ଯେଉଁ କଥାର ଆଶଙ୍କା କରାଯାଉଥିଲା, ଆଜି ରାଜନୀତିର କରିଡରରେ ତାହା ହିଁ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୁ ଜନତା ଦଳ ଭିତରେ ବର୍ତ୍ତମାନ ଏକ ଅଜଣା ନୀରବତା। କିନ୍ତୁ ଏହି ନୀରବତା କୌଣସି ଶାନ୍ତିର ସଙ୍କେତ ନୁହେଁ, ବରଂ ଏକ ଭୟଙ୍କର ଝଡ଼ର ପୂର୍ବାଭାସ।
ଶଙ୍ଖ ଭବନର ବନ୍ଦ କୋଠରୀ ଭିତରୁ ଆସୁଥିବା ଖବର ଯଦି ସତ୍ୟ ହୁଏ, ତେବେ ଏହା କେବଳ ଏକ ରାଜନୈତିକ ନିଷ୍ପତ୍ତି ନୁହେଁ, ବରଂ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ଦଳର ଭାଗ୍ୟ ନିର୍ଦ୍ଧାରଣ। ଚର୍ଚ୍ଚା ହେଉଛି— ବିଜେଡିର ବିରାଟ ପାଣ୍ଠି, ଯାହାର ଆନୁମାନିକ ପରିମାଣ ପାଖାପାଖି ୭୦୦ କୋଟି ବୋଲି କୁହାଯାଉଛି, ସେହି ଅର୍ଥ ଭଣ୍ଡାରର ଚାବିକାଠି ଏବେ ନବୀନ ନିବାସରୁ ଯାଇ ପହଞ୍ଚିଛି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପରିବାର ହାତରେ। ଅର୍ଥାତ୍ ଦଳର ସମ୍ପୂର୍ଣ୍ଣ ଆର୍ଥିକ ରିମୋଟ୍ କଣ୍ଟ୍ରୋଲ୍ ଏବେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ନବାଗତା ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ହାତରେ।
ଏହି ଗୋଟିଏ ନିଷ୍ପତ୍ତି ବିଜେଡିର ଦୁଇ ଦୁଇଟି ଦଶନ୍ଧି ଧରି ଖରା, ବର୍ଷା, କାଦୁଅ ସହି ଦଳ ଗଢ଼ିଥିବା ବରିଷ୍ଠ ନେତାମାନଙ୍କୁ ମୁଣ୍ଡରେ ହାତ ଦେଇ ବସିବାକୁ ବାଧ୍ୟ କରିଛି। ସେମାନେ ନା ବିଦ୍ରୋହ କରିପାରୁଛନ୍ତି, ନା ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁଛନ୍ତି।
ଆଜି ଆମେ ଖୋଲିବା ସେହି ପରଦା ପଛର ଖେଳ। କାହିଁକି ଦଳର ପୁରୁଣା ସେନାପତିମାନେ ଆଜି ଏତେ ଅସହାୟ? ଦିଲ୍ଲୀର ସେହି ରୁଦ୍ଧଦ୍ୱାର ବୈଠକରେ କ’ଣ ଘଟିଥିଲା? ଆଉ ୭୦୦ କୋଟିର ଆର୍ଥିକ ସାମ୍ରାଜ୍ୟ କାହିଁକି ଜଣେ ନବାଗତାଙ୍କ ପଣତକାନିରେ ବାନ୍ଧି ଦିଆଗଲା?
