ରାଜନୀତିର ଇତିହାସ କହେ; ନିର୍ବାଚନ ଜିତିବା ଶାସନ କ୍ଷମତାର ଆରମ୍ଭ ମାତ୍ର; ଶାସନ କରିବା ହେଉଛି ସତ୍ୟ ପରୀକ୍ଷା। ଓଡ଼ିଶାରେ ବର୍ତ୍ତମାନ ଏହି ସତ୍ୟଟି ଆଉ ଗୋଟିଏ ଭିନ୍ନ ଆକାରରେ ପ୍ରକାଶ ପାଉଛି। ବିଜେପି ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଏକାକୀ ରାଜ୍ୟର ଶାସନ କ୍ଷମତାକୁ ଆସିଛି। କିନ୍ତୁ କ୍ଷମତା ମିଳିବା ସହିତ ଦଳ ଭିତରେ ଆରମ୍ଭ ହୋଇଯାଇଛି ଏକ ଅଦୃଶ୍ୟ, କିନ୍ତୁ ଭୟଙ୍କର ଶକ୍ତି ସଂଘର୍ଷ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଆଜି ବିରୋଧୀ ଦଳଠାରୁ ଅଧିକ ଚାପରେ ନୁହେଁ, ବରଂ ନିଜ ସରକାର ଭିତରର ମନ୍ତ୍ରୀମାନଙ୍କ ଆଚରଣ, ନିଷ୍ପତ୍ତିହୀନତା ଓ ଅସହଯୋଗ ଯୋଗୁଁ ଆଲୋଚନାର କେନ୍ଦ୍ରରେ ରହିଛି।
“ବିଲେଇ କପାଳକୁ ଶିକା ” ଓ ଅହଂକାରର ରାଜନୀତି

ଓଡ଼ିଶା ରାଜନୀତିରେ ଗୋଟିଏ କଥା ଏବେ ଖୋଲା ମଞ୍ଚରେ ଆଲୋଚିତ ହେଉଛି- ଯେଉଁ ନେତାମାନେ ଗତକାଲି ପର୍ଯ୍ୟନ୍ତ କର୍ପୋରେଟର ନିର୍ବାଚନରେ ଲଜ୍ଜାଜନକ ଭାବରେ ପରାଜିତ ହୋଇଥିଲେ, ସେମାନେ ଆଜି ପ୍ରଥମ ଥର ବିଧାୟକ ହେଉ ହେଉ ପାୱାରଫୁଲ କ୍ୟାବିନେଟ ମନ୍ତ୍ରୀ। ଏହି ଅପେକ୍ଷାତୀତ ସଫଳତା ଅନେକଙ୍କ ମନରେ କୃତଜ୍ଞତାଠାରୁ ଅଧିକ ଅହଂକାର ଜନ୍ମାଇଛି। “ଯଦି ଏକାଥରକେ ପାୱାରଫୁଲ କ୍ୟାବିନେଟ ମନ୍ତ୍ରୀ ହୋଇପାରିଲୁ, ତେବେ ମୁଖ୍ୟମନ୍ତ୍ରୀ କାହିଁକି ନୁହେଁ?”—ଏହି ମନୋଭାବ ଆଜି ଶାସକ ଦଳର ଅନେକ ନେତାଙ୍କ ଆଚରଣରେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳୁଛି । ହେବାର କାରଣ ହେଉଛି ଅନେକ ବିଜେପି ଶାସିତ ରାଜ୍ୟରେ ପ୍ରଥମ ଥର ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପାଞ୍ଚ ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ବିରୋଧୀ ଧାରା
ଦଳୀୟ ଆଲୋଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ନିଜର ନେତା ଭାବେ ମାନିବାକୁ ଅସହମତ ଥିବା ପାଞ୍ଚଜଣ ମନ୍ତ୍ରୀଙ୍କ ନାମ ବାରମ୍ବାର ଉଠୁଛି—
• ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
• ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବି ନାୟକ
• ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା
• ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
• ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଦଳୀୟ ମହଲରେ ଆଲୋଚନା—ଏହି ମନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବରେ ନୁହେଁ, କିନ୍ତୁ ପରୋକ୍ଷ ଭାବରେ ପ୍ରତିଟି ବିବାଦ, ପ୍ରତିଟି ଭୁଲ ନିଷ୍ପତ୍ତିର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ଉପରେ ଢାଳି ତାଙ୍କ ଛବିକୁ କ୍ଷତିଗ୍ରସ୍ତ କରୁଛନ୍ତି।
ଶ୍ରୀଜଗନ୍ନାଥ: ଆସ୍ଥାର ରାଜନୀତି ଓ ସରକାରୀ ବିରକ୍ତି

ଓଡ଼ିଆ, ଓଡ଼ିଶା ଓ ହିନ୍ଦୁ ଆସ୍ଥାର କେନ୍ଦ୍ରବିନ୍ଦୁ ହେଉଛନ୍ତି ଶ୍ରୀଜଗନ୍ନାଥ। ବିଜେପି ନିର୍ବାଚନ ସମୟରେ ବିଜେଡି ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଅବହେଳାକୁ ନେଇ ତୀବ୍ର ଆକ୍ରମଣ କରି ଶାସନ କ୍ଷମତାକୁ ଆସିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ, ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ କିଛି ବିବାଦସ୍ପଦ ନିଷ୍ପତ୍ତି, ମନ୍ତ୍ରୀଙ୍କ ବକ୍ତବ୍ୟ ଭକ୍ତମାନଙ୍କ ମନରେ ଗଭୀର ବିରକ୍ତି ସୃଷ୍ଟି କରିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀଜଗନ୍ନାଥଙ୍କୁ ନେଇ ଯେପରି ବାରମ୍ବାର ଖେଳ ଖେଳୁଛନ୍ତି ଏଥିରେ ଭକ୍ତମାନେ ବିଜେପି ଉପରେ ବିରକ୍ତ ହେଉଛନ୍ତି। ଯାହାଫଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକମାନଙ୍କ ଦ୍ୱାରା ନିନ୍ଦିତ ହେବାରେ ଲାଗିଛନ୍ତି। ଏହି ବିରକ୍ତିର ରାଜନୈତିକ ମୂଲ୍ୟ ଦେବାକୁ ପଡ଼ୁଛି ମୁଖ୍ୟମନ୍ତ୍ରୀଙ୍କୁ—ଯଦିଓ ନିଷ୍ପତ୍ତି ନେଇଥିବା ବ୍ୟକ୍ତି ଅନ୍ୟ ଜଣେ, ସେ ହେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମଦ, ରାସ୍ତା ଓ “ପିସି” ଚର୍ଚ୍ଚା
କେବଳ ଶ୍ରୀଜଗନ୍ନାଥଙ୍କ କଥା ନୁହେଁ, ରାଜ୍ୟରେ ମଦ ବିକ୍ରିର ଅନିୟନ୍ତ୍ରିତ ପ୍ରସାର, ରାସ୍ତାଘାଟ ନିର୍ମାଣର ଅବ୍ୟବସ୍ଥା ଓ ଠିକାଦାରମାନଙ୍କ ମଧ୍ୟରେ “ବିଜେପି ସରକାରରେ ପିସି ଅଧିକ” ବୋଲି ଚାଲିଥିବା ପ୍ରଚାର—ଏସବୁ ମିଶି ସରକାରୀ ଛବିକୁ ଗଭୀର ଆଘାତ ଦେଉଛି। ଏହି ସମସ୍ତ ଆଲୋଚନାର ଶେଷ ଲକ୍ଷ୍ୟ ଗୋଟିଏ—ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା।
ପଲ୍ୟୁସନ ସାର୍ଟିଫିକେଟ ଓ ଜନତାଙ୍କ କ୍ରୋଧ

ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପଲ୍ୟୁସନ ସାର୍ଟିଫିକେଟ ସମ୍ପର୍କିତ ହଠାତ୍ ନିଷ୍ପତ୍ତି ରାଜ୍ୟବ୍ୟାପୀ ଜନଆକ୍ରୋଶ ସୃଷ୍ଟି କରିଛି। ଲୋକମାନେ ଅଡ଼ୁଆରେ ପଡ଼ିଲେ, ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇଲା ଏବଂ ଶେଷରେ ଯିଏ ଗାଳି ଶୁଣିଲେ—ସେ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରି ସରକାରକୁ କୋଣାଠେସା କରିଦେଲେ। ସଡ଼କ ସୁରକ୍ଷାରେ ରାସ୍ତାରେ ବାଲି ପଡ଼ିଲେ ତାଙ୍କୁ ଗାଳି ଶୁଣିବାକୁ ପଡ଼ୁଛି ବୋଲି ପରିବହନ ମନ୍ତ୍ରୀ କହିବାବେଳେ ପୂର୍ତ୍ତମନ୍ତ୍ରୀ ସେହି ସଭାରେ ହସୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଚାରିଆଡ଼ୁ ମୋହନ ସରକାରକୁ ନିନ୍ଦା କରାଯାଉଛି।
ପଞ୍ଚାୟତି ରାଜ, ପାନୀୟ ଜଳ, ବାସଗୃହ ଓ ଅସଫଳତା
ଆଉ ଜଣେ ଦାୟିତ୍ୱହୀନ ମନ୍ତ୍ରୀ ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବି ନାୟକ। ତାଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅବସ୍ଥା ଅଧିକ ଚିନ୍ତାଜନକ । ଶୁଦ୍ଧ ପାନୀୟ ଜଳ ଯୋଗାଣର ବିଫଳତାରୁ ରାଜ୍ୟର ଅନେକ ସରକାରୀ ସ୍କୁଲରେ ଜଣ୍ଡିସ ଭଳି ରୋଗ କୋମଳମତି ଶିଶୁମାନଙ୍କୁ ଆକ୍ରାନ୍ତ କରିଥିବା ଖବର ପ୍ରକାଶ ପାଇବାରେ ଲାଗିଛି। ରାଜ୍ୟର ବାସହୀନମାନଙ୍କୁ ବାସଗୃହ ଯୋଗାଇବାରେ ମଧ୍ୟ ବିଫଳ ହୋଇଛନ୍ତି। ଗାଁ ଗହଳିର ରାସ୍ତାଘାଟର ଅବସ୍ଥା କଥା ନ କହିବା ଭଲ। ଏହିସବୁ କାମକୁ ଭୁବନେଶ୍ୱରରେ ରହି ତ୍ୱାରାନ୍ୱିତ କରିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିଲେ ତାଙ୍କର ସୁରକ୍ଷାଦାତା ଭଳି ଛାଇପରି ଘୁରି ବୁଲିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଉଚ୍ଚଶିକ୍ଷା ଓ ସୁପ୍ରିମକୋର୍ଟ ଭର୍ତ୍ସନା

ସୂର୍ଯ୍ୟବଂଶୀ ସୂରଜ ଉଚ୍ଚଶିକ୍ଷା ମନ୍ତ୍ରୀ ହେବା ପରଠାରୁ ରାଜ୍ୟରେ ଥିବା ୧୪ ଘରୋଇ ବିଶ୍ୱବିଦ୍ୟାଳୟର ଅନୀତି କାମକୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ଯାହାଫଳରେ ଗତ ୬ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଦନାମ ହୋଇଛନ୍ତି। ସେ ମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେତା ବୋଲି ମାନିବାକୁ ନାରାଜ। ସବୁବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରହି ମୁଖ୍ୟମନ୍ତ୍ରୀଙ୍କୁ, ଏପରିକି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅଣଦେଖା କରୁଥିବା ବିଜେପି ମହଲରେ ଆଲୋଚନା ହେଉଛି।
୮୦୦ ଟଙ୍କା ବୋନସରୁ ଚାଷୀଙ୍କୁ ବଞ୍ଚିତ କରିବା ସରକାରୀ ଷଡ଼ଯନ୍ତ୍ର
