ମହିଳା ସଂରକ୍ଷଣ ବିଲ୍ ଏବଂ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଂସଦ ଅଧିବେଶନ ଡାକିବାର ରଣନୀତି।
ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କୁ ସମାନ ଅଧିକାର ଓ ସଂସଦରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥାଟି ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ଥିଲା। ହେଲେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସୁଛି, ତାହା ଦେଶର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ସଂବିଧାନ ସଂଶୋଧନ ବିଲ୍କୁ ପାସ୍ କରାଇବା ପାଇଁ ପୂରା ଦମରେ ଲାଗିପଡ଼ିଛନ୍ତି।
ସ୍ୱତନ୍ତ୍ର ଅଧିବେଶନ ଏବଂ ସଂଖ୍ୟା ଗଣିତର ଖେଳ
କେନ୍ଦ୍ର ସରକାର ଏଭଳି ଏକ ସମୟରେ ଏହି ପଦକ୍ଷେପ ନେଉଛନ୍ତି ଯେଉଁଠାରେ ସଂସଦର ମୌସୁମୀ ଅଧିବେଶନକୁ ଦୀର୍ଘ ଦିନ ଧରି ପ୍ରୋରଗ୍ କରାନଯାଇ ଅର୍ଥାତ୍ ମୁତଲବି ହୋଇ ରଖାଯାଇଛି। ସମ୍ବିଧାନ ଅନୁସାରେ ଏହା ଆଇନଗତ ଭାବେ ଭୁଲ୍ ନୁହେଁ, କିନ୍ତୁ ଏହା ସରକାରଙ୍କୁ ଅଳ୍ପ ନୋଟିସ୍ରେ ନୂଆ ବା ଏକ୍ସଟେଣ୍ଡେଡ୍ ସିଟିଂ ଡାକିବାରେ ସୁବିଧା ଦେଉଛି।
ବିଲ୍ଟିକୁ ପାସ୍ କରାଇବା ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ ହେଉଥିବାରୁ, ଲୋକସଭାରେ ଦୁଇ-ତୃତୀୟାଂଶ ଅର୍ଥାତ୍ ୩୬୧ ଭୋଟ୍ର ଆବଶ୍ୟକତା ରହିଛି। ବର୍ତ୍ତମାନ ଲୋକସଭାରେ କିଛି ଆସନ ଖାଲି ପଡ଼ିଥିବାରୁ ମୋଟ ସଦସ୍ୟ ସଂଖ୍ୟାକୁ ଆଖି ଆଗରେ ରଖି ସରକାରୀ ଶିବିର ଆଶାବାଦୀ ଅଛନ୍ତି ଯେ, ସେମାନେ ଆବଶ୍ୟକ ସଂଖ୍ୟାଠାରୁ ପ୍ରାୟ ୧୫ ରୁ ୧୮ ଭୋଟ୍ ଅଧିକ ପାଇ ଏହି ବିଲ୍କୁ ସହଜରେ ପାର୍ କରାଇ ନେବେ।

କିନ୍ତୁ, ଏହା ଏତେ ସହଜ ବି ନୁହେଁ। ଗତ କିଛି ମାସ ତଳେ ବଜେଟ୍ ଅଧିବେଶନ ସମୟରେ ମଧ୍ୟ ଏହି ପ୍ରକାରର ଏକ ସଂବିଧାନ ସଂଶୋଧନ ବିଲ୍ ଆସିଥିଲା, କିନ୍ତୁ ଆବଶ୍ୟକ ସଂଖ୍ୟା ଗଣିତ ଅଭାବରୁ ତାହା ଅଟକି ଯାଇଥିଲା। ଏବେ ପୁଣିଥରେ ସରକାର ସେହି ଲକ୍ଷ୍ୟକୁ ହାସଲ କରିବାକୁ ମୈଦାନକୁ ଓହ୍ଲାଇଛନ୍ତି।
ଡିଲିମିଟେସନ୍ ଏବଂ ଦକ୍ଷିଣ ଭାରତର ଚିନ୍ତା
