ଆଜି ଏମିତି ଏକ ପ୍ରଶ୍ନ ସାରା ଓଡ଼ିଶାର ବିବେକକୁ ଆନ୍ଦୋଳିତ କରୁଛି, ଯାହାର ଉତ୍ତର ହୁଏତ କୌଣସି ପ୍ରଶାସନ ବା ସରକାରଙ୍କ ପାଖରେ ନାହିଁ। ପ୍ରଶ୍ନଟି ହେଉଛି— ଆମ ରାଜ୍ୟର ଅତ୍ୟନ୍ତ ଆଦିମ ଆଦିବାସୀ, ପ୍ରକୃତିର ସନ୍ତାନ “ଜୁଆଙ୍ଗ” ସମ୍ପ୍ରଦାୟର ଜୀବନର ମୂଲ୍ୟ କଣ କେବଳ ୧୦ ଲକ୍ଷ ଟଙ୍କା? କାହିଁକି କୋଟି କୋଟି ଟଙ୍କାର ସରକାରୀ ପାଣ୍ଠି ସତ୍ତ୍ୱେ ଆଜି ବି ଜୁଆଙ୍ଗ ଝିଅମାନେ ହଜାର ହଜାର କିଲୋମିଟର ଦୂରକୁ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ସେଠାରୁ ସେମାନଙ୍କର ଶବ ଫେରୁଛି?
କେନ୍ଦୁଝର ସଦରର ବିଧାୟକ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁଦିନଠାରୁ ରାଜ୍ୟର ଶାସନ ଭାର ସମ୍ଭାଳିଛନ୍ତି, ସେହିଦିନଠାରୁ ତାଙ୍କ ବିରୋଧରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଷଡ଼ଯନ୍ତ୍ରର ଚେର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ଜିଲ୍ଲା ପ୍ରଶାସନ ଆଡ଼କୁ ଲମ୍ବିଛି।
ଦାଦନର କରୁଣ ଚିତ୍ର ଏବଂ ନିରୀହ ସେହି ସାତ ଜୀବନ
ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିବା ଜୁଆଙ୍ଗ ଯୁବତୀଙ୍କ ମଧ୍ୟରୁ ୭ ଜଣ ଜୁଆଙ୍ଗ ଯୁବତୀଙ୍କର କରୁଣ ମୃତ୍ୟୁ ଘଟିଛି। ସେମାନେ କୌଣସି ସଂଖ୍ୟା ନଥିଲେ, ସେମାନେ ଥିଲେ ନିଜ ନିଜ ପରିବାରର ଆଶା ଆଉ ଭରସା। ସେହି ନିରୀହ ନାମଗୁଡ଼ିକ ଉପରେ ଟିକେ ନଜର ପକାନ୍ତୁ— ଶିବାନୀ ଜୁଆଙ୍ଗ, ଗୁମଣୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଚମ୍ପାବତୀ ଜୁଆଙ୍ଗ, ଫୁଲମଣି ଜୁଆଙ୍ଗ, ପୂର୍ଣ୍ଣିମା ଜୁଆଙ୍ଗ ଏବଂ ପାର୍ବତୀ ଜୁଆଙ୍ଗ।
ଏହି ସାତ ଜଣ ଯୁବତୀ ଆଦିମ ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଥିଲେ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ଜିଲ୍ଲାରୁ ସ୍ୱୟଂ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି, ସେହି ଜିଲ୍ଲାରେ ଏତେ ସଂଖ୍ୟାରେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ଅଥବା ଯିବାକୁ ବାଧ୍ୟ ହେଉଛନ୍ତି, ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ପାଖରେ କଣ ସୂଚନା ନଥିଲା? ଯଦି ସୂଚନା ଥିଲା, ତେବେ ଜାଣିଶୁଣି ଏହାକୁ କାହିଁକି ଚାପି ଦିଆଗଲା? କାହିଁକି ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜି ରହିଥିଲା? କଣ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଏହା ଏକ ପ୍ରଶାସନିକ ଅବହେଳା ନା ଜାଣିଶୁଣି ରଚାଯାଇଥିବା ଏକ ବଡ଼ ଷଡ଼ଯନ୍ତ୍ର?
