ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଝଡ଼ ସୃଷ୍ଟି ହୋଇଛି। ଗତ କିଛିଦିନ ହେବ ରାଜ୍ୟ ରାଜନୀତି ଯେଉଁ ମୋଡ଼ ନେଉଛି, ତାହା କେବଳ ସାଧାରଣ ନିର୍ବାଚନୀ ଚର୍ଚ୍ଚା ଭିତରେ ସୀମିତ ନାହିଁ। ଏବେ ପ୍ରଶ୍ନ ଉଠୁଛି— ବିଜେଡିର ନୂଆ ‘କଂଗ୍ରେସ ପ୍ରେମ’ କ’ଣ ଏବେ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି?
ଗୋଟିଏ ପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ବାହାନା କରି ନବୀନ ପଟ୍ଟନାୟକ ସିଧାସଳଖ ବିଜେପି ଉପରେ ଆକ୍ରମଣ କରୁଛନ୍ତି। ଆଉ ଠିକ୍ ସେହି ସମୟରେ, ତାଙ୍କର ସବୁଠାରୁ ଆପଣାର ତଥା ଏକାନ୍ତ ବିଶ୍ୱସ୍ତ ରାଜନୈତିକ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ପୋଲିସ ନୋଟିସ୍ ପଠାଉଛି!
ତେବେ ଏହା କ’ଣ କେବଳ ପ୍ରତିଶୋଧର ରାଜନୀତି? ନା ଏହା ପଛରେ ରହିଛି ଏକ ଗଭୀର, ସୁଚିନ୍ତିତ ରାଜନୈତିକ ରଣନୀତି ଏବଂ ସିଷ୍ଟମେଟିକ୍ ତଦନ୍ତ ପ୍ରକ୍ରିୟା?
ନୋଟିସ୍ ପଛର ସଚ୍ଚୋଟତା ଓ ତଦନ୍ତର ଅସଲ ମୋଡ଼
ଘଟଣାର ପୃଷ୍ଠଭୂମିକୁ ବୁଝିବାକୁ ହେଲେ ଆମକୁ ଗତ କିଛିଦିନର ଘଟଣାବଳୀକୁ କ୍ରମାନ୍ୱୟରେ ଦେଖିବାକୁ ପଡ଼ିବ।
ଗତ ବୁଧବାର ଓ ଗୁରୁବାର— ଦୁଇଦିନ ଧରି ବିଜେଡି ସଭାପତି ନବୀନ ପଟ୍ଟନାୟକ, ଜାତୀୟ ସ୍ତରର ‘ନିଟ୍’ (NEET) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଓଡ଼ିଶାର ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ହଙ୍ଗାମା ସୃଷ୍ଟି କରିଥିଲେ। ସେ ଦାବି କରିଥିଲେ ଯେ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି। ସେ ଧର୍ମେନ୍ଦ୍ରଙ୍କ ବାହାନାରେ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି।
କିନ୍ତୁ ଠିକ୍ ଏହି ସମୟରେ, ଅର୍ଥାତ୍ ଗତକାଲି ନବୀନଙ୍କ ଏକାନ୍ତ ବିଶ୍ୱସ୍ତ, ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେଡି ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଆଗାମୀ ୨୫ ତାରିଖରେ ହାଜର ହେବା ପାଇଁ ଭୁବନେଶ୍ୱର ପୋଲିସ ନୋଟିସ୍ ଜାରି କରିଛି।
ଏବେ ପ୍ରଶ୍ନ ଉଠୁଛି, ବିଜେଡି ନେତାମାନେ ଏବଂ ବହୁ ସାଧାରଣ ଲୋକ ଅଭିଯୋଗ କରୁଛନ୍ତି ଯେ, ନବୀନ ପଟ୍ଟନାୟକ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିବାରୁ ବିଜେପି ସରକାର ପ୍ରତିଶୋଧମୂଳକ ଭାବେ ପାଣ୍ଡିଆନଙ୍କୁ ନୋଟିସ୍ ପଠାଇଛି।
ଯଦି ସମଗ୍ର ଘଟଣାବଳୀକୁ ସୂକ୍ଷ୍ମ ଭାବେ ଦେଖିବେ, ତେବେ ବୁଝିପାରିବେ ଯେ ଏହା କୌଣସି ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ଏହା ଏକ ଦୀର୍ଘଦିନରୁ ଚାଲିଥିବା ଆଇନଗତ ତଦନ୍ତ ପ୍ରକ୍ରିୟା!
ଥରେ ଚିନ୍ତା କରନ୍ତୁ— ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)କୁ ଯାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ ଏବଂ ୨୦୦୮ରେ କନ୍ଧମାଳରେ ଘଟିଥିବା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ, ବିଜେଡି କ୍ଷମତାରୁ ଯିବା ସମୟରେ ଆଉ ଫେରି ନାହିଁ!
ଗୋଟିଏ ରାଜ୍ୟର ସବୁଠାରୁ ସମ୍ବେଦନଶୀଳ ଘଟଣାର ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାୟବ ହୋଇଯିବା କ’ଣ ଗୋଟିଏ ସାଧାରଣ କଥା?
ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ପରେ ଆଇନ ତା’ର ବାଟରେ ଚାଲିଛି।
ଏହି ତଦନ୍ତ ପରିସରକୁ ପ୍ରଥମେ ଆସିଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିକଟତର ସହଯୋଗୀ, ପୂର୍ବତନ ଆଇଆରଟିଏସ (IRTS) ଅଧିକାରୀ ମନୋଜ ମିଶ୍ର। ସେ ଥାନାରେ ହାଜର ହୋଇ ନିଜର ବୟାନ ରଖିସାରିଛନ୍ତି।
ତା’ପରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ହୋଇଥିଲା, କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର ହୋଇନାହାନ୍ତି।
ତେଣୁ ଏହି ସିରିଜ୍ରେ, ଏହି ମାମଲାର କ୍ରମରେ ପାଣ୍ଡିଆନ୍ଙ୍କୁ ନୋଟିସ୍ ମିଳିବା ଏକ ନିୟମିତ ଆଇନଗତ ପ୍ରକ୍ରିୟାର ଅଂଶ, କୌଣସି ଆକ୍ରୋଶମୂଳକ ନିଷ୍ପତ୍ତି ନୁହେଁ।
ଅତୀତର ଇତିହାସ, ନବୀନଙ୍କ ନୀତି ଓ ବିଜେପିର ବଦଳିଥିବା ସ୍ୱରୂପ
ବିଜେଡି ଏବଂ ବିଜେପିର ଏହି ସମ୍ପର୍କକୁ ବୁଝିବାକୁ ହେଲେ ଆମକୁ ଟିକିଏ ରାଜନୈତିକ ଇତିହାସ ପଛକୁ ବୁଲି ଦେଖିବାକୁ ପଡ଼ିବ।
୧୯୯୭ ମସିହାରେ, ଯେତେବେଳେ ବିଜୁ ଜନତା ଦଳ (ବିଜେଡି) ଗଠନ ହୋଇଥିଲା, ସେତେବେଳେ ବିଜେପିର ପ୍ରତ୍ୟକ୍ଷ ସହଯୋଗ ଏବଂ ସମର୍ଥନ ରହିଥିଲା। ନବୀନ ପଟ୍ଟନାୟକ ସେତେବେଳେ ନୂଆ କରି ରାଜନୀତିକୁ ଆସି ନେତା ହୋଇଥିଲେ। ଦୀର୍ଘ ବର୍ଷ ଧରି ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାର ଚାଲିଲା।
କିନ୍ତୁ ୨୦୦୯ ମସିହାରେ, ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ତାଙ୍କର ଚିରାଚରିତ ରାଜନୈତିକ ଶୈଳୀରେ ହଠାତ୍ ବିଜେପି ସହ ମେଣ୍ଟ ଭାଙ୍ଗିଦେଲେ। ସେତେବେଳେ ସୌଜନ୍ୟତାର ସବୁ ସୀମା ଟପି ସେ ସିନିୟର ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଫୋନ୍ କଲ୍ ମଧ୍ୟ ଉଠାଇ ନଥିଲେ!
କିନ୍ତୁ ଆଜି ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି!
ସେତେବେଳର ବିଜେପି ଆଉ ଆଜିର ବିଜେପି ଭିତରେ ଆକାଶ ପାତାଳ ଫରକ। ଏବର ବିଜେପି ହେଉଛି ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ବିଜେପି!
