ଅବସର- ସରକାରୀ ଭାଷାରେ ଏହା ଏକ ସ୍ପଷ୍ଟ ସୀମାରେଖା। ନିର୍ଦ୍ଧାରିତ ବୟସ, ନିର୍ଦ୍ଧାରିତ ଦିନ, ଫାଇଲର ଶେଷ ଦସ୍ତଖତ, ଆଉ ତା’ପରେ ପେନସନ। କିନ୍ତୁ ଓଡ଼ିଶା ସଚିବାଳୟରେ ୨୦୨୪–୨୦୨୫ ମସିହାରେ ଏହି “ଶେଷ” ଶବ୍ଦଟି ପୁଣିଥରେ ପ୍ରଶ୍ନାର୍ଥକ ହୋଇଉଠିଛି। କାରଣ—ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଓଏସଡି (Officer on Special Duty) ଭାବରେ ପୁଣି ନିଯୁକ୍ତି।
/odishatv/media/media_files/2025/12/24/odishas-first-woman-chief-secretary-anu-garg-journey-so-far-and-challenges-ahead-2025-12-24-20-28-30.jpg)
ଏହା କ’ଣ ଅନିବାର୍ଯ୍ୟ ପ୍ରଶାସନିକ ବାଧ୍ୟବାଧକତା?
ନା ନିଷ୍ଠା–ନିକଟତା–ଭରସାର ଏକ ନୂଆ ସଂସ୍କୃତି?
ଏବେ ଆମ ରାଜ୍ୟରେ ସରକାରୀ ଚାକିରିଆ ବିଶେଷ କରି ଆଇଏଏସ ଓ ଓଏଏସମାନେ ଚାକିରିରୁ ଅବସର ନେବା ପରେ ପୁଣି ଓଏସଡି ଭାବରେ ନିଯୁକ୍ତି ପାଇବାର ପରମ୍ପରା ବିଜେଡି ଶାସନ କାଳରୁ ଆରମ୍ଭ ହୋଇଛି। ବିଜେପି କ୍ଷମତାକୁ ଆସିବା ପରେ ଏହି ପରମ୍ପରାରେ ରୋକ ଲାଗିବ ବୋଲି ଆଶା କରାଯାଉଥିଲା। କିନ୍ତୁ ରୋକ ଲାଗିବା ପରିବର୍ତ୍ତେ ଏହା ଆହୁରି ବୃଦ୍ଧି ପାଇଛି। ତେଣୁ ଏହି ପରିପ୍ରେକ୍ଷୀରେ ଥାଇଲାଣ୍ଡ କିପରି ଅବସର ପରେ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତିରେ କେଉଁ ନିୟମ ପାଳନ କରୁଛନ୍ତି ତାହା ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ସରକାରୀ କଳ ଅନୁଧ୍ୟାନ କରିବା ଉଚିତ। ଅବସର ପରେ ଆଉ ଏକ ଚାକିରୀ!
ଓଏସଡି ନିଯୁକ୍ତି; ପ୍ରଶାସନିକ ଆବଶ୍ୟକତା ନା କ୍ଷମତାର ସୁବିଧା?
