ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସର ନୂଆ ମୁଖ୍ୟାଳୟ ଏବେ ଦିଲ୍ଲୀର ଅଲଗା ସ୍ଥାନକୁ ସ୍ଥାନାନ୍ତର ହୋଇସାରିଛି। ବିଜେପିର ନୂଆ ମୁଖ୍ୟାଳୟ ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ଚାଲୁଥିବା ବେଳେ କଂଗ୍ରେସର ନୂଆ କାର୍ଯ୍ୟାଳୟ କୋଟଲା ରୋଡ୍କୁ ସିଫ୍ଟ ହୋଇଛି। ଏହା ସତ୍ତ୍ୱେ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ପୁରୁଣା ‘୨୪ ଆକବର ରୋଡ୍’ କାର୍ଯ୍ୟାଳୟ ଛାଡ଼ିନାହିଁ। ଏକ ଆରଟିଆଇ ଆବେଦନରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପାର୍ଟି ଗତ ୧୩ ବର୍ଷ ହେବ ଏହି ପୁରୁଣା ମୁଖ୍ୟାଳୟର କୌଣସି ଭଡ଼ା ସରକାରଙ୍କୁ ଦେଇନାହିଁ। ଅପରପକ୍ଷରେ, ବିଜେପିର ପୁରୁଣା କାର୍ଯ୍ୟାଳୟକୁ ନେଇ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇପାରିନାହିଁ।

୨୦୧୩ ରୁ ମିଳିନି ଭଡ଼ା, ଆବଣ୍ଟନ ହୋଇଛି ରଦ୍ଦ
‘ଇଣ୍ଡିଆ ଟୁଡେ’ ପକ୍ଷରୁ କରାଯାଇଥିବା ଆରଟିଆଇର ଜବାବରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ‘ଡାଇରେକ୍ଟୋରେଟ୍ ଅଫ୍ ଏଷ୍ଟେଟ୍ସ’ ପକ୍ଷରୁ କୁହାଯାଇଛି ଯେ, ଲୁଟିୟନ୍ସ ଦିଲ୍ଲୀରେ ଥିବା ବଙ୍ଗଳା ନମ୍ବର ୨୪, ଆକବର ରୋଡ୍କୁ ୭ ଅଗଷ୍ଟ ୧୯୯୨ ରେ କଂଗ୍ରେସ ଦଳକୁ ଆବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୬ ଜୁନ୍ ୨୦୧୩ ରେ ଏହି ଆବଣ୍ଟନକୁ ରଦ୍ଦ କରାଯାଇଥିଲା। ଏହା ସତ୍ତ୍ୱେ କଂଗ୍ରେସ ପାର୍ଟି ଏହି ବଙ୍ଗଳାକୁ ନିଜ କବ୍ଜାରେ ରଖିଛି ଏବଂ ୨୬ ଜୁନ୍ ୨୦୧୩ ପରଠାରୁ ସରକାରଙ୍କୁ ଏହାର କୌଣସି ଭଡ଼ା ମିଳିନାହିଁ। ଆରଟିଆଇ ଜବାବରେ ଦର୍ଶାଯାଇଛି ଯେ କଂଗ୍ରେସ ଉପରେ ଥିବା ବକେୟା ଟଙ୍କାର ଆକଳନ ଏବେ ସମୀକ୍ଷାଧୀନ ରହିଛି ଏବଂ ଏହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ବିଜେପିର ପୁରୁଣା ମୁଖ୍ୟାଳୟର ସ୍ଥିତି କଣ?
ଏହି ଆରଟିଆଇ ଆବେଦନରେ ବିଜେପିର ପୁରୁଣା ମୁଖ୍ୟାଳୟ ‘୧୧ ଅଶୋକ ରୋଡ୍’ ବଙ୍ଗଳା ବିଷୟରେ ମଧ୍ୟ ସୂଚନା ମଗାଯାଇଥିଲା। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ବଙ୍ଗଳାଟି ୨୧ ମାର୍ଚ୍ଚ ୧୯୮୫ ରେ ବିଜେପିକୁ ଆବଣ୍ଟନ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ସମ୍ପତ୍ତିଟି ଲୋକସଭା ସଦସ୍ୟଙ୍କ ପୁଲ୍ ର ଏକ ଅଂଶ ପାଲଟିଛି। ଏହାର ଭଡ଼ା ଆଦାୟ ଏବଂ ବକେୟା ସମ୍ପର୍କିତ ତଥ୍ୟ ପାଇଁ ଆବେଦନକୁ ଲୋକସଭା ସଚିବାଳୟକୁ ପଠାଇ ଦିଆଯାଇଛି। ବିଜେପିର କୌଣସି ବକେୟା ରହିଛି କି ନାହିଁ, ତାର ମଧ୍ୟ ବର୍ତ୍ତମାନ ସମୀକ୍ଷା କରାଯାଉଛି ଏବଂ ସଠିକ୍ ପରିମାଣ ସ୍ପଷ୍ଟ ହୋଇନାହିଁ।

ନିର୍ବାଚନ ଋତୁ ଏବଂ ରାଜନୈତିକ ବାଦବିବାଦ ମଧ୍ୟରେ ଜାତୀୟ ଦଳଗୁଡ଼ିକର ସରକାରୀ ବଙ୍ଗଳା ଏବଂ ବକେୟା ଭଡ଼ାକୁ ନେଇ ଆସିଥିବା ଏହି ତଥ୍ୟ ଏବେ ଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
Also read : https://purvapaksa.com/modis-critical-minerals-grid-ready-for-india-with-agreements-with-35-countries/


