ବିଜେପି ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ନିଜକୁ ମହିମାମଣ୍ଡନ କରିବାକୁ ଯେଉଁ ଅପଚେଷ୍ଟା କରିଛି, ତାହା ଆଜି ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ବାହାବାହି ଭିତରେ ଲଜ୍ଜାହୀନ ଭାବେ କୁହାଯାଉଛି ଯେ, ରାଜ୍ୟ ସରକାର କେବଳ ମଦ ଦୋକାନ ଲଟେରୀ ଆପ୍ଲିକେସନ୍ ଫି’ ବାବଦକୁ ସର୍ବକାଳୀନ ରେକର୍ଡ ଭାଙ୍ଗି ପ୍ରାୟ ୮୪୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି! କିନ୍ତୁ ପ୍ରଶ୍ନ ଉଠୁଛି—ଏହି ୮୪୦ କୋଟି ଟଙ୍କା କଣ ଓଡ଼ିଶାର ବିକାଶର ପ୍ରତୀକ, ନା ହଜାର ହଜାର ଗରିବ ଏବଂ ମଧ୍ୟବିତ୍ତ ପରିବାରର ଘର ଉଜାଡ଼ିବାର ଏକ ଆବେଦନ ପତ୍ର?
ଦୋକାନ ଖୋଲି ମଦ ବିକ୍ରି ହେବା ତ ଦୂରର କଥା, କେବଳ ଲାଇସେନ୍ସ ପାଇଁ ଆବେଦନ କରିବା ବାବଦକୁ ଓଡ଼ିଶା ସରକାରଙ୍କ ଖାତାକୁ ଏକାସଙ୍ଗେ ଏତେ ବଡ଼ ରାଜସ୍ୱ ଆସିଛି, ଯାହା ଶୁଣିଲେ ଆପଣ ମଧ୍ୟ ଦାନ୍ତରେ ଆଙ୍ଗୁଠି ଦେବେ। ରାଜ୍ୟରେ ଏବେ ମଦ ଦୋକାନ ଖଣ୍ଡେ ପାଇବା ପାଇଁ ଲୋକେ ଯେମିତି ସମ୍ପୂର୍ଣ୍ଣ ବାଉଳା ହୋଇପଡ଼ିଛନ୍ତି। ଲଟେରୀ ମାଧ୍ୟମରେ ଦୋକାନ ହାତେଇବାର ଏହି ଅନ୍ଧ ଦୌଡ଼ ଭିତରେ କିଏ ସର୍ବସ୍ୱାନ୍ତ ହୋଇଯାଇଛି ତ ପୁଣି କାହାର ଭାଗ୍ୟ ବଦଳିଯାଇଛି, ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସେହି ଗ୍ରାଉଣ୍ଡ ରିପୋର୍ଟ ଏବଂ ମଦ ଲଟେରୀ ପଛର ସମ୍ପୂର୍ଣ୍ଣ କାହାଣୀ ଶୁଣାଇବୁ। ଆପଣଙ୍କୁ ଅନୁରୋଧ, ଏହି ସାମାଜିକ ପ୍ରସଙ୍ଗ ଉପରେ ଆପଣଙ୍କର କଣ ମତ ରହିଛି, କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ଆମ ଚ୍ୟାନେଲକୁ ଲାଇକ, ସବସ୍କ୍ରାଇବ ଓ ସେୟାର କରନ୍ତୁ।
ଅବକାରୀ ବିଭାଗର ମନ୍ତ୍ରୀ ଓ ସଚିବଙ୍କ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଏବର୍ଷ ରାଜ୍ୟର ମୋଟ୍ ୧,୧୬୪ଟି ମଦ ଦୋକାନ ପାଇଁ ସରକାରଙ୍କ ପକ୍ଷରୁ ଅନଲାଇନ୍ ଆବେଦନ ମଗାଯାଇଥିଲା। ସରକାର ନିୟମ କରିଥିଲେ ଯେ, ଦେଶୀ ମଦ ଦୋକାନ ପାଇଁ ଆବେଦନ ଫି’ ୨ ଲକ୍ଷ ଟଙ୍କା ଏବଂ ବିଦେଶୀ ମଦ ଦୋକାନ ପାଇଁ ଏହି ଫି’ ୩ ଲକ୍ଷ ଟଙ୍କା ରହିବ। ସବୁଠାରୁ ବଡ଼ ଚାଲାକି ଏବଂ ଦୁଃଖର କଥା ହେଉଛି, ଏହି ଆପ୍ଲିକେସନ୍ ଫି’ ସମ୍ପୂର୍ଣ୍ଣ ଭାବେ ‘Non-Refundable’ ଅର୍ଥାତ୍ ଲଟେରୀରେ ନାମ ଉଠୁ କି ନଉଠୁ, ଏହି ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ଖାତାକୁ ଚାଲିଯିବ, ଆବେଦନକାରୀଙ୍କୁ ପଇସା କଦାପି ଫେରସ୍ତ ମିଳିବ ନାହିଁ। ଏତେ ବଡ଼ ଆର୍ଥିକ ରିସ୍କ ଥିବା ସତ୍ତ୍ୱେ, ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଲୋକ ନିଜର ଭାଗ୍ୟ ପରୀକ୍ଷା କରିବାକୁ ବାଜି ଲଗାଇଦେଲେ।
