କ୍ଷମତା ମଣିଷକୁ ଅନ୍ଧ କରିଦିଏ ବୋଲି ଗୋଟିଏ ପୁରୁଣା କଥା ଅଛି। କିନ୍ତୁ କ୍ଷମତା ପାଇବାର ଏତେ କମ୍ ସମୟ ଭିତରେ ଗୋଟିଏ ରାଜନୈତିକ ଦଳ ଭିତରେ ଥିବା ସବୁ ଅନୁଶାସନ ଏମିତି ତାସ୍ ଘର ଭଳି ଭାଙ୍ଗି ପଡ଼ିବ—ଏହା ହୁଏତ ଓଡ଼ିଶାର ସଚେତନ ମତଦାତା କେବେ କଳ୍ପନା କରିନଥିଲେ।
ଦୀର୍ଘ ଦୁଇ ଦଶନ୍ଧି ଧରି ଯେଉଁ ବିଜେପି ରାଜ୍ୟରେ ଶୃଙ୍ଖଳା, ନୀତି, ସଂଘୀୟ ଆଦର୍ଶ ଆଉ ଦଳୀୟ ଅନୁଶାସନର ଡିଣ୍ଡିମ ପିଟୁଥିଲା, ଆଜି ସେହି ବିଜେପିର ପ୍ରକୃତ ଚେହେରା ସାମ୍ନାକୁ ଆସିଛି। ରାଜ୍ୟ ବିଜେପିର ଦୁଇ ଦିନିଆ ବହୁଚର୍ଚ୍ଚିତ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। କେନ୍ଦ୍ରୀୟ ସଂଗଠନ ସମ୍ପାଦକ ବି.ଏଲ. ସନ୍ତୋଷ ଆସିଲେ, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ପହଞ୍ଚିଲେ। ମନ୍ତ୍ରୀ, ବିଧାୟକ, ସାଂସଦ ଓ କାର୍ଯ୍ୟକର୍ତ୍ତାଙ୍କୁ ଏକାଠି ବସାଇ ବିଜୟର ମନ୍ତ୍ର ଶିଖାଇବାକୁ ଚେଷ୍ଟା କଲେ।
କିନ୍ତୁ ଫଳାଫଳ କ’ଣ ହେଲା? ଗତ ୧ ତାରିଖରେ ଆମେ ଏହି କାର୍ଯ୍ୟକ୍ରମରେ ଯେଉଁ ଆଶଙ୍କା ପ୍ରକାଶ କରିଥିଲୁ, ଆଜି ତାହା ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି। ଆମେ ପ୍ରଶ୍ନ କରିଥିଲୁ—ଏମାନେ ସୁଧୁରିବେ ତ? ଆଉ ଆଜି ତା’ର ଉତ୍ତର ସ୍ପଷ୍ଟ ମିଳିସାରିଛି: ନା, ଏମାନେ ସୁଧୁରିବାର ନାଁ ଗନ୍ଧ ବି ନେଉ ନାହାନ୍ତି। ମତଦାତାଙ୍କର ଏବେଠାରୁ ମୋହଭଙ୍ଗ ଆରମ୍ଭ ହେଲାଣି, ଅଥଚ ରାଜ୍ୟର ବିଜେପିର ଭାଗ୍ୟବିଧାତା ବୋଲି ନିଜକୁ ଭାବୁଥିବା ବରିଷ୍ଠ ନେତାମାନେ ନିଜ ନିଜ ଅହଂକାର ଆଉ କ୍ଷମତାର ଅପପ୍ରୟୋଗରେ ମସଗୁଲ।
ଗାଏବ ତାଲିକା: କେନ୍ଦ୍ରୀୟ ନେତୃତ୍ୱଙ୍କ ମୁହଁରେ ଶକ୍ତ ଚାପୁଡ଼ା
ଟିକେ ଗଭୀର ଭାବେ ବୁଝନ୍ତୁ ଘଟଣାଟି କ’ଣ। ରାଜ୍ୟରେ ନିଜ ଦଳର ସରକାର ଅଛି। ଦିଲ୍ଲୀରୁ ସବୁଠୁ ଶକ୍ତିଶାଳୀ ଦୁଇଜଣ ସାଂଗଠନିକ ନେତା ବି.ଏଲ. ସନ୍ତୋଷ ଓ ସୁନୀଲ ବଂଶଲ ଉପସ୍ଥିତ ଅଛନ୍ତି। କିନ୍ତୁ ସଭା ମଞ୍ଚ ଆଡ଼କୁ ଅନାଇଲେ କ’ଣ ଦିଶୁଛି?
ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଥିବା ୫ ଜଣ ବଡ଼ ମୁହଁ ସେଠାରେ ନାହାନ୍ତି।
- ସମ୍ବଲପୁରରୁ ଜିତିଥିବା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାହାନ୍ତି।
- କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନାହାନ୍ତି।
- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ।
- କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ନାହାନ୍ତି।
- ଓଡ଼ିଶାରୁ ରାଜ୍ୟସଭା ଯାଇ ମୋଦୀ ସରକାରରେ ବଡ଼ ଦାୟିତ୍ୱ ସମ୍ଭାଳୁଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ନାହାନ୍ତି।
ଏହା କ’ଣ କେବଳ ଏକ ସାଧାରଣ ଅନୁପସ୍ଥିତି? ଦଳୀୟ ପ୍ରବକ୍ତାମାନେ କ୍ୟାମେରା ଆଗରେ ଆସି ବାହାନା କରିବେ—”ଅପରାଜିତା ବିଦେଶରେ ଅଛନ୍ତି”, “ଧର୍ମେନ୍ଦ୍ର ପ୍ରଧାନଙ୍କର ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକ୍ରମ ଥିଲା”, “ଜୁଏଲ ବାବୁଙ୍କ ଦେହ ଖରାପ ଥିଲା।” କିନ୍ତୁ ରାଜନୀତି କରୁଥିବା ଲୋକ ଆଉ ରାଜନୀତି ଦେଖୁଥିବା ଜନତା ଏତେ ବୋକା ନୁହଁନ୍ତି। ଯେଉଁଠି ଦଳର ସର୍ବୋଚ୍ଚ ସାଂଗଠନିକ ମଙ୍ଗୁଆଳ ବସିଛନ୍ତି, ସେଠାରେ ଗୋଟିଏ ରାଜ୍ୟର ସବୁଠୁ ବଡ଼ ୫ ଜଣ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଏକାସାଙ୍ଗରେ ନିଖୋଜ ରହିବା କୌଣସି ସଂଯୋଗ ନୁହେଁ। ଏହା ହେଉଛି ଖୋଲାଖୋଲି ବୟକଟ୍। ଏହା ହେଉଛି କେନ୍ଦ୍ରୀୟ ନେତୃତ୍ୱଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା।
ଗୋଷ୍ଠୀ ବିବାଦର ଅସଲ କାରଣ: ଅହିନକୁଳ ସମ୍ପର୍କର ଇତିହାସ
ଏହି ନେତାମାନଙ୍କ ମନରେ କେଉଁ ବିଷ ବସା ବାନ୍ଧିଛି?
