ଆମ ସମାଜରେ କିମ୍ବା ପରିବାରରେ ଏମିତି ଜଣେ ବ୍ୟକ୍ତି ଥାଏ, ଯାହାର ନିଜର କୌଣସି ସ୍ୱର ନ ଥାଏ, ନିଜର କୌଣସି ମତାମତ ନ ଥାଏ। ସେ କେବଳ ଅନ୍ୟର ଇସାରାରେ ନାଚେ। ମାଲିକ କହିଲେ ଚା’ ଆଣିବ, ମାଲିକ କହିଲେ ଦୌଡ଼ିବ, କିନ୍ତୁ କାହିଁକି ଦୌଡ଼ୁଛି ତା’ର ଉତ୍ତର ତା’ ପାଖରେ ନ ଥାଏ। ଆଜି ବିଶ୍ୱ ରାଜନୀତିରେ ପାକିସ୍ତାନର ଅବସ୍ଥା ଠିକ୍ ସେମିତି ହୋଇଛି। ଯେତେବେଳେ ଆମେରିକା କହିଲା, ପାକିସ୍ତାନ ଦୌଡ଼ିଲା। ଯେତେବେଳେ ଆମେରିକା ଇରାନ ସହ ଯୁଦ୍ଧରେ ଫସିଗଲା, ସେତେବେଳେ ପାକିସ୍ତାନକୁ ଜଣେ ‘ମଧ୍ୟସ୍ଥି’ ଭାବରେ ବ୍ୟବହାର କଲା। କିନ୍ତୁ ପ୍ରଶ୍ନ ଉଠୁଛି, ପାକିସ୍ତାନ ପ୍ରକୃତରେ ଜଣେ ମଧ୍ୟସ୍ଥି (Mediator) ନା କେବଳ ଜଣେ ଚିଠି ପହଞ୍ଚାଉଥିବା ବାହକ (Messenger)?
ଯୁଦ୍ଧର ବାସ୍ତବତା: ଆମେରିକା କ’ଣ ହରାଇଲା?
ଫେବୃଆରୀ ୨୮, ୨୦୨୬। ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କଲେ। ନାମ ଦିଆଗଲା ‘ଅପରେସନ ଏପେକ ଫ୍ୟୁରୀ’ । ଲକ୍ଷ୍ୟ ଥିଲା ଇରାନର ଶାସନ ବଦଳାଇବା ଏବଂ ତା’ର ପରମାଣୁ କାର୍ଯ୍ୟକ୍ରମକୁ ଶେଷ କରିବା। କିନ୍ତୁ ୩୯ ଦିନର ଯୁଦ୍ଧ ପରେ ଫଳାଫଳ କ’ଣ ମିଳିଲା?
• ତେଲ ଦର: ଯୁଦ୍ଧ ପୂର୍ବରୁ ଆମେରିକାରେ ପେଟ୍ରୋଲ ଦର ଗ୍ୟାଲନ୍ ପିଛା ୨.୯୮ ଡଲାର ଥିଲା, ଯାହା ବଢ଼ି ୫.୮୭ ଡଲାର ହୋଇଗଲା।
• ଆର୍ଥିକ ବୋଝ: କେବଳ ଏପ୍ରିଲ ପହିଲା ସୁଦ୍ଧା ଆମେରିକୀୟ ପରିବାରଗୁଡ଼ିକ ଉପରେ ୬.୭ ବିଲିୟନ ଡଲାରର ଅତିରିକ୍ତ ବୋଝ ପଡ଼ିଲା।
• ରାଜନୈତିକ ସଙ୍କଟ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ ସର୍ବନିମ୍ନ ସ୍ତରକୁ ଖସି ଆସିଲା।
ଆମେରିକା ଯୁଦ୍ଧ ଜିତିବା ପରିବର୍ତ୍ତେ ନିଜେ ଫସିଗଲା। ଆଉ ଏହି ଫସିଥିବା ଅବସ୍ଥାରୁ ବାହାରିବା ପାଇଁ ତାକୁ ଏକ ‘ଏଗଜିଟ୍ ଗେଟ୍’ ଦରକାର ଥିଲା। ସେହି ରାସ୍ତା ଥିଲା ପାକିସ୍ତାନ। ତାକୁ ସହାୟତା କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ପାକିସ୍ତାନ ଆର୍ମିର ଫିଲ୍ଡ ମାର୍ଶାଲ ଅସିମ ମୁନୀର।
ପାକିସ୍ତାନର ଭୂମିକା: ମଧ୍ୟସ୍ଥି ନା ମାଲିକର ଭୃତ୍ୟ?
