ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଭିତରେ ଏବେ ଏକ ବଡ଼ ଧରଣର ଭୂକମ୍ପ ଦେଖିବାକୁ ମିଳିଛି। ଏହି ଭୂକମ୍ପ କୌଣସି ବାହ୍ୟ ଶତ୍ରୁ କିମ୍ବା ବିରୋଧୀ ଦଳ ପାଇଁ ନୁହେଁ, ବରଂ ଦଳର ସର୍ବୋଚ୍ଚ ନେତୃତ୍ୱ ଏବଂ ଗାନ୍ଧୀ ପରିବାର ଭିତରୁ ହିଁ ସୃଷ୍ଟି ହୋଇଛି । ପାଞ୍ଚଟି ରାଜ୍ୟର ନିର୍ବାଚନ ଶେଷ ହେବା ପରେ, ଏବେ କଂଗ୍ରେସ ଶିବିରରେ ଏକ ନୂଆ ସମୀକରଣ ମୁଣ୍ଡ ଟେକିଛି । ଏହା ହେଉଛି—ରାହୁଲ ଗାନ୍ଧୀ ବନାମ ପ୍ରିୟଙ୍କା ଗାନ୍ଧୀ ଭଦ୍ରା!

ଯେଉଁ ଦଳରେ ଦିନେ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଶେଷ ନିଷ୍ପତ୍ତି ବୋଲି ଧରି ନିଆଯାଉଥିଲା, ସେଠାରେ ଏବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଭାବ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏବେ ବିଭିନ୍ନ ରାଜ୍ୟର କଂଗ୍ରେସ ନେତାମାନେ ରାହୁଲଙ୍କ ପାଖରୁ ନ୍ୟାୟ ନପାଇ ଶେଷରେ ପ୍ରିୟଙ୍କାଙ୍କ ଶରଣ ପଶୁଛନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରିୟଙ୍କାଙ୍କ ହସ୍ତକ୍ଷେପ ପରେ ରାହୁଲ ଗାନ୍ଧୀ ନିଜର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହେଉଛନ୍ତି । ଏହା କଂଗ୍ରେସର ଭିତର କଳି ନା ଏକ ନୂଆ ନେତୃତ୍ୱର ଆରମ୍ଭ?
ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କେରଳରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସ ହାଇକମାଣ୍ଡ ଅତିଷ୍ଠ ହୋଇପଡ଼ିଥିଲେ । ଦୀର୍ଘ ୧୫ ଦିନ ଧରି ଦଳ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନଥିଲା। ଏହାର କାରଣ ଥିଲା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଥିବା ତୀବ୍ର ମତଭେଦ।
ସୂଚନା ଅନୁଯାୟୀ , ରାହୁଲ ଗାନ୍ଧୀ ନିଜର ସବୁଠାରୁ ବିଶ୍ୱସ୍ତ ଏବଂ ଦଳର ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳଙ୍କୁ କେରଳର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଜିଦ୍ ଧରିଥିଲେ। ରାହୁଲଙ୍କ ପୂରା ସମର୍ଥନ ବେଣୁଗୋପାଳଙ୍କ ସହ ଥିଲା । କିନ୍ତୁ ଅପରପକ୍ଷରେ, ପ୍ରିୟଙ୍କା ଗାନ୍ଧୀ ଏହି ପଦବୀ ପାଇଁ ବରିଷ୍ଠ ବିଧାୟକ ଭିଡି ସତୀସନଙ୍କ ନାମକୁ ଆଗକୁ ବଢ଼ାଉଥିଲେ।