ଯେତେବେଳେ ଲୋକସଭା ଆସନ ବୃଦ୍ଧି ପାଇବ (ଯାହାକି ୫୪୩ରୁ ବଢ଼ି ପ୍ରାୟ ୮୫୦ ପାଖାପାଖି ହୋଇପାରେ), ସେତେବେଳେ ଜନସଂଖ୍ୟାକୁ ଆଧାର କରାଗଲେ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ଅସନ୍ତୁଳନ ସୃଷ୍ଟି ହେବାର ଆଶଙ୍କା ରହିଛି। ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣରେ ଭଲ କାମ କରିଛନ୍ତି, ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ, ସେମାନଙ୍କର ସଂସଦରେ ପ୍ରତିନିଧିତ୍ୱ କମିଯିବ ବୋଲି ଏକ ବଡ଼ ଭୟ ରହିଛି। ତେଣୁ ଏହି ଚିନ୍ତାଧାରାକୁ ଦକ୍ଷିଣ ଭାରତର ଡିଏମକେ ଭଳି ଦଳଗୁଡ଼ିକ କଡ଼ା ବିରୋଧ କରୁଛନ୍ତି। କିନ୍ତୁ ଯଦି ସବୁ ରାଜ୍ୟର ଆସନ ସଂଖ୍ୟା ବୃଦ୍ଧି ପାଏ ତେବେ ଡିଏମକେ, ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କ ୱାଇଆରସିପି, ଏନସିପି ଶରଦ ପାୱାରଙ୍କ ଗୋଷ୍ଠୀ ଓ ମହିଳା ସଂରକ୍ଷଣ ବଡ଼ ସମର୍ଥକ କୁହାଯାଉଥିବା ବିଜୁଜନତା ଦଳ ମଧ୍ୟ ଏହାକୁ ସମର୍ଥନ କରିପାରେ। ଗତ କିଛିଦିନ ହେଲା ବିଜେଡି ରାଜ୍ୟର ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରୁଥିଲେ ହେଁ ଶାସକଦଳ ବିଜେପି ପକ୍ଷରୁ ତାହାକୁ କାଉଣ୍ଟର କରାଯାଉ ନାହିଁ। ଏହାର ଏକମାତ୍ର କାରଣ ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନ ବିଲ୍ ଆଗକୁ ଆସୁଥିବାରୁ ଶାସକ ଦଳ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ।
କେବଳ ଏହି ଆଞ୍ଚଳିକ ଦଳଗୁଡ଼ିକ ବ୍ୟତୀତ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସ ସହିତ ରହି ନ ପାରେ। ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ରହିଛି। ମହିଳା ବିରୋଧୀ ପଦକ୍ଷେପ ନେଲେ କାଳେ ନିର୍ବାଚନରେ କ୍ଷତି ହେବ ତେଣୁ ସମାଜବାଦୀ ପାର୍ଟି ଭୋଟିଂରେ ଅଂଶଗ୍ରହଣ କରିନପାରେ। ଏପରି ସ୍ଥିତିରେ ୩୭ ସଦସ୍ୟ ବିଶିଷ୍ଟ ସମାଜବାଦୀ ପାର୍ଟି ଭୋଟିଂରୁ ବିରତ ରହିଲେ ରାହୁଲ ଗାନ୍ଧିଙ୍କ ବିୋଧୀ ମେଣ୍ଟ ଆପେ ଆପେ ଦୁର୍ବଳ ହୋଇଯିବ।

ଏବେ ରାହୁଲ ଗାନ୍ଧି ଏସଆଇଆର ଓ ଜ୍ଞାନେଶ କୁମାର ପ୍ରସଙ୍ଗରୁ ବାହାରି ପାରୁ ନାହାନ୍ତି। ତେଣୁ ବିଜେପି ଏହାକୁ କାଉଣ୍ଟର କରିବା ପାଇଁ ଦେଶବ୍ୟାପୀ ଅରାଜକତା ବିରୋଧୀ ରାଲି ଆରମ୍ଭ କରିଛି। ଏହାଦ୍ୱାରା ବିଜେପି ନିଜର ତୃଣମୂଳ ସ୍ତରର କର୍ମୀମାନଙ୍କୁ ଏକଜଚଟ କରିବାରେ ଲାଗିଛି। ଅପରପକ୍ଷରେ କଂଗ୍ରେସ ତାର କର୍ମୀମାନଙ୍କୁ ଏକଜୁଟ କରିବା ପରିବର୍ତ୍ତେ ସୋନିଆ ଗାନ୍ଧିଙ୍କ ବିଲଙ୍ଗିଙ୍ଗ ବହି କିଣି ତାହାକୁ ସୋସିଆଲ ମିଡିଆରେ ପ୍ରଚେର କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।
