ଆଜି ହେଉଛି ବିଶ୍ୱ ଯୁବ ଦିବସ । ଆଜିର ଦିନଟି ଯୁବଶକ୍ତିଙ୍କୁ ଉତ୍ସର୍ଗୀକୃତ । ଯୁବ ଦିବସ କେବଳ ଏକ ଦିବସ ନୁହେଁ; ଏହା ଯୁବଶକ୍ତିର ଆକାଂକ୍ଷା, ଅସନ୍ତୋଷ ଓ ଆଶା-ଆକ୍ଷେପର ପ୍ରତିବିମ୍ବ । ଯୁବଶକ୍ତି ଯେତେବେଳେ ପ୍ରଶ୍ନ କରେ, ସେତେବେଳେ ରାଜନୀତିର ସବୁଠୁ ଗଭୀର ସତ୍ୟ ଖୋଲିଆସେ ସାମ୍ନାକୁ । ଆଜି ଓଡ଼ିଶାର ରାଜନୀତିରେ ଯୁବଶକ୍ତି ଏମିତି ଏକ ପ୍ରଶ୍ନଚିହ୍ନ ହୋଇ ଉଠିଛି, ଯାହା ସିଧାସଳଖ ଭାବେ ବିଜୁ ଜନତା ଦଳର ଭବିଷ୍ୟତ ସହ ଜଡ଼ିତ।
ଗତ ନିର୍ବାଚନରେ ଦଳର ପରାଜୟ ପରେ ଯେଉଁ ଆଲୋଚନା ଆରମ୍ଭ ହୋଇଥିଲା, ତାହା ଏବେ ମାତ୍ର ରଣନୀତିର ସମୀକ୍ଷାରେ ସୀମିତ ନୁହେଁ। ଏହା ଦଳୀୟ ନେତୃତ୍ୱ, ଶକ୍ତିର କେନ୍ଦ୍ରୀକରଣ ଓ ଯୁବ ନେତାମାନଙ୍କର ଅବହେଳା ବିରୋଧରେ ଏକ ଗଠିତ ଅସନ୍ତୋଷର ଆକାର ନେଇଛି । ଏହି ପରିପ୍ରେକ୍ଷୀରେ ‘ଜେନ୍ ଜି’ ସ୍ଳୋଗାନ ଏବେ ଆଶାର ପ୍ରତୀକ ନୁହେଁ ବରଂ ବୁମେରାଂ ଭଳି ଫେରି ଦଳକୁ ଆଘାତ କରୁଛି ।
ବିଜେପି ବିରୋଧରେ ଜେନ ଜିକୁ ମତାଇବାର ମସୁଧା

ଗତ କିଛି ମାସ ତଳେ ରାଜ୍ୟର ଯୁବବର୍ଗଙ୍କୁ ଜେନ ଜି ସଜାଇବାକୁ ଅପଚେଷ୍ଠା କରିଥିଲେ ପ୍ରୀତିରଂଜନ ଘଡେଇ ଓରଫ ଡ୍ୟାନୀ । ସେ କହିଥିଲେ ଏହି ଜେନ ଜି ମାନେ ମାତିଲେ ରାଜ୍ୟରେ ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ରାଜ୍ୟ ଛାଡ଼ିବାକୁ ବାଧ୍ୟ ହେବ । ତାଙ୍କ କଥାକୁ ସମର୍ଥନ କରିଥିଲେ ବିଧାୟିକା ଟୁକୁନି ସାହୁ । କିନ୍ତୁ ଏବେ ଏହି ଜେନ ଜି ଭଳି ବିଜେଡିର ଯୁବ ବିଧାୟକମାନେ ଦଳର ନେତୃତ୍ୱ ବିରୋଧରେ ମୋର୍ଚ୍ଚା ଖୋଲିବାରେ ଲାଗିଛନ୍ତି । ଏହି ଯୁବ ବିଧାୟମାନେ ଲଗାତର ଦଳର ନେତୃତ୍ୱ ବିରୋଧରେ ବୈଠକ କରିଆସୁଛନ୍ତି।

ପରାଜୟ ପରେ ଆରମ୍ଭ ହେଲା ଦୋଷାରୋପ
