ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଦାନ ଆତ୍ମସାତ ଅଭିଯୋଗକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାର ଏବଂ ବିଜେପି-ଆରଏସଏସ କୁ ତୀବ୍ର ସମାଲୋଚନା କରିବା ସହ ଦେଶର କୋଟି କୋଟି ଜନସାଧାରଣଙ୍କ ଆସ୍ଥା ସହ ବିଶ୍ୱାସଘାତକତା କରାଯାଇଛି ବୋଲି ଅଭିଯୋଗ କରିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଚାରୋଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ ମୁଖପାତ୍ର ପବନ ଖେଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାମ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକଳାପ ଯୋଗୁଁ ଲୋକଙ୍କର ଏହା ଉପରୁ ଭରସା ସମ୍ପୂର୍ଣ୍ଣ ତୁଟିଯାଇଛି। ତେଣୁ ଏହି ବିବାଦର ସ୍ପଷ୍ଟୀକରଣ ପାଇଁ ଦଳ ନିମ୍ନଲିଖିତ ଦାବିଗୁଡ଼ିକ ରଖିଛି:
ଟ୍ରଷ୍ଟ ତୁରନ୍ତ ଭଙ୍ଗା ହେଉ : ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ତୁରନ୍ତ ଭଙ୍ଗ କରାଯାଉ। ଏହା ସ୍ଥାନରେ ଦେଶର ସମ୍ମାନିତ ଶଙ୍କରାଚାର୍ଯ୍ୟ, ଧର୍ମାଚାର୍ଯ୍ୟ, ସନ୍ଥ ଏବଂ ଧାର୍ମିକ ପ୍ରତିନିଧିମାନଙ୍କୁ ସାମିଲ କରି ଏକ ନୂତନ ଓ ଅଣ-ରାଜନୈତିକ ଟ୍ରଷ୍ଟ ଗଠନ କରାଯାଉ।
ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ : ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି (SIT) ଉପରେ ଜନସାଧାରଣଙ୍କର ଆଦୌ ଭରସା ନାହିଁ। ତେଣୁ ସୁପ୍ରିମକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମେଗା ଚୋରିର ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ତଦନ୍ତ କରାଯାଉ।
ହିସାବ ସାର୍ବଜନୀନ କରାଯାଉ : ରାମ ମନ୍ଦିର ନିର୍ମାଣ ନିମନ୍ତେ ଏବଂ ମନ୍ଦିର ପ୍ରତିଷ୍ଠା ପରଠାରୁ ମିଳିଥିବା ସମସ୍ତ ନଗଦ ଟଙ୍କା, ସୁନା-ଗହଣା ଏବଂ ଚନ୍ଦାର ସମ୍ପୂର୍ଣ୍ଣ ହିସାବ ଜନସାଧାରଣଙ୍କ ସାମ୍ନାରେ ସାର୍ବଜନୀନ କରାଯାଉ।
ପ୍ରଧାନମନ୍ତ୍ରୀ ନୀରବତା ଭାଙ୍ଗନ୍ତୁ : ମନ୍ଦିର ନିର୍ମାଣର ସମସ୍ତ ଶ୍ରେୟ ନେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଚୁପ୍ କାହିଁକି ଅଛନ୍ତି? ସେ ତୁରନ୍ତ ନିଜର ନୀରବତା ଭାଙ୍ଗି ଦେଶବାସୀଙ୍କୁ ଜବାବ ଦିଅନ୍ତୁ।
![]()
ରାଜନୈତିକ ଆକ୍ଷେପ
ପବନ ଖେଡ଼ା ଅଭିଯୋଗ କରିଛନ୍ତି ଯେ, “ବିଜେପି ଏବଂ ଆରଏସଏସ ରାମ ମନ୍ଦିର ପ୍ରକଳ୍ପକୁ ନିଜର ଏକ ବ୍ୟକ୍ତିଗତ ରଣନୀତି ଭାବେ ବ୍ୟବହାର କରୁଛନ୍ତି, ଯେଉଁଠାରେ କୌଣସି ସ୍ୱଚ୍ଛତା କିମ୍ବା ଜବାବଦେହିତା ନାହିଁ। କଂଗ୍ରେସ ନେତାମାନେ ପୂର୍ବରୁ ମନ୍ଦିର ଦର୍ଶନ କରିବା ସହ ଦାନ ମଧ୍ୟ ଦେଇଛନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟ୍ରଷ୍ଟରେ ଚାଲିଥିବା ଦୁର୍ନୀତିକୁ ଚାପି ଦିଆଯିବ। କେବଳ ଛୋଟ କର୍ମଚାରୀଙ୍କୁ ବଳି ପକାଇ ବଡ଼ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି, ଯାହାକୁ କଂଗ୍ରେସ ବିରୋଧ କରୁଛି।”