ଲୋକତାନ୍ତ୍ରିକ ପ୍ରଶାସନରେ “ଅବସର” ଏକ ସ୍ପଷ୍ଟ, ନିର୍ଦ୍ଧାରିତ ଓ ସମ୍ମତ ଧାରଣା। ଏହା କେବଳ ଗୋଟିଏ ବୟସ ସୀମା ନୁହେଁ, ଏହା ଏକ ପ୍ରତିଷ୍ଠାଗତ ସନ୍ଧି-ଯେଉଁଠି ବ୍ୟକ୍ତି ନିଜର ସରକାରୀ ଭୂମିକା ସମାପ୍ତ କରି ନୂଆପିଢ଼ି ପାଇଁ ସ୍ଥାନ ଛାଡ଼ିଦିଏ। ଅବସରମାନେ କେବଳ ଫାଇଲ ଚାଷର ଶେଷ ସମୟ, କାର୍ଯ୍ୟାଳୟର ଶେଷ ଦିନ, କିମ୍ବା ପେନସନର ପ୍ରଥମ ଚେକ୍ ନୁହେଁ- ଏହା ଏକ ପ୍ରଶାସନିକ ଦାର୍ଶନିକତା। ଏହା ନିରନ୍ତର ପୁନର୍ନବୀକରଣର ମୂଳ ଧାରଣା।
କିନ୍ତୁ ୨୦୨୪–୨୦୨୫ ମସିହାରେ ଓଡ଼ିଶା ସଚିବାଳୟରେ ଯେଉଁ ଚିତ୍ର ଧୀରେଧୀରେ ସ୍ପଷ୍ଟ ହେଉଛି, ସେଠାରେ “ଅବସର” ଶବ୍ଦଟି ଆଉ ଏତେ ସରଳ ନୁହେଁ। ଅବସରପ୍ରାପ୍ତ ଅଧିକାରୀମାନେ ପୁଣିଥରେ ଓଏସଡି ଭାବରେ ନିଯୁକ୍ତ ହେଉଛନ୍ତି- କେହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ, କେହି ସେନ୍ସିଟିଭ୍ ବିଭାଗରେ, କେହି ପଲିସି ମନିଟରିଂ ଓ ସ୍ପେଶାଲ୍ ଆସାଇନ୍ମେଣ୍ଟରେ ଅଛନ୍ତି।
ଏହା କ’ଣ ପ୍ରଶାସନର ଅନିବାର୍ଯ୍ୟ ବାଧ୍ୟତା?
ନା ଏହା ଏକ ଧୀରେଧୀରେ ଗଢ଼ିଉଠୁଥିବା “ପୁନର୍ବାସ ସଂସ୍କୃତି”?
ଓଏସଡି: ପଦବୀ ନୁହେଁ, ପ୍ରଭାବର କେନ୍ଦ୍ର
/sambad-english/media/post_attachments/wp-content/uploads/2024/06/Odisha-govt-gives-compulsory-retirement-to-corrupt-tehsildar-7-other-officials.jpg)
ଓଏସଡି କୌଣସି ନିୟମିତ କ୍ୟାଡର ପଦ ନୁହେଁ। ଏହା ଏକ ବିଶେଷ ଦାୟିତ୍ୱ, ଯେଉଁଠି ଫାଇଲଠାରୁ ଅଧିକ “ଭରସା” ମୂଲ୍ୟବାନ।
ସାଧାରଣତଃ ଓଏସଡି ନିଯୁକ୍ତି ହୁଏ ସେହି ସ୍ଥାନରେ, ଯେଉଁଠି-
• ନୀତି ତିଆରି ହୁଏ
• ବଜେଟ୍ ଓ ଫଣ୍ଡ ମନିଟରିଂ ହୁଏ
• ରାଜନୈତିକ–ପ୍ରଶାସନିକ ସମନ୍ୱୟ ଦରକାର
• ଭୁଲ ନିଷ୍ପତ୍ତିର ପ୍ରଭାବ ଦୀର୍ଘକାଳୀନ ଓ ଦୂରଗାମୀ
