ଶ୍ରୀକ୍ଷେତ୍ରର ବାଲୁକା ବେଳାଭୂମିରେ ସମୁଦ୍ରର ଗର୍ଜନ, ବଡ଼ଦାଣ୍ଡରେ ଭକ୍ତମାନଙ୍କର ‘ଜୟ ଜଗନ୍ନାଥ’ ଧ୍ୱନି ଏବଂ ନୀଳଚକ୍ରର ପବିତ୍ର ଛାୟା—ଏ ସବୁରି ଭିତରେ ଲୁଚି ରହିଛି ଏକ ଅସରନ୍ତି ରହସ୍ୟ, ଏକ ଅନନ୍ତ ଆଶ୍ଚର୍ଯ୍ୟ। ସେ ଆଶ୍ଚର୍ଯ୍ୟ ହେଉଛନ୍ତି ଆମର କାଳିଆ ଠାକୁର, ମହାପ୍ରଭୁ ଶ୍ରୀଜଗନ୍ନାଥ। ସାରା ବିଶ୍ୱର ନାଥ ସେ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାରେ ଯିଏ ସର୍ବସ୍ୱ। ହେଲେ ଯେତେବେଳେ ପ୍ରଶ୍ନ ଉଠେ—ଆମ କାଳିଆ କେତେ ଧନୀ? ଆମ ଜଗାର କେତେ ସମ୍ପତ୍ତି ଅଛି? ସେତେବେଳେ କେବଳ ଭକ୍ତି ଭାବନାର ଶୁଅ ଛୁଟେନି, ବରଂ ବାସ୍ତବ ଜଗତର କିଛି ଅସଲ ତଥ୍ୟ ବିଷୟରେ ଜାଣିବାକୁ ଇଛା ହୁଏ , ମନରେ ଉତ୍କଣ୍ଠା ଭରି ଯାଏ । ସତରେ କଣ ଆମ ଜଗା ଏତେ ଧନୀ ?

ପ୍ରଥମଥର ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଟିଏ) ପକ୍ଷରୁ ଶ୍ରୀମନ୍ଦିରର ସମ୍ପତ୍ତି ଓ ଆୟର ସ୍ୱଚ୍ଛ ତଥ୍ୟ ସାର୍ବଜନୀନ କରାଯାଇଛି। ଏହି ତଥ୍ୟ କେବଳ କିଛି ସଂଖ୍ୟା କିମ୍ବା ହିସାବ ନୁହେଁ, ଏହା ହେଉଛି ମହାପ୍ରଭୁଙ୍କ ଅନନ୍ତ କରୁଣା ଏବଂ ଭକ୍ତମାନଙ୍କର ଅଗାଧ ବିଶ୍ୱାସର ଏକ ପ୍ରମାଣପତ୍ର।
ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ, ଅଗଷ୍ଟ ୩୧ ସୁଦ୍ଧା ମହାପ୍ରଭୁଙ୍କର ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୧,୯୧୨ କୋଟି ଟଙ୍କା ଜମା ରହିଛି। ଏହି ବିଶାଳ ଅର୍ଥରାଶିକୁ ମନ୍ଦିରର ବିଭିନ୍ନ ପାଣ୍ଠିରେ ସୁରକ୍ଷିତ ଭାବେ ରଖାଯାଇଛି।
ମନ୍ଦିରର ତିନୋଟି ମୁଖ୍ୟ ପାଣ୍ଠିରେ ମୋଟ୍ ୧,୮୧୧ କୋଟି ୧୦ ଲକ୍ଷ ଟଙ୍କା ସ୍ଥାୟୀ ଜମା (FD) ଭାବେ ରହିଛି। ଯେମିତି କି
- ବିଭିନ୍ନ ବିଶ୍ୱସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମୋଟ୍ ୧,୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମା ଭାବେ ରହିଛି।
- ମନ୍ଦିରର ପିଏଲ୍ (Personal Ledger) ଆକାଉଣ୍ଟରେ ୫୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର କର୍ପସ ପାଣ୍ଠି ସଂରକ୍ଷିତ ଅଛି।
- ସ୍ଥାୟୀ ଜମାକୁ ବାଦ ଦେଲେ ସେଭିଂ, କରେଣ୍ଟ ଏବଂ ଫ୍ଲେକ୍ସି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଅନ୍ୟୂନ ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଛି।
