କଳ୍ପନା କରନ୍ତୁ, ଆକାଶରେ ଉଡ଼ୁଥିବା ହଜାର ହଜାର ବିମାନ ଯଦି ହଠାତ୍ ସେମାନଙ୍କର ଦିଗ ହରାଇ ବସନ୍ତି କିମ୍ବା ପରସ୍ପର ସହ ଧକ୍କା ହୁଅନ୍ତି, ତେବେ କଣ ହେବ? ଗତ ୨୪ ତାରିଖରେ ରୁଷ-ୟୁକ୍ରେନ ଯୁଦ୍ଧକୁ ୫ବର୍ଷ ପୂରିବା ପରେ ଏହି ଭୟ ଏବେ ବିଶ୍ୱର ମହାଶକ୍ତିମାନଙ୍କୁ ଘାରିଲାଣି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏମିତି ଏକ ଗୁପ୍ତ ଅସ୍ତ୍ର ପ୍ରସ୍ତୁତ କରିଛନ୍ତି, ଯାହା ବିନା କୌଣସି ଗୁଳି ଗୋଳାରେ ଶତ୍ରୁର ବିମାନ ଓ ମିସାଇଲକୁ ଅକାମୀ କରିଦେଇପାରେ। ଏହି ଅସ୍ତ୍ରର ନାମ ହେଉଛି ‘ଟୋବୋଲ୍’ (Tobol)।
ଏହି ଟେକ୍ନୋଲୋଜି କଣ ଏବଂ ଏହା କିପରି ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ଠାରୁ ଆରମ୍ଭ କରି ବ୍ରିଟିଶ୍ ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି।

‘ଟୋବୋଲ୍’ କଣ ଏବଂ ଏହା କିପରି କାମ କରେ?
ସାଧାରଣତଃ ଯେତେବେଳେ ଏକ ବିମାନ ଆକାଶରେ ଥାଏ, ସେ ସେହି ସମୟରେ ଅନାଥ ନ ଥାଏ। ତାକୁ ପ୍ରତି ମୁହୂର୍ତ୍ତରେ ଗ୍ରାଉଣ୍ଡ୍ ରାଡାର୍ କିମ୍ବା ସାଟେଲାଇଟ୍ରୁ ସିଗ୍ନାଲ୍ ମିଳୁଥାଏ। ଯଦି ୦.୫ ସେକେଣ୍ଡ ପାଇଁ ମଧ୍ୟ ଏହି ସିଗ୍ନାଲ୍ କଟିଯାଏ, ତେବେ ବିମାନଟି ନିଜର ରାସ୍ତା ହରାଇପାରେ।
ରୁଷର ଏହି ‘ଟୋବୋଲ୍’ ସିଷ୍ଟମ ଏକ ପ୍ରକାରର ‘ଜ୍ୟାମିଂ ୱେପନ୍’ (Jamming Weapon)। ଏହା କଣ କରେ ନା, ରାଡାର୍ ଯେଉଁ ରେଡିଓ ୱେଭ୍ ବିମାନକୁ ପଠାଏ, ଟୋବୋଲ୍ ଠିକ୍ ସେହିଭଳି ଏକ ନକଲି ସିଗ୍ନାଲ୍ ପଠାଇଥାଏ। କିନ୍ତୁ ଏହି ନକଲି ସିଗ୍ନାଲ୍ରେ ଭୁଲ୍ ତଥ୍ୟ ଥାଏ। ଫଳରେ ବିମାନର ପାଇଲଟ୍ କିମ୍ବା ସିଷ୍ଟମ ଜାଣିପାରନ୍ତି ନାହିଁ ଯେ ସେମାନେ କେଉଁ ଦିଗକୁ ଯାଉଛନ୍ତି। ଏହାକୁ ‘ଜ୍ୟାମ୍ ଆଣ୍ଡ୍ ବ୍ଲାଷ୍ଟ୍’ ଟେକ୍ନୋଲୋଜି ମଧ୍ୟ କୁହାଯାଏ।

ବ୍ରିଟିଶ୍ ବିମାନ ଉପରେ ଆକ୍ରମଣ ଓ ସାଂଘାତିକ ରିପୋର୍ଟ
ନିକଟରେ ‘ଦ ସନ୍’ (The Sun) ରିପୋର୍ଟ ଅନୁସାରେ, ୟୁରୋପରେ ଉଡ଼ୁଥିବା ପ୍ରାୟ ୩୨,୦୦୦ରୁ ଅଧିକ ବିମାନ ଏହି ଇଲେକ୍ଟ୍ରୋନିକ୍ ୱାରଫେୟାର୍ର ଶିକାର ହୋଇଛନ୍ତି। ପ୍ରାୟ ୪,୦୦୦ ବ୍ରିଟିଶ୍ ହଲିଡେ ଫ୍ଲାଇଟ୍ ଏହି ଜ୍ୟାମିଂକୁ ଅନୁଭବ କରିଛନ୍ତି। ଅକ୍ଟୋବର ମାସରୁ ଏହି ସମସ୍ୟା ଅଧିକ ବଢ଼ିବାରେ ଲାଗିଛି। ବିଶେଷ କରି ରୁଷ-ୟୁକ୍ରେନ ଯୁଦ୍ଧ ପରେ ରୁଷ ଏହି ଟେକ୍ନୋଲୋଜିର ବ୍ୟବହାର ବହୁଳ ଭାବରେ କରୁଛି।