ଏହି କାରଣରୁ ସରକାର ଏଥର ବେଶ୍ ଫୁଙ୍କିକି ପାଦ ପକାଉଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟଗୁଡ଼ିକ ଭିତରେ ଆସନର ଅନୁପାତକୁ ସନ୍ତୁଳିତ ରଖିବା ପାଇଁ ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକର ଆଶଙ୍କା ଦୂର କରିବା ପାଇଁ ୧୯୭୧ ଜନଗଣନାକୁ ଆଧାର କରିବାକୁ ପ୍ରସ୍ତାବ ରହିଛି। ଯଦି ଏହା ହୁଏ, ତେବେ ଦକ୍ଷିଣ ଭାରତର କ୍ଷୋଭ କିଛିମାତ୍ରାରେ ପ୍ରଶମିତ ହୋଇପାରିବ ଏବଂ ସମର୍ଥନ ମଧ୍ୟ ମିଳିପାରିବ।
ବିରୋଧୀଙ୍କ ଆକ୍ରମଣ ଏବଂ ରାଜନୈତିକ ତର୍କ
ଯେଉଁଠି ଗୋଟିଏ ପଟେ ସରକାର ଏହାକୁ ମହିଳା ସଶକ୍ତିକରଣର ଏକ ଐତିହାସିକ ପଦକ୍ଷେପ ବୋଲି କହୁଛନ୍ତି, ସେପଟେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ କଡ଼ା ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, ସରକାର ଏହି ବିଲ୍ ଜରିଆରେ କେବଳ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି। କଂଗ୍ରେସ ନେତା କେ.ସି. ଭେଣୁଗୋପାଳ ଏବଂ ଅନ୍ୟମାନେ ଅଭିଯୋଗ ଆଣିଛନ୍ତି ଯେ, ସଂସଦ ଅଧିବେଶନକୁ ଅହେତୁକ ଭାବେ ପ୍ରୋରଗ୍ ନ କରିବା ଏବଂ ହଠାତ୍ ସ୍ୱତନ୍ତ୍ର ଅଧିବେଶନ ଡାକିବା ପଛରେ ସଂଖ୍ୟା ଜୋରଜବରସ୍ତି ଜିତିବାର ଏକ ରଣନୀତି ଅଛି।
ବିରୋଧୀଙ୍କ କହିବା କଥା—ମହିଳା ସଂରକ୍ଷଣକୁ ଆଜି ହିଁ, ବର୍ତ୍ତମାନର ଲୋକସଭା ସଂଖ୍ୟା ଆଧାରରେ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ? ଏହାକୁ ଡିଲିମିଟେସନ୍ ସହ ଯୋଡ଼ିବା କାହିଁକି ଜରୁରୀ ହେଲା? ଏହି ପ୍ରଶ୍ନଗୁଡ଼ିକ ଏବେ ଦେଶର ରାଜନୈତିକ କରିଡରରେ ଝଡ଼ ସୃଷ୍ଟି କରିଛି।
ଭାରତୀୟ ସମାଜ ଏବଂ ମହିଳା ସଂରକ୍ଷଣର ପ୍ରକୃତ ପ୍ରଭାବ
ରାଜନୀତି ଯାହା ବି ହେଉ୍ ପଛେ, ଆମେ ଯଦି ଭାରତୀୟ ସମାଜର ମୂଳଦୁଆକୁ ଦେଖିବା, ତେବେ ଗୋଟିଏ କଥା ସ୍ପଷ୍ଟ—ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ହେଉଛନ୍ତି ମହିଳା। ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ବିଧାନସଭା ଏବଂ ସଂସଦରେ ମହିଳାମାନଙ୍କର ପ୍ରତିନିଧିତ୍ୱ ଆଶାନୁରୂପକ ନୁହେଁ।