1. ପ୍ରଥମେ ଆସନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ। ୨୦୧୪ରୁ ୨୦୨୪—ଏହି ଦଶନ୍ଧି ଧରି ଓଡ଼ିଶା ବିଜେପି କହିଲେ ଲୋକେ କେବଳ ଜଣଙ୍କୁ ବୁଝୁଥିଲେ, ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଇଙ୍ଗିତ ବିନା ଦଳରେ ପତ୍ରଟିଏ ବି ହଲୁ ନଥିଲା। କିନ୍ତୁ ଆଜି? ରାଜ୍ୟରେ ସରକାର ଗଠନ ହେବା ପରେ, ସରକାରୀ ପ୍ରଶାସନ ଓ ରାଜ୍ୟ ସଙ୍ଗଠନ ଉପରୁ ତାଙ୍କର ଏକଚାଟିଆ ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନର ରାଜ୍ୟ ସଂଗଠନ ଏବଂ ସରକାରଙ୍କ ଭିତରେ ଥିବା କିଛି ପ୍ରଭାବଶାଳୀ ଗୋଷ୍ଠୀ ସହିତ ଧର୍ମେନ୍ଦ୍ରଙ୍କ ସମ୍ପର୍କ ଏବେ ଅହିନକୁଳ ଭଳି। ସାପ ଆଉ ନେଉଳ ଯେମିତି ମୁହାଁମୁହିଁ ହେଲେ କେହି କାହାକୁ ସହ୍ୟ କରିପାରନ୍ତି ନାହିଁ, ଠିକ୍ ସେହି ଅବସ୍ଥା ଏବେ ଦେଖିବାକୁ ମିଳୁଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଟାଣୁଆ ନେତା କାର୍ଯ୍ୟକାରିଣୀକୁ ନ ଆସିବା ମାନେ, ସେ ଦଳୀୟ ସଂଗଠନକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ତାଙ୍କୁ ଅଣଦେଖା କରି କେହି ଶାନ୍ତିରେ ରହିପାରିବେ ନାହିଁ।
2. ଦ୍ୱିତୀୟ ଚରିତ୍ର ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଓଡ଼ିଶା ବିଜେପିର ଆଦିବାସୀ ମୁହଁ। ଗତ ସପ୍ତାହରେ ଜୁଏଲ ଓରାମ ଯେଉଁ ବୟାନ ଦେଇଥିଲେ, ତାହା ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଭୂକମ୍ପ ସୃଷ୍ଟି କରିଥିଲା। ସେ ଖୋଲାଖୋଲି କହିଥିଲେ ଯେ ରାଜ୍ୟ ବିଜେପିର କିଛି ନେତା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି, ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଯେତେବେଳେ ନିଜ ଦଳର ନେତାଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣନ୍ତି, ସେତେବେଳେ ବୁଝିବାକୁ ବାକି ରହେନାହିଁ ଯେ ଦଳ ଭିତରେ କେତେ ଗଭୀର ଭାବେ ଉଇ ଚରିଗଲାଣି।
3. ତୃତୀୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବୈଷ୍ଣବ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅତି ବିଶ୍ୱସ୍ତ। ସେ ଜାଣିଛନ୍ତି ଯେ ଓଡ଼ିଶା ବିଜେପିର ଏହି କାଦୁଅ ଫିଙ୍ଗାଫିଙ୍ଗି ରାଜନୀତିରେ ପଶିଲେ ତାଙ୍କ ନିଜ ଛବି ଖରାପ ହେବ। ତେଣୁ ସେ ନିଜକୁ ଏହି ଆଭ୍ୟନ୍ତରୀଣ ରାଜନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି। ଓଡ଼ିଶା ପାଇଁ ଯାହା କରିବା କଥା ଅଧିକରୁ ଅଧିକ ନୀରବରେ କରି ଚାଲିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି କେନ୍ଦ୍ରମନ୍ତ୍ରୀ ରାଜ୍ୟ ସଙ୍ଗଠନକୁ ଏଡ଼ାଇ ଚାଲିବେ, ତେବେ ସମନ୍ୱୟ ରହିବ କେମିତି?