ଏହି ସ୍ୱଳ୍ପକାଳୀନ ଏବଂ ସେଭିଂ ଆକାଉଣ୍ଟରେ ଥିବା ପ୍ରାୟ ୧୦୦ କୋଟି ଟଙ୍କାରୁ ମନ୍ଦିରର ଦୈନନ୍ଦିନ ପରିଚାଳନା, ନୀତିକାନ୍ତି, ସେବାପୂଜା, ରୋଷଘରର ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଜରୁରୀ ବ୍ୟୟ ବହନ କରାଯାଏ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ଯେ, ମନ୍ଦିରର ମୁଖ୍ୟ ଆୟର ଉତ୍ସ ହେଉଛି ଭକ୍ତମାନଙ୍କର ଅକୁଣ୍ଠ ଦାନ। ଏହାଛଡ଼ା ମନ୍ଦିରର ନିଜସ୍ୱ ଖଣି ଓ ପଥର ଖାଦାନ, ସ୍ଥାୟୀ ଜମା ଆକାଉଣ୍ଟରୁ ମିଳୁଥିବା ସୁଧ, ଜମି ସମ୍ବନ୍ଧୀୟ ଆଇନଗତ କାରବାର ଏବଂ ସରକାରୀ ଅନୁଦାନ ମାଧ୍ୟମରେ ମଧ୍ୟ ଶ୍ରୀମନ୍ଦିରର ଆୟ ହୋଇଥାଏ। ଆମର ଏକମାତ୍ର ଲକ୍ଷ୍ୟ ହେଉଛି ମହାପ୍ରଭୁଙ୍କ ଏହି ପବିତ୍ର ସମ୍ପତ୍ତିର ସର୍ବୋଚ୍ଚ ସୁରକ୍ଷା ଏବଂ ଏହାର ସଠିକ୍, ସ୍ୱଚ୍ଛ ପରିଚାଳନା।
/odishatv/media/media_files/2026/04/13/inner-ratna-bhandar-inventory-to-begin-at-puri-srimandir-after-48-years-amid-tight-security-2026-04-13-12-25-47.png)
ଟଙ୍କା ପଇସା ତ ଏକ ସାମୟିକ ମାପକାଠି, କିନ୍ତୁ ପ୍ରକୃତ ସମ୍ପତ୍ତି ତ ହେଉଛି ମହାପ୍ରଭୁଙ୍କର ବିସ୍ତୃତ ଭୂସମ୍ପତ୍ତି। ମନ୍ଦିର ପ୍ରଶାସନର ତଥ୍ୟ ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସମଗ୍ର ଦେଶରେ ମୋଟ୍ ୬୦,୮୨୧ ଏକର ଜମି ରହିଛି।
ଏହି ବିଶାଳ ଭୂମି କେବଳ ଓଡ଼ିଶାରେ ସୀମିତ ନାହିଁ, ବରଂ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ବିସ୍ତାରିତ ହୋଇରହିଛି:
- ଏହି ଜମି ମଧ୍ୟରୁ ୬୦,୪୨୬ ଏକର ଜମି କେବଳ ଓଡ଼ିଶା ରାଜ୍ୟର ୨୬ଟିଯାକ ଜିଲ୍ଲାରେ ରହିଛି।
- ବାକି ୩୯୫ ଏକର ଜମି ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ୬ଟି ପ୍ରମୁଖ ରାଜ୍ୟରେ ବିକ୍ଷିପ୍ତ ଭାବେ ରହିଛି।
ରାଜାମହାରାଜାମାନେ, ଭକ୍ତମାନେ ଏବଂ ବିଭିନ୍ନ ଶାସକମାନେ ମହାପ୍ରଭୁଙ୍କ ସନ୍ତୋଷ ନିମନ୍ତେ ନିଜର ସର୍ବସ୍ୱ ଅର୍ଥାତ୍ ଜମିବାଡ଼ି ଦାନ କରିଯାଇଛନ୍ତି। ଏହି ଜମିଗୁଡ଼ିକର ସୁରକ୍ଷା, ମାପଚୁପ ଏବଂ ଜବର ଦଖଲ ମୁକ୍ତ କରିବା ପାଇଁ STA ଏବଂ ରାଜ୍ୟ ସରକାର କ୍ରମାଗତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।