ଜାତୀୟ ରାଜନୀତି ହେଉ କି ରାଜ୍ୟ ରାଜନୀତି— ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ସହ ରାଜନୈତିକ ଖେଳ ଖେଳିଲେ କିପରି ଜବାବ ମିଳେ, ତାହା ଦେଶର ପ୍ରତ୍ୟେକ ରାଜନୈତିକ ଦଳ ଭଲ ଭାବରେ ଜାଣନ୍ତି।
୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ମୋଦୀ ଓ ଶାହ ଅତ୍ୟନ୍ତ ଉଦାରତା ଦେଖାଇଥିଲେ। ସେମାନେ ନିର୍ବାଚନ ପରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ କିମ୍ବା ତାଙ୍କର ଅନ୍ୟ ସହଯୋଗୀମାନଙ୍କ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଛାଡ଼ି ଦେଇଥିଲେ।
ସେତିକି ନୁହେଁ, ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଭିଆରଏସ (VRS) ଆବେଦନ ମଧ୍ୟ ମାତ୍ର ଗୋଟିଏ ଦିନ ମଧ୍ୟରେ କେନ୍ଦ୍ର ସରକାର ମଞ୍ଜୁର କରିଦେଇଥିଲେ। ଏହା ଥିଲା କେନ୍ଦ୍ର ନେତୃତ୍ୱଙ୍କର ଏକ ସୌଜନ୍ୟମୂଳକ ଓ ଉଦାର ପଦକ୍ଷେପ।
ନୂଆ ରଣନୀତି, କଂଗ୍ରେସ ସହ ମେଣ୍ଟ ଓ ସୁଜାତାଙ୍କ ଭବିଷ୍ୟତ
ହେଲେ, ବର୍ତ୍ତମାନ ରାଜନୈତିକ ମହଲରେ ଏକ ବଡ଼ ଚର୍ଛା ଚାଲିଛି। ଚର୍ଚ୍ଛା ହେଉଛି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ବି ସମ୍ପୂର୍ଣ୍ଣ ଭାବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଛନ୍ତି।
ପାଣ୍ଡିଆନ୍ଙ୍କର ଏବେ ନୂଆ ‘ଗେମ୍ ପ୍ଲାନ୍’ ହେଉଛି— ନିଜ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଆଗାମୀ ଦିନରେ ରାଜନୀତିରେ ସୁରକ୍ଷିତ ଭାବେ ଥଇଥାନ କରିବା। ଆଉ ସେଥିପାଇଁ ସେ ନବୀନ ପଟ୍ଟନାୟକଙ୍କୁ ମୋହରା କରି କଂଗ୍ରେସ ସହିତ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଏପରିକି ବିଜେଡି ଏବେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେତା କରିବା ପାଇଁ ଦେଶ ବିରୋଧୀ ତତ୍ତ୍ୱମାନଙ୍କ ସହିତ ହାତ ମିଳାଇଛି।
ଆପଣମାନେ ଲକ୍ଷ୍ୟ କରିଥିବେ, ଗତ ରାଜ୍ୟସଭା ନିର୍ବାଚନ ସମୟରୁ ହିଁ ବିଜେଡି ଏବଂ କଂଗ୍ରେସ ଭିତରେ ଏକ ଭିତରିଆ ବୁଝାମଣା ଆରମ୍ଭ ହୋଇଛି।
ଯେଉଁ ବିଜେଡି ଅତୀତରେ “କଂଗ୍ରେସଠାରୁ ସମଦୂରତା”ର ନାରା ଦେଉଥିଲା, ଯେଉଁ ବିଜେଡିର ଜନ୍ମ ହିଁ କଂଗ୍ରେସ ବିରୋଧୀ ସ୍ୱରରୁ ହୋଇଥିଲା, ସେହି ବିଜେଡି ଏବେ କଂଗ୍ରେସର ହାତ ଧରିବାକୁ ଟିକିଏ ହେଲେ ସଙ୍କୋଚ କରୁନାହିଁ।
ଆଉ ବିଜେଡିର ଏହି “କଂଗ୍ରେସ ପ୍ରେମ” ହିଁ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ଅତ୍ୟନ୍ତ କ୍ଷୁବ୍ଧ କରିଛି!