କାଲିନଗ୍ରାଡ୍ (Kaliningrad): ରୁଷର ସେହି ରହସ୍ୟମୟ ସ୍ଥାନ
ଆପଣ ଯଦି ୟୁରୋପର ମାନଚିତ୍ର ଦେଖିବେ, ପୋଲାଣ୍ଡ ଏବଂ ଲିଥୁଆନିଆ ମଧ୍ୟରେ ରୁଷର ଏକ ଛୋଟ ଅଂଶ ଅଛି, ଯାହାର ନାମ କାଲିନଗ୍ରାଡ୍। ଏଠାରେ ପ୍ରାୟ ୧୦ ଲକ୍ଷ ଲୋକ ରୁହନ୍ତି। ରୁଷ ଏହି ସ୍ଥାନକୁ ନିଜର ପ୍ରତିରକ୍ଷା ପାଇଁ ଏକ ଦୁର୍ଗ ଭଳି ବ୍ୟବହାର କରେ। ସାଟେଲାଇଟ୍ ଚିତ୍ରରୁ ଦେଖାଯାଇଛି ଯେ, ଏଠାରେ ଦୁଇଟି ବଡ଼ ବଡ଼ ଧଳା ରଙ୍ଗର ବଲ୍ (Domes) ପରି ସଂରଚନା ରହିଛି। ବିଶେଷଜ୍ଞଙ୍କ ମତରେ, ଏହା ହିଁ ହେଉଛି ଟୋବୋଲ୍ ରାଡାର୍ ସିଷ୍ଟମ, ଯାହା ପୂରା ୟୁରୋପର ବିମାନ ଚଳାଚଳକୁ ପ୍ରଭାବିତ କରୁଛି।


ଏଲନ୍ ମସ୍କଙ୍କ ‘ଷ୍ଟାରଲିଙ୍କ୍’ଓ ଟୋବୋଲ୍ର ପ୍ରଭାବ
ଏହି ଅସ୍ତ୍ର କେବଳ ବିମାନ ନୁହେଁ, ବରଂ ଏଲନ୍ ମସ୍କଙ୍କ ଷ୍ଟାର ଲିଙ୍କ ଇଣ୍ଟରନେଟ୍ ସେବାକୁ ମଧ୍ୟ ଅକାମୀ କରିଦେଇଛି। ଯୁଦ୍ଧ ସମୟରେ ୟୁକ୍ରେନ ଯେତେବେଳେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସାହାଯ୍ୟରେ ରୁଷ ଉପରେ ଡ୍ରୋନ୍ ଆକ୍ରମଣ କରିବାକୁ ଚେଷ୍ଟା କଲା, ସେତେବେଳେ ଟୋବୋଲ୍ ସେହି ସିଗ୍ନାଲ୍କୁ ଜ୍ୟାମ୍ କରିଦେଲା। ଫଳରେ ଡ୍ରୋନ୍ଗୁଡ଼ିକ ନିଜର ଲକ୍ଷ୍ୟ ଭେଦ କରିପାରିଲେ ନାହିଁ। ଏହି କାରଣରୁ ପରବର୍ତ୍ତୀ ସମୟରେ ଏଲନ୍ ମସ୍କ ମଧ୍ୟ ୟୁକ୍ରେନକୁ ଯୁଦ୍ଧ ପାଇଁ ଇଣ୍ଟରନେଟ୍ ଦେବାକୁ ମନା କରିଦେଇଥିଲେ।

ଭବିଷ୍ୟତର ଯୁଦ୍ଧ ଓ ନିଷ୍କର୍ଷ
ରୁଷ ଏହିଭଳି ପ୍ରାୟ ୧୦ଟି ଡିଭାଇସ୍ ପ୍ରସ୍ତୁତ କରିସାରିଛି। ଏହା କୌଣସି ପାରମ୍ପରିକ ଅସ୍ତ୍ର ନୁହେଁ ଯାହା କାହା ଉପରେ ବୋମା ପକାଇବ, ବରଂ ଏହା ଶତ୍ରୁର ବୋମା ଓ ମିସାଇଲ୍କୁ ତାର ବାଟ ଭୁଲାଇ ଦେବ। ଆଗାମୀ ଦିନରେ ଏହି ଇଲେକ୍ଟ୍ରୋନିକ୍ ୱାରଫେୟାର୍ ଦୁନିଆର ସବୁଠାରୁ ବଡ଼ ଶକ୍ତି ହେବାକୁ ଯାଉଛି।
AlsoRead; https://purvapaksa.com/is-golak-innocent-in-the-coal-scam-case/
କୋଇଲା ଦୂର୍ନୀତି ମାମଲାରେ ଗୋଲକ ନିର୍ଦ୍ଦୋଷ? || Is Golak innocent in the coal scam case?

