ସାରା ଦେଶରେ ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍’ (NEET) କୁ ନେଇ ଚାଲିଥିବା ବିବାଦ ଓ ସଂସ୍କାର ପ୍ରକ୍ରିୟା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ବର୍ଷଠାରୁ NEET ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ବା କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT Mode) ରେ କରାଯାଇପାରେ। ‘ଇଣ୍ଡିଆ ଟୁଡେ ଟିଭି’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବା ଏବଂ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।
ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ:
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, “ମୁଁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷା ଜଗତ ସହ ଜଡ଼ିତ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ଆସନ୍ତା ବର୍ଷର NEET ପରୀକ୍ଷା କମ୍ପ୍ୟୁଟର ଆଧାରିତ (CBT) ମୋଡ୍ରେ କରାଯିବାର ସମ୍ଭାବନା ରହିଛି। ତେଣୁ ଛାତ୍ରଛାତ୍ରୀମାନେ ଏବେଠାରୁ ଏହି ଅନଲାଇନ୍ ଫର୍ମାଟ୍ ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେବା ଉଚିତ।” ପେପର ଲିକ୍ ବିବାଦ ପରେ ଗଠିତ ହୋଇଥିବା ‘ରାଧାକୃଷ୍ଣନ କମିଟି’ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଉଛି। ଏଥିସହିତ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ବିକେନ୍ଦ୍ରୀକରଣ କରିବା ଉପରେ ମଧ୍ୟ ଆଲୋଚନା ଚାଲିଛି।
ପେପର ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ:
ପରୀକ୍ଷାରେ ସ୍ୱଚ୍ଛତା ଆଣିବା ସରକାରଙ୍କ ପ୍ରାଥମିକତା ବୋଲି ପ୍ରକାଶ କରି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସିଷ୍ଟମରେ ସକ୍ରିୟ ଥିବା ପେପର ମାଫିଆଙ୍କୁ ସମ୍ପୂର୍ଣ୍ଣ ଭାବେ ନିପାତ କରାଯିବ। ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। NEET ଏବଂ UGC-NET ଭଳି ବଡ଼ ପରୀକ୍ଷାଗୁଡ଼ିକୁ ଭୁଲ୍-ଶୂନ୍ୟ (Error-free) କରିବା ପାଇଁ ସରକାର ପ୍ରତିବଦ୍ଧ।

ରାହୁଲ ଗାନ୍ଧୀ ଏବଂ ବିରୋଧୀଙ୍କୁ ତୀବ୍ର ସମାଲୋଚନା:
ଏହି ସାକ୍ଷାତକାରରେ ଶ୍ରୀ ପ୍ରଧାନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ପିଲାଙ୍କ ଭବିଷ୍ୟତକୁ ନେଇ ରାଜନୀତି କରୁଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ମନରେ ଅଯଥା ଭୟ ସୃଷ୍ଟି କରୁଛନ୍ତି। ନାଗପୁରର ଜଣେ ଛାତ୍ରଙ୍କ ଆବୁଧାବି ପରୀକ୍ଷା କେନ୍ଦ୍ର ବିବାଦ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଛାତ୍ର ଜଣକ ନିଜେ ଫର୍ମ ପୂରଣ ବେଳେ ଆବୁଧାବି ଚୟନ କରିଥିଲେ, ତଥାପି ଏହାକୁ ନେଇ ମିଥ୍ୟା ଭ୍ରମ ସୃଷ୍ଟି କରାଗଲା। ଏଥିପାଇଁ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ ଦାବି କରିଛନ୍ତି।
ଜନ୍ତର ମନ୍ତର ଆନ୍ଦୋଳନ ଉପରେ ବର୍ଷିଲେ:
ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରି ଶ୍ରୀ ପ୍ରଧାନ କହିଛନ୍ତି, “ଯେଉଁମାନେ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛନ୍ତି (ଟୁକଡେ ଟୁକଡେ ଗ୍ୟାଙ୍ଗ), ସେମାନେ ଆଜି ଜନ୍ତର ମନ୍ତରରେ ଡେଙ୍ଗୁରା ପିଟୁଛନ୍ତି। ସେଠାରେ ପ୍ରକୃତରେ କେହି ଛାତ୍ର ଅଛନ୍ତି କି?” ସେ ଏହି ଆନ୍ଦୋଳନକାରୀଙ୍କୁ ଉଗ୍ରବାଦୀଙ୍କ ‘ବି-ଟିମ୍’ ବୋଲି ଆଖ୍ୟା ଦେଇଛନ୍ତି।

ଚଳିତ ବର୍ଷର ପରୀକ୍ଷା ସଫଳତାର ସହ ଶେଷ ହୋଇଥିବାରୁ ସେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ବର୍ଷଠାରୁ CBT ମୋଡ୍ କାର୍ଯ୍ୟକାରୀ ହେଲେ NEET ପରୀକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆସିବ।


