ଭାରତର ଏମିତି ଏକ ପ୍ରୋଜେକ୍ଟ, ଯାହା ବିଷୟରେ ଶୁଣିବାମାତ୍ରେ ବେଜିଂରୁ ଆରମ୍ଭ କରି ଇସଲାମାବାଦ୍ ପର୍ଯ୍ୟନ୍ତ—ଚୀନ୍ ଓ ପାକିସ୍ତାନର ନିଦ ହଜିଯାଇଛି। ଭାରତ ଯଦି ଏହି ମେଗା ପ୍ରୋଜେକ୍ଟକୁ ସଫଳତାର ସହ ଶେଷ କରିଦିଏ, ତେବେ ଭାରତକୁ ମିଳିଯିବ ଏକ ଏମିତି ନୂଆ ସାମରିକ ଘାଟି, ଯେଉଁଠାରୁ ବସି କେବଳ ଚୀନ୍ ନୁହେଁ, ବରଂ ଆସିଆନ୍ ଦେଶଗୁଡ଼ିକ, ଆମେରିକା ଏବଂ ଆରବ ସାଗରରେ ପାକିସ୍ତାନର ପ୍ରତ୍ୟେକଟି କାମ ଉପରେ ସିଧାସଳଖ ଏବଂ କଡ଼ା ନଜର ରଖାଯାଇପାରିବ।

ଭାରତକୁ ଚାରିପଟୁ ଘେରିବା ପାଇଁ ଚୀନ୍ ଗତ କିଛି ବର୍ଷ ହେବ କେତେ ପ୍ରକାରର ଚାଲ୍ ଚାଲିନି! ପଡ଼ୋଶୀ ଦେଶମାନଙ୍କରେ ଆସି ବସିଯିବା, ବନ୍ଦରଗୁଡ଼ିକୁ ଲିଜ୍ରେ ନେବା—ଏସବୁର ମୂଳ ଉଦ୍ଦେଶ୍ୟ ଥିଲା ଭାରତକୁ କାଉଣ୍ଟର କରିବା। କିନ୍ତୁ ଭାରତର ଏହି ଗୋଟିଏମାତ୍ର ପ୍ରୋଜେକ୍ଟ ସେମାନଙ୍କ ସମସ୍ତ ଅଙ୍କକଷାକୁ ଓଲଟପାଲଟ କରିଦେଇଛି।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଶତ୍ରୁଦେଶ ଯେତିକି ପରିମାଣରେ ଏଥିରେ ଚିନ୍ତିତ, ଆମ ଦେଶ ଭତରୁ ମଧ୍ୟ କିଛି ନେତା ସେତିକି ବେଶୀ ଚିନ୍ତା ପ୍ରକଟ କରୁଛନ୍ତି। ବିଶେଷକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରୋଜେକ୍ଟକୁ ନେଇ କଡ଼ା ବିରୋଧ ପ୍ରକଟ କରିଛନ୍ତି। ତାଙ୍କର ସ୍ପଷ୍ଟ କହିବା କଥା ଯେ, ସରକାର ଏହି ପ୍ରୋଜେକ୍ଟକୁ ଯେକୌଣସି ପ୍ରକାରେ ବନ୍ଦ କରନ୍ତୁ, ନଚେତ୍ ସେ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବେ। କାରଣ ଏହାଦ୍ୱାରା ପରିବେଶ ନଷ୍ଟ ହେବ, ଲକ୍ଷାଧିକ ଗଛ କାଟି ଦିଆଯିବ। ତେବେ ପ୍ରଶ୍ନ ଉଠୁଛି—ଏହି ପ୍ରୋଜେକ୍ଟ ପ୍ରକୃତରେ କ’ଣ? ଏହାକୁ ନେଇ ଚୀନ୍ କାହିଁକି ଏତେ ଆତଙ୍କିତ? ଆଉ ରାହୁଲ ଗାନ୍ଧୀଙ୍କ ଯୁକ୍ତିରେ କେତେ ଯୁକ୍ତିଯୁକ୍ତତା ଅଛି?