ବିଜେଡିର ପରାଜୟ ପରେ ଦଳ ଭିତରେ ଏକ ନିରବ ଅସନ୍ତୋଷ ଜମା ହେଉଥିଲା। ଆରମ୍ଭରେ ଏହାକୁ ‘ସ୍ୱାଭାବିକ ପରାଜୟ ମନୋଭାବ’ ବୋଲି ଦଳର ବରିଷ୍ଠ ନେତାମାନେ ଅବହେଳା କରିଥିଲେ। କିନ୍ତୁ ସମୟ ବଢ଼ିବା ସହିତ ସେହି ଅସନ୍ତୋଷ ମୁହଁ ଖୋଲିବାକୁ ଲାଗିଲା। ଯୁବ ନେତା ଓ ବିଧାୟକମାନେ ସିଧାସଳଖ ଭାବେ ଦଳର ପରାଜୟ ପାଇଁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କ ଅନୁଗତ ମଣ୍ଡଳିକୁ ଦୋଷ ଦେବାରେ ଲାଗିଲେ। ଏବେବି ସେହି ଦୋଷାରୋପ ପ୍ରକ୍ରିୟା ଜାରି ରହିଛି।

ଏହି ଦୋଷାରୋପ କେବଳ ଭାବପ୍ରବଣ ନୁହେଁ; ଏହାର ପଛରେ ଏକ ଦୀର୍ଘ ସମୟର ଅଭିଯୋଗ ଅଛି- ଦଳୀୟ ନିଷ୍ପତ୍ତିରେ ସ୍ଥାନୀୟ ନେତାଙ୍କୁ ଅଣଦେଖା, ନିର୍ବାଚନୀ ରଣନୀତିରେ ଅତି କେନ୍ଦ୍ରୀକରଣ ଓ ଯୁବ ନେତାଙ୍କୁ କେବଳ ‘ମଞ୍ଚ ସଜାଇବା’ ପାଇଁ ବ୍ୟବହାର କରାଯାଇଥିଲା। ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ସଭାରେ ଦେଖିବାକୁ ମିଳିନଥିଲା। କେବଳ ଜଣେ ଲୋକକୁ ଦେଖିବାକୁ ମିଳିଲା ସେ ଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଦଳର ଏହି ପ୍ରଚାର ଶୈଳୀକୁ ସେତେବେଳେ ଦଳୀୟ ପ୍ରାର୍ଥୀମାନେ ଭୟରେ କେହି ବିରୋଧ କରିନଥିଲେ। ପରିଣାମ ଯାହା ହେଲା ସମସ୍ତେ ତାହା ଭୋଗୁଛନ୍ତି ବୋଲି ବିଜେଡିର ଏହି ଜେନ ଜି ନେତାମାନେ ଏବେ କହୁଛନ୍ତି।
‘ଜେନ୍ ଜି’ ଭାଷଣ : ରଣନୀତି ନା ରାଜନୈତିକ ଭ୍ରମ?
କିଛିମାସ ତଳେ ରାଜ୍ୟର ଯୁବ ବର୍ଗକୁ ‘ଜେନ୍ ଜି’ ଭାବେ ସଜାଇବା ପ୍ରୟାସ ବିଜୁ ଜନତା ଦଳର ନେତାମାନଙ୍କ ଦ୍ୱାରା ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା- ନୂଆପିଢ଼ିକୁ ଏକ ରାଜନୈତିକ ପ୍ଲାଟଫର୍ମ ଦେବା, ଯେଉଁଠାରେ ସେମାନେ ନିଜ ସ୍ୱର ଉଠାଇପାରିବେ। କିନ୍ତୁ ପ୍ରଶ୍ନ ହେଉଛି- ସେହି ସ୍ୱର କେତେଦୂର ଶୁଣାଗଲା?