ଦିଲ୍ଲୀର ସେହି ରୁଦ୍ଧଦ୍ୱାର ବୈଠକ ଓ ୩ ଜଣ ବ୍ୟକ୍ତି
ଏହି ଘଟଣାର ସୂତ୍ରପାତ ହେଉଛି ଦେଶର ରାଜଧାନୀ ନୂଆଦିଲ୍ଲୀରୁ। ରାଜନୈତିକ ମହଲରୁ ମିଳୁଥିବା ସୂଚନା ଅନୁଯାୟୀ, ନିକଟରେ ଦିଲ୍ଲୀରେ ଏକ ଅତ୍ୟନ୍ତ ଗୋପନୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସାଧାରଣତଃ ଦଳର କୌଣସି ବଡ଼ ନିଷ୍ପତ୍ତି ପାଇଁ ରାଜ୍ୟ କାର୍ଯ୍ୟକାରିଣୀ କିମ୍ବା ବରିଷ୍ଠ ନେତାମାନଙ୍କ ସହ ପରାମର୍ଶ କରାଯାଏ। କିନ୍ତୁ ଏହି ବୈଠକରେ ସେସବୁର କୌଣସି ଆବଶ୍ୟକତା ନଥିଲା।
ସେହି ବୈଠକରେ ଉପସ୍ଥିତ ଥିଲେ ମାତ୍ର ତିନି ଜଣ:
- ପ୍ରଥମ: ବିଜୁ ଜନତା ଦଳର ସୁପ୍ରିମୋ ତଥା ପାଞ୍ଚ ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- ଦ୍ୱିତୀୟ: ନିର୍ବାଚନ ପରାଜୟ ପରେ ନିଜକୁ ‘ରାଜନୈତିକ ସନ୍ନ୍ୟାସୀ’ ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍।
- ତୃତୀୟ: ନିକଟରେ ସରକାରୀ ଚାକିରିରୁ ଅବସର ନେଇ ସିଧାସଳଖ ଶଙ୍ଖ ଭବନରେ ପ୍ରବେଶ କରିଥିବା ସୁଜାତା ରାଉତ କାର୍ତ୍ତିକେୟନ୍।
ଦିଲ୍ଲୀର ସେହି କୋଠରୀ ଭିତରେ ଯେଉଁ ଆଲୋଚନା ହେଲା, ତାହା ବିଜେଡିର ଭବିଷ୍ୟତ ଢାଞ୍ଚାକୁ ବଦଳାଇ ଦେଇଛି। ନିଷ୍ପତ୍ତି ନିଆଗଲା— ବିଜେଡିର ଦଳୀୟ ପାଣ୍ଠି କେଉଁଠୁ ଆସିବ, କେଉଁଠି ଖର୍ଚ୍ଚ ହେବ, କେଉଁ ନେତାଙ୍କୁ କେତେ ଆବଣ୍ଟନ କରାଯିବ ଏବଂ କାହାର ଦସ୍ତଖତ ବିନା ବ୍ୟାଙ୍କରୁ ଟଙ୍କାଟିଏ ବି ଉଠାଯାଇ ପାରିବ ନାହିଁ। ସୂଚନା ଅନୁଯାୟୀ, ଏହି ସମସ୍ତ ଆର୍ଥିକ ଅଧିକାର ଓ ସ୍ୱାକ୍ଷର କ୍ଷମତା ପରୋକ୍ଷରେ ସୁଜାତା କାର୍ତ୍ତିକେୟନଙ୍କ ନିୟନ୍ତ୍ରଣକୁ ଦିଆଯାଇଛି। ଯେଉଁ ଦିନ ଭୁବନେଶ୍ୱର ରାଜରାସ୍ତାରେ ବିଜେଡି ନେତାମାନେ ଏମଏମଡିଆର ଆଇନ ବିରୋଧରେ ଲଢ଼େଇ କରୁଥିଲେ ସେହିଦିନ ନୂଆଦିଲ୍ଲୀରେ ବିଜେଡି ପାଣ୍ଠି ତାମିଲ ବୋହୁ ସୁଜାତାଙ୍କ ହାତକୁ ଚାଲିଗଲା।
କଳ୍ପନା କରନ୍ତୁ, ଯେଉଁ ଦଳରେ ୨୫ ବର୍ଷ ଧରି ଲୋକଙ୍କ ସହ ମିଶି ଦଳୀୟ ସଂଗଠନ ଛିଡ଼ା କରିଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ କିମ୍ବା ଅରୁଣ ସାହୁଙ୍କ ଭଳି ନେତା ଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ବି ଏହି ଯୋଗ୍ୟ ମନେ କରାଗଲା ନାହିଁ। ଜଣେ ନବାଗତା, ଯିଏ ଗତକାଲି ଚାକିରି ଛାଡ଼ି ଆଜି ରାଜନୀତିକୁ ଆସିଛନ୍ତି, ତାଙ୍କୁ ହିଁ ଏହି ବିଶାଳ ଆର୍ଥିକ ସାମ୍ରାଜ୍ୟର ଚାବିକାଠି ସମର୍ପଣ କରିଦିଆଗଲା।