ଯୁଗ ବଦଳୁଛି, ସମୟ ବଦଳୁଛି ଏବଂ ସେହି ଅନୁସାରେ ଭକ୍ତଙ୍କ ଭକ୍ତି ନିବେଦନର ମାଧ୍ୟମ ମଧ୍ୟ ବଦଳୁଛି। ଶ୍ରୀମନ୍ଦିରରେ ପାରମ୍ପରିକ ହୁଣ୍ଡି ଦାନ ସାଙ୍ଗକୁ ଏବେ ଆଧୁନିକ ଟେକ୍ନୋଲୋଜିର ମଧ୍ୟ ପ୍ରବେଶ ଘଟିଛି।
ଗତ ଜୁନ୍ ୧୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ‘ଡିଜିଟାଲ ହୁଣ୍ଡି’ର ଶୁଭାରମ୍ଭ କରିଥିଲେ। ଦେଶ-ବିଦେଶର ଯେଉଁ କୋଟି କୋଟି ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ପାରୁନାହାନ୍ତି କିମ୍ବା ଘରେ ବସି ମହାପ୍ରଭୁଙ୍କୁ ଦାନ ଦେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ଡିଜିଟାଲ ହୁଣ୍ଡି ଏକ ବଡ଼ ମାଧ୍ୟମ ପାଲଟିଛି।
ଏହି ବ୍ୟବସ୍ଥାକୁ ଭକ୍ତମାନଙ୍କଠାରୁ ଅତ୍ୟନ୍ତ ଉତ୍ସାହଜନକ ସମର୍ଥନ ମିଳୁଛି। କେବଳ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ଡିଜିଟାଲ ହୁଣ୍ଡି ଜରିଆରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ଦାନ ଆକାରରେ ଆସି ପହଞ୍ଚିଛି। ପ୍ରତିଦିନ ହୁଣ୍ଡିରୁ ସଂଗୃହୀତ ହେଉଥିବା ଆୟର ସଠିକ୍ ତଥ୍ୟକୁ ମନ୍ଦିରର ନୋଟିସ୍ ବୋର୍ଡ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ସ୍ୱଚ୍ଛତାର ସହ ସାର୍ବଜନୀନ କରାଯାଉଛି, ଯାହା ଦ୍ୱାରା ପ୍ରତ୍ୟେକ ଭକ୍ତ ମହାପ୍ରଭୁଙ୍କ ପାଣ୍ଠିର ହିସାବ ସିଧାସଳଖ ଜାଣିପାରୁଛନ୍ତି।
ଶ୍ରୀମନ୍ଦିରର ଧନସମ୍ପତ୍ତି କଥା କହିବାକୁ ଗଲେ, ଯାହାର ଉଲ୍ଲେଖ ନକଲେ କଥା ଅଧୁରା ରହିଯିବ, ସୋହା ହେଉଛି ମହାପ୍ରଭୁଙ୍କ ପବିତ୍ର ‘ରତ୍ନଭଣ୍ଡାର’। ରତ୍ନଭଣ୍ଡାର ଭିତରେ କାଳିଆ ସାଆନ୍ତଙ୍କର ଯେଉଁ ବିରଳ ଅଳଙ୍କାର ଓ ମୂଲ୍ୟବାନ ରତ୍ନରାଜି ରହିଛି, ତାହାର ତୁଳନା କେବଳ କାହା ସାଙ୍ଗେ ବି ହୋଇପାରିବ ନାହିଁ।
![Amrutamanohi' property belongs to Lord Jagannath Temple: SC strikes down first part of proviso to Section 2(oo) of Orissa Estate Abolition Act [Read Judgment]](https://www.livelaw.in/cms/wp-content/uploads/2015/12/SRI-JAGANNATH-TEMPLE-Orissa-min.jpg)