ଏହି ପ୍ରକ୍ରିୟା ଭିତରେ ଏମିତି କିଛି କାହାଣୀ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣମାନେ ବେଶ୍ ବିଚଳିତ ହୋଇଯିବେ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ବ୍ୟବସାୟୀ ସର୍ବେଶ୍ୱର ଦାସଙ୍କ କଥା ଦେଖନ୍ତୁ। ସେ ଗତ ୫ ବର୍ଷ ଧରି ସେଠାରେ ଏକ ବିଦେଶୀ ମଦ ଦୋକାନ ସଫଳତାର ସହ ଚଲାଉଥିଲେ ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଏହା ଉପରେ ନିର୍ଭରଶୀଳ ଥିଲା। ନିଜର ଚଳୁଥିବା ବ୍ୟବସାୟକୁ ବଞ୍ଚାଇବା ପାଇଁ ସେ ଭାଗ୍ୟ ବଳରେ ଲଟେରୀ ଜିତିବା ଆଶାରେ ନିଜ ସ୍ତ୍ରୀଙ୍କ ଏବଂ ଘରର ସବୁ ସୁନା ଗହଣା ବନ୍ଧକ ରଖି ପ୍ରାୟ ୧୨ ଲକ୍ଷ ଟଙ୍କା ଯୋଗାଡ଼ କଲେ ଏବଂ ୪ଟି ଅଲଗା ଅଲଗା ଆପ୍ଲିକେସନ୍ ପକାଇଲେ। କିନ୍ତୁ ଭାଗ୍ୟର କ୍ରୁର ପରିହାସ… ଲଟେରୀରେ ତାଙ୍କର ଗୋଟିଏ ବି ନାମ ଉଠିଲା ନାହିଁ। ପରିଣାମସ୍ୱରୂପ, ସେ ସୁନା ଗହଣା ବି ହରାଇଲେ, ୧୨ ଲକ୍ଷ ଟଙ୍କା ବି ବୁଡ଼ିଗଲା ଏବଂ ହାତରୁ ପୁରୁଣା ବ୍ୟବସାୟ ମଧ୍ୟ ଚାଲିଗଲା। ଏବେ ସେହି ପରିବାର କେମିତି ଚଳିବ, ତାକୁ ନେଇ ସର୍ବେଶ୍ୱରଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଛି।
କିନ୍ତୁ ଅନ୍ୟପଟେ କିଛି ଲୋକଙ୍କର ଜୁଆ ଖେଳ କାମ ଦେଇଗଲା। ଭଦ୍ରକ ଅଞ୍ଚଳର ଶେଖ୍ ସାଜନ୍ ନିଜର ସୁଯୋଗ ବଢ଼ାଇବା ପାଇଁ ନିଜ ପରିବାରର ବିଭିନ୍ନ ସଦସ୍ୟଙ୍କ ନାମରେ ୨୦ରୁ ଅଧିକ ଆବେଦନ ପକାଇଥିଲେ ଏବଂ ପ୍ରାୟ ୭୫ ଲକ୍ଷ ଟଙ୍କା ପାଣି ଭଳି ବାଜି ଲଗାଇଥିଲେ। ଶେଷରେ ଲଟେରୀରେ ତାଙ୍କ ସ୍ତ୍ରୀଙ୍କ ନାମ ଉଠିଲା ଏବଂ ସେ ଲାଇସେନ୍ସ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଲେ। ସେହିଭଳି ବାଲେଶ୍ୱରର ସାଧନା ମଲ୍ଲିକ ମଧ୍ୟ ଲଟେରୀ ଜିତି ନିଜର ପୁରୁଣା କାଉଣ୍ଟରକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି। କାହା ପାଇଁ ଖୁସି ତ କାହା ପାଇଁ ସର୍ବନାଶ—ଏଇଆ ଥିଲା ଓଡ଼ିଶା ମଦ ଲଟେରୀର ଅସଲ ଚିତ୍ର।
ଓଡ଼ିଶାର କେବଳ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରୁ ସରକାର ଯେଉଁ ପରିମାଣର ଆପ୍ଲିକେସନ୍ ଫି’ ପାଇଛନ୍ତି, ତାହା ଆଖି କାଢ଼ିଦେବା ଭଳି।
ବାଲେଶ୍ୱରରେ ୫୪ଟି ମଦ ଦୋକାନ ପାଇଁ ୫୮୫ ଜଣ ଆବେଦନ କରିଥିଲେ, ଯେଉଁଥିରୁ ସରକାର ପାଇଲେ ୧୬.୫ କୋଟି ଟଙ୍କା।