ରାଜନୀତିର ଦୁଇଟି ମୁଖ୍ୟ ଖୁଣ୍ଟ – କ୍ଷମତା ଓ ଅର୍ଥ
ଗୋଟିଏ କଥା ସ୍ପଷ୍ଟ ଭାବେ ବୁଝିବାକୁ ହେବ। ଗଣତନ୍ତ୍ରରେ ରାଜନୈତିକ ଦଳ ଚଳାଇବା ପାଇଁ ଦୁଇଟି ଜିନିଷର ଏକାନ୍ତ ଆବଶ୍ୟକତା ରହିଥାଏ:
- ନିଷ୍ପତ୍ତି ନେବାର କ୍ଷମତା (Political Authority)
- ଅର୍ଥ ବ୍ୟବସ୍ଥାର ନିୟନ୍ତ୍ରଣ (Financial Command)
ପ୍ରଥମ କଥାଟି ଉପରେ ନଜର ପକାନ୍ତୁ। ନିର୍ବାଚନ ପୂର୍ବରୁ ହିଁ ବିଜେଡିର ବରିଷ୍ଠ ନେତାମାନଙ୍କ ହାତରୁ ରାଜନୈତିକ ନିଷ୍ପତ୍ତି ନେବାର କ୍ଷମତା ଛଡ଼ାଇ ନିଆଯାଇଥିଲା। କିଏ ପ୍ରାର୍ଥୀ ହେବ, କାହାକୁ ଟିକେଟ୍ ମିଳିବ, କେଉଁଠି ପ୍ରଚାର ହେବ— ସବୁକିଛି ପରିଚାଳିତ ହେଉଥିଲା ସେହି ଗୋଟିଏ ଶକ୍ତିକେନ୍ଦ୍ରରୁ। ସେତେବେଳେ ବରିଷ୍ଠ ନେତାମାନେ ମନ ମାରି ଚୁପ୍ ରହିଥିଲେ, କାରଣ ସେମାନଙ୍କୁ କୁହାଯାଇଥିଲା ଏହା ଦଳ ସୁପ୍ରିମୋଙ୍କ ଆଦେଶ।
ଏବେ ଆସନ୍ତୁ ଦ୍ୱିତୀୟ କଥା ଉପରକୁ— ଅର୍ଥ ବ୍ୟବସ୍ଥା। ନିର୍ବାଚନ ପରାଜୟ ପରେ ଅନେକ ନେତା ଭାବିଥିଲେ, ଏବେ ଦଳ ପୁରୁଣା ଢାଞ୍ଚାକୁ ଫେରିବ। କିନ୍ତୁ ବାସ୍ତବତା ହେଲା, ଯେଉଁ ଶେଷ ଅସ୍ତ୍ରଟି ଥିଲା ଅର୍ଥାତ୍ ଦଳର ପାଣ୍ଠି, ସେଇଟି ମଧ୍ୟ ସେମାନଙ୍କ ହାତରୁ ଖସିଗଲା।
ଆଗକୁ ଆସୁଛି ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଏବଂ ତା’ପରେ ଆସିବ ସାଧାରଣ ନିର୍ବାଚନ। ଗୋଟିଏ ନିର୍ବାଚନ ଲଢ଼ିବା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ପଡ଼ିଥାଏ। ପ୍ରଚାର, ପୋଷ୍ଟର, ସମାବେଶ, ଗାଡ଼ିମଟର— ଏସବୁ ପାଇଁ ଟଙ୍କା କିଏ ଦେବ? ଯଦି ପାଣ୍ଠିର ନିୟନ୍ତ୍ରଣ ସୁଜାତା ରାଉତ କାର୍ତ୍ତିକେୟନଙ୍କ ହାତରେ ରହିବ, ତେବେ ପ୍ରତ୍ୟେକ ବରିଷ୍ଠ ନେତାଙ୍କୁ ହାତ ଯୋଡ଼ି ତାଙ୍କରି ଦ୍ୱାରସ୍ଥ ହେବାକୁ ପଡ଼ିବ। ଏହାର ଅର୍ଥ ହେଉଛି— ରାଜନୈତିକ ଭାବେ ଅସହାୟ କରିବା ପରେ ଏବେ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ନିର୍ଭରଶୀଳ କରିଦିଆଗଲା।
ରୁବେନ୍ ବାନାର୍ଜୀଙ୍କ ସେହି ବିସ୍ଫୋରକ ବୟାନ
ଆପଣ ଭାବୁଥିବେ, ଏହି ଖବର କେବଳ ଏକ ରାଜନୈତିକ ଗୁଜବ କି? ବିରୋଧୀଙ୍କ ଅପପ୍ରଚାର କି?
