ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ (UG) ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛନ୍ତି। ଯେଉଁ ସିବିଏସଇ ଛାତ୍ରଛାତ୍ରୀମାନେ ନିଜ ଦ୍ୱାଦଶ ଶ୍ରେଣୀ ମାର୍କର ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି ଏବଂ ସଂଶୋଧିତ ରେଜଲ୍ଟକୁ ଅପେକ୍ଷା କରିଛନ୍ତି, ସେମାନଙ୍କୁ ନିଜର ପୂର୍ବ ମାର୍କ ବ୍ୟବହାର କରି ଆବେଦନ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଡିୟୁର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାମଲେଖା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆବେଦନ କରିବା ସମୟରେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପାଖରେ ଥିବା ପ୍ରି-ଇଭାଲ୍ୟୁଏସନ୍ ମାର୍କସିଟ୍ ଅପଲୋଡ୍ କରିବେ। ପରବର୍ତ୍ତୀ ସମୟରେ ଯଦି ସିବିଏସଇ ପକ୍ଷରୁ ସେମାନଙ୍କର ସଂଶୋଧିତ ମାର୍କ ଜାରି କରାଯାଏ, ତେବେ କାଉନସେଲିଂ କିମ୍ବା ସିଟ୍ ଆଲଟମେଣ୍ଟ ସମୟରେ ତାହାକୁ ଅପଡେଟ୍ କରିବାର ସୁଯୋଗ ଦିଆଯିବ। କୌଣସି ବି ପରିସ୍ଥିତିରେ ଯେପରି ରେଜଲ୍ଟ ଅଭାବରୁ ପିଲାଙ୍କ ନାମଲେଖା ସୁଯୋଗ ହାତଛଡ଼ା ନହୁଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି।
କେମିତି ହେବ ଆବେଦନ ?

ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନାମଲେଖା ‘ସିଏଏସ୍ଏସ୍’ (Common Seat Allocation System) ପୋର୍ଟାଲ ମାଧ୍ୟମରେ କରାଯାଉଛି। ଛାତ୍ରଛାତ୍ରୀମାନେ ଡିୟୁର ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିଜର କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ସ୍କୋର ଏବଂ ଦ୍ୱାଦଶ ଶ୍ରେଣୀର ମାର୍କ ସହ ପଞ୍ଜୀକରଣ କରିପାରିବେ। ଆବେଦନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଚାଲିବ ପ୍ରଥମ ପର୍ଯ୍ୟାୟରେ ମୂଳ ପଞ୍ଜୀକରଣ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କଲେଜ ଓ ପାଠ୍ୟକ୍ରମର ପସନ୍ଦ ଚୟନ କରିବାକୁ ପଡ଼ିବ।
ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯେ, ସେମାନେ ଆବେଦନ ଶେଷ ତାରିଖକୁ ଅପେକ୍ଷା ନକରି ତୁରନ୍ତ ନିଜର ଫର୍ମ ପୂରଣ କରନ୍ତୁ। ପୁନଃମୂଲ୍ୟାୟନ ପାଇଁ ଦେଇଥିବା ପିଲାମାନେ ନିଜର ପୁରୁଣା ମାର୍କ ସହ ଆବେଦନ ସମ୍ପୂର୍ଣ୍ଣ କରିବା ସହ CBSEର ଅପଡେଟ୍ ଉପରେ ନଜର ରଖନ୍ତୁ। ଆଗାମୀ ଦିନରେ ସିଟ୍ ଆଲଟମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ଡିୟୁ ୱେବସାଇଟ୍ରେ ପ୍ରକାଶ ପାଇବ।
Also read : https://purvapaksa.com/kalabeishakhi-in-odisha-in-the-next-72-hours-imd-warns-of-heavy-rain-with-thunder/


