ରାଜନୀତିରେ ଗୋଟିଏ କଥା ଅଛି – “ଯାହାର ପାଦ ଯେଉଁଠି ପଡ଼େ, ସେଠାରେ ସବୁ ଓଲଟପାଲଟ ହୋଇଯାଏ” । ବୋଧହୁଏ ଏହି ଧାଡ଼ିଟି ଆଜିର ଦିନରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ସମ୍ପୂର୍ଣ୍ଣ ସଠିକ୍ ବସୁଛି । ଆଜି ଆମେ ଆଲୋଚନା କରିବା କିପରି କଂଗ୍ରେସ ନିଜେ ତ ବୁଡୁଛି, କିନ୍ତୁ ଯେଉଁମାନେ ତାଙ୍କ ହାତ ଧରୁଛନ୍ତି, ସେମାନଙ୍କୁ ମଧ୍ୟ ବୁଡ଼ାଇ ଦେଉଛି । କଂଗ୍ରେସ କ’ଣ ଏକ ‘ପରଜୀବୀ’ ଦଳରେ ପରିଣତ ହୋଇଛି? କଂଗ୍ରେସ ଯାହା ସହ ରହୁଛି, ତାକୁ ହିଁ ଶେଷ କରିଦେଉଛି?
ପ୍ରଥମେ ତାମିଲନାଡୁ। ସେଠାରେ ଡିଏମକେ (DMK) ଦଳ କଂଗ୍ରେସ ଉପରେ ସବୁଠୁ ଅଧିକ ଭରସା କରିଥିଲା । କିନ୍ତୁ ଫଳାଫଳ କ’ଣ ହେଲା? ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସହ ଗୋଟିଏ ହେଲେ ମଧ୍ୟ ମଞ୍ଚ ବା ଶୋଭାଯାତ୍ରା ସେୟାର କଲେ ନାହିଁ । ସ୍ଥାନୀୟ ଗଣମାଧ୍ୟମ ବାରମ୍ବାର ପ୍ରଶ୍ନ କରୁଥିଲା – ରାହୁଲ ଗାନ୍ଧୀ କେବେ ଆସିବେ? କିନ୍ତୁ ସେ ଆସିଲେ ନାହିଁ । ଜନତାଙ୍କ ମଧ୍ୟରେ ବାର୍ତ୍ତା ଗଲା ଯେ ଏହି ମେଣ୍ଟ କେବଳ ଏକ ଧୋକା । ଏହାର ପରିଣାମସ୍ୱରୂପ ଡିଏମକେ ମଧ୍ୟ ନିଜର ଶକ୍ତି ହରାଇବାକୁ ଲାଗିଲା ।
ପଶ୍ଚିମବଙ୍ଗରେ ମଧ୍ୟ ସମାନ ସ୍ଥିତି । ସେଠାରେ ମମତା ବାନାର୍ଜୀ ସିଧାସଳଖ କଂଗ୍ରେସ ସହ କୌଣସି କଥା ହେବାକୁ ମଧ୍ୟ ମନା କରିଦେଲେ । ବାମପନ୍ଥୀ ଦଳ କଂଗ୍ରେସ ସହ ମେଣ୍ଟ ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ରାହୁଲ ଗାନ୍ଧୀଙ୍କ ଜିଦ୍ ଯୋଗୁଁ ସେମାନେ ମଧ୍ୟ ବୁଡ଼ିଲେ । କଂଗ୍ରେସ ସେଠାରେ ନିଜର ଅସ୍ତିତ୍ୱ ହରାଇ ବସିଛି । ଏପରିକି ଲୋକସଭା ନିର୍ବାଚନରେ ମଧ୍ୟ ସେମାନେ କୌଣସି ପ୍ରଭାବ ପକାଇପାରିଲେ ନାହିଁ ।
ଆସାମ କଥା ଯଦି ଦେଖିବା, କଂଗ୍ରେସ AIUDF ସହ ମେଣ୍ଟ କରିଥିଲା । ଫଳସ୍ୱରୂପ ନିଜେ ତ ହାରିଲା, ସେହି ଆଞ୍ଚଳିକ ଦଳକୁ ମଧ୍ୟ କମଜୋର କରିଦେଲା । ସେହିପରି କେରଳରେ କଂଗ୍ରେସ ଏବଂ କମ୍ୟୁନିଷ୍ଟଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । କେନ୍ଦ୍ରରେ ସମର୍ଥନ ନେଉଛନ୍ତି, କିନ୍ତୁ ରାଜ୍ୟରେ ଏପରି ବାଚନିକ ଆକ୍ରମଣ କରୁଛନ୍ତି ଯେଉଁଥିପାଇଁ ଉଭୟଙ୍କର କ୍ଷତି ହେଉଛି ।
