ଜମ୍ମୁ-କଶ୍ମୀରରେ ଚାଲିଥିବା ପ୍ରସିଦ୍ଧ ଅମରନାଥ ଯାତ୍ରା ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଉପାୟରେ ନିର୍ମିତ ହେଉଥିବା ବରଫର ଶିବଲିଙ୍ଗ ବା ‘ବାବା ବରଫାନୀ’ ଯାତ୍ରା ଆରମ୍ଭର ମାତ୍ର ୫ ଦିନ ମଧ୍ୟରେ ପ୍ରାୟ ୯୦% ପର୍ଯ୍ୟନ୍ତ ତରଳି ଯାଇଛନ୍ତି। ଜୁଲାଇ ୩ ତାରିଖରୁ ଏହି ବାର୍ଷିକ ଯାତ୍ରା ଆରମ୍ଭ ହୋଇଥିବା ବେଳେ ବାବା ବରଫାନୀଙ୍କର ଏଭଳି ଦ୍ରୁତ ଅନ୍ତର୍ଦ୍ଧାନ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିବା ସହ ପରିବେଶବିତ୍ମାନଙ୍କ ମଧ୍ୟରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି। ସମୁଦ୍ର ପତ୍ତନରୁ ପ୍ରାୟ ୩,୮୮୮ ମିଟର ଉଚ୍ଚତାରେ ଅବସ୍ଥିତ ଏହି ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନକୁ ଏଥିପାଇଁ ମୁଖ୍ୟ ଦାୟିତ୍ୱ କରାଯାଉଛି।

ମାନବୀୟ କାର୍ଯ୍ୟକଳାପ ଓ ଜଳବାୟୁ ସଙ୍କଟ
ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ହିମାଳୟ ଅଞ୍ଚଳ ବିଶ୍ୱର ଅନ୍ୟାନ୍ୟ ସ୍ଥାନ ତୁଳନାରେ ଅଧିକ ଦ୍ରୁତ ଗତିରେ ଗରମ ହେବାରେ ଲାଗିଛି। ଏହା ସହିତ ଅମରନାଥ ଗୁମ୍ଫା ଚାରିପାଖରେ ବୃଦ୍ଧି ପାଉଥିବା ମାନବୀୟ କାର୍ଯ୍ୟକଳାପ ମଧ୍ୟ ଏହି ସ୍ଥିତି ପାଇଁ ଦାୟୀ। ରାସ୍ତା ସମ୍ପ୍ରସାରଣ, ଅସ୍ଥାୟୀ ରହଣି ସ୍ଥଳ, ଲଙ୍ଗର, ବିଦ୍ୟୁତୀକରଣ ଏବଂ ଶ୍ରଦ୍ଧାଳୁଙ୍କ ଦ୍ୱାରା ନିର୍ଗତ ଶାରୀରିକ ଉତ୍ତାପ ଯୋଗୁଁ ସ୍ଥାନୀୟ ପରିବେଶର ତାପମାତ୍ରା ବୃଦ୍ଧି ପାଉଛି। ଚଳିତ ବର୍ଷ ପ୍ରଥମ ଚାରି ଦିନରେ ହିଁ ପ୍ରାୟ ୯୩ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିସାରିଛନ୍ତି।
PDP ନେତ୍ରୀ ଇଲ୍ତିଜା ମୁଫ୍ତି ଏହି ଘଟଣା ଉପରେ ଚିନ୍ତା ବ୍ୟକ୍ତ କରି ଜଳବାୟୁ ପରିବର୍ତ୍ତନ, ବେଆଇନ ଖନନ, ଜଙ୍ଗଲ କ୍ଷୟ ଏବଂ ବର୍ଜ୍ୟବସ୍ତୁ ପରିଚାଳନାର ଅଭାବକୁ ଦାୟୀ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏହି ସମ୍ବେଦନଶୀଳ ପାର୍ବତ୍ୟ ଅଞ୍ଚଳର ସୁରକ୍ଷା ପାଇଁ ପଡ଼ୋଶୀ ଦେଶ ଭୁଟାନ ଭଳି ଏକ ଦୀର୍ଘକାଳୀନ ତଥା ସ୍ଥାୟୀ ପରିବେଶ ଏବଂ ପର୍ଯ୍ୟଟନ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି।

ପୂର୍ବ ବର୍ଷଗୁଡ଼ିକର ଧାରା ଓ ପ୍ରଶାସନିକ ନିୟନ୍ତ୍ରଣ
ହିମଲିଙ୍ଗ ଏଭଳି ଦ୍ରୁତ ଗତିରେ ତରଳିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୮ରେ ୨୯ ଦିନରେ, ୨୦୨୦ରେ ୩୮ ଦିନରେ, ୨୦୨୨ରେ ୨୮ ଦିନରେ ଏବଂ ୨୦୨୪ରେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଶିବଲିଙ୍ଗ ସମ୍ପୂର୍ଣ୍ଣ ତରଳି ଯାଇଥିଲା। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, “ଶିବଲିଙ୍ଗ ଏକ ପ୍ରାକୃତିକ ପ୍ରକ୍ରିୟାରେ ଗଠିତ ହୋଇଥାଏ ଏବଂ ଏହାର ଆୟୁଷ ମଣିଷ ହାତରେ ନଥାଏ। ତଥାପି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ପ୍ରତିଦିନ ପହଲଗାମ ଓ ବାଲଟାଲ୍ ରାସ୍ତାରେ ଯାତ୍ରୀଙ୍କ ସଂଖ୍ୟାକୁ ସୀମିତ (ଦୈନିକ ୧୦-୧୦ ହଜାର) କରାଯାଉଛି।” ବାବା ବରଫାନୀଙ୍କର ଏହି ଶୀଘ୍ର ଅନ୍ତର୍ଦ୍ଧାନ ଆମ ପରିବେଶର ସୁରକ୍ଷା ଲାଗି ଏକ ବଡ଼ ଚେତାବନୀ ବୋଲି ପରିବେଶବିତ୍ମାନେ ମତ ପ୍ରକାଶ କରିଛନ୍ତି।