ଭଦ୍ରକରେ ୪୯ଟି ଦୋକାନ ପାଇଁ ୬୪୦ ଜଣ ଆବେଦନ କରିଥିଲେ, ଯେଉଁଥିରୁ ଆଦାୟ ହେଲା ପ୍ରାୟ ୧୭ କୋଟି ଟଙ୍କା।
ବଲାଙ୍ଗୀରରେ ୨୧ଟି ଦୋକାନ ପାଇଁ ୫୩୨ ଜଣ ଆବେଦନ କରି ସରକାରଙ୍କୁ ଦେଲେ ୧୫ କୋଟି ଟଙ୍କା।
ରାଉରକେଲାରେ ସବୁଠୁ ବଡ଼ ପ୍ରତିଯୋଗିତା ଏଠାରେ ଦେଖିବାକୁ ମିଳିଥିଲା। ମାତ୍ର ୩୨ଟି ବିଦେଶୀ ମଦ ଦୋକାନ ପାଇଁ ୯୪୦ଟି ଆପ୍ଲିକେସନ୍ ପଡ଼ିଥିଲା, ଯେଉଁଥିରୁ ସରକାରଙ୍କୁ ମିଳିଲା ପ୍ରାୟ ୨୮.୨ କୋଟି ଟଙ୍କା।
ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଭୁବନେଶ୍ୱର ସହରାଞ୍ଚଳ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳର ମୋଟ୍ ୮୬ଟି ଦୋକାନ ପାଇଁ ପ୍ରାୟ ୧୨୦୦ ଆବେଦନ ଆସିଥିଲା, ଯେଉଁଥିରୁ ଦୋକାନ ଖୋଲିବା ପୂର୍ବରୁ ହିଁ ସରକାର ୧୨୫ କୋଟି ଟଙ୍କାର ରାଜସ୍ୱ ପକେଟ୍ସ୍ଥ କରିସାରିଛନ୍ତି।
ସରକାର ଏହି ଲଟେରୀ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ ଏବଂ ନିର୍ମଳ କରିବା ପାଇଁ ଏହି ନୂଆ ବ୍ୟବସ୍ଥା ଆଣିଛନ୍ତି ବୋଲି ଅବକାରୀ ଅଧିକାରୀମାନେ କହୁଛନ୍ତି। ପୂର୍ବରୁ ଓଡ଼ିଶାରେ ମଦ ବ୍ୟବସାୟ କେବଳ କିଛି ନିର୍ଦ୍ଦିଷ୍ଟ ଧନୀ ଗୋଷ୍ଠୀ ବା ‘ମଦ ମାଫିଆ’ଙ୍କ ହାତରେ ସୀମିତ ରହୁଥିଲା, ଯେଉଁମାନେ ଗତ ୧୫-୨୦ ବର୍ଷ ଧରି ପ୍ରତିବର୍ଷ ଲାଇସେନ୍ସ ନବୀକରଣ କରି ଏକଚାଟିଆ ବ୍ୟବସାୟ କରୁଥିଲେ। ସରକାରଙ୍କ ଏହି ଲଟେରୀ ବ୍ୟବସ୍ଥା ସେହି ବ୍ୟବସାୟୀ ସଂଘ ବା କାର୍ଟେଲ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି ଏବଂ ସାଧାରଣ ଲୋକଙ୍କୁ ସୁଯୋଗ ଦେଇଛି ବୋଲି ଦାବି କରାଯାଉଛି।
କିନ୍ତୁ ଅନ୍ୟପଟେ, ବ୍ୟବସାୟର ମୋହରେ ସାଧାରଣ ଲୋକେ ଯେମିତି ସୁନା ଗହଣା ବନ୍ଧକ ରଖି, ସର୍ବସ୍ୱ ବିକି, ଋଣ କରି ସରକାରଙ୍କ ଖାତାକୁ ଲକ୍ଷ ଲକ୍ଷ ଟଙ୍କାର ଅଣ-ଫେରସ୍ତ ଯୋଗ୍ୟ ଫି’ ଟେକି ଦେଉଛନ୍ତି, ତାହା ଓଡ଼ିଶାର ଆର୍ଥିକ ଏବଂ ସାମାଜିକ ଚିତ୍ର ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ତ ନିଜ ରାଜକୋଷ ଭରି ମାଲେମାଲ୍ ହୋଇଗଲେ, କିନ୍ତୁ ହଜାର ହଜାର ଗରିବ ଓ ମଧ୍ୟବିତ୍ତ ପରିବାର ଏହି ଲଟେରୀ ଚକ୍କରରେ ନିଜର ଜମାପୁଞ୍ଜି ହରାଇ ସର୍ବସ୍ୱାନ୍ତ ହୋଇ ବସିଛନ୍ତି।
AlsoRead; https://purvapaksa.com/russias-deadly-s-400-sudarshan-arrives-in-india/
“ଭାରତରେ ପହଞ୍ଚିଲା ରୁଷର ଘାତକ S-400 ‘ସୁଦର୍ଶନ’! || “Russia’s deadly S-400 ‘Sudarshan’ arrives in India!


