ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ର ଯାତ୍ରୀମାନେ ଚରମ ଅବ୍ୟବସ୍ଥାର ସାମ୍ନା କରିଛନ୍ତି। ବିମାନ ସେବା ପ୍ରଦାନକାରୀ ସଂସ୍ଥାର ବାରମ୍ବାର ସମୟ ପରିବର୍ତ୍ତନ ଏବଂ ବୈଷୟିକ ତ୍ରୁଟି ଯୋଗୁଁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ହଇରାଣ ହେବାକୁ ପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅସୁବିଧାର ସାମ୍ନା କରିଥିବା ଯାତ୍ରୀଙ୍କ ମଧ୍ୟରେ ଦିଲ୍ଲୀର ଜଣେ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।
ବାରମ୍ବାର ବଦଳିଲା ବିମାନର ସମୟ
ଅଭିଯୋଗ ଅନୁଯାୟୀ, ଦିଲ୍ଲୀରୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରକୁ ଉଡ଼ାଣ ଭରିବାକୁ ଥିବା ଏହି ବିମାନର ସମୟକୁ ଏୟାରଲାଇନ୍ସ ପକ୍ଷରୁ ବାରମ୍ବାର ପରିବର୍ତ୍ତନ କରାଯାଇଥିଲା। ଦିଲ୍ଲୀର ପୂର୍ବତନ ସିଇଓ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, “ସେ ଗତ ଏପ୍ରିଲ ମାସରେ ଏହି ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିଲେ। ପ୍ରଥମେ ବିମାନର ଛାଡ଼ିବା ସମୟ ଜୁଲାଇ ୭ ସକାଳ ୫ଟା ୩୦ ମିନିଟ୍ ରହିଥିଲା। ମାତ୍ର ଏୟାରଲାଇନ୍ସ ଏହି ସମୟକୁ ବାରମ୍ବାର ବଦଳାଇ ଶେଷରେ ସକାଳ ୪ଟା ୫୫ ମିନିଟ୍ କରିଥିଲା। ବିମାନର ସମୟକୁ ନେଇ ଯାତ୍ରୀମାନେ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ।”
ଫେଲ୍ ହେଲା ୱେବ୍ ଚେକ୍-ଇନ୍ ବ୍ୟବସ୍ଥା

ସମୟ ପରିବର୍ତ୍ତନ ସାଙ୍ଗକୁ ଏୟାର ଇଣ୍ଡିଆର ସଂପୂର୍ଣ୍ଣ ସିଷ୍ଟମ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ବିମାନ ସଂସ୍ଥା ପକ୍ଷରୁ ଯାତ୍ରୀମାନଙ୍କ ମୋବାଇଲକୁ ୱେବ୍ ଚେକ୍-ଇନ୍ କରିବା ପାଇଁ ଲଗାତାର ମେସେଜ୍ ଆସୁଥିଲା। ମାତ୍ର ଯେତେବେଳେ ଯାତ୍ରୀମାନେ ଏୟାର ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଚେକ୍-ଇନ୍ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସେଠାରେ ବୈଷୟିକ ତ୍ରୁଟି ଦେଖାଉଥିଲା। ୱେବସାଇଟ୍ରେ ଲଗାତାର “Check-in currently unavailable, please try again later” (ଚେକ୍-ଇନ୍ ବର୍ତ୍ତମାନ ଉପଲବ୍ଧ ନାହିଁ, ଦୟାକରି ପରେ ଚେଷ୍ଟା କରନ୍ତୁ) ବୋଲି ଲେଖା ଆସୁଥିଲା। ସମ୍ପୃକ୍ତ ଅବସରପ୍ରାପ୍ତ ମହିଳା ଆଇଏଏସ୍ ଅଧିକାରୀ ଜଣକ ଜୁଲାଇ ୬ରୁ ଜୁଲାଇ ୭ ସନ୍ଧ୍ୟା ପର୍ଯ୍ୟନ୍ତ କ୍ରମାଗତ ଭାବେ ଚେଷ୍ଟା କରିଥିଲେ ସୁଦ୍ଧା ୱେବ୍ ଚେକ୍-ଇନ୍ କରିବାରେ ବିଫଳ ହୋଇଥିଲେ।

ନିୟମ ଅନୁଯାୟୀ, ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ବିମାନ ଛାଡ଼ିବାର ୪୮ ଘଣ୍ଟା ପୂର୍ବରୁ ୱେବ୍ ଚେକ୍-ଇନ୍ ସେବା ଆରମ୍ଭ ହୋଇ ଦୁଇ ଘଣ୍ଟା ପୂର୍ବରୁ ବନ୍ଦ ହୋଇଥାଏ। ଏଭଳି ସ୍ଥିତିରେ ବ୍ୟବସ୍ଥା କାମ ନକରିବାରୁ ଯାତ୍ରୀମାନଙ୍କୁ ବାଧ୍ୟ ହୋଇ ବିମାନବନ୍ଦର କାଉଣ୍ଟରରେ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ିଥିଲା। ଏହି ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଓ ଲାପରବାହୀକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏୟାର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସ୍ପଷ୍ଟୀକରଣ କିମ୍ବା ବୟାନ ଜାରି କରାଯାଇ ନାହିଁ।


