ଦେଶରେ ନିଜ ଇଚ୍ଛାରେ କିମ୍ବା ଔଷଧ ଦୋକାନୀଙ୍କ ପରାମର୍ଶରେ ନିଜେ ନିଜର ଚିକିତ୍ସା କରୁଥିବା ବା ‘ସେଲ୍ଫ ମେଡିକେସନ’ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଝଟ୍କା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଓଟିସି ଔଷଧ ବିକ୍ରିକୁ ନେଇ ନିୟମାବଳୀରେ ବଡ଼ ପରିବର୍ତ୍ତନ କରାଯାଇଛି। ସରକାରଙ୍କ ନୂତନ ଗାଇଡ୍ଲାଇନ୍ ଅନୁଯାୟୀ, ଏବେ ଡାକ୍ତରଙ୍କ ବୈଧ ପ୍ରେସକ୍ରିପସନ୍ ବିନା ଔଷଧ ଦୋକାନରୁ ଅନେକ ପ୍ରକାରର ଔଷଧ ସହଜରେ ଉପଲବ୍ଧ ହେବନାହିଁ। ବିଶେଷ କରି ଆଣ୍ଟିବାୟୋଟିକ୍ସ ଏବଂ ଯନ୍ତ୍ରଣାନାଶକ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ ସରକାର ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

କାହିଁକି ଆବଶ୍ୟକ ପଡ଼ିଲା ଏହି କଡ଼ା ଆଭିମୁଖ୍ୟ?
ଭାରତରେ ସାଧାରଣ ଜ୍ୱର, ମୁଣ୍ଡବିନ୍ଧା କିମ୍ବା ପେଟ କାଟିଲେ ଲୋକମାନେ ଡାକ୍ତରଙ୍କ ପାଖକୁ ନଯାଇ ସିଧାସଳଖ ଫାର୍ମାସିରୁ ନିଜ ପସନ୍ଦ ଅନୁଯାୟୀ କିମ୍ବା ଦୋକାନୀଙ୍କ କହିବା ଅନୁସାରେ ଔଷଧ କିଣି ଖାଇଥାନ୍ତି। ଏପରିକି ସାଧାରଣ ଥଣ୍ଡା-କାସ ପାଇଁ ହାଇ-ଡୋଜ୍ ଆଣ୍ଟିବାୟୋଟିକ୍ ମଧ୍ୟ ବିନା ପ୍ରେସକ୍ରିପସନରେ ବିକ୍ରି ହେଉଥିଲା। ବିଶେଷଜ୍ଞଙ୍କ ମତରେ, ଏହି ଅଭ୍ୟାସ ଯୋଗୁଁ ଦେଶରେ ‘ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାନ୍ସ’ ବଢ଼ିବାରେ ଲାଗିଛି, ଯାହା ଶରୀର ଉପରେ ପରବର୍ତ୍ତନ ସମୟରେ ଔଷଧର ପ୍ରଭାବକୁ କମାଇ ଦେଉଛି।

ଏହି ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ଭାବେ ଓଟିସି ଔଷଧର ଏକ ନିର୍ଦ୍ଦିଷ୍ଟ ତାଲିକା ପ୍ରସ୍ତୁତ କରିଛନ୍ତି। ନୂଆ ନିୟମ ଅନୁଯାୟୀ, କେବଳ ସେହି ତାଲିକାଭୁକ୍ତ ସାଧାରଣ ଔଷଧଗୁଡ଼ିକୁ ହିଁ ବିନା ପ୍ରେସକ୍ରିପସନରେ ବିକ୍ରି କରାଯାଇପାରିବ। ସେଡ୍ୟୁଲ୍-ଏଚ୍ ଏବଂ ସେଡ୍ୟୁଲ୍-ଏଚ୍୧ ଶ୍ରେଣୀଭୁକ୍ତ ସମସ୍ତ ଔଷଧ ପାଇଁ ପ୍ରେସକ୍ରିପସନ୍ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।
ଉଲ୍ଲଂଘନ କଲେ ରଦ୍ଦ ହେବ ଫାର୍ମାସି ଲାଇସେନ୍ସ

ସରକାର ସମସ୍ତ ରାଜ୍ୟର ଡ୍ରଗ୍ସ ଇନ୍ସପେକ୍ଟର ଏବଂ ପ୍ରଶାସନକୁ ଏହି ନିୟମର କଡ଼ା ଅନୁପାଳନ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଔଷଧ ଦୋକାନୀ ନୂତନ ନିୟମର ଉଲ୍ଲଂଘନ କରି ବିନା ଡାକ୍ତରୀ ପ୍ରେସକ୍ରିପସନରେ ନିଷିଦ୍ଧ ଶ୍ରେଣୀର ଔଷଧ ବିକ୍ରି କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇପାରେ।
ସରକାରଙ୍କ ଏହି ପଦକ୍ଷେପ ପ୍ରାରମ୍ଭିକ ପର୍ଯ୍ୟାୟରେ ସାଧାରଣ ଲୋକଙ୍କ ପାଇଁ ସାମାନ୍ୟ ଅସୁବିଧା ସୃଷ୍ଟି କରିପାରେ, କିନ୍ତୁ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଉପାଦେୟ ବୋଲି ଚିକିତ୍ସକମାନେ ସ୍ୱାଗତ କରିଛନ୍ତି। ଏହି ନିୟମ ଦ୍ୱାରା ଔଷଧର ଅପବ୍ୟବହାର ରୋକାଯାଇପାରିବ ଏବଂ ଦେଶରେ ଏକ ସୁସ୍ଥ ମେଡିକାଲ୍ ସଂସ୍କୃତି ଗଠନ ହୋଇପାରିବ।


