ଭାରତରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୦ ରୁ ୪୫ ଡ଼ିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ହେବା ଏକ ସାଧାରଣ କଥା। ଏତେ ପ୍ରଚଣ୍ଡ ଖରାରେ ମଧ୍ୟ ଭାରତର ପିଚୁ ରାସ୍ତା ଗୁଡ଼ିକ ସୁରକ୍ଷିତ ରହିଥାଏ ଏବଂ ଗାଡ଼ିମୋଟର ସ୍ୱାଭାବିକ ଭାବେ ଚାଲିଥାଏ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ବ୍ରିଟେନ (UK)ରେ ମାତ୍ର ୩୦ଡ଼ିଗ୍ରୀ ସେଲସିୟସ ତାପମାତ୍ରାରେ ସେଠାକାର ରାସ୍ତା ତରଳିବାକୁ ଲାଗିଛି। ଏହି ଖବର ପ୍ରସାରିତ ହେବା ପରେ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଯେଉଁଠି ଭାରତର ରାସ୍ତା ୪୦-୪୫ ଡ଼ିଗ୍ରୀ ତାପମାତ୍ରା ସହଜରେ ସହ୍ୟ କରିନିଏ, ସେଠାରେ ବ୍ରିଟେନ ଭଳି ବିକଶିତ ଦେଶର ରାସ୍ତା ମାତ୍ର ୩୦ଡ଼ିଗ୍ରୀରେ କେମିତି ତରଳି ଯାଉଛି?

ଜାଣନ୍ତୁ କାହିଁକି ତରଳୁଛି ବ୍ରିଟେନର ରାସ୍ତା ?
ପ୍ରତିରକ୍ଷା ଓ ଭୂଗୋଳ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ପଛରେ କୌଣସି ନିମ୍ନମାନର କାମ ନାହିଁ, ବରଂ ଏହାର ପ୍ରକୃତ କାରଣ ହେଉଛି ରାସ୍ତା ତିଆରିର ଜ୍ଞାନକୌଶଳ ଏବଂ ସେଠାକାର ଜଳବାୟୁ। ବ୍ରିଟେନ ଏକ ଶୀତପ୍ରଧାନ ଦେଶ। ସେଠାରେ ବର୍ଷର ଅଧିକାଂଶ ସମୟ ପ୍ରବଳ ଶୀତ ଓ ବରଫପାତ ହୋଇଥାଏ। ତେଣୁ ସେଠାକାର ରାସ୍ତା ଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଥାଏ, ଯେମିତି ତାହା ଅତ୍ୟଧିକ ଶୀତକୁ ସହ୍ୟ କରିପାରିବ ଏବଂ ବରଫ ଜମିଲେ ମଧ୍ୟ ରାସ୍ତାରେ ଫାଟ ସୃଷ୍ଟି ହେବନାହିଁ।
ବ୍ରିଟେନର ରାସ୍ତା ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ପିଚୁ ବା ଆସଫାଲ୍ଟ (Asphalt)ର ସହନଶୀଳତା ସର୍ବାଧିକ ୨୦ ରୁ ୨୫ ଡ଼ିଗ୍ରୀ ସେଲସିୟସ ତାପମାତ୍ରାକୁ ଆଖିରେ ରଖି ପ୍ରସ୍ତୁତ କରାଯାଇଥାଏ। ତେଣୁ ଯେତେବେଳେ ସେଠାରେ ହଠାତ୍ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାରଦ ୩୦ ଡ଼ିଗ୍ରୀ ଛୁଇଁଥାଏ, ସେତେବେଳେ ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ ଯୋଗୁଁ ରାସ୍ତାର ତାପମାତ୍ରା ପ୍ରାୟ ୫୦ ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଏ ଏବଂ ରାସ୍ତା ନରମ ହୋଇ ତରଳିବାକୁ ଲାଗେ।
ଭାରତର ରାସ୍ତା କାହିଁକି ତରଳେ ନାହିଁ ?

ଅପରପକ୍ଷରେ, ଭାରତ ହେଉଛି ଏକ ଗ୍ରୀଷ୍ମପ୍ରଧାନ ଦେଶ। ଏଠାରେ ସେଭଳି ପିଚୁ ବ୍ୟବହାର କରାଯାଇଥାଏ ଯାହା ଅତ୍ୟଧିକ ଗରମ ସହ୍ୟ କରିପାରିବ। ଭାରତରେ ରାସ୍ତା ତିଆରି ସମୟରେ ବ୍ୟବହୃତ ହେଉଥିବା ବିଟୁମେନ୍ (Bitumen)ର ଗ୍ରେଡ୍ ଏଭଳି ରଖାଯାଏ ଯେ ସେଗୁଡ଼ିକ ୫୦ ରୁ ୬୦ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରାକୁ ସହଜରେ ସହ୍ୟ କରିପାରେ। ଭାରତୀୟ ଜଳବାୟୁ ଅନୁସାରେ ଏଠାକାର ଇଞ୍ଜିନିୟରିଂ ଏବଂ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବାରୁ ଏଠାରେ ୪୦ ଡିଗ୍ରୀ ଖରାରେ ମଧ୍ୟ ରାସ୍ତାର କୌଣସି କ୍ଷତି ହୁଏନାହିଁ।
ବ୍ରିଟେନରେ ହେଉଥିବା ଏହି ସମସ୍ୟା ପରେ ସେଠାକାର ପ୍ରଶାସନ ଏବେ ରାସ୍ତା ଉପରେ ବାଲି କିମ୍ବା ପଥର ଗୁଣ୍ଡ ପକାଇ ଗାଡ଼ି ଚଳାଚଳକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛି। ଏହି ଘଟଣା ପ୍ରମାଣିତ କରୁଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ଶୀତପ୍ରଧାନ ଦେଶ ଗୁଡ଼ିକ ମଧ୍ୟ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେଣି।