ଏହି ରତ୍ନଭଣ୍ଡାରରେ କେବଳ ସୁନା ଓ ରୂପା ନୁହେଁ, ବରଂ ଅସଂଖ୍ୟ ହୀରା, ମୋତି, ମାଣିକ୍ୟ, ପ୍ରବାଳ ଏବଂ ବିରଳ ମୂଲ୍ୟବାନ ପ୍ରସ୍ତରର ଅଳଙ୍କାର ରହିଛି। ପିଢ଼ି ପରେ ପିଢ଼ି ଧରି ରାଜାମହାରାଜାମାନେ ଯେଉଁ ସବୁ ଅମୂଲ୍ୟ ରତ୍ନ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରିଛନ୍ତି, ତାହା ଭାରତୀୟ ସଂସ୍କୃତି ଓ ଇତିହାସର ଏକ ଅମୂଲ୍ୟ ଧୋହର।
ତେବେ ଏହି ସମସ୍ତ ଅଳଙ୍କାରର ପ୍ରକୃତ ଆର୍ଥିକ ମୂଲ୍ୟାୟନ ଏଯାଏଁ ସମ୍ପୂର୍ଣ୍ଣ ଭାବେ ହୋଇପାରି ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ରତ୍ନଭଣ୍ଡାରର ଗଣତି ମଣତି ଏବଂ ମରାମତି କାର୍ଯ୍ୟ ଅତି କଡ଼ା ସୁରକ୍ଷା ବଳୟ ଭିତରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ, ରତ୍ନଭଣ୍ଡାର ଗଣତି ମଣତିର ଚୂଡ଼ାନ୍ତ ରିପୋର୍ଟ ସାମ୍ନାକୁ ଆସିବା ପରେ ମହାପ୍ରଭୁଙ୍କ ନିକଟରେ ଥିବା ସୁନା, ରୂପା ଏବଂ ରତ୍ନ ଅଳଙ୍କାରର ସଠିକ୍ ପରିମାଣ ଓ ଗୁଣବତ୍ତା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ।
ଗନ୍ନାଥ କେବଳ ଏକ ମନ୍ଦିରର ଦିବ୍ୟ ବିଗ୍ରହ ନୁହଁନ୍ତି; ସେ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ । ତାଙ୍କର ସମ୍ପତ୍ତି କେବଳ କିଛି ଇଟା, ପଥର, ଜମି କିମ୍ବା ବ୍ୟାଙ୍କ ବାଲାନ୍ସ ନୁହେଁ; ଏହା ହେଉଛି କୋଟି କୋଟି ଭକ୍ତଙ୍କର ଭାବନା ଏବଂ ସମର୍ପଣର ପ୍ରତୀକ।
ଆଜି ଯେତେବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏହି ସମସ୍ତ ତଥ୍ୟକୁ ସର୍ବସାଧାରଣଙ୍କ ସାମ୍ନାରେ ଖୋଲାଖୋଲି ଭାବେ ରଖିଛି, ସେତେବେଳେ ଏହା ସ୍ପଷ୍ଟ ହୋଇଯାଇଛି ଯେ ମହାପ୍ରଭୁଙ୍କ ସମ୍ପତ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ପରିଚାଳନା ଅତ୍ୟନ୍ତ ସ୍ୱଚ୍ଛତା ସହ କରାଯାଉଛି। ଏହି ପଦକ୍ଷେପ କେବଳ ପ୍ରଶାସନିକ ସ୍ୱଚ୍ଛତା ଆଣି ନାହିଁ, ବରଂ ଜଗନ୍ନାଥପ୍ରେମୀମାନଙ୍କ ମନରେ ଏକ ନୂତନ ବିଶ୍ୱାସ ଏବଂ ଗର୍ବର ଭାବ ଜାଗ୍ରତ କରିଛି।
ଆମ କାଳିଆ କେବଳ ଭାବର ଠାକୁର ନୁହେଁ, ସେ ମହାଧନୀ ମଧ୍ୟ—ଯାହାର ଧନର କୌଣସି ପରିସୀମା ନାହିଁ, ଯାହାର ସମ୍ପତ୍ତିର କୌଣସି ଶେଷ ନାହିଁ। ଆଉ ସେହି ଅନନ୍ତ ଧନର ମାଲିକ, ସେହି ଦୟାମୟ କାଳିଆ ସାଆନ୍ତଙ୍କର କରୁଣା ଯେପରି ସବୁଦିନ ପାଇଁ ସମସ୍ତଙ୍କ ଉପରେ ବର୍ଷିଚାଲିଥାଉ, ଏହାହିଁ ପ୍ରତ୍ୟେକ ଜଗନ୍ନାଥଭକ୍ତର ଏକମାତ୍ର ପ୍ରାର୍ଥନା।