ଗ୍ରେଟର୍ ନିକୋବର ପ୍ରୋଜେକ୍ଟ ପ୍ରକୃତରେ କ’ଣ ଏବଂ କେଉଁଠି ଅଛି?
ଆପଣ ଯଦି ଭାରତର ମାନଚିତ୍ର ଦେଖିବେ, ତେବେ ଦକ୍ଷିଣ-ପୂର୍ବ ଦିଗକୁ ରହିଛି ଆମର ‘ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ’। ଏହି ଦ୍ୱୀପପୁଞ୍ଜର ସବୁଠାରୁ ଶେଷ ପ୍ରାନ୍ତରେ, ଅର୍ଥାତ୍ ଏକାବେଳେ ଦକ୍ଷିଣ କୋଣରେ ରହିଛି ଏକ ଛୋଟ ଦ୍ୱୀପ—ଯାହାର ନାମ ‘ଗ୍ରେଟ୍ ନିକୋବର’। ଏହି ଆଇଲ୍ୟାଣ୍ଡ ଉପରେ ଭାରତ ସରକାର ଆଣୁଛନ୍ତି ଏହି ବିରାଟ ପ୍ରୋଜେକ୍ଟ, ଯାହାର ନାମ ଦିଆଯାଇଛି ‘ଗ୍ରେଟର୍ ନିକୋବର ପ୍ରୋଜେକ୍ଟ’।

ଏହି ପୂରା ପ୍ରୋଜେକ୍ଟର ମୁଖ୍ୟ ତିନିଟି ସ୍ତମ୍ଭ ରହିଛି:
୧. ମିଲିଟାରୀ ବେସ୍ (ସାମରିକ ଘାଟି): ଏହି ପୂରା ଆଇଲ୍ୟାଣ୍ଡର ପ୍ରାୟ ଏକ-ତୃତୀୟାଂଶ ଅଞ୍ଚଳରେ ଏକ ବିଶାଳ ସାମରିକ ଘାଟି ନିର୍ମାଣ କରାଯିବ। ଆପଣ ଚିନ୍ତା କରନ୍ତୁ, ଆମର ଏହି ପୂର୍ବପଟ୍ଟରେ ଏପରି କୌଣସି ବଡ଼ ସାମରିକ ଘାଟି ନଥିଲା ଯେଉଁଠାରୁ ମ୍ୟାନମାର, ବାଂଲାଦେଶ ଏବଂ ଶ୍ରୀଲଙ୍କା (ଯେଉଁଠି ଚୀନ୍ ଆସି ବସିଛି) ଉପରେ ସିଧାସଳଖ ନଜର ରଖାଯାଇପାରିବ। ଏଠାରେ ସେନା ମୁତୟନ ହେଲେ, ଆମର ଯୁଦ୍ଧାଭ୍ୟାସ ଏବଂ ସବ୍ମେରିନ୍ଗୁଡ଼ିକର ଗସ୍ତ ଅତି ସହଜ ହୋଇଯିବ।
୨. ଗାଲେଥିଆ ବନ୍ଦର: ଏହା କେବଳ ଏକ ସାମରିକ ଘାଟି ନୁହେଁ, ବରଂ ଏହା ଏକ ବଡ଼ ଅର୍ଥନୈତିକ ଉତ୍ସ ମଧ୍ୟ ହେବ। ଆଜି ଦୁନିଆର ବଡ଼ ବଡ଼ ଜାଗା ଯେପରିକି ଦୁବାଇ (ୟୁଏଇ) କିମ୍ବା କଲମ୍ବୋ (ଶ୍ରୀଲଙ୍କା) ଜାହାଜଗୁଡ଼ିକର ମାଲ୍ ଲୋଡ୍ ଓ ଅନ୍ଲୋଡ୍ ପାଇଁ ବ୍ୟବହାର ହୋଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଠିକ୍ ସେହିପରି, ଶ୍ରୀଲଙ୍କା ଏବଂ ସିଙ୍ଗାପୁର ମଝିରେ ରହିଥିବା ଏହି ଗ୍ରେଟର୍ ନିକୋବରରେ ଏକ ବିଶାଳ ‘ଲଜିଷ୍ଟିକ୍ ହବ୍’ ବନ୍ଦର ତିଆରି ହେବ, ଯେଉଁଠାରୁ ଭାରତ ସରକାର ବହୁତ ବଡ଼ ଆର୍ଥିକ ଲାଭ ପାଇବେ।
