ବ୍ୟାଙ୍କ ଏବଂ ରାଜସ୍ୱ ବିଭାଗର ଏକ ସାଙ୍ଘାତିକ ତ୍ରୁଟି ଓ ଚରମ ଅବହେଳା ଯୋଗୁଁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଓ ତାଙ୍କ ପରିବାର ନିଜ ଭିଟାମାଟିରୁ ବିତାଡ଼ିତ ହୋଇ ବେଘର ହୋଇଯାଇଛନ୍ତି। ଯେଉଁ ଋଣ ସେ କେବେ ନେଇନାହାନ୍ତି, ସେହି ଋଣର କିସ୍ତି ପୈଠ ନ କରିବା ଅଭିଯୋଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଘରକୁ ସିଲ୍ କରିଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୌତମପାଲି ଗ୍ରାମରୁ ଏଭଳି ଏକ ସମ୍ବେଦନଶୀଳ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘର ସିଲ୍ ହେବା ପରେ ବିଗତ ପ୍ରାୟ ୨୦ ଦିନ ହେବ ସମ୍ପୃକ୍ତ ଭିନ୍ନକ୍ଷମ ବ୍ୟକ୍ତି ଧନଞ୍ଜୟ ପ୍ରଧାନ ଓ ତାଙ୍କ ପରିବାର ଘର ପାଖରେ ଥିବା ଏକ ଛୋଟ ଚାଳିଆରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।
/odishatv/media/media_files/2026/06/25/odisha-disabled-mans-family-left-homeless-as-bank-seals-his-house-over-loan-he-never-took-2026-06-25-21-10-19.jpg)
ଧନଞ୍ଜୟ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କେବେ ହେଲେ କୌଣସି ବ୍ୟାଙ୍କରୁ ଋଣ ନେଇନାହାନ୍ତି। ଏପରିକି ସେ କେବେ ବ୍ୟାଙ୍କକୁ ମଧ୍ୟ ଯାଇନାହାନ୍ତି। ଋଣ ପରିଶୋଧ ହୋଇନଥିବା ଦର୍ଶାଇ ଯେତେବେଳେ ବ୍ୟାଙ୍କ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ତାଙ୍କ ଘର ସିଲ୍ କରିବାକୁ ଆସିଲେ, ସେତେବେଳେ ଧନଞ୍ଜୟ ନିଜ ଜମି ଓ ଘରର ସମସ୍ତ ଅସଲି କାଗଜପତ୍ର ଦେଖାଇଥିଲେ ମଧ୍ୟ ଅଧିକାରୀମାନେ ତାଙ୍କ କଥାକୁ ଆଦୌ କର୍ଣ୍ଣପାତ କରିନଥିଲେ।
ପ୍ଲଟ୍ ନମ୍ବରରେ ବଡ଼ ଭୁଲ୍
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ବ୍ୟାଙ୍କର ବଡ଼ଧରଣର ଭୁଲ୍ ସାମ୍ନାକୁ ଆସିଛି। ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ ପ୍ଲଟ୍ ନମ୍ବର ୨୮୪ ଉଲ୍ଲେଖ ରହିଛି, କିନ୍ତୁ ଧନଞ୍ଜୟଙ୍କ ଘର ପ୍ଲଟ୍ ନମ୍ବର ୨୬ ଉପରେ ରହିଛି। ଏହା ସହିତ ନୋଟିସ୍ରେ ଯେଉଁ ବ୍ୟକ୍ତିଙ୍କ (ସୁଦୀପ୍ତ ପ୍ରଧାନ) ନାଁ ରହିଛି, ତାଙ୍କ ସହ ଧନଞ୍ଜୟଙ୍କ ପରିବାରର କୌଣସି ସମ୍ପର୍କ ନାହିଁ। ଭୁଲ୍ ପ୍ଲଟ୍ ଚିହ୍ନଟ ଯୋଗୁଁ ଜଣେ ନିରୀହ ଗରିବ ଭିନ୍ନକ୍ଷମଙ୍କୁ ଏଭଳି ମାନସିକ ଓ ଶାରୀରିକ ନିର୍ଯାତନା ଭୋଗିବାକୁ ପଡ଼ୁଛି।

ଜାଲ୍ ଦସ୍ତଖତରେ ୧୭ ଲକ୍ଷର ଋଣ
ଧନଞ୍ଜୟଙ୍କ ସମ୍ପର୍କୀୟ ପ୍ରସନ୍ନ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଜମିର ଜାଲ୍ କାଗଜପତ୍ର ଏବଂ ନକଲି ଦସ୍ତଖତ କରି ବ୍ୟାଙ୍କରୁ ପ୍ରାୟ ୧୭ ଲକ୍ଷ ଟଙ୍କାର ଋଣ ନିଆଯାଇଛି । ଯାହା ଏବେ ସୁଧମୂଳ ମିଶି ପ୍ରାୟ ୨୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟରୁ ମଧ୍ୟ ଋଣ କାଗଜପତ୍ରରେ ଥିବା ଦସ୍ତଖତରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି।

ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ସମ୍ବଲପୁର ଜିଲ୍ଲାପାଳ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ସେ ସମ୍ପୃକ୍ତ ତହସିଲଦାରଙ୍କୁ ଏହି ମାମଲାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସମ୍ପର୍କରେ ଜମନକିରା ତହସିଲଦାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି। ଜଣେ ଅନ୍ୟର ପାପର ସଜା ଭୋଗୁଥିବା ଏହି ଅସହାୟ ପରିବାରକୁ କେବେ ନ୍ୟାୟ ମିଳୁଛି ଏବଂ ସେମାନେ କେବେ ନିଜ ଘରକୁ ଫେରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
Also read : https://purvapaksa.com/bomb-scare-in-puri-before-rath-yatra-suspicious-bag-found-on-jail-road/


