କେନ୍ଦ୍ର କ୍ୟାବିନେଟ୍ରେ ଏହି ବିଲ୍ଗୁଡ଼ିକୁ ନେଇ ମୋହର ବାଜିବା ପରେ ଏବେ ଓଡ଼ିଶାର ରାଜନୀତିରେ ଏକ ବଡ଼ ହଲଚଲ୍ ସୃଷ୍ଟି ହୋଇଛି। ଆସନ ବଢ଼ିବ କି? କେଉଁ ଲୋକସଭା ଆସନ ଭାଙ୍ଗିବ? କେଉଁ ବ୍ଲକ୍କୁ ନେଇ ନୂଆ ବିଧାନସଭା ଆସନ ଗଠନ ହେବ? ମହିଳାଙ୍କ ପାଇଁ କେତେ ଆସନ ସଂରକ୍ଷିତ ରହିବ? ଏବଂ ଏସସି-ଏସ୍ଟି ସଂରକ୍ଷଣର କ’ଣ ହେବ? ଏହି ସମସ୍ତ ପ୍ରଶ୍ନ ଏବେ ଓଡ଼ିଶାର ଗଳିକନ୍ଦିରୁ ନେଇ ରାଜନୈତିକ କରିଡର୍ ପର୍ଯ୍ୟନ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଏବେ ଆମ ରାଜ୍ୟ ଓଡ଼ିଶାରେ ୨୧ଟି ଲୋକସଭା ଆସନ ଏବଂ ୧୪୭ଟି ବିଧାନସଭା ଆସନ ରହିଛି। ଯଦି ୫୦ ପ୍ରତିଶତ ହିସାବରେ ଆସନ ବଢ଼େ, ତେବେ ଲୋକସଭା ଆସନ ସଂଖ୍ୟା ବଢ଼ି ୩୧ ହୋଇପାରେ। ଅନ୍ୟପଟେ ବିଧାନସଭା ଆସନ ସଂଖ୍ୟା ୬୦ରୁ ୮୦ ପର୍ଯ୍ୟନ୍ତ ବଢ଼ିଯାଇପାରେ।
/odishatv/media/post_attachments/uploadimage/library/16_9/16_9_0/recent_photo_1725429028.jpg)
ଯେତେବେଳେ ଏତେ ସଂଖ୍ୟାରେ ଆସନ ବଢ଼ିବ, ଓଡ଼ିଶାର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ଏହା କେବଳ ସଂଖ୍ୟାର ଖେଳ ନୁହେଁ। ପ୍ରତି ଜିଲ୍ଲାରେ ନୂଆ ରାଜନୈତିକ ସମୀକରଣ ତିଆରି ହେବ। ଯେଉଁ ନେତାମାନେ ଆଜି ନିଜ ନିଜ ନିର୍ବାଚନମଣ୍ଡଳୀରେ ନିଜକୁ ସୁରକ୍ଷିତ ମଣୁଛନ୍ତି, ସେମାନଙ୍କ ପାଇଁ ଆଗାମୀ ଦିନରେ ସବୁକିଛି ବଦଳିଯାଇପାରେ।
କିନ୍ତୁ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି—ଲୋକସଭା ଆସନ ୩୧ ଆକଳନ କରାଯାଉଥିବା ବେଳେ, ବିଧାନସଭା ଆସନ ସଂଖ୍ୟାକୁ ନେଇ ଗଣିତ ଏତେ ଜଟିଳ କାହିଁକି?