୩. ଆନ୍ତର୍ଜାତୀୟ ବିମାନବନ୍ଦର ଓ ଜନବସତି: ଏହା ବ୍ୟତୀତ ଏଠାରେ ଏକ ଆନ୍ତର୍ଜାତୀକ ଏୟାରପୋର୍ଟ ଏବଂ ପ୍ରାୟ ୨ରୁ ୩ ଲକ୍ଷ ଲୋକଙ୍କ ପାଇଁ ଏକ ସହରାଞ୍ଚଳ ବସାଇବାର ଯୋଜନା ରହିଛି। ବିଶେଷକରି ଆମର ସେନାରେ କାର୍ଯ୍ୟରତ ଅଫିସର ଓ ଯବାନମାନଙ୍କ ପରିବାରବର୍ଗଙ୍କୁ ସେଠାରେ ବସାଇଲେ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇଯିବ।
ରାହୁଲ ଗାନ୍ଧୀଙ୍କ ଚିନ୍ତା ଓ ପରିବେଶଗତ ପ୍ରଶ୍ନ
ବନ୍ଧୁକର ନଳୀ ଗୋଟିଏ ପଟେ ଚୀନ୍ ଆଡ଼କୁ ଟାର୍ଗେଟ୍ ହୋଇଥିବାବେଳେ, ଦେଶ ଭିତରୁ ଉଠୁଥିବା ପ୍ରଶ୍ନଗୁଡ଼ିକୁ ମଧ୍ୟ ଆମକୁ ଆଖିଦୃଶିଆ ଭାବରେ ଏଡ଼ାଇ ଦେଇ ହେବ ନାହିଁ। ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ପରିବେଶବିତ୍ମାନେ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଗ୍ରେଟର୍ ନିକୋବର ଆଇଲ୍ୟାଣ୍ଡଟି ପ୍ରାୟ ୯୧୦ ବର୍ଗ କିଲୋମିଟର ପରିସରରେ ବ୍ୟାପ୍ତ। ଏହାର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଭାବରେ ଜଙ୍ଗଲଘେରା। ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ ୧୦ରୁ ୧୨ ଲକ୍ଷ ଗଛ କାଟି ଦିଆଯିବାର ଆଶଙ୍କା ରହିଛି। ୨୦୦୪ ମସିହାର ମହାସୁନାମୀ ଏବଂ ଭୂକମ୍ପ ସମୟରେ ଏହି ଅଞ୍ଚଳ ପ୍ରବଳ କ୍ଷତିଗ୍ରସ୍ତ ହୋଇଥିଲା। ସେଠାକାର ସ୍ଥାନୀୟ ଜୈବବିବିଧତା, ବିଶେଷକରି ବିରଳ ପ୍ରଜାତିର କଇଞ୍ଚ ଏବଂ ବନ୍ୟପ୍ରାଣୀମାନଙ୍କ ଆବାସସ୍ଥଳୀ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଉଛି।

ସବୁଠାରୁ ବଡ଼ କଥା ହେଲା—ଏଠାରେ ଆଦିମ ଜନଜାତି ବାସ କରନ୍ତି। ଯେପରିକି ‘ସୋମ୍ପେନ୍’ ଜନଜାତି, ଯାହାଙ୍କ ଜନସଂଖ୍ୟା ମାତ୍ର ୨୦୦ ରୁ ୪୦୦ ଭିତରେ ସୀମିତ ଏବଂ ‘ନିକୋବାରୀ’ ଜନଜାତି, ଯାହାଙ୍କ ସଂଖ୍ୟା ପ୍ରାୟ ୧୧୦୦ ଆଖପାଖରେ। ଏହି ଲୋକମାନେ ଆଜିର ଆଧୁନିକ ଦୁନିଆର କୋଳାହଳରୁ ବହୁ ଦୂରରେ, ଜଙ୍ଗଲ ଭିତରେ ନିଜର ପାରମ୍ପରିକ ଜୀବନ ବିତାଉଛନ୍ତି।
