ପାଠ୍ୟପୁସ୍ତକ ତ୍ରୁଟି ମାମଲା: SCERT ନିର୍ଦ୍ଦେଶକଙ୍କ ମନ୍ତବ୍ୟକୁ ନେଇ ବଢ଼ୁଛି ଚର୍ଚ୍ଚା
ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ଦ୍ୱାରା ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ତ୍ରୁଟିକୁ ନେଇ ରାଜ୍ୟରେ ବିବାଦ ଜାରି ରହିଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ପାଇଁ ଏକ ତିନିଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାବେଳେ, SCERT ପକ୍ଷରୁ ଦିଆଯାଇଥିବା ସଫେଇକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।
ପାଠ୍ୟପୁସ୍ତକରେ ତଥ୍ୟଗତ ତ୍ରୁଟି, ବ୍ୟାକରଣଗତ ଅଶୁଦ୍ଧି, ଅସ୍ପଷ୍ଟ ଚିତ୍ର ଓ ମୁଦ୍ରଣ ଜନିତ ସମସ୍ୟା ଥିବା ସ୍ୱୀକାର କରିଛି SCERT। ଏହା ପରେ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ସ୍କୁଲ ସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ଶିକ୍ଷକଙ୍କୁ ଦିଆଗଲା ସଂଶୋଧନ ଦାୟିତ୍ୱ
SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ଶିକ୍ଷକମାନେ ଶ୍ରେଣୀକକ୍ଷରେ ପାଠ ପଢ଼ାଇବା ସମୟରେ ପୁସ୍ତକରେ ଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରି ଛାତ୍ରଛାତ୍ରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବେ।
ପ୍ରାଥମିକ ସ୍ତରରେ ଶିକ୍ଷକମାନେ ସିଧାସଳଖ ତ୍ରୁଟି ସଂଶୋଧନ କରି ପାଠଦାନ କରିବେ। ଅନ୍ୟପକ୍ଷରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଭୁଲ ଚିହ୍ନଟ କରିବା ଏବଂ ସଂଶୋଧନ ପ୍ରକ୍ରିୟାରେ ସାମିଲ କରାଯିବ।
ବିଭାଗର କହିବା ଅନୁସାରେ, ଏହା ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ଅଂଶଗ୍ରହଣମୂଳକ କରିବ।
ସଂଶୋଧିତ ପୁସ୍ତକ କେବେ?
SCERT ପକ୍ଷରୁ କୁହାଯାଇଛି ଯେ ପାଠ୍ୟପୁସ୍ତକଗୁଡ଼ିକର ସମୀକ୍ଷା ଚାଲିଛି ଏବଂ ଭବିଷ୍ୟତରେ ତ୍ରୁଟିମୁକ୍ତ ସଂସ୍କରଣ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଛି। ସମ୍ପୂର୍ଣ୍ଣ ସଂଶୋଧିତ ପୁସ୍ତକ ଆଗାମୀ ଶିକ୍ଷାବର୍ଷରେ ନୁହେଁ, ବରଂ ୨୦୨୭-୨୮ ଶିକ୍ଷାବର୍ଷରୁ ଉପଲବ୍ଧ ହେବା ସମ୍ଭାବନା ରହିଛି।

ଉଠୁଛି ଅନେକ ପ୍ରଶ୍ନ
ଏହି ପ୍ରସଙ୍ଗରେ ଶିକ୍ଷାବିତ୍ ଓ ଅଭିଭାବକ ମହଲରେ କିଛି ପ୍ରଶ୍ନ ଉଠୁଛି। ଯଦି ପାଠ୍ୟପୁସ୍ତକ ପ୍ରକାଶ ପୂର୍ବରୁ ସମୀକ୍ଷା ଓ ଯାଞ୍ଚ ପ୍ରକ୍ରିୟା ରହିଛି, ତେବେ ଏତେ ସଂଖ୍ୟକ ତ୍ରୁଟି କିପରି ରହିଗଲା? ଏହା ସହିତ ତ୍ରୁଟି ସଂଶୋଧନର ଦାୟିତ୍ୱ ଶିକ୍ଷକମାନଙ୍କ ଉପରେ ଦିଆଯିବାକୁ ନେଇ ମଧ୍ୟ ମତଭେଦ ଦେଖାଦେଇଛି।
କେତେକ ଶିକ୍ଷାବିତ୍ ମନେ କରୁଛନ୍ତି ଯେ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ଅଧିକ ଜବାବଦେହିତା ଓ ଗୁଣାତ୍ମକ ଯାଞ୍ଚ ଆବଶ୍ୟକ। ଅନ୍ୟପଟେ, ବିଭାଗ କହୁଛି ଯେ ଭବିଷ୍ୟତରେ ଏଭଳି ତ୍ରୁଟି ଏଡ଼ାଇବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।
ତଦନ୍ତ କମିଟି ଉପରେ ନଜର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତିନିଜଣିଆ କମିଟି ଏବେ ପାଠ୍ୟପୁସ୍ତକ ତ୍ରୁଟି ପଛରେ ଥିବା କାରଣ ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରିବ। କମିଟିର ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।
ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନଦଣ୍ଡ ବଜାୟ ରଖିବା ଏବଂ ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ପାଠ୍ୟସାମଗ୍ରୀ ଯୋଗାଇବା ଏବେ ଶିକ୍ଷା ବିଭାଗ ପାଇଁ ଏକ ବଡ଼ ଆହ୍ୱାନ ହୋଇପଡ଼ିଛି।
AlsoRead; https://purvapaksa.com/modi-assassination-attempt-blueprint-for-major-drone-attack-on-india/