ବିଲକୁଲ୍ ନୁହେଁ। ଏହି ଖବର ପଛରେ ଯେଉଁ ସତ୍ୟତା ରହିଛି, ତାର ପ୍ରମାଣ ଦେଇଥିଲେ ଜଣେ ବରିଷ୍ଠ ସାମ୍ବାଦିକ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରାମାଣିକ ଜୀବନୀ ପୁସ୍ତକ ଲେଖିଥିବା ଦେଶର ଖ୍ୟାତନାମା ସାମ୍ବାଦିକ ରୁବେନ୍ ବାନାର୍ଜୀ ନିଜର ଏକ ସାକ୍ଷାତକାରରେ ଏକଥା ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛନ୍ତି।
ରୁବେନ୍ ବାନାର୍ଜୀ ସିଧାସଳଖ ଭାବେ କହିଥିଲେ:
- ବିଜେଡିରେ କ୍ଷମତାର ଅସଲ କେନ୍ଦ୍ରବିନ୍ଦୁ ଏବେ ବି ସେହି ଦମ୍ପତିଙ୍କ ହାତରେ।
- ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ କେବଳ ସାମ୍ନାରୁ ପଛକୁ ହଟିଛନ୍ତି, କିନ୍ତୁ ପରଦା ପଛରୁ ସମ୍ପୂର୍ଣ୍ଣ ଗୋଟି ସେ ହିଁ ଚଳାଉଛନ୍ତି।
- ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଆଗକୁ ଆଣିବା କେବଳ ଏକ ମୁଖା। ଦଳର ଆର୍ଥିକ ତଥା ସାଂଗଠନିକ ନିଷ୍ପତ୍ତି ଏହି ପରିବାରର ଇଙ୍ଗିତ ବିନା ସମ୍ଭବ ନୁହେଁ।
ରୁବେନ୍ ବାନାର୍ଜୀଙ୍କ ଏହି ବୟାନ ଏବଂ ତା’ପରେ ରାଜ୍ୟର ପ୍ରମୁଖ ଖବରକାଗଜରେ ପ୍ରକାଶିତ ତଥ୍ୟକୁ ଯଦି ଆପଣ ଯୋଡ଼ି ଦେଖିବେ, ତେବେ ପୂରା ସମୀକରଣଟି ପାଣି ଭଳି ସ୍ପଷ୍ଟ ହୋଇଯିବ। ପ୍ରଶ୍ନ ଉଠୁଛି— ନବୀନ ପଟ୍ଟନାୟକଙ୍କ ନଜରରେ କ’ଣ ଦଳର କୌଣସି ଓଡ଼ିଆ ନେତା ଏତେ ବଡ଼ ଦାୟିତ୍ୱ ସମ୍ଭାଳିବାକୁ ଯୋଗ୍ୟ ନଥିଲେ? ଦୁଇ ଦଶନ୍ଧି ଧରି ତାଙ୍କ ପାଖରେ ଛାଇ ଭଳି ଠିଆ ହୋଇଥିବା ନେତାମାନଙ୍କ ଉପରେ ତାଙ୍କର ଏତେଟିକେ ବି ଭରସା ନାହିଁ?
ବରିଷ୍ଠ ନେତାଙ୍କ ଅସହାୟତା ଓ ଶଙ୍ଖ ଭବନର ଭୟ
ବର୍ତ୍ତମାନ ଆସନ୍ତୁ ସେହି ବରିଷ୍ଠ ନେତାମାନଙ୍କ ମାନସିକ ସ୍ଥିତି ଉପରକୁ। ଯେତେବେଳେ ଏହି ଖବର ଶଙ୍ଖ ଭବନରେ ପହଞ୍ଚିଲା, ସେତେବେଳେ କାହାର ପ୍ରତିକ୍ରିୟା କ’ଣ ଥିଲା?