୧୯୬୫ ମସିହାରୁ ଏହି ଅଞ୍ଚଳକୁ ସଂରକ୍ଷିତ ଘୋଷଣା କରାଯାଇଛି, ଯାହାଫଳରେ ସାଧାରଣ ମଣିଷଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଜୀବନ ପ୍ରତି ବିପଦ ନ ଆସୁ। ବାସ୍ତବରେ, ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ଏତେ କମ ଯେ, ବାହାରୁ କେହି ଯାଇ ସେଠାରେ ଛିଙ୍କିଲେ କିମ୍ବା କାଶିଲେ ମଧ୍ୟ ସେମାନଙ୍କ ମଧ୍ୟରେ ମାରାତ୍ମକ ସଂକ୍ରମଣ ବ୍ୟାପିଯାଇପାରେ।
ତେଣୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ ହେଉଛି—ଜାତୀୟ ସୁରକ୍ଷା ନିଶ୍ଚିତ ଭାବରେ ଜରୁରୀ, କିନ୍ତୁ ସେହି ନାଁରେ କ’ଣ ଏକ ସମ୍ପୂର୍ଣ୍ଣ ଜନଜାତି ଓ ପରିବେଶକୁ ଧ୍ୱଂସ କରିଦିଆଯିବ? ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ କି ନାହିଁ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ମଧ୍ୟ ସରକାରଙ୍କ ପାଇଁ ସମାନ ଭାବରେ ଜରୁରୀ।
ଚୀନ୍ର ରଣନୀତି ଏବଂ ଭାରତର ‘ମାଷ୍ଟରଷ୍ଟ୍ରୋକ୍’
କିନ୍ତୁ ବନ୍ଧୁକର ଅନ୍ୟ ପାଖକୁ ଦେଖନ୍ତୁ। ଚୀନ୍ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଚାରିପଟୁ ଘେରିବା ପାଇଁ ‘ଷ୍ଟ୍ରିଙ୍ଗ୍ସ ଅଫ୍ ପର୍ଲ୍ସ’ ନୀତି ଆପଣାଇ ଆସିଛି। ପାକିସ୍ତାନର ଗ୍ୱାଦର ପୋର୍ଟ ହେଉ, ଶ୍ରୀଲଙ୍କାର ହମ୍ବନଟୋଟା ହେଉ, କିମ୍ବା ମ୍ୟାମାର ଏବଂ ମାଳଦ୍ୱୀପ—ଚୀନ୍ ଏହି ସମସ୍ତ ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୋର୍ଟଗୁଡ଼ିକୁ ନିଜ କବ୍ଜାକୁ ନେଇସାରିଛି।
ଭବିଷ୍ୟତରେ ଅରୁଣାଚଳ ପ୍ରଦେଶ କିମ୍ବା ଅକସାଇ ଚୀନକୁ ନେଇ ଯଦି କୌଣସି ପରିସ୍ଥିତି ଉପୁଜେ, ତେବେ ଚୀନ୍ ଏହି ସମସ୍ତ ପାର୍ଶ୍ୱ ଦେଶରୁ ଭାରତ ଉପରେ ଏକସାଙ୍ଗରେ ଆକ୍ରମଣ କରିବାକୁ ଯୋଜନା କରିଛି।