ଯଦି ଏହି ୩୩ ପ୍ରତିଶତ ସଂରକ୍ଷଣ ଆଇନଗତ ଭାବେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୁଏ, ତେବେ ଏହା କେବଳ କାଗଜକଲମରେ ସୀମିତ ରହିବ ନାହିଁ, ବରଂ ତୃଣମୂଳ ସ୍ତରରୁ ନାରୀ ଶକ୍ତିକୁ ଦେଶର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସିଧାସଳଖ ଭାବେ ସାମିଲ କରିବ। ଜଣେ ମା’, ଭଉଣୀ ବା ଝିଅ ଯେତେବେଳେ ନୀତି ପ୍ରଣୟନ କରିବାର ମଞ୍ଚକୁ ଆସିବେ, ସେତେବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଏବଂ ଗ୍ରାମାଞ୍ଚଳ ବିକାଶର ପ୍ରକୃତ ଚିତ୍ର ବଦଳିଯିବ। ତେଣୁ ଦଳଗତ ରାଜନୀତିଠାରୁ ଉର୍ଦ୍ଧ୍ୱରେ ଉଠି ଏହାକୁ ସମସ୍ତେ ସ୍ୱାଗତ କରିବା କଥା, କିନ୍ତୁ ଏହାର ରୂପାୟନ ଏବଂ ସମୟକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି, ତାହା ଦୂର ହେବା ମଧ୍ୟ ନିହାତି ଜରୁରୀ।
ଏହି ସବୁ କଳ୍ପନାଜଳ୍ପନା ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଆଗାମୀ ନଭେମ୍ବର ୧୮ ତାରିଖରେ ଏକ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି। ସମସ୍ତ ମନ୍ତ୍ରୀ ଏବଂ ବିଜେପି ସାଂସଦମାନଙ୍କୁ ସେମାନଙ୍କର ଗସ୍ତ କ୍ୟାଲେଣ୍ଡର ଖାଲି ରଖିବାକୁ ଏବଂ ଦିଲ୍ଲୀରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜନୈତିକ ବିଶ୍ଳେଷକମାନେ ଆକଳନ କରୁଛନ୍ତି ଯେ ଯଦି ନଭେମ୍ବର ୧୯ ଏବଂ ୨୦ ତାରିଖରେ ସ୍ୱତନ୍ତ୍ର ଅଧିବେଶନ ବସିବ, ତେବେ ଠିକ ତା’ ପୂର୍ବରୁ ଏହି ବୈଠକରେ ହିଁ ସମସ୍ତ ରଣନୀତି ଚୂଡ଼ାନ୍ତ କରାଯିବ।
ତେବେ ସବୁଠାରୁ ବଡ଼ କଥା ହେଲା—ଆଗାମୀ ଦିନରେ ଏହି ସ୍ୱତନ୍ତ୍ର ଅଧିବେଶନ କେବେ ବସୁଛି ଏବଂ ସରକାର ବିରୋଧୀଙ୍କୁ ସାଙ୍ଗରେ ନେଇ କିପରି ଏହି ବୈତରଣୀ ପାର୍ ହେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ମାଟିରେ ଉତାରିବା ପାଇଁ ଏହା ବୋଧହୁଏ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଇପାରେ।
also read
https://purvapaksa.com/who-after-modi/