ଯେତେବେଳେ ରାହୁଲ ନିଜ ଜିଦ୍ରେ ଅଟଳ ରହିଲେ, ସେତେବେଳେ ପ୍ରିୟଙ୍କା ଏପରି ଏକ ରାଜନୈତିକ ଚାଲ୍ ଚଳାଇଲେ, ଯାହା ରାହୁଲଙ୍କ ସମସ୍ତ ଗଣିତକୁ ଓଲଟପାଲଟ କରିଦେଲା । ପ୍ରିୟଙ୍କା ସିଧାସଳଖ କେରଳର ପ୍ରଭାବଶାଳୀ ମେଣ୍ଟ ଦଳ ଆଇୟୁଏମଏଲ (IUML) ବା ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ର ନେତାମାନଙ୍କ ସହ ଆଲୋଚନା କଲେ। ସେ ସେମାନଙ୍କୁ ଏଭଳି ଭାବରେ ବୁଝାଇବାରେ ସଫଳ ହେଲେ ଯେ, ସେମାନେ ମଧ୍ୟ ଭିଡି ସତୀସନଙ୍କ ସପକ୍ଷରେ ବାହାରିଲେ । ଶେଷରେ ସେଠାରେ ସେଭଳି ପରିସ୍ଥିତି ସୃଷ୍ଟି ହେଲା ଯେ, ରାହୁଲ ଗାନ୍ଧୀ ନିଜ ମତ ବଦଳାଇବାକୁ ବାଧ୍ୟ ହେଲେ ଏବଂ ଭିଡି ସତୀସନଙ୍କ ନାମରେ ମୋହର ବାଜିଲା । ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ପ୍ରିୟଙ୍କାଙ୍କ ରାଜନୈତିକ ରଣନୀତି ରାହୁଲଙ୍କ ନିଷ୍ପତ୍ତି ଉପରେ ଭାରି ପଡ଼ିଛି ।

ଦ୍ୱିତୀୟ ବଡ଼ ଉଦାହରଣ ହେଉଛି କର୍ଣ୍ଣାଟକ । କର୍ଣ୍ଣାଟକ କଂଗ୍ରେସର ଭିତର କଳି ବିଷୟରେ ବାଜିଥିଲା ସାରା ଦେଶରେ ଡେଙ୍ଗୁରା । ଗତ ବିଧାନସଭା ନିର୍ବାଚନ ସମୟରେ ହାଇକମାଣ୍ଡଙ୍କ ଉପସ୍ଥିତିରେ ଏକ ଚୁକ୍ତି ହୋଇଥିଲା ଯେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ରହିବେ ଏବଂ ତା’ପରେ କ୍ଷମତା ପରିବର୍ତ୍ତନ ହେବ, ଅର୍ଥାତ୍ ଡି କେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । କିନ୍ତୁ ସମୟ ସରିବା ପରେ ମଧ୍ୟ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ । ସବୁଠାରୁ ବଡ଼ କଥା ହେଉଛି, ରାହୁଲ ଗାନ୍ଧୀ ମଧ୍ୟ ସିଦ୍ଧରମେୟାଙ୍କୁ ପଦରୁ ହଟାଇବାକୁ ସାହସ କରୁନଥିଲେ, ଯେଉଁଥିପାଇଁ ଡ଼ି.କେ.ଶିବକୁମାର ନିଜକୁ ପ୍ରତାରିତ ମନେ କରୁଥିଲେ ।
ଏଭଳି ସଙ୍କଟ ସମୟରେ ଡି କେ ଶିବକୁମାର ରାହୁଲଙ୍କ ପାଖକୁ ନଯାଇ ସିଧାସଳଖ ପ୍ରିୟଙ୍କା ଗାନ୍ଧୀଙ୍କ ଶରଣ ପଶିଲେ। ସେ ପ୍ରିୟଙ୍କାଙ୍କ ଆଗରେ ନିଜର ଦୁଃଖ ପ୍ରକାଶ କଲେ ଏବଂ ଦଳ ପାଇଁ ନିଜର ତ୍ୟାଗ ଓ ସଂଗଠନର ଭବିଷ୍ୟତ ବିଷୟରେ ଜଣାଇଲେ। ପ୍ରିୟଙ୍କା ଏହି ମାମଲାକୁ ଅତି ଗମ୍ଭୀରତାର ସହ ନିଜ ହାତକୁ ନେଲେ। ସେ ସିଦ୍ଧରମେୟାଙ୍କ ସହ କଥା ହେଲେ ଏବଂ ଏପରି ଏକ ପାୱାର ପ୍ଲେ କଲେ ଯେ, ଆଜି ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ସିଦ୍ଧରମେୟାଙ୍କ ଇସ୍ତଫା ପରେ ଏବେ ଡି କେ ଶିବକୁମାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନର ରାସ୍ତା ସମ୍ପୂର୍ଣ୍ଣ ସଫା ହୋଇଯାଇଛି । କର୍ଣ୍ଣାଟକର ଏହି ହାଇ-ଡ୍ରାମା ପ୍ରମାଣ କରଉଛି ଯେ ଯେଉଁଠି ରାହୁଲ ଫେଲ୍ ମାରୁଛନ୍ତି, ସେଠାରେ ପ୍ରିୟଙ୍କା ଗାନ୍ଧୀ ହିଁ ସଙ୍କଟମୋଚକ ସାଜୁଛନ୍ତି ।

