ଛତିଶଗଡ଼ରେ ଏନକାଉଣ୍ଟର; ୭ ମାଓବାଦୀ ନିପାତ
ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପଲ୍ଲୀ ଗ୍ରାମରେ ସନ୍ଦିଗ୍ଧ ମାଓବାଦୀ କାର୍ଯ୍ୟକଳାପକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏକ ଟିମ୍ ଗୁରୁବାର ଚଢ଼ାଉ କରିଛି। ହାଇଦ୍ରାବାଦରୁ ଆସିଥିବା ଏହି ଟିମ୍ ରାତି ପ୍ରାୟ ୩ଟାରେ ଗାଁରେ ପହଞ୍ଚି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଓ ଜିଲ୍ଲା ସ୍ୱେଚ୍ଛାସେବୀ ବଳ (ଡିଭିଏଫ୍) ମାଲକାନଗିରି ସହାୟତାରେ ମଣ୍ଟୋସ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା। ତା’ର ଦୁଇ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା।
ପଡ଼ୋଶୀ ଛତିଶଗଡ଼ର ସୁକମା ଅଞ୍ଚଳର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନଆଇଏ ଏପର୍ଯ୍ୟନ୍ତ ଏହି ଚଢ଼ାଉ ସମ୍ପର୍କିତ କୌଣସି ଆନୁଷ୍ଠାନିକ ବିବୃତି ଜାରି କରିନାହିଁ। ସୁକମା ଜିଲ୍ଲାର ଚିନ୍ତଲନାରର ମଣ୍ଟୋସ ମଣ୍ଡଳ (୨୮) ଏବଂ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଏସ୍ ନାଗାର୍ଜୁନ ନାମକ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଜବତ କରିବାର ତିନି ମାସ ପରେ ପୁଲିସ ମାଓବାଦୀ ଯୋଗାଣ ନେଟୱାର୍କର ପର୍ଦ୍ଦାଫାସ କରିଛି। ସେମାନଙ୍କୁ ଗିରଫ କରିବା ପରେ ପାଟଣାଗଡ଼ ଦେବୀ ଛକରୁ ୨ ବକ୍ସ ପୋଟାସିୟମ ନାଇଟ୍ରେଟ୍, ୨ କେଜି ୟୁରିଆ ପାଉଡର, ୩ ବକ୍ସ ଆଲୁମିନିୟମ ପାଉଡର, ଗୋଟିଏ ଟିଫିନ୍ ବୋମା, ୨ଟି ଡେଟୋନେଟର, ମାଓବାଦୀ ସାହିତ୍ୟ, ଗୋଟିଏ ଲାପଟପ୍, ଗୋଟିଏ ମୋବାଇଲ୍ ସିମ୍ କାର୍ଡ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
୨୦୨୦ ମସିହାରୁ ପିପୁଲ୍ସ ଲିବରେସନ ଗେରିଲା ଆର୍ମି (ପିଏଲଜିଏ) ବାଟାଲିୟନ ନମ୍ବର ୧କୁ ବନ୍ଧୁକ ପାଉଡର, ବିସ୍ଫୋରକ ସାମଗ୍ରୀ, ରାସାୟନିକ ପଦାର୍ଥ, ଡେଟୋନେଟର, ୱାକି-ଟକି ଓ ରାସନ ସାମଗ୍ରୀ ଯୋଗାଉଥିବା ଦୁହେଁ ସ୍ୱୀକାର କରିଛନ୍ତି। ଗତ ମାସରେ ମାଲକାନଗିରି ପୁଲିସ ଏମଭି-୭୯ ଥାନା ଅନ୍ତର୍ଗତ କୁର୍ତ୍ତି ଜଙ୍ଗଲରୁ ଉଦୟ ପ୍ରୋଟେକ୍ସନ ଟିମର ଜଣେ ସଦସ୍ୟଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କା ପୁରସ୍କାର ସହ ଗିରଫ କରିଥିଲା। ୨୦୧୮ରୁ ୨୦୨୧ ମଧ୍ୟରେ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ସୁରକ୍ଷା ବାହିନୀ ସହ ହୋଇଥିବା ୯ଟି ଗୁଳିବିନିମୟ ଘଟଣାରେ ସେ ସମ୍ପୃକ୍ତ ଥିବା ଦକ୍ଷିଣ-ପଶ୍ଚିମ ରେଞ୍ଜର ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।
ଅନ୍ୟପଟେ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ରାତି ପ୍ରାୟ ୩ଟା ବେଳେ ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ମିଳିତ ଟିମ୍ ମାଓ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ଏହି ଅପରେସନରେ ନାରାୟଣପୁର, ଦାନ୍ତେଓ୍ଵାଡା, ବସ୍ତର ଓ କୋଣ୍ଡାଗାଓଁ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ଙ୍କ ସମେତ ସିଆରପିଏଫ ଟିମ୍ ସାମିଲ ହୋଇଥିଲେ। ଗୁଳି ବିନିମୟ ବନ୍ଦ ହେବା ପରେ ୟୁନିଫର୍ମ ପିନ୍ଧିଥିବା ୭ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।
previous article:https://purvapaksa.com/work-on-subarnarekha-port-to-begin-soon/