ଇତିହାସ ସାକ୍ଷୀ ଅଛି, ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମେଣ୍ଟ ହୋଇଥିଲା । ଫଳାଫଳ କ’ଣ ଥିଲା? ସମାଜବାଦୀ ପାର୍ଟି ଯାହାର ୨୨୪ଟି ସିଟ୍ ଥିଲା, ତାହା ମାତ୍ର ୪୭ରେ ସୀମିତ ହୋଇଗଲା ।
ସେହିପରି ବିହାରରେ ଆରଜେଡି ସହ ମେଣ୍ଟ କରି କଂଗ୍ରେସ ତେଜସ୍ୱୀ ଯାଦବଙ୍କ ପାଇଁ ବଡ଼ ବୋଝ ସାଜିଲା । ଆଜି ବି ଆରଜେଡି ସେହି କ୍ଷତିର ଭରଣା କରିବାକୁ ସଂଘର୍ଷ କରୁଛି ।
ସବୁଠୁ ରୋଚକ କଥା ହେଉଛି ଜମ୍ମୁ-କାଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ କଂଗ୍ରେସକୁ ସ୍ପଷ୍ଟ କହିଥିଲେ ଯେ – “ଆପଣ କାଶ୍ମୀରରେ ପ୍ରଚାର କରନ୍ତୁ ନାହିଁ, କେବଳ ଜମ୍ମୁ ଉପରେ ଧ୍ୟାନ ଦିଅନ୍ତୁ” । ସେମାନେ ଜାଣିଥିଲେ ରାହୁଲ ଗାନ୍ଧୀଙ୍କ ପ୍ରଚାର କାଶ୍ମୀରରେ ସେମାନଙ୍କର ଭୋଟ୍ କାଟିଦେବ । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ମହାବିକାଶ ଅଘାଡ଼ିର ଅବସ୍ଥା ଆମେ ସମସ୍ତେ ଦେଖିଛୁ ।
ଆମ ରାଜ୍ୟ ଓଡ଼ିଶା। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି-କଂଗ୍ରେସ ଭିତରେ ବୁଝାମଣା ହୋଇଥିଲା। ଏହି ବୁଝାମଣା ଯୋଗୁ ବିଜେଡି ୮ଜଣ ବିଧାୟକ ଅସନ୍ତୁଷ୍ଟ ହୋଇ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇ ତାଙ୍କୁ ହରାଇଛନ୍ତି। ଏହି ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅକଲ ଗୁଡୁମ ହେବାରୁ ଆଗାମୀ ଦିନରେ କଂଗ୍ରେସ ସହିତ ମେଣ୍ଟ ହେବ ନାହିଁ ବୋଲି ଦଳ ଘୋଷଣା କରିଛି।
ତେବେ ପ୍ରଶ୍ନ ଉଠୁଛି, କଂଗ୍ରେସ ସହ ମେଣ୍ଟ କରିବା ଆଞ୍ଚଳିକ ଦଳଗୁଡ଼ିକ ପାଇଁ କ’ଣ ଏକ ଆତ୍ମଘାତୀ ପଦକ୍ଷେପ? ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଅନେକ ସମୟରେ ଏହାକୁ ‘ପରଜୀବୀ’ ରାଜନୀତି ବୋଲି କହିଛନ୍ତି । ଯେଉଁ ଦଳ ନିଜେ ସାଂଗଠନିକ ଭାବେ ଦୁର୍ବଳ, ସେ ଅନ୍ୟ ଦଳକୁ କିପରି ସାହାଯ୍ୟ କରିବ?