ଆଉ ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀ। ଉଭୟ ରାଷ୍ଟ୍ରୀୟ ସ୍ତରରେ ପରିଚିତ, ଉଭୟଙ୍କର ନିଜସ୍ୱ ଏକ ବଡ଼ ଭୋଟବ୍ୟାଙ୍କ ଅଛି। କିନ୍ତୁ ରାଜ୍ୟରେ ଏମାନଙ୍କୁ କଣଠେସା କରି ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ମହଲ ଲଗାତାର ଚକ୍ରାନ୍ତ ଚଳାଇଛି। ଅପରାଜିତା ବିଦେଶରେ ଥାଇପାରନ୍ତି, କିନ୍ତୁ ବୈଜୟନ୍ତ କାହିଁକି ଆସିଲେ ନାହିଁ? ତା’ର ଉତ୍ତର କାହା ପାଖରେ ନାହିଁ।
ଜନସାଧାରଣଙ୍କ ମୋହଭଙ୍ଗ: ସ୍ୱପ୍ନ ଦେଖାଇ ଶେଷରେ ଏଇଆ?
ରାଜନୀତିରେ ନେତାମାନେ ଯୁଦ୍ଧ କରନ୍ତି ନିଜ ସ୍ୱାର୍ଥ ପାଇଁ, କିନ୍ତୁ ବଳି ପଡ଼ନ୍ତି ସାଧାରଣ ଲୋକ ଆଉ ତୃଣମୂଳ ସ୍ତରର ନିରୀହ କାର୍ଯ୍ୟକର୍ତ୍ତା।
ଓଡ଼ିଶାର ଜନତା ଦୀର୍ଘ ୨୪ ବର୍ଷର ନବୀନ ପଟ୍ଟନାୟକଙ୍କ ସରକାରକୁ ପରିବର୍ତ୍ତନ କଲେ କାହିଁକି? ଗୋଟିଏ ନୂଆ ଆଶା ନେଇ, ଗୋଟିଏ ସ୍ୱଚ୍ଛ ଶାସନ ପାଇଁ, ଓଡ଼ିଶାର ଦ୍ରୁତ ବିକାଶ ପାଇଁ। କିନ୍ତୁ ସରକାର ଗଢ଼ିବାର ଅଳ୍ପ କିଛି ମାସ ମଧ୍ୟରେ ଏହି ନେତାମାନେ ଜନସେବା ଭୁଲି କ୍ଷମତାର ଲୁଚକାଳି ଖେଳରେ ମାତିଗଲେ। ସଚିବାଳୟରେ କାହାର କଥା ଚଳିବ, କେଉଁ ଅଫିସର କାହା ଅଧୀନରେ ରହିବେ, ଟେଣ୍ଡର କାହା ଲୋକ ପାଇବେ, ଆଉ ସଂଗଠନରେ କାହା ଗୋଷ୍ଠୀର ଦବଦବା ରହିବ—ଏଇଥିରେ ହିଁ ସମସ୍ତ ଶକ୍ତି ଖର୍ଚ୍ଚ ହୋଇଯାଉଛି।
ଗାଁ ଗହଳିରେ ଯେଉଁ କର୍ମୀ ନିଜ ଖାଇବା ପିଇବା ଭୁଲି ବିଜେପିର ଝଣ୍ଡା ଧରି ବୁଲିଥିଲା, ସେ ଆଜି ନିଜକୁ ପ୍ରତାରିତ ମନେ କରୁଛି। ଜିଲ୍ଲା ସ୍ତରରେ କର୍ମୀମାନେ ଭାଗ ଭାଗ ହୋଇଗଲେଣି। କିଏ ଧର୍ମେନ୍ଦ୍ରଙ୍କ ଲୋକ ତ କିଏ ରାଜ୍ୟ ସଭାପତିଙ୍କ ଲୋକ, ଆଉ କିଏ ସ୍ଥାନୀୟ ମନ୍ତ୍ରୀଙ୍କ ଲୋକ। ଏହି ଗୋଷ୍ଠୀବାଦର ବିଷ ଏବେ ତୃଣମୂଳ କର୍ମୀଙ୍କ ଭିତରେ ଏମିତି ବ୍ୟାପିଛି ଯେ, ଗୋଟିଏ ବ୍ଲକରେ ବିଜେପିର ତିନି ଚାରିଟା ଗୋଷ୍ଠୀ ସାମ୍ନାସାମ୍ନି ଲଢୁଛନ୍ତି। ମତଦାତାମାନେ ଏସବୁ ଦେଖୁଛନ୍ତି। ଆଉ ସେଇଥିପାଇଁ ମୋହଭଙ୍ଗ ଆରମ୍ଭ ହୋଇଛି। ଲୋକେ କହିବା ଆରମ୍ଭ କଲେଣି—”ଏମାନଙ୍କ ଅପେକ୍ଷା ତ ପୁରୁଣା ସରକାର ଭଲ ଥିଲା, ଅନ୍ତତଃ ଏତେ କନ୍ଦଳ ତ ନଥିଲା!”