ଏହି ପଦର ଅସଲ ଶକ୍ତି ହେଉଛି “ପ୍ରବେଶ”- ଫାଇଲ, ନୀତି, ନେତୃତ୍ୱ ଓ ନିଷ୍ପତ୍ତିକାରୀଙ୍କ ନିକଟତା। ଓଏସଡି ମାନେ ନା ନିୟମିତ ସଚିବ, ନା ମନ୍ତ୍ରୀ; କିନ୍ତୁ ପ୍ରଭାବଶାଳୀ। କାରଣ ଆମେ ଯଦି ଦେଖିବା ତେବେ ଏହି ବର୍ଗର ଅଧିକାରୀମାନେ ପ୍ରାୟତଃ ଅଧିକ ଦୁର୍ଦୀତିଗ୍ରସ୍ତ। ସେମାନଙ୍କଠାରୁ ଭିଜିତଲାନ୍ସ ପୁଳା ପୁଳା ଟଙ୍କା ଜବତ କରିଥାନ୍ତି। ଏହି ବର୍ଗର ଅଧିକାରୀମାନେ ଓଏସଡି ସାଜି ମନ୍ତ୍ରୀମାନଙ୍କୁ ଏବେ ଟଙ୍କା ଆୟର ଉପାୟ ବତାଇବାରେ ଲାଗିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟର ଧାନମଣ୍ଡିମାନଙ୍କରେ ଯେତିକି ଧାନ ବସ୍ତା ନାହିଁ ତା’ଠାରୁ ଅଧିକ ଅବସରପ୍ରାପ୍ତ ଓଏଏସ ଅଫିସରମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନଗର ଉନ୍ନୟନ ବିଭାଗ, ପୂର୍ତ୍ତ, ଜଳସେଚନ ଆଦି ବିଭାଗରେ ଓଏସଡି ଭାବରେ ନିଯୁକ୍ତି ହୋଇଥିବା ଆଲୋଚନା ହେଉଛି। ଏହି ଓଏସଡି ସରକାରୀ କାମ ନ କରି କିପରି ମନ୍ତ୍ରୀ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବେ ସେହି କାମରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ଏହିଠାରେ ମୂଳ ପ୍ରଶ୍ନ-
ଯଦି ଓଏସଡି ପଦ ଏତେ ଗୁରୁତ୍ୱପୂର୍ଣ୍ଣ, ତେବେ ଏହା ପାଇଁ ସ୍ପଷ୍ଟ ନୀତି, ସାର୍ବଜନିକ ମାନଦଣ୍ଡ ଓ ପାରଦର୍ଶିତା କାହିଁକି ନାହିଁ?
୨୦୨୪–୨୦୨୫: ସଂଖ୍ୟା କ’ଣ କହୁଛି?
ସରକାର ସରକାରୀଭାବେ ଓଏସଡି ନିଯୁକ୍ତି ସମ୍ପର୍କିତ କୌଣସି ସଂଯୁକ୍ତ ତାଲିକା ପ୍ରକାଶ କରେନାହାନ୍ତି। କିନ୍ତୁ RTI ଉତ୍ତର, ବିଭାଗୀୟ ନୋଟିଫିକେସନ, ସଚିବାଳୟ ଅର୍ଡର ସିରିଜ ଓ ବଜେଟ୍ ହେଡ୍ର ତଥ୍ୟକୁ ଏକତ୍ର କଲେ ଏକ ଆନୁମାନିକ ଚିତ୍ର ସାମ୍ନାକୁ ଆସୁଛି। ୨୦୨୪ ଜାନୁଆରୀ ଠାରୁ ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ଅବସରପ୍ରାପ୍ତ ଅଧିକାରୀ ଓଏସଡି କିମ୍ବା ସମାନ ଭୂମିକାରେ ନିଯୁକ୍ତ ହୋଇଛନ୍ତି-ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ପ୍ରଶାସନ, ଗୃହ, ଅର୍ଥ, ପଞ୍ଚାୟତିରାଜ ଓ ନଗର ଉନ୍ନତି ପରି ସେନ୍ସିଟିଭ୍ ବିଭାଗରେ ଏମାନେ ଅଛନ୍ତି। ଏହି ସଂଖ୍ୟା ନିଜେ ନିଜେ ଅପରାଧ ନୁହେଁ। କିନ୍ତୁ ପ୍ରଶ୍ନ ହେଉଛି- ଏହି ପ୍ରବୃତ୍ତି କାହିଁକି ଏତେ ବ୍ୟାପକ ଓ ନିୟମିତ?
