Utkarsha Odisha: ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ପ୍ରବାସୀ ଭାରତୀୟ ସମ୍ମିଳନୀର ଦ୍ୱିତୀୟ ଦିନରେ ଏହାକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ତେବେ ପୁନର୍ବାର ମୋଦୀ ଭୁବନେଶ୍ୱର ଆସୁଛନ୍ତି।

ଚଳିତ ମାସର ୨୮ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଜାନୁଆରୀ ୨୮ ଓ ୨୯ ତାରିଖ ଭୁବନେଶ୍ୱରର ଜନତା ମଇଦାନରେ ଦୁଇଦିନ ଧରି ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଏହାର ଉଦ୍ଘାଟନ କରିବେ। ୨୮ ତାରିଖ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ସିଧାସଳଖ ଭୁବନେଶ୍ୱରର ଆସିବେ।
ସକାଳ ୧୦ ଟା ୩୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୦ଟା ୪୦ ମିନିଟ୍ ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ବାହାରି ଜନତା ମଇଦାନ ସିଧା ଆସିବେ। ୧୦ଟା ୫୫ ମିନିଟରେ ଜନତା ମଇଦାନରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପୂର୍ବାହ୍ନ ୧୧ ଟାରେ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ ଟା ୩୦ ମିନିଟ ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ। ମଧ୍ୟାହ୍ନ ୧୨ ଟା ୩୫ ମିନିଟରେ ଜନତା ମଇଦାନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ। ୧୨ ଟା ୫୫ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍ତରାଖଣ୍ଡ ଡେରାଡୁନକୁ ଯିବାର କାର୍ଯ୍ୟକ୍ରମ ରହିଛି।
Also readhttps://purvapaksa.com/odisha-assembly-budget-session-from-feb-13/

