦଗୁଡ଼ିକ ଅପରାଧର ଆଇନଗତ ଗାମ୍ଭୀର୍ଯ୍ୟକୁ ହ୍ରାସ କରି ପୀଡ଼ିତାଙ୍କ ଉପରେ ସାମାଜିକ କଳଙ୍କ ଲଦିଦେଇଥାଏ।
- ମହିଳାଙ୍କ ଚରିତ୍ର ସଂକ୍ରାନ୍ତୀୟ ଆକ୍ଷେପ : ବିଚାରପତିମାନେ ରାୟରେ ‘ବେଶ୍ୟା’, ‘ପତିତା’, ‘ରଖେଲ’, ‘କଲ୍ ଗର୍ଲ’ କିମ୍ବା ‘ପ୍ରୋଷ୍ଟିଚ୍ୟୁଟ୍’ ଭଳି ଶବ୍ଦ ବ୍ୟବହାର କରିବା ପରିବର୍ତ୍ତେ ‘ପାର୍ଟନର’ କିମ୍ବା ‘ସେକ୍ସ ୱାର୍କର’ ଭଳି ତଟସ୍ଥ (Neutral) ଶବ୍ଦ ବ୍ୟବହାର କରିବାକୁ କୁହାଯାଇଛି।
‘ପୀଡ଼ିତାଙ୍କ ପୋଷାକ କିମ୍ବା ଚରିତ୍ରରୁ ନ୍ୟାୟ ମପାଯାଇପାରିବ ନାହିଁ’

କମିଟି ନିଜ ସୁପାରିଶରେ ବିଚାରପ୍ରକ୍ରିୟା ବେଳେ ପୀଡ଼ିତାଙ୍କ ଉପରେ ଦୋଷ ଲଦିବା ପ୍ରବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।
- ଅକ୍ଷମଣୀୟ ମାନସିକତା : ଜଣେ ମହିଳାଙ୍କୁ ତାଙ୍କ ପୋଷାକ, ତାଙ୍କର ନୈତିକତା କିମ୍ବା ଚରିତ୍ର ଆଧାରରେ ଆକଳନ କରିବା ଏକ ସଭ୍ୟ ସମାଜ ପାଇଁ ସମ୍ପୂର୍ଣ୍ଣ ଅକ୍ଷମଣୀୟ।
- ଆପତ୍ତିଜନକ ପ୍ରଶ୍ନ ଉପରେ କଟକଣା : ଅଦାଲତରେ ପୀଡ଼ିତାଙ୍କୁ “ରାତିରେ ବାହାରେ କାହିଁକି ଥିଲେ?”, “ଏଭଳି ପୋଷାକ କାହିଁକି ପିନ୍ଧିଥିଲେ?” କିମ୍ବା “ସାଙ୍ଗରେ କୌଣସି ପୁରୁଷ ସମ୍ପର୍କୀୟ କାହିଁକି ନଥିଲେ?” ଭଳି ଶୋଷଣକାରୀ ଓ ମାନସିକ ନିର୍ଯାତନାପୂର୍ଣ୍ଣ ପ୍ରଶ୍ନ ପଚାରିବାକୁ ବାରଣ କରାଯାଇଛି।
ନୂଆ ‘ଲାଙ୍ଗୁଏଜ୍ ଇକୋସିଷ୍ଟମ୍’ ପାଇଁ ସୁପାରିଶ

କମିଟିର ମୁଖ୍ୟ ଲକ୍ଷ୍ୟ ହେଉଛି ନ୍ୟାୟପାଳିକାରେ ଏକ ନୂତନ ‘ଲାଙ୍ଗୁଏଜ୍ ଇକୋସିଷ୍ଟମ୍’ (Language Ecosystem) ପ୍ରତିଷ୍ଠା କରିବା, ଯାହା ପାରମ୍ପରିକ ଲିଙ୍ଗଗତ ପକ୍ଷପାତିତାକୁ ଦୂର କରିବ। ନ୍ୟାୟାଳୟର ଭାଷା ସଦାସର୍ବଦା ପୀଡ଼ିତା-କେନ୍ଦ୍ରିକ ଏବଂ ସମ୍ମାନଜନକ ହେବା ଉଚିତ୍, ଯାହା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଆଇନଗତ ଲଢ଼େଇ ବେଳେ ଆଉ ଥରେ ମାନସିକ ଯନ୍ତ୍ରଣାର ଶିକାର ହେବେ ନାହିଁ।