ଏହାର ମୁଖ୍ୟ କାରଣ ହେଉଛି ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ କମିସନ। ପ୍ରାରମ୍ଭିକ ଆକଳନ ଅନୁସାରେ, ୨୦୧୧ ଜନଗଣନା ଆଧାରରେ ହିଁ ଆସନ ବଣ୍ଟାଯିବାର ଚର୍ଚ୍ଚା ହେଉଛି। କିନ୍ତୁ ଯେତେବେଳେ ସୀମା ପୁନଃନିର୍ଦ୍ଧାରଣ କମିସନ ଗଠନ ହେବ, ସେମାନେ ଲୋକସଂଖ୍ୟା, ଭୌଗୋଳିକ ସ୍ଥିତି ଏବଂ ଅନ୍ୟାନ୍ୟ ମାପଦଣ୍ଡକୁ ଆଧାର କରି ଯେଉଁ ହିସାବରେ ଅଞ୍ଚଳଗୁଡ଼ିକୁ ବାଣ୍ଟିବେ, ସେହି ଅନୁସାରେ ହିଁ ପ୍ରକୃତ ବିଧାନସଭା ଆସନ ସଂଖ୍ୟା ସ୍ଥିର ହେବ।
ତେଣୁ ଏବେ ଏହି ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ବରଂ ଅସ୍ପଷ୍ଟ ପ୍ରାୟ। ରାଜନୈତିକ ମହଲରେ କେବଳ ଭିନ୍ନ ଭିନ୍ନ ଆକଳନ ଚାଲିଛି। କିଏ କହୁଛି ୬୦ ବଢ଼ିବ, ତ ଆଉ କିଏ କହୁଛି ୮୦ ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ଯେଉଁ ଅଞ୍ଚଳରେ ଜନସଂଖ୍ୟା ବଢ଼ିଛି କିମ୍ବା ଭୌଗୋଳିକ ଦୃଷ୍ଟିରୁ ନିର୍ବାଚନମଣ୍ଡଳୀ ବଡ଼ ହୋଇଯାଇଛି, ସେଠାରେ ନୂଆ ଆସନ ଗଠନ ହେବାର ସମ୍ଭାବନା ସବୁଠାରୁ ଅଧିକ।
ଆଲୋଚନା ଅନୁସାରେ, ମୟୂରଭଞ୍ଜ, ବ୍ରହ୍ମପୁର, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଭଳି ବଡ଼ ବଡ଼ ଲୋକସଭା ଆସନଗୁଡ଼ିକର ଭୌଗୋଳିକ ସୀମା ବଦଳିପାରେ। ଏଗୁଡ଼ିକ ଆକାର ଏବଂ ଲୋକସଂଖ୍ୟା ଦୃଷ୍ଟିରୁ ବଡ଼ ହୋଇଥିବାରୁ, ଏଠାରେ ନୂଆ ନିର୍ବାଚନମଣ୍ଡଳୀ ସୃଷ୍ଟି ହେବା କିମ୍ବା ପୁରୁଣା ସୀମା ଭାଙ୍ଗି ନୂଆ ରୂପ ନେବାର ଚର୍ଚ୍ଚା ହେଉଛି।

କିନ୍ତୁ କଥା କେବଳ ଏତିକିରେ ସୀମିତ ନୁହେଁ। ରାଜ୍ୟର ପ୍ରାୟ ସବୁ ନିର୍ବାଚନମଣ୍ଡଳୀର ଚେହେରା ବଦଳିଯିବାର ସମ୍ଭାବନା ରହିଛି। କେଉଁ ବ୍ଲକ୍କୁ କାଟି କେଉଁ ନୂଆ ବିଧାନସଭା ଆସନ ଗଠନ ହେବ, କିମ୍ବା କେଉଁ ପଞ୍ଚାୟତ ଅନ୍ୟ ନିର୍ବାଚନମଣ୍ଡଳୀ ସହିତ ଯୋଡ଼ି ହେବ—ଏସବୁ କମିସନଙ୍କ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ।
ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ ହେଉଛି, ଆପଣଙ୍କ ଭୋଟ୍ କେନ୍ଦ୍ର ଏବଂ ଆପଣଙ୍କ ପ୍ରତିନିଧିଙ୍କ ନିର୍ବାଚନମଣ୍ଡଳୀର ସୀମା ଆଗାମୀ ନିର୍ବାଚନ ବେଳକୁ ଭିନ୍ନ ହୋଇପାରେ।