ଏହି ଦୁଇଟି ଯାକ ଘଟଣା—ଅର୍ଥାତ୍ କେରଳ ଏବଂ କର୍ଣ୍ଣାଟକର ସାମ୍ପ୍ରତିକ ସ୍ଥିତି କୌଣସି ସାଧାରଣ ରାଜନୈତିକ ଘଟଣା ନୁହେଁ । ଏହା କଂଗ୍ରେସ ସଂଗଠନ ଭିତରେ ବଦଳୁଥିବା କ୍ଷମତାର ସନ୍ତୁଳନକୁ ସ୍ପଷ୍ଟ ଭାବେ ଦର୍ଶାଉଛି । କଂଗ୍ରେସ ଭିତରେ ଏବେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ସଂଗଠନ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି ଏବଂ ପ୍ରିୟଙ୍କାଙ୍କ ସ୍ୱୀକାର୍ଯ୍ୟତା ବଢ଼ିବାରେ ଲାଗିଛି ।
ଏହାର କାରଣ କ’ଣ ହୋଇପାରେ? ରାଜନୈତିକ ସମୀକ୍ଷକମାନଙ୍କ ମତରେ, ରାହୁଲ ଗାନ୍ଧୀ ଅନେକ ସମୟରେ ବୈଚାରିକ କିମ୍ବା ଆଦର୍ଶଗତ ରାଜନୀତି କରନ୍ତି, କିନ୍ତୁ ଗ୍ରାଉଣ୍ଡ ରିଆଲିଟି ବା ବାସ୍ତବିକ ସ୍ଥିତି ଏବଂ ଆଞ୍ଚଳିକ ନେତାଙ୍କ ଆବଶ୍ୟକତାକୁ ବୁଝିବାରେ ସେ ବିଫଳ ହୁଅନ୍ତି । ଅନ୍ୟପକ୍ଷରେ, ପ୍ରିୟଙ୍କା ଗାନ୍ଧୀଙ୍କ ଶୈଳୀରେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ଭଳି ବ୍ୟାବହାରିକତା ଏବଂ ଦୃଢ଼ ନିଷ୍ପତ୍ତି ନେବାର କ୍ଷମତା ଦେଖିବାକୁ ମିଳୁଛି । ସେ ନେତାମାନଙ୍କ ସହ ସିଧାସଳଖ ଯୋଗାଯୋଗ କରନ୍ତି, ସେମାନଙ୍କ ସମସ୍ୟା ଶୁଣନ୍ତି ଏବଂ ତୁରନ୍ତ ରାଜନୈତିକ ସମାଧାନ ବାହାର କରନ୍ତି। ସେଥିପାଇଁ ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ ଏବେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କାଙ୍କ ଉପରେ ଅଧିକ ଭରସା କରୁଛନ୍ତି ।

ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି—ଏହି “ରାହୁଲ ବନାମ ପ୍ରିୟଙ୍କା” ଲଢ଼େଇ ଆଗକୁ କଂଗ୍ରେସକୁ କେଉଁ ଦିଗକୁ ନେଇଯିବ? କ’ଣ କଂଗ୍ରେସରେ ଭବିଷ୍ୟତରେ ନେତୃତ୍ୱର ବଡ଼ ପରିବର୍ତ୍ତନ ହେବ? କ’ଣ ପ୍ରିୟଙ୍କା ଗାନ୍ଧୀ ହିଁ ଆଗାମୀ ଦିନରେ କଂଗ୍ରେସର ମୁଖ୍ୟ ଚେହେରା ସାଜିବେ? କେରଳ ଏବଂ କର୍ଣ୍ଣାଟକର ଘଟଣା ତ ଏହିଆ ଆଡକୁ ଇସାରା କରୁଛି। କିନ୍ତୁ ଗାନ୍ଧୀ ପରିବାର ଭିତରେ ଥିବା ଏହି ଶୀତଳ ଯୁଦ୍ଧ ଯଦି ଅଧିକ ତେଜିବ, ତେବେ ଏହା ଦଳକୁ ଆହୁରି ଦୁର୍ବଳ କରିଦେଇପାରେ, ଏହାକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ।