କେହି ହସିଲେ ନାହିଁ, କେହି କାନ୍ଦିଲେ ନାହିଁ। ବରଂ ପରସ୍ପରର ମୁହଁକୁ ଚାହିଁ ରହିଲେ। ଗୋଟିଏ ଅଜଣା ଆତଙ୍କ ସେମାନଙ୍କୁ ଘେରି ରହିଛି। ସେମାନେ ଜାଣିଛନ୍ତି, ଯଦି ସେମାନେ ମୁହଁ ଖୋଲିବେ, ତେବେ ଦଳବିରୋଧୀ କାର୍ଯ୍ୟର ଆଖ୍ୟା ଦେଇ ତଡ଼ି ଦିଆଯିବ। ଆଉ ଯଦି ଚୁପ୍ ରହିବେ, ତେବେ ପ୍ରତିଦିନ ସେମାନଙ୍କର ଆତ୍ମସମ୍ମାନ ଧୂଳିସାତ୍ ହେବ।
ଏହି ନେତାମାନେ ଗତ ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଭାବିଥିଲେ ଯେ ବିଜେପି ସରକାର ଗଠନ କରିବା ପରେ ନବୀନ ପଟ୍ଟନାୟକଙ୍କ ଚେତନା ଫେରିବ। ସେ ବୁଝିବେ ଯେ ପ୍ରଶାସନିକ ଅଧିକାରୀଙ୍କୁ ଅତ୍ୟଧିକ କ୍ଷମତା ଦେବା ଦ୍ୱାରା ହିଁ ଦଳର ଏହି ଦୁର୍ଦ୍ଦଶା ହୋଇଛି। କିନ୍ତୁ ଘଟିଲା ସମ୍ପୂର୍ଣ୍ଣ ଓଲଟା। ଜଣେ ଅଧିକାରୀ ଅବସର ନେଇ ସନ୍ନ୍ୟାସର ନାଟକ କଲେ, ଆଉ ତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ଦଳର ସର୍ବୋଚ୍ଚ ଆସନରେ ବସାଇ ଦିଆଗଲା।
ଆଜି ଶଙ୍ଖ ଭବନର ସ୍ଥିତି ଏପରି ହୋଇଛି ଯେ, ଯେଉଁ ନେତାମାନେ ଦିନେ ମନ୍ତ୍ରୀ ଥିଲେ, ବଡ଼ ବଡ଼ ବିଭାଗ ସମ୍ଭାଳୁଥିଲେ, ସେମାନେ ଆଜି ଏକ କୋଣରେ ବସି ରହୁଛନ୍ତି। ଆଉ ନିକଟରେ ଦଳକୁ ଆସିଥିବା ସୁଜାତା ରାଉତ କାର୍ତ୍ତିକେୟନ୍ ସାମ୍ନା ଧାଡ଼ିରେ ବସି ନିଷ୍ପତ୍ତି ନେଉଛନ୍ତି। ଏହା କେବଳ ରାଜନୈତିକ ଅବକ୍ଷୟ ନୁହେଁ, ଏହା ବରିଷ୍ଠ ନେତାମାନଙ୍କ ଆତ୍ମସମ୍ମାନ ଉପରେ ଏକ ବଡ଼ କୁଠାରାଘାତ।
ବିଜେଡିର ଭବିଷ୍ୟତ କ’ଣ? କ୍ଷମତା ହସ୍ତାନ୍ତରର ନୂଆ ଖେଳ
ତେବେ ଏହି ସମଗ୍ର ଘଟଣାକ୍ରମରୁ କ’ଣ ବାର୍ତ୍ତା ମିଳୁଛି?