ଯେତେବେଳେ ଆମେରିକା ଦେଖିଲା ଯେ ଯୁଦ୍ଧ ଦ୍ୱାରା କିଛି ଲାଭ ହେଉନାହିଁ, ସେତେବେଳେ ସେ ପାକିସ୍ତାନକୁ ବ୍ୟବହାର କରି ଏକ ସମ୍ମାନଜନକ ବିଦାୟ (Face-saving exit) ରାସ୍ତା ଖୋଜିଲା। ଇସଲାମାବାଦରେ କନଫରେନ୍ସ ରୁମ୍ ବୁକ୍ ହେଲା, ଆସିମ୍ ମୁନୀର ଟ୍ରମ୍ପଙ୍କ ସହ କଥା ହେଲେ ଏବଂ ଦୁନିଆକୁ ଦେଖାଗଲା ଯେ ପାକିସ୍ତାନ ‘ଶାନ୍ତି’ ସ୍ଥାପନ କରୁଛି। କିନ୍ତୁ ବାସ୍ତବରେ ପାକିସ୍ତାନ କେବଳ ଆମେରିକାର ଆଦେଶ ପାଳନ କରୁଥିଲା।
ଭାରତର ନୀତି: ଚୁପ୍ ରହିଲେ ବି ଶକ୍ତିଶାଳୀ
ଅନେକ ପ୍ରଶ୍ନ କଲେ, ଏହି ମଧ୍ୟସ୍ଥତା ପ୍ରକ୍ରିୟାରେ ଭାରତ କାହିଁକି ନ ଥିଲା? ଭାରତ କାହିଁକି ଆଗକୁ ଆସିଲାନି? ଉତ୍ତର ହେଉଛି – ଭାରତ କାହାର ‘ବୋଲକରା’ ନୁହେଁ। ଭାରତର ସମ୍ପର୍କ ଇରାନ ସହ ଅଛି, ଇସ୍ରାଏଲ ସହ ମଧ୍ୟ ଅଛି। ଭାରତ ଇରାନରୁ ତେଲ ଆଣେ ଏବଂ ଇସ୍ରାଏଲରୁ ପ୍ରତିରକ୍ଷା ପ୍ରଯୁକ୍ତି। ଭାରତ ନିଜର ସ୍ୱାଧୀନ ବିଦେଶ ନୀତିରେ ବିଶ୍ୱାସ କରେ। ଆମେରିକାର ପରାଜୟକୁ ବିଜୟ ଭାବେ ଦେଖାଇବା ପାଇଁ ଭାରତ କଦାପି ମିଛ ନାଟକ କରିବ ନାହିଁ।
ଇକୋସିଷ୍ଟମର ପୁରୁଣା ଖେଳ: ୨୦୧୬ ରୁ ୨୦୨୬
ଏଠାରେ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖନ୍ତୁ। ଯେତେବେଳେ ବି ଭାରତ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି, ସେତେବେଳେ ଭାରତ ଭିତରେ ଥିବା କିଛି ନେତା ଏବଂ ଗଣମାଧ୍ୟମ ପାକିସ୍ତାନର ଭାଷାରେ କଥା କହିଛନ୍ତି।
• ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍: ପାକିସ୍ତାନ କହିଲା ଏହା ମିଛ, ଭାରତର ବିରୋଧୀ ଦଳ ମଧ୍ୟ ପ୍ରମାଣ ମାଗିଲେ।
• ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍: ପାକିସ୍ତାନ କହିଲା କେବଳ ଗଛ ଉପୁଡ଼ି ପଡ଼ିଛି, ଭାରତର କିଛି ନେତା ମଧ୍ୟ ସେଇଆ କହିଲେ।
• ୨୦୨୬ ଯୁଦ୍ଧ ବିରତି: ପାକିସ୍ତାନ ନିଜକୁ ‘ବିଶ୍ୱର ରକ୍ଷାକର୍ତ୍ତା’ କହିଲା, ଆଉ ଏଠାରେ ମେହବୁବା ମୁଫ୍ତି ଏବଂ ଫାରୁକ୍ ଅବଦୁଲ୍ଲା ସେହି ଗୁଣଗାନ କଲେ।