• ସରକାରୀ ଯୁକ୍ତି: “ଅନୁଭବ ଦରକାର”
• ସରକାରୀ ଫାଇଲ ଭାଷା ସବୁବେଳେ ଏକା-
• “ଜନସ୍ୱାର୍ଥରେ”
• “ପ୍ରଭାବଶାଳୀ ତଦାରଖ ପାଇଁ”
• “ଅଭିଜ୍ଞ ହାତ ଆବଶ୍ୟକ”
ଯୁକ୍ତି ହେଉଛି- ନୂଆ ଅଧିକାରୀମାନେ ଏଯାବତ୍ ପ୍ରକ୍ରିୟା ଶିଖୁଛନ୍ତି, ବଡ଼ ପ୍ରକଳ୍ପ ଓ ସେନ୍ସିଟିଭ୍ ନୀତି ପାଇଁ ପୁରୁଣା ହାତ ଦରକାର।
କିନ୍ତୁ ଏଠି ପ୍ରଶ୍ନ ଉଠେ-
ଯଦି ଅନୁଭବର ଏତେ ଅଭାବ, ତେବେ ପ୍ରମୋସନ୍, ଟ୍ରେନିଂ, କ୍ୟାଡର୍ ରିଫର୍ମ କାହିଁକି?
ପ୍ରଶାସନ କ’ଣ ପରୋକ୍ଷରେ ଏହା ସ୍ୱୀକାର କରୁଛି ଯେ ସେ ନିଜେ ନିଜ ପରବର୍ତ୍ତୀ ପିଢ଼ିକୁ ତିଆରି କରିପାରିନାହିଁ?
ପେନସନ + ଓଏସଡି: ଗୋଟିଏ ପଦରେ ଦୁଇଟି ଲାଭ ।
ଅଧିକାଂଶ ଓଏସଡି ନିଯୁକ୍ତିରେ ଦେଖାଯାଉଛି-
• ପେନସନ ଚାଲୁ ରହୁଛି
• ତା’ ସହ ନିର୍ଦ୍ଧାରିତ ଦରମା
• ସରକାରୀ ଗାଡ଼ି, ଡ୍ରାଇଭର, PA
• ଅଫିସ୍ ଓ ଲଜିଷ୍ଟିକ୍ ସୁବିଧା
ଏହା ଯୁବ ଓ ମଧ୍ୟମ ସ୍ତରର ଅଧିକାରୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରୁଛି।
ସେମାନଙ୍କ ପ୍ରଶ୍ନ ସରଳ-
“ଆମ ପାଇଁ ସୁଯୋଗ କେଉଁଠି?”
ଯେତେବେଳେ ବ୍ୟବସ୍ଥା ପୁରୁଣା ମୁହଁକୁ ଧରି ରହେ, ସେତେବେଳେ ନୂଆ ମୁହଁ ପାଇଁ ରାସ୍ତା ସଙ୍କୁଚିତ ହୋଇଯାଏ।
ଆନ୍ତର୍ଜାତିକ ତୁଳନା: ଥାଇଲାଣ୍ଡ କ’ଣ କରେ?
ଥାଇଲାଣ୍ଡ ପରି ଦେଶରେ ଅବସର ପରେ ପୁନଃ ନିଯୁକ୍ତି ହେଲେ-
• ପେନସନ ମିଳେ ନାହିଁ କିମ୍ବା
• pay–pension adjustment ହୁଏ
• କେତେଦିନ କାମ କରିବେ ସ୍ପଷ୍ଟ ହୁଏ
• କ’ଣ କାମ କରିବେ ସ୍ଥିର ହୁଏ

ଏହାର ଅର୍ଥ- ଅନୁଭବକୁ ବ୍ୟବହାର କରାଯାଏ, କିନ୍ତୁ ଦୁଇଟି ଲାଭ ଏକ ସଙ୍ଗରେ ମିଳେ ନାହିଁ।
ଏହି ନିୟମ କେବଳ ଥାଇଲାଣ୍ଡ ନୁହେଁ, ୟୁକେ, ଆମେରିକା, ଅଷ୍ଟ୍ରଲିଆ ଓ ପଶ୍ଚିମ ଦେଶଗୁଡ଼ିକରେ କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାରେ ନିୟମ ଥିଲେ ବି “special case” ନାମରେ ବ୍ୟାପକ ଛାଡ଼ ଦିଆଯାଉଛି।