ଜେନ୍ ଜି ନାରା ଉଠିଥିଲା, କିନ୍ତୁ ନୀତି ନିର୍ଦ୍ଧାରଣରେ ଯୁବମାନଙ୍କର ଭୂମିକା ସ୍ପଷ୍ଟ ହୋଇନଥିଲା। ଫଳରେ, ଯୁବ ନେତାମାନେ ନିଜକୁ ଏକ ‘ପୋଷ୍ଟର ବୟ’ ଭଳି ଅନୁଭବ କରିବାକୁ ଲାଗିଲେ- ଦେଖାଯିବାକୁ ଥିଲେ, କିନ୍ତୁ ଶୁଣାଯିବାକୁ ନୁହେଁ।
ଅଂଶୁମାନ ମହାନ୍ତିଙ୍କ ଅଭିଯୋଗ : ଏକ ଲକ୍ଷଣ, ଏକାକୀ ଘଟଣା ନୁହେଁ

କେନ୍ଦ୍ରାପଡ଼ାରେ ଗତ ନିର୍ବାଚନରେ ବିଜେଡିର ସାଂସଦ ପ୍ରାର୍ଥୀ ଥିବା ଯୁବ ନେତା ଅଂଶୁମାନ ମହାନ୍ତିଙ୍କ ଅଭିଯୋଗ ଏହି ଅସନ୍ତୋଷକୁ ଅଧିକ ସ୍ପଷ୍ଟ କରିଦେଲା। ସେ କହିଛନ୍ତି—ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ନ ଡାକାଯାଉଛି ନା ସୂଚନା ଦିଆଯାଉଛି। ଏହା କେବଳ ଗୋଟିଏ ବ୍ୟକ୍ତିଗତ ଅଭିଯୋଗ ନୁହେଁ; ଏହା ଦଳର ଯୁବ ନେତାମାନଙ୍କ ସାଧାରଣ ମନୋଭାବର ପ୍ରତିନିଧିତ୍ୱ କରେ । ଯେତେବେଳେ ଯୁବ ନେତା ଦଳର ଯୋଜନାରେ ସାମିଲ ହୋଇପାରୁନାହାନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସ୍ୱାଭାବିକ । ଏହି ଅସନ୍ତୋଷ ଯଦି ସମୟରେ ସମାଧାନ ନହୁଏ, ତେବେ ତାହା ବିଦ୍ରୋହର ଆକାର ନେଇପାରେ।
ଗଞ୍ଜାମ ଓ କବିସୂର୍ଯ୍ୟନଗର : ନିର୍ବାଚନୀ ରଣନୀତିର ପ୍ରଶ୍ନ

କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକାଙ୍କ ମନ୍ତବ୍ୟ ଗଞ୍ଜାମ ଜିଲ୍ଲାରେ ଦଳର ପରାଜୟକୁ ନୂଆ ଭାବେ ଆଲୋଚନାର ପରିଷରକୁ ଆଣିଛି । ତାଙ୍କ କଥାନୁସାରେ ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରଭାରୀଙ୍କ କାର୍ଯ୍ୟ ପାଇଁ ଦଳ ହାରିଛି। ଏଠାରେ ଉଲ୍ଲେଖନୀୟ- ପାଣ୍ଡିଆନଙ୍କ ଏକାନ୍ତ ଅନୁଗତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଗଞ୍ଜାମର ନିର୍ବାଚନ ପ୍ରଭାରୀ ଥିଲେ। ଏହି ଅଭିଯୋଗ ଦଳର ନିର୍ବାଚନୀ ପ୍ରଣାଳୀକୁ ପୁଣିଥରେ ପ୍ରଶ୍ନର ସମ୍ମୁଖୀନ କରିଛି- ନିର୍ବାଚନୀ ରଣନୀତି ଗଢ଼ିବା ସମୟରେ ସ୍ଥାନୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମତାମତକୁ ପର୍ଯ୍ୟାପ୍ତ ଗୁରୁତ୍ୱ ଦିଆଯାଇନଥିଲା। କେବଳ ପାଣ୍ଡିଆନଙ୍କର ଯେଉଁ ନେତାମାନେ ସ୍ତୁତିଗାନ କରୁଥିଲେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେମାନଙ୍କର ସାଂଗଠନିକ ଦକ୍ଷତା ଥାଉ ବା ନ ଥାଉ।
ବନ୍ଧୁ ମିଳନ ଓ ଅନୁପସ୍ଥିତି : ନୀରବ ପ୍ରତିବାଦ
ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଭଦ୍ରକର ଦୁଇ ବିଜେଡି ବିଧାୟକଙ୍କ ସଞ୍ଜିବ କୁମାର ମଲ୍ଲିକ ଓ ବ୍ୟୋମକେଶ ରାଉତରାୟଙ୍କ ଅନୁପସ୍ଥିତିକୁ ଅନେକେ ହାଲକା ଭାବେ ନେଇଛନ୍ତି। କିନ୍ତୁ ରାଜନୀତିରେ ନିରବତା ମଧ୍ୟ ଗୋଟିଏ ଭାଷା। ଏହି ଅନୁପସ୍ଥିତି ଏକ ନୀରବ ପ୍ରତିବାଦ ଭଳି ଦେଖାଯାଉଛି—ଯାହା ଦଳୀୟ ଏକତାର ଦାବିକୁ ଦୁର୍ବଳ କରେ।
ଯୁବ ବିଧାୟକମାନଙ୍କ ମୋର୍ଚ୍ଚା : ନେତୃତ୍ୱ ପାଇଁ ଆଗାମୀ ଚ୍ୟାଲେଞ୍ଜ
ଆଜି ବିଜେଡିର ଅନେକ ଯୁବ ବିଧାୟକ ଖୋଲାମେଲା ଭାବେ ନେତୃତ୍ୱ ବିରୋଧରେ କାମ କରୁଥିବା ଅଭିଯୋଗ ଉଠୁଛି। ଏହା ଦଳ ପାଇଁ ଏକ ଗୁରୁତର ସଙ୍କେତ। କାରଣ, ଯେଉଁ ଦଳ ଦୀର୍ଘ ସମୟ ଧରି ଶାସନ କରିଛି, ସେଠାରେ ଅନୁଶାସନ ଓ ଏକତା ହିଁ ସବୁଠୁ ବଡ଼ ଶକ୍ତି। ଯଦି ଯୁବଶକ୍ତିକୁ କେବଳ ନାରାରେ ସୀମିତ କରାଯାଏ, ତେବେ ସେହି ଶକ୍ତି ଏକ ଦିନ ବିପକ୍ଷରେ ପରିଣତ ହୁଏ। ଆଜି ଯାହା ଘଟୁଛି, ତାହା ଠିକ୍ ସେହି ଦିଗକୁ ଇଙ୍ଗିତ କରୁଛି।
ବିଜେଡି ପାଇଁ ପଥ କ’ଣ?
ବିଜେଡି ଯଦି ଏହି ସଂକଟରୁ ବାହାରିବାକୁ ଚାହୁଁଛି, ତେବେ ତିନିଟି ମୂଳ ଦିଗରେ କାମ କରିବାକୁ ପଡ଼ିବ—
୧. ଯୁବ ନେତାଙ୍କ ସଶକ୍ତିକରଣ: କେବଳ ଭାଷଣ ନୁହେଁ, ନିଷ୍ପତ୍ତିରେ ସେମାନଙ୍କୁ ସାମିଲ କରିବା।
୨. ନେତୃତ୍ୱର ପୁନର୍ବିଚାର: ଅତି କେନ୍ଦ୍ରୀକରଣ ଛାଡ଼ି ସମୂହ ନେତୃତ୍ୱର ଦିଗକୁ ଯିବା।
୩. ଆତ୍ମସମୀକ୍ଷା: ପରାଜୟକୁ ଗ୍ରହଣ କରି ସ୍ୱଚ୍ଛ ଓ ସତ୍ୟ ସମୀକ୍ଷା।
ଯୁବଶକ୍ତି ଭାଷଣ ନୁହେଁ, ନୀତି ଚାହେଁ
ବିଶ୍ୱ ଯୁବ ଦିବସରେ ଏହି ପ୍ରଶ୍ନ ଅପରିହାର୍ଯ୍ୟ—ଯୁବଶକ୍ତିକୁ ଆମେ କ’ଣ ଦେଉଛୁ? କେବଳ ଭାଷଣ, ନା କି ନିଷ୍ପତ୍ତିର ସ୍ଥାନ? ବିଜେଡିର ‘ଜେନ୍ ଜି’ ଯୋଜନା ଯଦି ଆଜି ବୁମେରାଂ ହେଉଛି, ତେବେ ତାହାର କାରଣ ହେଉଛି—ଯୁବମାନଙ୍କୁ ଶୁଣାଯାଇନଥିଲା। ରାଜନୀତିରେ ଯୁବଶକ୍ତି ହେଉଛି ଭବିଷ୍ୟତ। ସେହି ଭବିଷ୍ୟତକୁ ଅବହେଳା କଲେ, କୌଣସି ଦଳ ଦୀର୍ଘ ସମୟ ଧରି ଟିକିପାରେ ନାହିଁ। ବିଜେଡି ପାଇଁ ଏହା ଏକ ସତର୍କ ସଙ୍କେତ—ଯଦି ଏବେ ବି ସମୟରେ ପଦକ୍ଷେପ ନିଆଯାଏ ନାହିଁ, ତେବେ ଯୁବଶକ୍ତି ଆଉ କେବଳ ପ୍ରଶ୍ନ କରିବେ ନୁହେଁ, ଉତ୍ତର ମଧ୍ୟ ଦେଇଦେବେ—ଭୋଟ ବାକ୍ସ ମାଧ୍ୟମରେ।
also read https://purvapaksa.com/demand-for-meat-and-alcohol-free-puri/