ଏହି ପୂରା ଆଲୋଚନାର ଆଉ ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମହିଳା ସଂରକ୍ଷଣ।
ଯଦି ଆକଳନ ସତ ହୁଏ, ତେବେ ଓଡ଼ିଶାରେ ଲୋକସଭା ପାଇଁ ୧୦ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିପାରେ। ସେହିପରି ବିଧାନସଭାରେ ପାଖାପାଖି ୭୦ଟି ଆସନରୁ ମହିଳା ପ୍ରାର୍ଥୀ ଲଢ଼ିବାର ସମ୍ଭାବନା ରହିଛି।
ଆପଣ ଭାବନ୍ତୁ, ଓଡ଼ିଶା ରାଜନୀତିରେ ଏହା କେତେ ବଡ଼ ପରିବର୍ତ୍ତନ ଆଣିବ! ଯେଉଁଠି ଏପର୍ଯ୍ୟନ୍ତ ଅନେକ ଆସନରେ ପୁରୁଷ ନେତାଙ୍କ ଏକଚାଟିଆ ପ୍ରଭାବ ରହିଥିଲା, ସେଠାରେ ଏବେ ମହିଳାଙ୍କ ଭାଗିଦାରୀ ବହୁଗୁଣ ବଢ଼ିବ। ମହିଳା ସଂରକ୍ଷଣର ଭିତ୍ତି କ’ଣ ହେବ, କେଉଁ ଆସନ ଗୁଡ଼ିକୁ ରୋଟେସନ୍ ବା ଅନ୍ୟ ନିୟମ ଅନୁସାରେ ମହିଳାଙ୍କ ପାଇଁ ସଂରକ୍ଷିତ କରାଯିବ—ତାହାକୁ ନେଇ ଏବେ ସବୁଠାରୁ ଅଧିକ ଉତ୍କଣ୍ଠା ଲାଗି ରହିଛି। କାରଣ ଯଦି କୌଣସି ପୁରୁଷ ନେତାଙ୍କ ସିଟ୍ ମହିଳା ସଂରକ୍ଷିତ ହୋଇଯାଏ, ତେବେ ତାଙ୍କୁ ନୂଆ ଆସନ ଖୋଜିବାକୁ ପଡ଼ିବ।
ମହିଳା ସଂରକ୍ଷଣ ସହିତ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ସଂରକ୍ଷଣକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ସୀମା ପୁନଃନିର୍ଦ୍ଧାରଣ ଏବଂ ଜନସଂଖ୍ୟା ଅନୁପାତ ବଦଳିଲେ, କେଉଁ କେଉଁ ଆସନ ଏସସି ବା ଏସ୍ଟିଙ୍କ ପାଇଁ ସଂରକ୍ଷିତ ରହିବ, ତାହା ମଧ୍ୟ ପୁଣିଥରେ ନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି।
ଏହି କାରଣରୁ ଆଜି ଦଳମତ ନିର୍ବିଶେଷରେ ପ୍ରାୟ ସବୁ ନେତା ନିଜ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ—‘ମୋ ଆସନ ସୁରକ୍ଷିତ ରହିବ ତ? ସୀମା ବଦଳିଲେ ମୋ ଭୋଟ୍ ବ୍ୟାଙ୍କ ବଞ୍ଚିବ ତ? ମହିଳା ସଂରକ୍ଷଣ ଆସିଲେ ମୋ ସିଟ୍ର ରୂପ କ’ଣ ହେବ?’ ଏବେ ପର୍ଯ୍ୟନ୍ତ ଯାହା କିଛି ଆମେ କହୁଛୁ, ତାହା କେବଳ ପ୍ରାରମ୍ଭିକ ଚର୍ଚ୍ଚା ଏବଂ ରାଜନୈତିକ ଆକଳନ ଉପରେ ଆଧାରିତ। ବିଲ୍ର ବିସ୍ତୃତ ରୂପରେଖ ଏବଂ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ଆସିବା ପରେ ହିଁ ବାସ୍ତବ ଚିତ୍ର ଆହୁରି ସ୍ପଷ୍ଟ ହେବ।
also read
https://purvapaksa.com/if-the-bjd-extends-support-its-a-goner-if-it-doesnt-its-still-a-goner/

