ଦିଲ୍ଲୀର ରାଜପଥରେ ଏବେ ଯୁବଶକ୍ତିର ଆକ୍ରୋଶ ଓ ସଂଗ୍ରାମର ନିଆଁ। ବର୍ଷାର ପ୍ରବଳ ଜଳଧାରା, ପୋଲିସର କଡ଼ା ବାରିକେଡ୍ ଏବଂ ଆଗଦିନର ଲାଠିଚାଳନା ସତ୍ତ୍ୱେ ରାଜଧାନୀର ଜନ୍ତର-ମନ୍ତରରେ ପ୍ରଦର୍ଶନକାରୀଙ୍କ ଜନସମୁଦ୍ର ଦେଖିବାକୁ ମିଳିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର, ପରୀକ୍ଷା ନିୟନ୍ତ୍ରଣରେ ଅନିୟମିତତା ପ୍ରତିରୋଧ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ‘କକରୋଚ୍ ଜନତା ପାର୍ଟି’ ର ଆହ୍ୱାନରେ ହଜାର ହଜାର ଛାତ୍ର, ଯୁବକ ଓ ନାଗରିକ ଏକାଠି ହୋଇଛନ୍ତି। ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରଦର୍ଶନକାରୀଙ୍କ ଉତ୍ସାହ ଓ ସରକାରବିରୋଧୀ ନାରାବାଜିରେ କମ୍ପିଉଠିଛି ସମ୍ପୂର୍ଣ୍ଣ ସଂସଦ ମାର୍ଗ।

ବର୍ଷାରେ ଓଦା ହେଲେ, କିନ୍ତୁ ଭାଙ୍ଗିଲାନି ସାହସ
ବୁଧବାର ସକାଳୁ ଦିଲ୍ଲୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିଲା। ହେଲେ ବର୍ଷାକୁ ଖାତିର ନକରି ସକାଳୁ ହିଁ ଜନ୍ତର-ମନ୍ତର ଆଡ଼କୁ ହଜାର ହଜାର ପ୍ରଦର୍ଶନକାରୀ ଆଗେଇ ଆସିଥିଲେ। ସକାଳେ କମ୍ ସଂଖ୍ୟାରେ ଲୋକ ଥିବା ବେଳେ ମଧ୍ୟାହ୍ନ ୧୨ଟା ବେଳକୁ ଏହି ସଂଖ୍ୟା ଗୁଣାତ୍ମକ ଭାବେ ବୃଦ୍ଧି ପାଇଥିଲା। ଅପରାହ୍ନ ୨ଟା ସୁଦ୍ଧା ସମ୍ପୂର୍ଣ୍ଣ ଜନ୍ତର-ମନ୍ତର ଧରଣା ସ୍ଥଳୀ ଆବର୍ଜନା ଓ ପ୍ରଦର୍ଶନକାରୀଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇଯାଇଥିଲା।