ଯେତେବେଳେ କେନ୍ଦ୍ର ନେତୃତ୍ୱ ଦେଖିଲେ ଯେ ସୌଜନ୍ୟତାକୁ ଦୁର୍ବଳତା ଭାବି ବିଜେଡି କଂଗ୍ରେସ ସହ ହାତ ମିଶାଉଛି, ସେତେବେଳେ ଆଇନ ତା’ର କଠୋର ରୂପ ଦେଖାଇବା ଆରମ୍ଭ କରିଛି।
ଆଗାମୀ ଦିନରେ ବିଜେଡି ଉପରେ ଏହାର ଭୟାନକ ପ୍ରଭାବ
ଯଦି ଆପଣ ରାଜନୈତିକ ସମୀକରଣକୁ ବୁଝିବେ, ତେବେ ଏହି ଭୁଲ୍ ନିଷ୍ପତ୍ତିର ପରିଣାମ ବିଜେଡି ପାଇଁ ଅତ୍ୟନ୍ତ ଭୟାନକ ହୋଇପାରେ।
କେନ୍ଦ୍ରୀୟ ନେତୃତ୍ୱଙ୍କ କୋପଦୃଷ୍ଟି ପଡ଼ିବା ପରେ, ବିଜେଡି ଭିତରେ ଏବେ ଅସନ୍ତୋଷର ନିଆଁ ଜଳିବା ଆରମ୍ଭ ହୋଇଗଲାଣି। ବିଜେଡିର ଅନେକ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ସାଂସଦ ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।
ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ— ଆଗାମୀ ଦିନରେ ବିଜେଡିର ଥିବା ୫ ଜଣ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ୨ ରୁ ୩ ଜଣ ସାଂସଦ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବାର ଏକ ବଡ଼ ସମ୍ଭାବନା ସୃଷ୍ଟି ହୋଇଛି! ବିଜେଡି ଯେଉଁ ସାଂସଦମାନଙ୍କୁ ନିଜର ବୋଲି ଭାବୁଛି, ସେମାନେ ପ୍ରଥମେ ଦଳ ଛାଡ଼ିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ନବନିର୍ବାଚିତ ସାଂସଦ ସଂତୃପ୍ତ ମିଶ୍ରଙ୍କ ବଡ଼ ସରକାରୀ ଆବାସ କିପରି ମିଳିବ ସେଥିପାଇଁ ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ସୁପାରିଶ କରିଛନ୍ତି। ଏଥିରୁ ଆପଣମାନେ ଅନୁମାନ ଲଗାଇପାରିବେ, ଆଗାମୀ ଦିନରେ କ’ ହେବାକୁ ଯାଉଛି।
ବିଜେଡିର ୫ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୨-୩ ଜଣ ବିଜେପି ମୁହାଁ?
ଯଦି ଏହା ହୁଏ, ତେବେ ଓଡ଼ିଶା ରାଜନୀତିରେ ବିଜେଡି ନିଜର ଆସ୍ଥା, ସଂଗଠନ ଏବଂ ଜନାଦେଶ ସମ୍ପୂର୍ଣ୍ଣ ଭାବେ ହରାଇବାକୁ ବସିବ।
ତେଣୁ ଶେଷ କଥା ହେଉଛି— ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବିଜେଡି ଯେଉଁ ଚାଲ୍ ଖେଳିବାକୁ ଚେଷ୍ଟା କରୁଥିଲା, ତାହା ଓଲଟି ସେମାନଙ୍କ ଉପରେ ହିଁ ଭାରି ପଡ଼ିଛି।
ହଜିଯାଇଥିବା ସରକାରୀ ରିପୋର୍ଟ, ରତ୍ନଭଣ୍ଡାର ଚାବି ଫାଇଲ୍ ଏବଂ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବେ ଦ୍ରୁତଗତିରେ ଆରମ୍ଭ ହୋଇଛି। ଆଉ ପାଣ୍ଡିଆନଙ୍କଠାରୁ ଆରମ୍ଭ କରି ପ୍ରଭାବଶାଳୀ ବ୍ୟୁରୋକ୍ରାଟ୍ଙ୍କ ପର୍ଯ୍ୟନ୍ତ ସମସ୍ତେ ଆଇନ ଏବଂ ଗଣତନ୍ତ୍ର ନିକଟରେ ଉତ୍ତରଦାୟୀ ହେବାକୁ ବାଧ୍ୟ।
AlsoRead; https://purvapaksa.com/anarchy-and-anti-national-conspiracy-student-movement-or-political-baking/