ଯେତେବେଳେ ଆମ ରାଜ୍ୟରେ କିଛି ତଥାକଥିତ ନୂଆ କାମ ବୋଲି ସରକାର ଓ ସରକାରୀ କଳ ଚିନ୍ତା କରେ ତାହାର ସଫଳ କାର୍ଯ୍ୟକାରୀତା ପାଇଁ ବିଦେଶକୁ ଯାଇ ଅନୁଧ୍ୟାନ କରନ୍ତି। ଏଭଳି ଅନେକ ଉଦାହରଣ ରହିଛି।
୧୯୮୦ ଦଶକରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଅମଳରୁ ଯେ କୌଣସି ନୂଆ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ନେତା ଓ ପ୍ରଶାସକମାନେ ସେହି ବିଦେଶ ଗସ୍ତ କରି ତାହା କିପରି କାର୍ଯ୍ୟକାରୀ କରାଯାଉଛି ଅନୁଧ୍ୟାନ କରନ୍ତି। ଏବେ ବି ସେହି ପରମ୍ପରା ରହିଛି। ତେଣୁ ମୋହନ ସରକାର ଅବସର ନେଇ ସାରିଥିବା ସରକାରୀ କର୍ମଚାରୀମାନଙ୍କୁ ଓଏସଡି ପଦରେ ନିଯୁକ୍ତି ଦେବା ପୂର୍ବରୁ ଥାଇଲାଣ୍ଡ ଭଳି ଛୋଟିଆ ଦେଶକୁ ଯାଇ ଅନୁଧ୍ୟାନ କରିବା ଉଚିତ।
ରାଜନୈତିକ ପରିପ୍ରେକ୍ଷ୍ୟ: ଭରସାର ଘେରା
ଓଏସଡି ନିଯୁକ୍ତି କେବଳ ପ୍ରଶାସନିକ ନୁହେଁ; ଏହା ରାଜନୈତିକ। ଏହା ଏକ ଭରସାର ଘେରା ତିଆରି କରେ- ଯେଉଁଠି ନୀତି ନୁହେଁ, ସମ୍ପର୍କ ମୁଖ୍ୟ। ଧୀରେଧୀରେ ପ୍ରଶାସନ ସଂସ୍ଥାଗତ ନ ରହି ବ୍ୟକ୍ତିକେନ୍ଦ୍ରିକ ହୋଇଯାଏ।
ନୀତି ଦରକାର, ନୀରବତା ନୁହେଁ ଓଏସଡି ନିଯୁକ୍ତି ସମ୍ପୂର୍ଣ୍ଣ ଭୁଲ ନୁହେଁ। ଅନୁଭବ ଦରକାର। କିନ୍ତୁ ଅନୁଭବର ନାମରେ ଯଦି ପୁରୁଣା ଘେରାକୁ ରକ୍ଷା କରାଯାଏ, ତେବେ ଏହା ପ୍ରଶାସନର ଭବିଷ୍ୟତ ପାଇଁ ଭୟଙ୍କର।
ସ୍ପଷ୍ଟ ନୀତି, ସାର୍ବଜନିକ ତାଲିକା, ନିର୍ଦ୍ଧାରିତ ସମୟସୀମା- ଏହା ଛାଡ଼ି ଦିଆଗଲେ ଓଏସଡିର ଅର୍ଥ ହେବ:-
• Officer on Special Discretion।
• ଓଡ଼ିଶା ପ୍ରଶାସନ ଆଜି ଏକ ଦିଗକୁ ମୁହଁ କରି ଠିଆ ହୋଇଛି
• ଭବିଷ୍ୟତକୁ ତିଆରି କରିବ,
• ନା ଗତକାଲିକୁ ଧରି ରଖିବ?
• ଇତିହାସ ଏହାର ଉତ୍ତର ଲେଖିବ।
also read https://purvapaksa.com/increased-the-parking-fee-to-rs-500-at-four-devotee-residences/


