ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ସହର ଚଳଚଞ୍ଚଳ ଥିବା ବେଳେ ଶୁକ୍ରବାର ସକାଳେ ଏକ ସନ୍ଦିଗ୍ଧ ବ୍ୟାଗ୍କୁ ନେଇ ସହରରେ ବୋମା ଆତଙ୍କ ଦେଖାଦେଇଛି। ପୁରୀର ଜେଲ୍ ରୋଡ୍ ଅଞ୍ଚଳରେ ଏହି ଲାଲ୍ ରଙ୍ଗର ଲାପଟପ୍ ବ୍ୟାଗ୍ଟି ଏକ ପାଚେରୀ କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ଏହି ଖବର ମିଳିବା ମାତ୍ରେ ପୁଲିସ ପ୍ରଶାସନ ତୁରନ୍ତ ଆକ୍ସନ ମୋଡ୍କୁ ଚାଲିଆସିଛି।
/odishatv/media/media_files/2026/01/18/bag-2026-01-18-10-02-07.jpeg)
ଖବର ପାଇ ପୁରୀ ପୁଲିସର ବରିଷ୍ଠ ଅଧିକାରୀ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ନିଫର୍ ଡଗ୍ (ଘ୍ରାଣକାରୀ କୁକୁର) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରାଯାଇ ଲୋକମାନଙ୍କୁ ଦୂରେଇ ଦିଆଯାଇଥିଲା ଏବଂ ବ୍ୟାଗ୍ଟିକୁ ଯାଞ୍ଚ କରାଯାଇଥିଲା। ବିଶେଷଜ୍ଞ ଦଳ ଦ୍ୱାରା ଯାଞ୍ଚ ପରେ ବ୍ୟାଗ୍ ଭିତରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ସ୍ପଷ୍ଟ ହୋଇଛି, ଯାହାଫଳରେ ପୁଲିସ ଏବଂ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ତେବେ ସେହି ବ୍ୟାଗ୍ ଭିତରେ କିଛି ପୁରୁଣା ପୋଷାକ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସାମଗ୍ରୀ ରହିଥିବା ଜଣାପଡ଼ିଛି।
ସହର ସାରା କଡ଼ା ଚେକିଂ
ରଥଯାତ୍ରା ପରି ବଡ଼ ପର୍ବ ପୂର୍ବରୁ ଏଭଳି ସନ୍ଦିଗ୍ଧ ବ୍ୟାଗ୍ ମିଳିବା ଘଟଣାକୁ ପୁଲିସ ପ୍ରଶାସନ ହାଲୁକା ଭାବେ ନେଇନାହିଁ। ଏହି ଘଟଣା ପରେ ପୁରୀ ସହରର ବିଭିନ୍ନ ପ୍ରବେଶ ପଥ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଏବଂ ବଡ଼ଦାଣ୍ଡ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଓ ଚେକିଂକୁ ଆହୁରି ଜୋରଦାର କରାଯାଇଛି। ସହରର ସମସ୍ତ ହୋଟେଲ ଏବଂ ଲଜ୍ଗୁଡ଼ିକରେ କିଏ ରହୁଛନ୍ତି, ସେମାନଙ୍କ ପରିଚୟ ପତ୍ର ଓ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ ସ୍ପେଶାଲ ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି।

ପୁଲିସର ସୂଚନା
ଏହି ସନ୍ଦିଗ୍ଧ ବ୍ୟାଗ୍ଟି କେଉଁଠାରୁ ଆସିଲା ଏବଂ କିଏ ଏହାକୁ ଏଠାରେ ଛାଡ଼ି ଚାଲିଗଲା, ସେ ନେଇ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ସର୍ବୋପରି ଥିବାରୁ କୌଣସି ପ୍ରକାର ଗୁଜବ ପ୍ରତି କାନ ନଦେବାକୁ ଏବଂ କୌଣସି ଅଚିହ୍ନା ବସ୍ତୁ ଦେଖିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ ପୁରୀ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
Also read : https://purvapaksa.com/horrific-fire-breaks-out-in-balangir-market-complex-8-shops-gutted/


