“ଦେଶରେ କେତେ ଲୋକ ଘରୋଇ ଡାକ୍ତରଖାନାର ମହଙ୍ଗା ଖର୍ଚ୍ଚ ବହନ କରିପାରିବେ?” ତାମିଲନାଡୁରେ ୧୫୨ଟି ମେଡିକାଲ ସିଟ୍ ସରେଣ୍ଡର ସହ ଜଡ଼ିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ସମେତ ତାମିଲନାଡୁର ଥଲପତି ବିଜୟଙ୍କ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।

କ’ଣ ରହିଛି ପୂରା ମାମଲା ?
ଏହି ବିବାଦ ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଖାଲି ପଡ଼ିଥିବା ୧୫୨ଟି ‘ଇନ୍-ସର୍ଭିସ୍ ସୁପର-ସ୍ପେସିଆଲିଟି ସିଟ୍’କୁ ସର୍ବଭାରତୀୟ କୋଟାକୁ ହସ୍ତାନ୍ତର କରିବା ନିଷ୍ପତ୍ତି ନିଆ ଯାଇଛି। ଏହା ବିରୋଧରେ ତାମିଲନାଡୁ ମେଡିକାଲ ଅଫିସର୍ସ ଆସୋସିଏସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଆବେଦନର ଶୁଣାଣି କରି ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଖଣ୍ଡପୀଠ ନିଜ ରାୟରେ କହିଛନ୍ତି ଯେ, “ଯଦି ଜଣେ ସରକାରୀ ଡାକ୍ତର ଅଧିକ ଦକ୍ଷତା ହାସଲ କରନ୍ତି, ତେବେ ସେ ଜଣେ ଘରୋଇ ଡାକ୍ତରଙ୍କ ତୁଳନାରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଉନ୍ନତ ସେବା ଯୋଗାଇ ପାରିବେ।” ଏହା ସହିତ କୋର୍ଟ ଦର୍ଶାଇଛନ୍ତି ଯେ ଇନ୍-ସର୍ଭିସ୍ (ସେବାରତ) ପ୍ରାର୍ଥୀମାନେ ଏକ ସ୍ୱତନ୍ତ୍ର ବର୍ଗର ଅଟନ୍ତି, କାରଣ ସେମାନେ ଏକାସାଙ୍ଗରେ ଉଭୟ କାମ ଓ ପାଠପଢ଼ା ଜାରି ରଖିଥାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।
ଆସୋସିଏସନର ଦାବି କ’ଣ ?

୨୦୨୫ ନିଟ୍ (NEET) ସୁପର-ସ୍ପେସିଆଲିଟି କାଉନ୍ସେଲିଂରେ ତାମିଲନାଡୁ ପାଇଁ ଉପଲବ୍ଧ ମୋଟ ୪୩୦ ସିଟ୍ ମଧ୍ୟରୁ ୨୧୫ଟି ସିଟ୍ ସରକାରୀ ଡାକ୍ତରମାନଙ୍କ (ଇନ୍-ସର୍ଭିସ୍) ପାଇଁ ସଂରକ୍ଷିତ ଥିଲା। ମାତ୍ର କାଉନ୍ସେଲିଂ ପ୍ରକ୍ରିୟାରେ କେବଳ ୬୩ଟି ସିଟ୍ ପୂରଣ ହୋଇପାରିଥିଲା। ଫଳରେ ଦ୍ୱିତୀୟ ରାଉଣ୍ଡ କାଉନ୍ସେଲିଂ ଶେଷ ହେବା ବେଳକୁ ୧୫୨ଟି ସିଟ୍ ଖାଲି ପଡ଼ିଯାଇଥିଲା।
ତାମିଲନାଡୁ ମେଡିକାଲ ଅଫିସର୍ସ ଆସୋସିଏସନ ପକ୍ଷରୁ ଅଧିକାରୀମାନଙ୍କୁ ଏହି ଖାଲି ସିଟ୍ଗୁଡ଼ିକୁ ସର୍ବଭାରତୀୟ କୋଟାରେ ସରେଣ୍ଡର କରିବାରୁ ଅଟକାଇବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଅନୁରୋଧ କରାଯାଇଛି। ଆସୋସିଏସନ ଦାବି କରିଛି ଯେ, ଯଦି ସର୍ବଭାରତୀୟ କୋଟାର ଦ୍ୱିତୀୟ ରାଉଣ୍ଡ କାଉନ୍ସେଲିଂ ପରେ କ୍ୱାଲିଫାଇଂ ପର୍ସେଣ୍ଟାଇଲ୍ ୫୦ ପ୍ରତିଶତରୁ କମ୍ କରାଯାଏ, ତେବେ ତୃତୀୟ ରାଉଣ୍ଡ କିମ୍ବା ମପ୍-ଅପ୍ ରାଉଣ୍ଡରେ ରାଜ୍ୟର ଇନ୍-ସର୍ଭିସ୍ ପ୍ରାର୍ଥୀମାନଙ୍କୁ ମଧ୍ୟ ଏହି ସିଟ୍ ଗୁଡ଼ିକ ପାଇଁ ସୁଯୋଗ ଦିଆଯାଉ।
ବିରୋଧୀ ଦଳ ନେତା ଉଦୟନିଧି ମଧ୍ୟ ଉଠାଇଥିଲେ ସ୍ୱର

ଏହି ପ୍ରସଙ୍ଗକୁ ଚଳିତ ମାସ ଆରମ୍ଭରେ ବିରୋଧୀ ଦଳର ନେତା ଉଦୟନିଧି ଷ୍ଟାଲିନ୍ ମଧ୍ୟ ଉଠାଇଥିଲେ। ସେ ଗତ ଜୁନ୍ ୪ ତାରିଖରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଏକ ଚିଠି ଲେଖି ରାଜ୍ୟର ଏହି ୧୫୨ଟି ମେଡିକାଲ ସିଟ୍କୁ ସର୍ବଭାରତୀୟ କୋଟାରେ ସରେଣ୍ଡର ହେବାରୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
Also read : https://purvapaksa.com/after-the-success-of-kochi-now-water-metro-will-run-in-srinagar-kolkata-and-guwahati/


