ଭାରତରେ ଆଧାର କାର୍ଡ, ପ୍ୟାନ୍ କାର୍ଡ, ଭୋଟର ଆଇଡି ଏବଂ ପାସପୋର୍ଟ ଭଳି ପରିଚୟପତ୍ରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବ୍ୟାଙ୍କ୍ ଖାତା ଖୋଲିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ଉଠାଇବା ପର୍ଯ୍ୟନ୍ତ ଏହି ଦସ୍ତାବିଜଗୁଡ଼ିକ ଆବଶ୍ୟକ ହୋଇଥାଏ। ତେଣୁ ସାଧାରଣତଃ ଲୋକେ ଏଗୁଡ଼ିକୁ ନିଜ ଭାରତୀୟ ନାଗରିକତ୍ୱର ସବୁଠାରୁ ବଡ଼ ଏବଂ ଚୂଡ଼ାନ୍ତ ପ୍ରମାଣ ବୋଲି ଭାବିଥାନ୍ତି। କିନ୍ତୁ ଆଇନଗତ ଦୃଷ୍ଟିକୋଣରୁ ଦେଖିଲେ, ଏହି ଦସ୍ତାବିଜଗୁଡ଼ିକ କେବେବି ଆପଣଙ୍କ ଭାରତୀୟ ନାଗରିକତ୍ୱର ସ୍ପଷ୍ଟ ବା ଏକମାତ୍ର ପ୍ରମାଣ ନୁହେଁ। ବିଭିନ୍ନ ସମୟରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ ନିଜ ରାୟରେ ଏହା ସ୍ପଷ୍ଟ କରିଛନ୍ତି।

ଆଧାର ଏବଂ ପ୍ୟାନ୍ କାର୍ଡ କାହିଁକି ପ୍ରମାଣରେ ଗଣା ନୁହେଁ ?
ଆଧାର କାର୍ଡ ବାସ୍ତବରେ କେବଳ ପରିଚୟ ଏବଂ ବାସସ୍ଥାନର ଏକ ବୈଧ ପ୍ରମାଣପତ୍ର। ନିୟମ ଅନୁଯାୟୀ, କୌଣସି ବିଦେଶୀ ନାଗରିକ ଯଦି ଭାରତରେ ୧୮୨ ଦିନ କିମ୍ବା ତା’ଠାରୁ ଅଧିକ ସମୟ ଧରି ବସବାସ କରୁଥାନ୍ତି, ତେବେ ସେ ମଧ୍ୟ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ। ତେଣୁ ଏହା ନାଗରିକତ୍ୱର ପ୍ରମାଣ ହୋଇପାରିବ ନାହିଁ।
ସେହିପରି, ପ୍ୟାନ୍ କାର୍ଡ ଆୟକର ବିଭାଗ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହା କେବଳ ଆର୍ଥିକ ଦେଣନେଣ ଏବଂ ଟିକସ ପୈଠ କରିବା ପାଇଁ ଉଦ୍ଦିଷ୍ଟ। ବ୍ୟବସାୟ କିମ୍ବା ଚାକିରି ପାଇଁ ଆସୁଥିବା ବିଦେଶୀ ନାଗରିକମାନଙ୍କୁ ମଧ୍ୟ ପ୍ୟାନ୍ କାର୍ଡ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଭୋଟର ଆଇଡି ଓ ପାସପୋର୍ଟର କ’ଣ ସ୍ଥିତି ?
ଭୋଟର ଆଇଡି କାର୍ଡ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ, ଯାହା ମୁଖ୍ୟତଃ ମତଦାନ ଅଧିକାରକୁ ସୁନିଶ୍ଚିତ କରେ। ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ନାଗରିକ ହେବା ଏକ ସର୍ତ୍ତ ହୋଇଥିଲେ ମଧ୍ୟ, ଅନେକ ମାମଲାରେ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ କେବଳ ଭୋଟର ଆଇଡି କିମ୍ବା ରାସନ କାର୍ଡକୁ ନାଗରିକତ୍ୱର ଅକାଟ୍ୟ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ, କାରଣ ଅନେକ ସମୟରେ ବେଆଇନ ଅନୁପ୍ରବେଶକାରୀମାନେ ଜାଲିଆତି କରି ଏହାକୁ ହାସଲ କରିନେଇଥାନ୍ତି।