କୋଟି କୋଟିର ପାଣ୍ଠି, ତଥାପି ଶୂନ ପ୍ରଗତି
ଏହି ଆଦିମ ଆଦିବାସୀମାନଙ୍କର ସୁରକ୍ଷା ଓ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର ଅନୁଦାନ ଦେଇ ଆସୁଛନ୍ତି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେନ୍ଦୁଝରରେ ‘ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସି’ (JDA) ଗତ ୭୦ ଦଶକରୁ, ଅର୍ଥାତ୍ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ହେବ କାମ କରୁଛି। ଏହା ବ୍ୟତୀତ ଜିଲ୍ଲାର ସବୁଠାରୁ ସମୃଦ୍ଧ ପାଣ୍ଠି— ଡିଏମଏଫ୍ (DMF – District Mineral Foundation) ରୁ ମଧ୍ୟ ଅର୍ଥ ସେହି ଅଞ୍ଚଳର ବିକାଶ ପାଇଁ ପାଣି ଭଳି ବୁହାଯାଉଛି।
କିନ୍ତୁ ବାସ୍ତବତା କଣ? ବାସ୍ତବତା ହେଉଛି, ଏତେ ପାଣ୍ଠି, ଏତେ ଅଧିକାରୀ, ଏତେ ଯୋଜନା ସତ୍ତ୍ୱେ ଜୁଆଙ୍ଗମାନଙ୍କର ଭାଗ୍ୟରେ କୌଣସି ପରିବର୍ତ୍ତନ ଆସୁନାହିଁ। ଯଦି ସେମାନଙ୍କ ଅଞ୍ଚଳରେ ପ୍ରକୃତ ବିକାଶ ହୋଇଥାନ୍ତା, ସେମାନଙ୍କୁ ଯଦି ରୋଜଗାର ମିଳିଥାନ୍ତା, ତେବେ ଆଜି ଆମ ଘରର ଝିଅମାନେ ପେଟ ପାଇଁ ପର ରାଇଜକୁ ଯାଇ ଜୀବନ ହରାଇନଥାନ୍ତେ। ତେବେ ଏହି କୋଟି କୋଟି ଟଙ୍କା ଯାଉଛି କୁଆଡ଼େ? କାହା ପକେଟକୁ ଯାଉଛି ଏହି ବିକାଶର ଅର୍ଥ? ଜିଲ୍ଲା ପ୍ରଶାସନ ଏବଂ ଡିଏମଏଫ୍ ଅଧିକାରୀମାନେ କେବଳ ଏସି ରୁମ୍ରେ ବସି କାଗଜପତ୍ରରେ ବିକାଶର ନକ୍ସା ଆଙ୍କୁଛନ୍ତି କି, ଏହା ଆଜି ସବୁଠାରୁ ବଡ଼ ପ୍ରଶ୍ନବାଚୀ।
ମୋହନ ମାଝୀଙ୍କ ଦାଦନ-ମୁକ୍ତ ଓଡ଼ିଶାର ନାରା ଏବଂ ବିଜେପି ସରକାରଙ୍କ ଦୁଇ ବର୍ଷର ଉପଲବ୍ଧି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ଦିନଠାରୁ ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି ଯେ— “ଓଡ଼ିଶାରେ ଆଉ ଦାଦନ ଶ୍ରମିକ ରହିବେ ନାହିଁ, ଓଡ଼ିଆ ନିଜ ମାଟିରେ ରୋଜଗାର ପାଇବେ।” କିନ୍ତୁ ଯେତେବେଳେ ତାଙ୍କ ନିଜ ଜିଲ୍ଲାରୁ, ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଆଖପାଖରୁ ଆଦିମ ଆଦିବାସୀମାନେ ଦାଦନ ଖଟିବାକୁ ଯାଉଛନ୍ତି, ସେତେବେଳେ ଏହା ସାରା ରାଜ୍ୟ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ହେଉ କିମ୍ବା ସାଧାରଣ ଜନତା, ସମସ୍ତେ ପ୍ରଶ୍ନ କଲେଣି— ଏହା କଣ ବିଜେପି ସରକାରର ଦୁଇ ବର୍ଷର ଉପଲବ୍ଧି କି? ସରକାର ଦୁଇ ବର୍ଷ ପୂରଣ କରିଥିବା ବେଳେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିବା ସରକାରଙ୍କ ପ୍ରଦର୍ଶନ ଉପରେ ଏକ ବଡ଼ ଦାଗ ଲଗାଇଛି। କିନ୍ତୁ ଏଠାରେ ଗଭୀର ଭାବେ ଚିନ୍ତା କଲେ ଜଣାପଡ଼େ ଯେ, ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ଜିଲ୍ଲାର କିଛି ଅଧିକାରୀ ବୋଧହୁଏ ତାଙ୍କ ବିରୋଧରେ ଏକ ବଡ଼ ପ୍ରଶାସନିକ ଷଡ଼ଯନ୍ତ୍ର କରୁଛନ୍ତି, ଯାହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ସମାଜରେ ଖରାପ ହେବ।
ଶେଷରେ, ଘଟଣା ଘଟିବା ପରେ ରାଜ୍ୟ ସରକାର ମୃତକମାନଙ୍କ ପାଇଁ ସହାୟତା ରାଶି ବଢ଼ାଇ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। କିନ୍ତୁ ସରକାର ଏହି ସହାୟତା ରାଶି ବଢ଼ାଇ କଣ କହିବାକୁ ଚାହୁଛନ୍ତି? ଟଙ୍କା ଦେଇଦେଲେ କଣ ସେହି ଗରିବ ମା’ର କୋଳକୁ ତାର ଝିଅ ଫେରିଆସିବ? ସେହି ସାତ ଜଣ ଆଦିବାସୀ କନ୍ୟାଙ୍କ ଜୀବନର ମୂଲ୍ୟ କଣ କେବଳ ଏହି ୧୦ ଲକ୍ଷ ଟଙ୍କାର ଚେକ୍?
ଏବେ ସମୟ ଆସିଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିଜେ ଏହି ଘଟଣାର ଗମ୍ଭୀରତାକୁ ବୁଝିବାକୁ ହେବ ଏବଂ ତାଙ୍କ ନିଜ ଜିଲ୍ଲାରେ ତାଙ୍କରି ବିରୋଧରେ ଚାଲିଥିବା ଏହି ପ୍ରଶ୍ନବାଚୀ ଏବଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବାକୁ ହେବ। ଦୋଷୀ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ଆଗାମୀ ଦିନରେ ଏମିତି ଅନେକ ଜୁଆଙ୍ଗ ସମ୍ପ୍ରଦାୟର ସନ୍ତାନ ବଳି ପଡ଼ିବେ।
AlsoRead; https://purvapaksa.com/why-does-the-uae-want-indias-brahmos-and-akash/
କାହିଁକି ଭାରତର ବ୍ରହ୍ମୋସ ଓ ଆକାଶତୀର ଚାହୁଁଛି UAE? || Why does the UAE want India’s Brahmos and Akash?