ସୁରକ୍ଷା ବାହିନୀ ଗୋଟିଏ ଦିନ ପୂର୍ବରୁ ଆନ୍ଦୋଳନକାରୀଙ୍କ ତମ୍ବୁ ଓ ମଞ୍ଚ ଭାଙ୍ଗି ଦେଇଥିଲେ ମଧ୍ୟ ଯୁବକମାନେ ପୁନର୍ବାର ସେଠାରେ ଏକାଠି ହୋଇ ନିଜର ଆନ୍ଦୋଳନକୁ ଆଗେଇ ନେଇଛନ୍ତି। ଅନେକ ପ୍ରଦର୍ଶନକାରୀ ବାରିକେଡ୍ ଏବଂ ନିକଟସ୍ଥ ଗଛ ଉପରକୁ ଚଢ଼ି ସରକାରବିରୋଧୀ ନାରାବାଜି କରିଥିଲେ। ପୋଲିସ ପକ୍ଷରୁ ଗଛ ଓ ବାରିକେଡ୍ ଉପରୁ ଓହ୍ଲାଇବା ପାଇଁ ବାରମ୍ବାର ମାଇକ୍ରେ ଅନୁରୋଧ କରାଯାଇଥିଲେ ହେଁ ପ୍ରଦର୍ଶନକାରୀମାନେ ନିଜ ଦାବିରେ ଅଟଳ ରହିଥିଲେ।
ଜନପଥରୁ ଜନ୍ତର-ମନ୍ତର: ଯୁବକଙ୍କ ହାତରେ ସୃଜନଶୀଳ ପୋଷ୍ଟର
ଜନପଥ ଛକରୁ ଜନ୍ତର-ମନ୍ତର ଆଡ଼କୁ ଯାଇଥିବା ସମ୍ପୂର୍ଣ୍ଣ ରାସ୍ତା ଆଜି ଆନ୍ଦୋଳନକାରୀଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯାଇଥିଲା। ଗେଟ୍ ବାହାରେ ହଜାର ହଜାର ସଂଖ୍ୟାରେ ଲୋକ ତାଳି ମାରି ଓ ନାରାବାଜି କରି ପ୍ରଦର୍ଶନ କରୁଥିବା ବେଳେ ଭିତରକୁ ପ୍ରବେଶ କରିବା ପାଇଁ ଶହ ଶହ ମିଟର ଲମ୍ବର ଧାଡ଼ି ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀଙ୍କ ହାତରେ ବିଭିନ୍ନ ପ୍ରକାର ସୃଜନଶୀଳ ପୋଷ୍ଟର ଓ ପ୍ଲାକାର୍ଡ ଶୋଭା ପାଉଥିଲା।
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ସହ ନିଜର ଭବିଷ୍ୟତ ସୁରକ୍ଷା ପାଇଁ ଏହି ଲଢ଼େଇ ବୋଲି ପ୍ରଦର୍ଶନକାରୀମାନେ ପ୍ରକାଶ କରିଛନ୍ତି। କାକରୋଚ୍ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ୍ ଦୀପକେ ପ୍ରଦର୍ଶନକାରୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, “ଜୁଲାଇ ୨୦ରେ ହୋଇଥିବା ପ୍ରଦର୍ଶନ କେବଳ ଗୋଟିଏ ଟ୍ରେଲର ଥିଲା, ଦେଶର ଯୁବଶକ୍ତି ନିଜ ହକ୍ ନମିଳିବା ପର୍ଯ୍ୟନ୍ତ ପଛକୁ ହଟିବେ ନାହିଁ।”
ସନ୍ଧ୍ୟାରେ ଇଣ୍ଟରନେଟ୍ ସେବା ଠପ୍, ବଢ଼ିଲା ଉତ୍ତେଜନା
ପରିସ୍ଥିତି ସେତେବେଳେ ଅଧିକ ଗମ୍ଭୀର ହୋଇପଡ଼ିଥିଲା, ଯେତେବେଳେ ବୁଧବାର ସନ୍ଧ୍ୟାରେ ଜନ୍ତର-ମନ୍ତର ଆଖପାଖ ଅଞ୍ଛଳରେ ଅଚାନକ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଗଲା। ଇଣ୍ଟରନେଟ୍ ସେବା ବ୍ୟାହତ ହେବା ମାତ୍ରେ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ଏବଂ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।

ଏହି ସମୟରେ କେତେକ ଦୁର୍ବୃତ୍ତଙ୍କ ପକ୍ଷରୁ ପଥରମାଡ଼ କରାଯିବାରୁ ସେଠାରେ ଆଫ୍ରାତଫ୍ରି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଓ ସୁରକ୍ଷାକର୍ମୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପ୍ରୟାସ କରିଥିଲେ। ସମ୍ପୂର୍ଣ୍ଣ ସଂସଦ ମାର୍ଗ ଏବଂ ଜନ୍ତର-ମନ୍ତର ଅଞ୍ଛଳକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି।
ଶାସନ ବ୍ୟବସ୍ଥାକୁ ଯୁବଶକ୍ତିର ବଡ଼ ଚ୍ୟାଲେଞ୍ଜ

ଏହି ଆନ୍ଦୋଳନରେ କେବଳ ଛାତ୍ର ସଂଗଠନ ନୁହଁନ୍ତି, ବରଂ ଦିଲ୍ଲୀ, ହରିୟାଣା, ବିହାର ଓ ଉତ୍ତର ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରୁ ଆସିଥିବା ଶହ ଶହ ଯୁବକ, ଶିକ୍ଷକ ଏବଂ ଆମାଜନ-ଫ୍ଲିପକାର୍ଟ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ କହିବା କଥା ହେଉଛି; ସେମାନଙ୍କର କୌଣସି ଗୋଟିଏ ପାରମ୍ପରିକ ରାଜନୈତିକ ନେତା ନାହାନ୍ତି, ଏହା ଯୁବବର୍ଗଙ୍କ ସ୍ୱତଃସ୍ଫୂର୍ତ୍ତ କ୍ରୋଧର ବହିଃପ୍ରକାଶ।
ପୋଲିସର କଟକଣା, ବର୍ଷା ଓ ସୁରକ୍ଷା ଚାପ ସତ୍ତ୍ୱେ ଜନ୍ତର-ମନ୍ତରରେ ଯୁବକମାନଙ୍କର ରହିବା ଓ ପ୍ରଦର୍ଶନ ଜାରି ରଖିବା ପ୍ରମାଣିତ କରୁଛି ଯେ ଏହି ଆନ୍ଦୋଳନ ଆଗାମୀ ଦିନରେ ଦେଶର ରାଜନୀତି ଓ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନର କାରଣ ହୋଇପାରେ।