ଏହା ବ୍ୟତୀତ, ମଧ୍ୟପ୍ରାଚ୍ୟ ଅର୍ଥାତ୍ ଇରାନ, କାତାର ଓ କୁୱେତରୁ ଆସୁଥିବା ତେଲ ଓ ଗ୍ୟାସ୍ ଟ୍ୟାଙ୍କରଗୁଡ଼ିକ ‘ହରମୁଜ୍ ପ୍ରଣାଳୀ’ ଏବଂ ‘ମଳକା ପ୍ରଣାଳୀ’ ଦେଇ ଚୀନ୍କୁ ଯାଏ। ଚୀନ୍ ଭଲଭାବରେ ଜାଣେ ଯେ ଭାରତ ମହାସାଗରରେ ଭାରତର ପାୱାର କେତେ। ଏହାକୁ ପ୍ରତିହତ କରିବା ପାଇଁ ଭାରତ ମଧ୍ୟ ଇଣ୍ଡୋନେସିଆର ‘ସାମାଙ୍ଗ୍ ପୋର୍ଟ’ର ଡେଭଲପ୍ମେଣ୍ଟ ଠିକ୍ କରିସାରିଛି, ଯାହା ୨୦୨୭ ମସିହାରୁ ଆରମ୍ଭ ହେବ।
ଭାରତ ଯଦି ଗ୍ରେଟର୍ ନିକୋବରରେ ନିଜର ଏହି ମେଗା ଘାଟି ପ୍ରତିଷ୍ଠା କରିଦିଏ, ତେବେ ଚୀନ୍ର ସମୁଦ୍ର ମାର୍ଗର ବାଣିଜ୍ୟ ଏବଂ ତେଲ ଯୋଗାଣକୁ ଭାରତ ଏକକାଳୀନ ବନ୍ଦ କରିପାରିବ। ଚୀନ୍ ପାଇଁ ଏହା ଏକ ‘ଚେକ୍ମେଟ୍’ ପରିସ୍ଥିତି ସୃଷ୍ଟି କରିବ।
ଐତିହାସିକ ଦୃଷ୍ଟାନ୍ତ
ଆପଣଙ୍କୁ ଗୋଟିଏ ଉଦାହରଣ ଦେଖିଲେ କଥାଟି ଆହୁରି ସ୍ପଷ୍ଟ ହୋଇଯିବ। ହିନ୍ଦ ମହାସାଗର ମଧ୍ୟାଞ୍ଚଳରେ ‘ଡିଆଗୋ ଗାର୍ସିଆ’ ନାମକ ଏକ ଦ୍ୱୀପ ରହିଛି, ଯାହା ବ୍ରିଟେନର ଅଧୀନରେ ଥିଲେ ମଧ୍ୟ ଆମେରିକା ସେଠାରେ ନିଜର ବିଶାଳ ସାମରିକ ଘାଟି କରି ବସିଛି। ଆମେରିକା ସେହି ଗୋଟିଏ ଜାଗାରୁ ବସି ମଧ୍ୟପ୍ରାଚ୍ୟକୁ ନିୟନ୍ତ୍ରଣ କରୁଛି, ଇରାନ ଉପରେ ମିସାଇଲ୍ ପଠାଉଛି ଏବଂ ସମଗ୍ର ଏସିଆ ଉପରେ ନଜର ରଖୁଛି।
ଯଦି ଆମେରିକା ନିଜର ସୁରକ୍ଷା ପାଇଁ ଏଭଳି ରଣନୈତିକ ପଦକ୍ଷେପ ନେଇପାରେ, ତେବେ ଭାରତ ନିଜର ନିଜସ୍ୱ ସୀମା ଭିତରେ, ଆଣ୍ଡମାନ ଓ ନିକୋବରରେ ଏପରି କରିବା କାହିଁକି ଭୁଲ୍ ହେବ? ଦେଶର ସୁରକ୍ଷା ଏବଂ ଭୂ-ରାଜନୈତିକ ଆବଶ୍ୟକତା ଆଜି ସବୁଠାରୁ ବଡ଼ ପ୍ରାଥମିକତା। ଅବଶ୍ୟ, ସରକାରଙ୍କୁ ଏହା ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ ଯେ ପରିବେଶ ଏବଂ ସେଠାକାର ଆଦିମ ଜନଜାତିଙ୍କ ଅଧିକାର ଯେପରି ସର୍ବନିମ୍ନ କ୍ଷତିଗ୍ରସ୍ତ ହୁଏ। ବୈଜ୍ଞାନିକ ଉପାୟରେ ପରିବେଶର ଭରଣପୋଷାଣ ଏବଂ ଜନଜାତିଙ୍କ ସୁରକ୍ଷା ପାଇଁ କଡ଼ା ନିୟମ କରାଯିବା ଉଚିତ।
also read
https://purvapaksa.com/the-hidden-politics-behind-the-governors-transfer/