ନିର୍ବାଚନ ସମୟରେ ଚାଷୀଙ୍କୁ ଦିଆଯାଇଥିବା ୮୦୦ ଟଙ୍କା ବୋନସ ଆଶ୍ୱାସନ ଆଜି କାଗଜରେ ସୀମିତ। ଗତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଜନା ଘୋଷଣା କଲେ, କିନ୍ତୁ ଯୋଗାଣ ବିଭାଗ ନିୟମ–ସର୍ତ୍ତର ମାୟାଜାଲ ବିଛାଇ ଚାଷୀଙ୍କୁ ୮୦୦ ଟଙ୍କା ବୋନସରୁ ବଞ୍ଚିତ କରୁଛନ୍ତି। କେବେ ଟୋକନ ସମସ୍ୟା, କେବେ ଆର୍ଦ୍ରତା ମାପ, କେବେ ପଞ୍ଜୀକରଣ ତ୍ରୁଟି—ପ୍ରତ୍ୟେକ ଷଡ଼ଯନ୍ତ୍ର ମାତ୍ର ଗୋଟିଏ ଉଦ୍ଦେଶ୍ୟକୁ ସେବା କରୁଛି; ଚାଷୀଙ୍କୁ ବୋନସ ନ ଦେବା। ମଣ୍ଡିରେ ଧାନ ଦେଇଥିବା ଚାଷୀ ଆଜି ହତାଶ। ଦାମ ବଢ଼ିଛି, ଖର୍ଚ୍ଚ କମିନି, କିନ୍ତୁ ସରକାରୀ ଖାତାରେ ଚାଷୀ ଅପରାଧୀ ଭଳି ଦେଖାଯାଉଛି। ଏହା ଅକ୍ଷମତା ନୁହେଁ, ଏକ ସୁଯୋଜିତ ଷଡ଼ଯନ୍ତ୍ର—ଚାଷୀଙ୍କ ପାଇଁ ନୁହେଁ, ରାଜସ୍ୱ ସଞ୍ଚୟ ପାଇଁ। କିନ୍ତୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେତଣ୍ଡା ଯୁକ୍ତି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବାରେ ଲାଗିଛନ୍ତି।
କେନ୍ଦ୍ରୀୟ ଛତା ତଳେ ରାଜ୍ୟ ସରକାର?
ଏହି ପାଞ୍ଚଜଣ ମନ୍ତ୍ରୀଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଛାଡ଼ି ବାକି ଚାରି ଜଣଙ୍କର ଏକ ସାଧାରଣ ସୂତ୍ର- ସେମାନେ ସମସ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ ସମର୍ଥକ। ସେମାନଙ୍କ କାମ କରିବାର ଶୈଳୀ ମୁଖ୍ୟମନ୍ତ୍ରୀଙ୍କ ଅଧିକାର, ସ୍ୱାଧୀନତା ଓ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛି।
ବିଧାୟକ ମହଲରେ ମଧ୍ୟ ଅସନ୍ତୋଷ
କେବଳ ମନ୍ତ୍ରୀ ନୁହେଁ, ଟଙ୍କଧର ତ୍ରିପାଠୀଙ୍କ ଭଳି ଅନେକ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନେତା ବୋଲି ନ ମାନିବାର ଆଲୋଚନା ଦଳୀୟ ମହଲରେ ଚାଲିଛି।
ଶତ୍ରୁ ବାହାରେ ନୁହେଁ, ଭିତରେ
ଓଡ଼ିଶାର ବର୍ତ୍ତମାନ ରାଜନୈତିକ ସଙ୍କଟର ସବୁଠାରୁ ବଡ଼ ବିଡ଼ମ୍ବନା- ବିରୋଧୀ ଦଳ ସରକାରକୁ ଅସ୍ଥିର କରୁନାହିଁ, ସରକାର ନିଜେ ନିଜକୁ କରୁଛି। ଯଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୟ ଥାଉ ଥାଉ ଏହି ଆନ୍ତରିକ ଦ୍ୱନ୍ଦ୍ୱକୁ ନିୟନ୍ତ୍ରଣ କରିନପାରନ୍ତି, ତେବେ ଏହି “୫ମନ୍ତ୍ରୀ ବନାମ ମୋହନ” ଲଢ଼େଇ କେବଳ ବ୍ୟକ୍ତିଗତ ନୁହେଁ—ଓଡ଼ିଶାର ଶାସନ ଓ ରାଜନୈତିକ ସ୍ଥିରତା ପାଇଁ ଏକ ଗଭୀର ସଙ୍କଟର ରୂପ ନେଇପାରେ।
ସତ୍ତାର ସବୁଠାରୁ ବଡ଼ ଶତ୍ରୁ ବାହାରେ ନୁହେଁ—ଭିତରେ ଥାଏ।
also read https://purvapaksa.com/mamata-banerjee-gets-a-shock-in-the-kolkata-ipac-raid-case/