ଓଡ଼ିଶାର ରାଜନୈତିକ ବିଶ୍ଳେଷକମାନେ ଏକଥା ସ୍ପଷ୍ଟ ଭାବେ କହୁଛନ୍ତି ଯେ, ନବୀନ ପଟ୍ଟନାୟକ ଏବେ ଏକ ବଡ଼ ‘ଉତ୍ତରାଧିକାର ଯୋଜନା’ ବା ସକ୍ସେସନ୍ ପ୍ଲାନ୍ ଉପରେ କାମ କରୁଛନ୍ତି। ସେ ଦଳର ଭବିଷ୍ୟତକୁ ସେହି ଗୋଟିଏ ନିର୍ଦ୍ଦିଷ୍ଟ ପରିବାର ହାତରେ ସୁରକ୍ଷିତ ମଣୁଛନ୍ତି।
ଯେତେବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାମକୁ ନେଇ ସାରା ରାଜ୍ୟରେ ବିରୋଧର ସ୍ୱର ଉଠିଲା, ସେତେବେଳେ ତାଙ୍କୁ ସାମୟିକ ଭାବେ ପଛକୁ ନିଆଗଲା। ଏବଂ ତାଙ୍କ ସ୍ଥାନରେ ଜଣେ ମହିଳା ଚେହେରା ଭାବେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସାମ୍ନାକୁ ଅଣାଗଲା। କିନ୍ତୁ ବାସ୍ତବରେ ଦଉଡ଼ିଟି ସେହି ଗୋଟିଏ ହାତରେ ହିଁ ରହିଛି।
- ପ୍ରଥମେ ପ୍ରଶାସନ ଉପରେ ନିୟନ୍ତ୍ରଣ।
- ତା’ପରେ ଦଳୀୟ ସଂଗଠନ ଉପରେ କବ୍ଜା।
- ଆଉ ଏବେ ଦଳର ସମସ୍ତ ପାଣ୍ଠି ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ।
ଏହି ତିନିଟି ପଦକ୍ଷେପ ପରେ ବିଜେଡିରେ ଅନ୍ୟ କୌଣସି ନେତାଙ୍କର କିଛି କହିବାର ବା କରିବାର ଅଧିକାର ରହିଲା କି? ୭୦୦ କୋଟିର ଦଳୀୟ ପାଣ୍ଠି ଯାହା ହାତରେ ଥିବ, ଦଳର ଭବିଷ୍ୟତ ମଧ୍ୟ ତାରି ଇଙ୍ଗିତରେ ନାଚିବ।
ଆଜି ଓଡ଼ିଶାର ରାଜନୀତି ଏକ ବିଚିତ୍ର ଛକରେ ଆସି ଛିଡ଼ା ହୋଇଛି। ଯେଉଁ ଦଳ ଦିନେ ‘ଓଡ଼ିଆ ଅସ୍ମିତା’ ଏବଂ ‘ସ୍ୱାଭିମାନ’ର କଥା କହି ୨୪ ବର୍ଷ ଶାସନ କଲା, ଆଜି ସେହି ଦଳର କୋଟି କୋଟି ଟଙ୍କାର ପାଣ୍ଠି ଏବଂ ଦଳର ଭାଗ୍ୟ କାହା ନିୟନ୍ତ୍ରଣରେ?
ବରିଷ୍ଠ ନେତାମାନେ କ’ଣ ଏମିତି ନୀରବରେ ସବୁକିଛି ସହିଯିବେ? ନା ଆଗାମୀ ଦିନରେ ଶଙ୍ଖ ଭବନର ଏହି ଧୂମାୟିତ ଅସନ୍ତୋଷ ଏକ ବଡ଼ ରାଜନୈତିକ ବିସ୍ଫୋରଣର ରୂପ ନେବ? ସୁଜାତା କାର୍ତ୍ତିକେୟନଙ୍କ ହାତକୁ ୭୦୦ କୋଟିର ଚାବିକାଠି ଯିବା ପରେ ବିଜେଡି କ’ଣ ନିଜର ପୁରୁଣା ସ୍ୱରୂପ ବଜାୟ ରଖିପାରିବ? ଏହି ନିଷ୍ପତ୍ତି ବିଜେଡିକୁ ପୁଣି ଥରେ ଛିଡ଼ା କରାଇବ, ନା ଦଳକୁ ଆହୁରି ଅଧିକ ବିନାଶ ଆଡ଼କୁ ଟାଣିନେବ?


