ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଆନ୍ତର୍ଜାତୀୟ ଜଳପଥରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହେଉଥିବା କ୍ରମାଗତ ଆକ୍ରମଣକୁ ନେଇ ଭାରତ ସରକାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଶେଷ ହୋଇଥିବା ଘୋଷଣା କରିବା ଏବଂ ହରମୁଜ୍ ପ୍ରଣାଳୀରେ ସାମରିକ କାର୍ଯ୍ୟାନୁଷ୍ଠାନ ତୀବ୍ର ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ବିବୃତି ଜାରି କରାଯାଇଛି। ଭାରତ ସମସ୍ତ ପକ୍ଷକୁ ସଂଯମତା ରକ୍ଷା କରିବା ସହ ତୁରନ୍ତ ଆଲୋଚନା ପନ୍ଥାକୁ ଫେରିବା ପାଇଁ ଅପିଲ୍ କରିଛି।

ଆନ୍ତର୍ଜାତୀୟ ବାଣିଜ୍ୟ ଓ ଆଞ୍ଚଳିକ ସ୍ଥିରତା ପ୍ରତି ବିପଦ
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ ଦ୍ୱାରା ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, “ପଶ୍ଚିମ ଏସିଆ ଅଞ୍ଚଳରେ ଆନ୍ତର୍ଜାତୀୟ ଜଳପଥ ଦେଇ ଗତି କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରାଯିବା ଏବଂ ଏହା ପରେ ସେଠାରେ ଉତ୍ତେଜନା ବୃଦ୍ଧି ପାଇବା ଘଟଣାକୁ ନେଇ ଭାରତ ଗଭୀର ଭାବେ ଚିନ୍ତିତ। ଏହି ସାମ୍ପ୍ରତିକ ଘଟଣାବଳୀ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି।”
ଭାରତ ଚେତାବନୀ ଦେଇ କହିଛି ଯେ,’ଏଭଳି ସ୍ଥିତି ବୈଶ୍ୱିକ ବାଣିଜ୍ୟ ଏବଂ ଆନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାକୁ ଗୁରୁତର ଭାବେ ପ୍ରଭାବିତ କରିବ।’
Our statement on recent developments in West Asia ⬇️
🔗 https://t.co/rWqcGzeW2M pic.twitter.com/wqhZBuZ3Pv
— Randhir Jaiswal (@MEAIndia) July 8, 2026
ଇନ୍ଧନ ସୁରକ୍ଷା ଏବଂ ନାଗରିକଙ୍କ ସୁରକ୍ଷା ଉପରେ ଜୋର୍
ଭାରତ ସରକାର ସମସ୍ତ ସଂପୃକ୍ତ ପକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଯଥାଶୀଘ୍ର ପରିସ୍ଥିତିକୁ ଶାନ୍ତ କରନ୍ତୁ ଏବଂ ସାଧାରଣ ନାଗରିକଙ୍କ ଜୀବନ ରକ୍ଷାକୁ ସୁନିଶ୍ଚିତ କରନ୍ତୁ। ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତୈଳ ଓ ଗ୍ୟାସ୍ ଭଳି ବୈଶ୍ୱିକ ଶକ୍ତି ଉତ୍ସର ନିରବଚ୍ଛିନ୍ନ ଯୋଗାଣ । ହରମୁଜ୍ ପ୍ରଣାଳୀ ଦେଇ ଭାରତର ବହୁ ପରିମାଣର ଅଶୋଧିତ ତୈଳ ଆମଦାନୀ ହେଉଥିବାରୁ, ଏହି ଜଳପଥର ସୁରକ୍ଷା ଭାରତର ଅର୍ଥନୀତି ପାଇଁ ଅତ୍ୟନ୍ତ ଆବଶ୍ୟକ। ମନ୍ତ୍ରାଳୟ କହିଛି ଯେ ବାଣିଜ୍ୟିକ ଜାହାଜ ଚଳାଚଳର ସ୍ୱାଧୀନତା ଏବଂ ସାମୁଦ୍ରିକ ସୁରକ୍ଷାକୁ ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ।

କୂଟନୀତି ଏବଂ ଆଲୋଚନା ହିଁ ଏକମାତ୍ର ମାଧ୍ୟମ: ଜୟଶଙ୍କର
ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କୌଣସି ବିବାଦର ସମାଧାନ ଯୁଦ୍ଧ କିମ୍ବା ହିଂସା ଦ୍ୱାରା ସମ୍ଭବ ନୁହେଁ। “ଆମେ ସମସ୍ତ ପକ୍ଷକୁ ପୁଣି ଥରେ ଆଲୋଚନା ଏବଂ କୂଟନୀତି ର ମାର୍ଗକୁ ଫେରିବା ପାଇଁ ଅନୁରୋଧ କରୁଛୁ, ଯାହାଦ୍ୱାରା ଏହି ସଙ୍କଟର ଏକ ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ,” ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।
ଅନ୍ୟପକ୍ଷରେ, ଏହି ସଙ୍କଟ ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପଶ୍ଚିମ ଏସିଆ ଗସ୍ତରେ ରହି କୁୱେତର ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ ସେଠାରେ ରହୁଥିବା ଭାରତୀୟ ସମୁଦାୟର ସୁରକ୍ଷା ଏବଂ ବୈଶ୍ୱିକ ଅର୍ଥନୀତି ଉପରେ ଏହି ଯୁଦ୍ଧର ସମ୍ଭାବ୍ୟ ପ୍ରଭାବକୁ ନେଇ ରଣନୈତିକ ସମୀକ୍ଷା କରିଛନ୍ତି।
Also read : https://purvapaksa.com/trumps-decision-increases-indias-concerns-peace-deal-between-us-iran-ends/


