ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ଚାବାହାର ବନ୍ଦର’ର ପରିଚାଳନାକୁ ନେଇ ଭାରତ ଓ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ଆହୁରି ଦ୍ରୁତ ହୋଇଛି। ଏହି ପୋର୍ଟର ପରିଚାଳନା ପାଇଁ ସ୍ଥାନୀୟ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଏକ ସ୍ୱତନ୍ତ୍ର ବୁଝାମଣା କରିବାକୁ ଭାରତ ସରକାର ଚେଷ୍ଟା କରୁଛନ୍ତି। ଆମେରିକା ଦ୍ୱାରା ଇରାନ ଉପରେ ଲଗାଯାଇଥିବା କଟକଣା ହଟିବା ପରେ ଯେପରି ଏହାର ସମ୍ପୂର୍ଣ୍ଣ କ୍ଷମତା ଆଇନଗତ ଭାବେ ପୁଣି ଭାରତ ହାତକୁ ଫେରିଆସିବ, ସେନେଇ ଭାରତୀୟ ପକ୍ଷରୁ ଇରାନ ସରକାରଙ୍କଠାରୁ ଆଇନଗତ ଗ୍ୟାରେଣ୍ଟି ମଗାଯାଉଛି।
ଆମେରିକା କଟକଣା ଓ ଟ୍ରମ୍ପଙ୍କ ନୀତି ଉପରେ ନଜର
ଭାରତ ୨୦୨୫ ଅକ୍ଟୋବରରେ ଆମେରିକାଠାରୁ ଚାବାହାର ପୋର୍ଟ ପାଇଁ ୬ ମାସର କଟକଣା କୋହଳ ସୁବିଧା ପାଇଥିଲା, ଯାହାର ମିଆଦ ଚଳିତ ବର୍ଷ ଅପ୍ରେଲ ୨୫ରେ ଶେଷ ହୋଇସାରିଛି। ବର୍ତ୍ତମାନ ଆମେରିକା ଓ ତେହେରାନ ମଧ୍ୟରେ ଶାନ୍ତି ଆଲୋଚନାର ନୂଆ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବା ବେଳେ, ଅନ୍ୟପଟେ ଆମେରିକା ଗାଦିରେ ଥିବା ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ପରବର୍ତ୍ତୀ ଆଭିମୁଖ୍ୟ ଓ ନୀତି ଉପରେ ସାରା ବିଶ୍ୱ ନଜର ରଖିଛି। ତଥାପି, ବନ୍ଦରରେ ନିଜର ସ୍ୱାର୍ଥ ସୁରକ୍ଷିତ ରଖିବା ପାଇଁ ଭାରତ ଆଲୋଚନା ଜାରି ରଖିଛି।
ଭାରତ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଏହି ବନ୍ଦର?
ଭାରତର ଆଞ୍ଚଳିକ ଓ ସାମରିକ ସଂଯୋଗ ପାଇଁ ଚାବାହାର ପୋର୍ଟ ଏକ ସଞ୍ଜୀବନୀ ସଦୃଶ।

- ଚୀନ୍କୁ ମାତ୍ : ପାକିସ୍ତାନରେ ଚୀନ୍ ଦ୍ୱାରା ବିକଶିତ ‘ଗ୍ୱାଦର ପୋର୍ଟ’କୁ ବାଲାନ୍ସ କରିବା ପାଇଁ ଚାବାହାର ଭାରତର ମୁଖ୍ୟ ବିକଳ୍ପ।
- ପାକିସ୍ତାନକୁ ଏଡ଼ାଇ ବାଣିଜ୍ୟ : ପାକିସ୍ତାନ ଦେଇ ସ୍ଥଳପଥରେ ଆଫଗାନିସ୍ତାନ ଓ ମଧ୍ୟ ଏସିଆକୁ ଯିବା ବନ୍ଦ ଥିବାରୁ, ଚାବାହାର ଦେଇ ଭାରତ ସିଧାସଳଖ ଆଫଗାନିସ୍ତାନ, ରୁଷିଆ ଓ ୟୁରୋପ ସହ ବ୍ୟବସାୟ କରିପାରିବ।
- INSTC ର ଗୁରୁତ୍ୱପୂର୍ଣ୍ଣ ଅଂଶ : ‘ଇଣ୍ଟରନ୍ୟାସନାଲ୍ ନର୍ଥ-ସାଉଥ୍ ଟ୍ରାନ୍ସପୋର୍ଟ କରିଡୋର’ର ଏହା ଏକ ପ୍ରମୁଖ କେନ୍ଦ୍ର।
ଯଦି ଭାରତ ଚାବାହାର ପ୍ରକଳ୍ପରୁ ନିଜର ଆଧିପତ୍ୟ ହଟାଇଦିଏ, ତେବେ ଚୀନ୍ ଏହି ପୋର୍ଟକୁ ନିଜ ଦଖଲକୁ ନେବାର ଆଶଙ୍କା ରହିଛି। ସେଥିପାଇଁ ଗତ କିଛି ବର୍ଷର ଭୂ-ରାଜନୈତିକ ଆହ୍ୱାନ ସତ୍ତ୍ୱେ ଭାରତ ଏହି ବନ୍ଦର ବିକାଶ ପ୍ରକଳ୍ପରୁ ପଛଘୁଞ୍ଚା ଦେଇନାହିଁ।
Also read : https://purvapaksa.com/ai-will-surpass-humans-in-5-years-elon-musks-big-warning/