କେବଳ ବିରୋଧୀ ଦଳମାନେ ନୁହଁନ୍ତି ଆମ ଦେଶର କିଛି ଗଣମାଧ୍ୟମ ମଧ୍ୟ ପାକିସ୍ତାନକୁ ସୁହାଇଲା ଭଳି ନ୍ୟାରେଟିଭ ଚଳାଇ ପ୍ରଚାର ପ୍ରସାର କଲେ।
ଏହି ପାଟର୍ନ ସୂଚାଉଛି ଯେ ଏହା କେବଳ ସଂଯୋଗ ନୁହେଁ, ବରଂ ଏକ ଯୋଜନାବଦ୍ଧ ରଣନୀତି।
ଭାରତ ଯାହା କରି ଦେଖାଇଲା
ଯେତେବେଳେ ପାକିସ୍ତାନ ଫଟୋ ଉଠାଇବାରେ ବ୍ୟସ୍ତ ଥିଲା, ସେତେବେଳେ ଭାରତୀୟ ନୌସେନା ବାସ୍ତବରେ କାମ କରୁଥିଲା।
• ଇରାନୀ ନାବିକଙ୍କୁ ସୁରକ୍ଷା: ଯୁଦ୍ଧ ସମୟରେ ଇରାନର ଜାହାଜ IRIS Lavan କୁ ଭାରତ ନିଜ କୋଚି ପୋର୍ଟରେ ଆଶ୍ରୟ ଦେଇଥିଲା। ୧୮୩ ଜଣ ଇରାନୀ ନାବିକଙ୍କ ଜୀବନ ବଞ୍ଚାଇଥିଲା ଭାରତ।
• ଅପରେସନ ସଂକଳ୍ପ: ସମୁଦ୍ର ମଝିରେ ଯୁଦ୍ଧ ଚାଲିଥିବାବେଳେ ଭାରତୀୟ ନୌସେନା ନିଜର ତେଲ ଏବଂ ଗ୍ୟାସ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ହୋର୍ମୁଜ ପ୍ରଣାଳୀ ଦେଇ ନେଇ ଆସିଥିଲା।
• ଆଭ୍ୟନ୍ତରୀଣ ପ୍ରଗତି: ବିଶ୍ୱ ଯେତେବେଳେ ଯୁଦ୍ଧରେ ଜଳୁଥିଲା, ସେତେବେଳେ ଭାରତର ‘କଳ୍ପକ୍କମ’ ଠାରେ ଥୋରିୟମ ଆଧାରିତ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ ହେଉଥିଲା। ଆସାମରେ ୮୫% ମତଦାନ ସହ ଗଣତନ୍ତ୍ର ମଜବୁତ ହେଉଥିଲା।
ଶେଷରେ ଏହି ଘଟଣା ଏକ ସରଳ ସତ୍ୟ ପ୍ରକାଶ କରିଦେଲା—
• ଶକ୍ତି ହେଉଛି ଚିତ୍କାର କରିବାରେ ନୁହେଁ
• ଶକ୍ତି ହେଉଛି ସଠିକ ସମୟରେ ସଠିକ ନିଷ୍ପତ୍ତି ନେବାରେ
ପାକିସ୍ତାନ ନିଜକୁ ମଧ୍ୟସ୍ଥି ବୋଲି ପ୍ରଦର୍ଶନ କରିପାରେ, କିନ୍ତୁ ବିଶ୍ୱ ଦେଖୁଛି—ସେ କେବଳ ଏକ ମାଧ୍ୟମ।
ଅନ୍ୟପଟେ ଭାରତ ଚୁପ୍ ରହି ବି ପ୍ରମାଣ କରୁଛି—ସାର୍ବଭୌମତ୍ୱ କେବଳ ଶବ୍ଦ ନୁହେଁ, ଏହା ଏକ ଅଭ୍ୟାସ।
AlsoRead; https://purvapaksa.com/major-upgrade-of-bhubaneswar-railway-station/
ଭୁବନେଶ୍ୱର ରେଳ ଷ୍ଟେସନର ବଡ଼ ଉନ୍ନତିକରଣ || Major upgrade of Bhubaneswar Railway Station


