Isckon-Bangladesh : ନିଜକୁ ତଥାକଥିତ ପ୍ରଗତିଶୀଳ ବୋଲି ଦାବି କରୁଥିବା ନୋବେଲ ବିଜେତା ବାଂଲାଦେଶୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ଶାସନରେ ଇସ୍କନ୍କୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ରାଜନୈତିକ ହସ୍ତକ୍ଷେପ,ବଢ଼ୁଥିବା ଇସ୍ଲାମିକ ଭାବନାର ପରିଣାମ ବୋଲି ମନେହେଉଛି ।
ଗତ କିଛିଦିନ ହେବ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା ଚେତନା (ଇସ୍କନ୍)କୁ ନେଇ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଯେଉଁଥିପାଇଁ ଏହି ସଂଗଠନକୁ ନିଷିଦ୍ଧ କରିବାକୁ ଦାବି ହେଉଛି। ଅଗଷ୍ଟ ୫, ୨୦୨୪ରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସରକାର ପତନ ପରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଏହି ସମୟରେ ବାଂଲାଦେଶର ଇସ୍କନ୍ ମନ୍ଦିର ପ୍ରଥମ ହିନ୍ଦୁ ଧର୍ମାନୁଷ୍ଠାନ ଥିଲା ଯାହା ହିନ୍ଦୁଙ୍କୁ ଏକାଠି କରି ରାସ୍ତାକୁ ଓହ୍ଲାଇଥିଲା। ସେବେଠାରୁ ବାଂଲାଦେଶୀ ମୁସଲିମ୍ ମୌଳବାଦୀଙ୍କ ଟାର୍ଗେଟରେ ଇସ୍କନ୍ ରହି ଆସିଛି। ଏବେ ନିଜକୁ ତଥାକଥିତ ପ୍ରଗତିଶୀଳ ବୋଲି ଦାବି କରୁଥିବା ନୋବେଲ ବିଜେତା ବାଂଲାଦେଶୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ଶାସନରେ ଇସ୍କନ୍କୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ରାଜନୈତିକ ହସ୍ତକ୍ଷେପ,ବଢ଼ୁଥିବା ଇସ୍ଲାମିକ ଭାବନାର ପରିଣାମ ବୋଲି ମନେହେଉଛି ।
କିଛିଦିନ ତଳେ ଆତଙ୍କବାଦୀ ଇସ୍ଲାମିକ ସଂଗଠନ ହେଫାଜତ–ଏ–ଇସ୍ଲାମ ଶୁକ୍ରବାର ନମାଜ ପରେ ଇସ୍କନ୍ ବିରୋଧରେ ଏକ ରାଲି କରିଥିଲା। ଏହି ସମୟରେ ଇସ୍କନ୍ ମନ୍ଦିରର ଶ୍ରଦ୍ଧାଳୁଙ୍କୁ ଧରି ହତ୍ୟା କରିବାକୁ ସ୍ଲୋଗାନ ଦିଆଯାଇଥିଲା। ଏହାବ୍ୟତୀତ ଇସ୍କନ୍ ମନ୍ଦିର ଉପରେ ପ୍ରତିବନ୍ଧକ ନ ଲଗାଇଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ।
ହସିନା ଦେଶ ଛାଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଛି
ଶେଖ୍ ହସିନାଙ୍କ ଇସ୍ତଫା ପରେ ଦେଶରେ ଉତ୍ତେଜନା ପ୍ରକାଶ ପାଇବା ପରେ ବାଂଲାଦେଶର ଖୁଲନା ଡିଭିଜନର ମେହେରପୁରସ୍ଥିତ ଇସ୍କନ୍ ମନ୍ଦିରରେ ଭଙ୍ଗାରୁଜା ଓ ନିଆଁ ଲଗାଇ ଦିଆଯାଇଥିଲା। ନିଶ୍ଚିତଭାବେ ଶେଖ୍ ହସିନାଙ୍କ ବହିଷ୍କାର ପରେ ଏହା ଏକ ରାଜନୈତିକ ହଟଚମଟ ଥିଲା। କିନ୍ତୁ ଏହି ପରିବର୍ତ୍ତନ ପରେ ବିଭିନ୍ନ ଗୋଷ୍ଠୀ ନିଜର ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏମାନଙ୍କ ମଧ୍ୟରେ ମୌଳବାଦୀ ଇସ୍ଲାମିକ ଗୋଷ୍ଠୀ ସାମିଲ ଅଛନ୍ତି। ହସିନାଙ୍କ ପରେ ଆସିଥିବା ୟୁନୁସ୍ ସରକାର ମୁସ୍ଲିମ ମୌଳବାଦୀଙ୍କୁ ଖୁସି କରିବା ପାଇଁ ଇସ୍କନ୍କୁ ଟାର୍ଗେଟ୍ କରିବାକୁ ଇସ୍ଲାମିକ ସଂଗଠନଗୁଡ଼ିକୁ ଅନୁମତି ଦେଉଛନ୍ତି। ଏହା ଇସ୍ଲାମିକ ଗୋଷ୍ଠୀମାନଙ୍କୁ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ଦେଇଥିଲା।
କାହିଁକି ଇସ୍କନ୍କୁ ଟାର୍ଗେଟ କରାଯାଉଛି?
ବାଂଲାଦେଶରେ ଇସ୍କନ୍ ହିଂସା ସୃଷ୍ଟି କରିବା ସହ ଏକ ରାଜନୈତିକ ଦଳ ସହ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଏହି ରାଜନୈତିକ ଦଳ ଆଉ କେହି ନୁହଁନ୍ତି ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ । ଆୱାମୀ ଲିଗ୍କୁ ଦେଶରେ ସକ୍ରିୟ ଥିବା ଅନେକ ଉଗ୍ରବାଦୀ ଗୋଷ୍ଠୀ ବିରୋଧ କରୁଛନ୍ତି। ସୋସିଆଲ ମିଡିଆରେ #BanISKCON ଓ #ISKCONisTerrorist ଭଳି ହ୍ୟାସଟ୍ୟାଗ ସହ ଅଭିଯାନ ଚାଲିଛି। ଏଥିରେ ଏହି ସଂଗଠନକୁ ଏକ ବିପଦଭାବେ ଉପସ୍ଥାପିତ କରାଯିବା ସହ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଧାର୍ମିକ ନିର୍ଯାତନା ବିରୋଧରେ ବିକ୍ଷୋଭ ସମୟରେ ଇସ୍କନ୍ ସଦସ୍ୟଙ୍କ ସହ ହିଂସାତ୍ମକ ଘଟଣା ଘଟିବା ପରେ ଏହି ଅଭିଯାନ ଜୋର ଧରିଥିଲା।
ଏହା ଏକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ
ଇସ୍କନ୍କୁ ଟାର୍ଗେଟ କରିବା କେବଳ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାମୂହିକ ପ୍ରସଙ୍ଗ ମଧ୍ୟ। ବାଂଲାଦେଶ ସନାତନ ଜାଗରଣ ମଞ୍ଚ, ଯେଉଁଥିରେ ଇସ୍କନ୍ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି, ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବିଶାଳ ରାଲି ଆୟୋଜନ କରିଥିଲା। ଇସ୍କନ୍ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ହିନ୍ଦୁ ଅଧିକାର ଏବଂ ସେମାନଙ୍କ ପରିଚୟକୁ ଦମନ କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି, ଯାହା ଇସ୍ଲାମିକ ସଂଗଠନଗୁଡ଼ିକର ଚାପ ମଧ୍ୟରେ ଘଟୁଛି। ଇସ୍କନ୍କୁ ନିଷିଦ୍ଧ କରିବା ବାଂଲାଦେଶର ହିନ୍ଦୁ ସମ୍ପ୍ରଦାୟକୁ ନିରାଶ କରିପାରେ। ଖାଲି ସେତିକି ନୁହେଁ, ନିଜ ଅଧିକାରକୁ ନେଇ ଚୁପ୍ ରହିବାର ପ୍ରବୃତ୍ତି ମଧ୍ୟ ବଢ଼ିପାରେ। ହିନ୍ଦୁ ସମ୍ପ୍ରଦାୟର ନେତାମାନେ ଚିନ୍ତିତ ଅଛନ୍ତି ଯେ ଏଭଳି ପଦକ୍ଷେପ ସେମାନଙ୍କ ହିଂସାକୁ ପ୍ରୋତ୍ସାହିତ କରିବ।
ଉତ୍ତେଜନା ବଢ଼ିପାରେ
ଇସ୍କନ୍ ବିରୋଧରେ ଆସିଥିବା ଅଭିଯୋଗ ବାଂଲାଦେଶରେ ଅଧିକ ଅଶାନ୍ତି ସୃଷ୍ଟି କରିପାରେ। କାରଣ ଉଗ୍ରବାଦୀ ଗୋଷ୍ଠୀମାନେ ହିନ୍ଦୁ ଅନୁଷ୍ଠାନ ବିରୋଧରେ ପ୍ରଦର୍ଶନ ଏବଂ ହିଂସାକୁ ଯୁକ୍ତିଯୁକ୍ତ କରିବା ପାଇଁ ଏହି ପରିସ୍ଥିତିକୁ ବ୍ୟବହାର କରିପାରିବେ। ପ୍ରତିଶୋଧର ଏହି ଚକ୍ର ପୂର୍ବରୁ ଅସ୍ଥିର ପରିବେଶରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ଆହୁରି ବଢ଼ାଇପାରେ। ଇସ୍କନର ଆନ୍ତର୍ଜାତିକ ଉପସ୍ଥିତିକୁ ଦୃଷ୍ଟିରେ ରଖି ଏହା ବିରୋଧରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାର ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିବ। ଏହାର କୂଟନୈତିକ ପରିଣାମ ହେବ ଏବଂ ଦେଶରେ ସଂଖ୍ୟାଲଘୁ ଅଧିକାର ପାଇଁ ସମର୍ଥନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ।
ବାଂଲାଦେଶରେ କେତେ ଇସ୍କନ୍ ମନ୍ଦିର ଅଛି?
ବାଂଲାଦେଶରେ ଇସ୍କନର ଭଲ ନେଟୱର୍କ ରହିଛି। ସେମାନଙ୍କ ମନ୍ଦିରର ନେଟୱାର୍କ ସମଗ୍ର ଦେଶରେ ବିସ୍ତାରିତ। ଇସ୍କନ୍ ମନ୍ଦିର ଢାକା, ମୈମେନସିଂହ, ରାଜସାହି, ରଙ୍ଗପୁର, ଖୁଲନା, ବରିଶାଲ, ଛଟଗାଁ ଓ ସିଲହାଟରେ ରହିଛି। ବାଂଲାଦେଶରେ ଇସ୍କନ୍ ଅନୁଗାମୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ବାଂଲାଦେଶରେ ଏତେ ସଂଖ୍ୟକ ମନ୍ଦିର ଥିବା ଏହି ସଂଗଠନ ପାଖରେ ମଧ୍ୟ ପ୍ରଚୁର ସମ୍ପତ୍ତି ରହିବ। ଇସ୍କନ୍ ଯେକୌଣସି ବିପର୍ଯ୍ୟୟ ସମୟରେ ରିଲିଫ୍ କାର୍ଯ୍ୟ କରୁଛି। ଏଥର ମଧ୍ୟ ସେ ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ୍ କ୍ୟାମ୍ପ ସ୍ଥାପନ କରିଥିଲେ।