ପାସପୋର୍ଟ କଥା ବିଚାରକୁ ନେଲେ, ଯଦିଓ ଏହା କେବଳ ଭାରତୀୟ ନାଗରିକମାନଙ୍କୁ ମିଳିଥାଏ, ତଥାପି ଯଦି କୌଣସି ବ୍ୟକ୍ତି ନକଲି ଜନ୍ମ ପ୍ରମାଣପତ୍ର କିମ୍ବା ଅନ୍ୟାନ୍ୟ ଜାଲ୍ କାଗଜପତ୍ର ଦେଇ ଏହାକୁ ବନାଇଥାଏ, ତେବେ ଆଇନଗତ ତଦନ୍ତ ବେଳେ ତାହା ନାଗରିକତ୍ୱର ମୂଳ ପ୍ରମାଣ ଭାବେ ତିଷ୍ଠି ପାରିବ ନାହିଁ।
ତେବେ ନାଗରିକତ୍ୱର ପ୍ରକୃତ ପ୍ରମାଣ କ’ଣ ?

ଭାରତୀୟ ଆଇନରେ ନାଗରିକତ୍ୱ କେବଳ ‘ନାଗରିକତ୍ୱ ଅଧିନିୟମ, ୧୯୫୫’ ବା Citizenship Act, 1955 ଅଧୀନରେ ହିଁ ଏହା ନିର୍ଦ୍ଧାରିତ ହୋଇଥାଏ। ଏହି ଆଇନ ଅନୁଯାୟୀ, ମୁଖ୍ୟତଃ ଚାରୋଟି ଉପାୟରେ ନାଗରିକତ୍ୱ ମିଳିଥାଏ । ଜନ୍ମ ସୂତ୍ରରେ, ବଂଶାନୁକ୍ରମିକ ଭାବେ, ପଞ୍ଜୀକରଣ (Registration) ଦ୍ୱାରା କିମ୍ବା ସ୍ୱାଭାବିକୀକରଣ (Naturalisation) ମାଧ୍ୟମରେ।

ଆପଣ ଭାରତର ନାଗରିକ କି ନୁହେଁ, ତାହା ପ୍ରମାଣିତ କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ଦସ୍ତାବିଜ ହେଉଛି ଆପଣଙ୍କ ‘ଜନ୍ମ ପ୍ରମାଣପତ୍ର’ ଏବଂ ଆପଣଙ୍କ ‘ପିତାମାତାଙ୍କ ଜନ୍ମ ତଥ୍ୟ ତଥା ନାଗରିକତ୍ୱର ପ୍ରମାଣ’ । ଆଇନ ଅନୁଯାୟୀ, ଜୁଲାଇ ୧, ୧୯୮୭ ପୂର୍ବରୁ ଭାରତରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସ୍ୱାଭାବିକ ଭାବେ ନାଗରିକ ଅଟନ୍ତି । ମାତ୍ର ଏହା ପରେ ଜନ୍ମିତ ବ୍ୟକ୍ତିଙ୍କ କ୍ଷେତ୍ରରେ, ସେମାନଙ୍କର ପିତାମାତାଙ୍କ ମଧ୍ୟରୁ ଅତିକମରେ ଜଣେ ଭାରତୀୟ ହୋଇଥିବା ବାଧ୍ୟତାମୂଳକ। ବିବାଦୀୟ ସ୍ଥିତିରେ ଟ୍ରିବ୍ୟୁନାଲ୍ କିମ୍ବା କୋର୍ଟରେ ପୈତୃକ ସମ୍ପତ୍ତିର କାଗଜପତ୍ର ଏବଂ ପିତାମାତାଙ୍କ ଜନ୍ମ ତଥ୍ୟ ହିଁ ପ୍ରକୃତ ନାଗରିକତ୍ୱ ପ୍ରମାଣ କରିବାରେ ସାହାଯ୍ୟ କରିଥାଏ।
Also read : https://purvapaksa.com/dharmendra-slams-rahul-gandhi-and-cockroach-janata-party-over-neet-paper-leak-case/


