ଭାରତର ପ୍ରତିରକ୍ଷା ଓ ଅର୍ଥନୈତିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ୱାକାଂକ୍ଷୀ ମନେ କରାଯାଉଥିବା ‘ଗ୍ରେଟ୍ ନିକୋବର ପ୍ରକଳ୍ପ’କୁ ନେଇ ଏବେ ଦେଶରେ ରାଜନୀତି ତେଜିବାରେ ଲାଗିଛି। ପ୍ରାୟ ୭୨ ହଜାର କୋଟି ଟଙ୍କାର ଏହି ମେଗା ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀ କଂଗ୍ରେସ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ସଦ୍ୟତମ ଘଟଣାକ୍ରମ ଅନୁଯାୟୀ, ସଂସଦର ଲୋକଲେଖା ସମିତି (PAC) ମାଧ୍ୟମରେ କଂଗ୍ରେସ ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

କ’ଣ ରହିଛି କଂଗ୍ରେସର ଯୋଜନା ?
ସଂସଦର ପିଏସି ର ଅଧ୍ୟକ୍ଷ ପଦ ସାଧାରଣତଃ ମୁଖ୍ୟ ବିରୋଧୀ ଦଳ ପାଖରେ ରହିଥାଏ ଏବଂ ବର୍ତ୍ତମାନ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଏହାର ମୁଖ୍ୟ ଅଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଏହି କମିଟି ବର୍ତ୍ତମାନ ଗ୍ରେଟ୍ ନିକୋବର ପ୍ରକଳ୍ପର ଫାଇଲ୍, ଅର୍ଥ ବ୍ୟୟବରାଦ ଏବଂ ପରିବେଶ ମଞ୍ଜୁରୀ ପ୍ରକ୍ରିୟାର ତର୍ଜମା କରିବାକୁ ସଜବାଜ ହେଉଛି। ବିରୋଧୀ ଦଳଗୁଡ଼ିକର ମୁଖ୍ୟ ଅଭିଯୋଗ ହେଉଛି ଯେ, ଏହି ବିରାଟ ପ୍ରକଳ୍ପ ଦ୍ୱାରା ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ସେଠାରେ ବସବାସ କରୁଥିବା ଆଦିମ ଜନଜାତି ମାନଙ୍କର ଜୀବନଜୀବିକା ଓ ଅସ୍ତିତ୍ୱ ଗଭୀର ସଙ୍କଟରେ ପଡ଼ିବ। ଏହି ଆଳରେ କଂଗ୍ରେସ ପ୍ରକଳ୍ପର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଏହାକୁ ବିଳମ୍ବିତ କରିବାକୁ ଚାହୁଁଛି।
![]()
ପ୍ରକଳ୍ପର ରଣନୈତିକ ଗୁରୁତ୍ୱ ଓ ସରକାରଙ୍କ ଯୁକ୍ତି
ଅନ୍ୟପକ୍ଷରେ, ଭାରତ ମହାସାଗର ଏବଂ ବଙ୍ଗୋପସାଗର ଅଞ୍ଚଳରେ ଚୀନ୍ର ବଢ଼ୁଥିବା ସାମରିକ ପ୍ରାଦୁର୍ଭାବକୁ କଡ଼ା ଜବାବ ଦେବା ପାଇଁ ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ପ୍ରକଳ୍ପକୁ ଦେଶର ସୁରକ୍ଷା ପାଇଁ ଏକ ‘ଗେମ୍ ଚେଞ୍ଜର୍’ ବୋଲି ମାନୁଛନ୍ତି। ଏହି ପ୍ରକଳ୍ପରେ ମୁଖ୍ୟତଃ ଚାରୋଟି ବଡ଼ କାମ ହେବାର ଅଛି । ଏକ ଅନ୍ତର୍ଜାତୀୟ କଣ୍ଟେନର ଟ୍ରାନ୍ସସିପମେଣ୍ଟ ଟର୍ମିନାଲ୍ (ବନ୍ଦର), ଏକ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର, ଗ୍ୟାସ୍ ଏବଂ ସୌର ଶକ୍ତି ଚାଳିତ ପାୱାର ପ୍ଲାଣ୍ଟ ଏବଂ ଏକ ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ଡ ସିଟି ନିର୍ମାଣ।

କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ହେଉଛି ଯେ, ବିକାଶ ଓ ପରିବେଶ ସନ୍ତୁଳନକୁ ବଜାୟ ରଖିବା ପାଇଁ ଏହି ପ୍ରକଳ୍ପରେ ସମସ୍ତ ବୈଧ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ଆଦିବାସୀମାନଙ୍କ ବାସସ୍ଥାନକୁ କୌଣସି କ୍ଷତି ପହଞ୍ଚାଯିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।
PAC ର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର

ବର୍ତ୍ତମାନ ସମସ୍ତଙ୍କ ନଜର ପିଏସି ର ଆଭିମୁଖ୍ୟ ଉପରେ ରହିଛି। ଗୋଟିଏ ପଟେ କଂଗ୍ରେସ ଏହି ପ୍ରସଙ୍ଗକୁ ଏକ ବଡ଼ ହତିଆର କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି। ତେବେ ପିଏସିରେ NDA ସାଂସଦମାନଙ୍କର ସଂଖ୍ୟାଗରିଷ୍ଠତା ଥିବାରୁ, ବିରୋଧୀଙ୍କ ଏହି ଚାଲ୍ କେତେଦୂର ସଫଳ ହେବ ତାହା ଦେଖିବାକୁ ବାକି ରହିଲା। ଜାତୀୟ ସୁରକ୍ଷା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ସଂସଦରେ ଏହି ପ୍ରକଳ୍ପ ଉପରେ ତୀବ୍ର ବିତର୍କ ହେବାର ସମ୍ଭାବନା ସୃଷ୍ଟି ହୋଇଛି।