ଭବିଷ୍ୟତ ଉପରେ ପ୍ରଶ୍ନବାଚୀ: ୨୦୨୯ ପୂର୍ବରୁ ହିଁ ସବୁ ଶେଷ?
ଏହି ସ୍ଥିତି ଯଦି ଜାରି ରହେ, ତେବେ ବିଜେପିର ଭବିଷ୍ୟତ କ’ଣ? ସାମ୍ନାରେ ଆସୁଛି ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ନିର୍ବାଚନରେ କୌଣସି ମୋଦୀ ହାୱା କାମ କରେନାହିଁ, ସେଠାରେ ସାଂଗଠନିକ ଏକତା ହିଁ ବିଜୟ ଦିଏ। ଯଦି ଜିଲ୍ଲା ଓ ବ୍ଲକ ସ୍ତରରେ ନେତାମାନେ ଏମିତି ପରସ୍ପରର ଗୋଡ଼ ଟାଣିବାରେ ବ୍ୟସ୍ତ ରହିବେ, ତେବେ ବିରୋଧୀ ବିଜେଡି ଓ କଂଗ୍ରେସ ଏହାର ପୂରା ଫାଇଦା ଉଠାଇବେ।
ଆଉ ଆଗାମୀ ୨୦୨୯ ସାଧାରଣ ନିର୍ବାଚନ? ଯେଉଁମାନେ ଭାବୁଛନ୍ତି ୨୦୨୯ ଆହୁରି ବହୁତ ଦୂର, ସେମାନେ ରାଜନୀତିର ଇତିହାସ ଭୁଲିଯାଇଛନ୍ତି। ରାଜନୀତିରେ ଫାଟ ଥରେ ବଡ଼ ହୋଇଗଲେ ତାହାକୁ ଯୋଡ଼ିବା ଅସମ୍ଭବ ହୋଇପଡ଼େ। ବି.ଏଲ. ସନ୍ତୋଷ ଓ ସୁନୀଲ ବଂଶଲ ଯେଉଁ ‘ବିଜୟ ମନ୍ତ୍ର’ ପଢ଼ାଇବାକୁ ଆସିଥିଲେ, ସେହି ମନ୍ତ୍ର ଏବେ ଅସନ୍ତୋଷର ଧୂଆଁ ଭିତରେ ହଜିଯାଇଛି। କେନ୍ଦ୍ରୀୟ ହାଇକମାଣ୍ଡ ଯଦି ଏହି ଗୋଷ୍ଠୀବାଦୀ ନେତାମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଓଡ଼ିଶାରେ କ୍ଷମତା ପାଇବାର ସୁଖ ବିଜେପି ପାଇଁ କ୍ଷଣସ୍ଥାୟୀ ହୋଇ ରହିଯିବ।
ସମୟ ଆସିଛି, ନେତାମାନେ ନିଜ ଅହଂକାର ତ୍ୟାଗ କରନ୍ତୁ। ନଚେତ୍ ଓଡ଼ିଶାର ଜନସାଧାରଣ ବହୁତ ଶାନ୍ତ, କିନ୍ତୁ ଭୋଟ ବାକ୍ସରେ ସେମାନଙ୍କ ଉତ୍ତର ବହୁତ ନିଷ୍ଠୁର ହୋଇଥାଏ।


