ବାଂଲାଦେଶରେ ଆୟୋଜିତ ଏକ ଆନ୍ତର୍ଜାତୀୟ ସେମିନାରରେ ଜମ୍ମୁ-କଶ୍ମୀରର ଭୁଲ୍ ମାନଚିତ୍ର ପ୍ରଦର୍ଶନକୁ ନେଇ ଭାରତୀୟ ବୈଦେଶିକ ସେବା ଅଧିକାରୀ ପୂଜା ଝା ଦୃଢ଼ ଆପତ୍ତି ପ୍ରକାଶ କରିଛନ୍ତି। ବାଂଲାଦେଶର ରାଜଧାନୀ ଢାକାଠାରେ ଆୟୋଜିତ ବୈଦେଶିକ ନୀତି ସମ୍ପର୍କିତ ଏକ ସେମିନାରରେ ଜମ୍ମୁ-କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଦର୍ଶାଉଥିବା ଏକ ଭୁଲ୍ ମାନଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହାକୁ ଦେଖିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ପୂଜା ଝା ତୁରନ୍ତ ଏହାର ପ୍ରତିବାଦ କରିଥିଲେ। ସେ ସ୍ପଷ୍ଟ ଶବ୍ଦରେ ଆୟୋଜକମାନଙ୍କୁ କହିଥିଲେ ଯେ, ‘ଏହି ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ଭ୍ରମାତ୍ମକ ଏବଂ ଭାରତର ସାର୍ବଭୌମତ୍ୱ ବିରୋଧୀ।’ ଜମ୍ମୁ-କଶ୍ମୀର ଭାରତର ଏକ ଅଭିନ୍ନ ଓ ଅବିଭାଜ୍ୟ ଅଙ୍ଗ ବୋଲି ସେ ବିଶ୍ୱ ମଞ୍ଚରେ ଦୃଢ଼ତାର ସହ ଉପସ୍ଥାପନ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଭାରତର ପକ୍ଷ ରଖି ଦେଶର ସ୍ୱର ସାଜିଥିବା ପୂଜାଙ୍କର ଏହି ଦେଶଭକ୍ତି ଓ ସାହସିକ ପଦକ୍ଷେପକୁ ଏବେ ସାରା ଦେଶରେ ପ୍ରଶଂସା କରାଯାଉଛି।

ସାଧାରଣ ପରିବାରରୁ ବିଶ୍ୱ ମଞ୍ଚ: ପୂଜାଙ୍କ ସଂଘର୍ଷର କାହାଣୀ
ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଗୌରବ ବଢ଼ାଇଥିବା ପୂଜା ଝା ହେଉଛନ୍ତି ୨୦୨୨ ବ୍ୟାଚର ଜଣେ ଆଇଏଫଏସ ଅଧିକାରୀ। ସେ ମୂଳତଃ ବିହାରର ସୀତାମଢ଼ୀ ଜିଲ୍ଲା ପୁରନହିଆ ଗ୍ରାମର ବାସିନ୍ଦା। ତେବେ ତାଙ୍କ ପରିବାର ଦୀର୍ଘ ଦିନ ଧରି ଦିଲ୍ଲୀରେ ବସବାସ କରୁଛନ୍ତି। ପୂଜାଙ୍କ ପିତା ଗୁରୁଗ୍ରାମର ଏକ ବେସରକାରୀ କମ୍ପାନୀରେ ଗତ ୪୦ ବର୍ଷ ହେବ ଜଣେ ଅଫିସ୍ ହେଲ୍ପର (ସହାୟକ) ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ଜଣେ ଗୃହିଣୀ ଅଟନ୍ତି। ଆର୍ଥିକ ଅନାଟନ ସତ୍ତ୍ୱେ ପରିବାର ତାଙ୍କୁ ପାଠପଢ଼ାଇବାରେ କୌଣସି ଅବହେଳା କରିନଥିଲେ।

ନିଜର ପ୍ରଥମ ପ୍ରୟାସରେ ହିଁ ୨୦୨୧ ୟୁପିଏସସି ସିଭିଲ୍ ସେବା ପରୀକ୍ଷାରେ ସମଗ୍ର ଦେଶରେ ୮୨ତମ ର୍ୟାଙ୍କ ହାସଲ କରି ସେ ଦେଶର ସବୁଠାରୁ କଠିନ ପରୀକ୍ଷାରେ ସଫଳତା ପାଇଥିଲେ। ପୂଜା ପରିବାରର ପଞ୍ଚମ କନ୍ୟା ସନ୍ତାନ ହୋଇଥିବାରୁ ତାଙ୍କୁ ସମାଜର ନକାରାତ୍ମକ ଚିନ୍ତାଧାରା ଓ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିଥିଲା। ଆର୍ଥିକ ସ୍ଥିତି ଯୋଗୁଁ ତାଙ୍କୁ ସରକାରୀ ସ୍କୁଲରେ ପଢ଼ିବାକୁ ପଡ଼ିଥିଲା। କିନ୍ତୁ ସୀମିତ ସମ୍ବଳ ଏବଂ ସାମାଜିକ ପ୍ରତିବନ୍ଧକକୁ ପଛରେ ପକାଇ ସେ ନିଜ ନିଷ୍ଠା ବଳରେ ଆଜି ଦେଶ ପାଇଁ ଏକ ବଡ଼ ଗୌରବ ଆଣିଦେଇଛନ୍ତି।
ଭାରତୀୟ ସାର୍ବଭୌମତ୍ୱର ସୁରକ୍ଷା
ବର୍ତ୍ତମାନ ପୂଜା ଝା ବାଂଲାଦେଶର ଢାକାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ଦ୍ୱିତୀୟ ସଚିବ (ରାଜନୈତିକ ଏବଂ ସୂଚନା) ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହା ପୂର୍ବରୁ ସେ ତାଇୱାନରେ ନିଜର ତାଲିମ ସମ୍ପୂର୍ଣ୍ଣ କରିଥିଲେ। ଢାକାରେ ମାନଚିତ୍ର ବିବାଦରେ ତୁରନ୍ତ ହସ୍ତକ୍ଷେପ କରି ସେ ପ୍ରମାଣିତ କରିଛନ୍ତି ଯେ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ସହ କୌଣସି ପରିସ୍ଥିତିରେ ବି ସାଲିସ୍ କରାଯିବ ନାହିଁ। ଦିଲ୍ଲୀର ସାଧାରଣ ଗଳିରୁ ବାହାରି ଆଜି ଆନ୍ତର୍ଜାତୀୟ ସ୍ତରରେ ଭାରତର ସ୍ୱର ସାଜିଥିବା ପୂଜା ଝାଙ୍କ ଏହି ସଫଳତା ଓ ସାହସିକତା ଦେଶର ଲକ୍ଷ ଲକ୍ଷ ଯୁବପିଢ଼ି ଓ ବିଶେଷ କରି କନ୍ୟାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି।


