ଭାରତ ଏବେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ନିଜର ପ୍ରମୁଖ ରଣନୈତିକ ପ୍ରାଥମିକତା କରିସାରିଛି। ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ହେଉଥିବା ପ୍ରତିରକ୍ଷା ଚୁକ୍ତିରେ ଏବେ ‘ମେକ୍ ଇନ୍ ଇଣ୍ଡିଆ’ର ଏକ ପ୍ରମୁଖ ସର୍ତ୍ତ ପାଲଟିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ପ୍ରତିରକ୍ଷା ସାମଗ୍ରୀ ଏବଂ ଉନ୍ନତ ଜ୍ଞାନକୌଶଳର ମିଳିତ ଡିଜାଇନ୍, ବିକାଶ ତଥା ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ସହମତି ପ୍ରକାଶ ପାଇଛି। ଭବିଷ୍ୟତର ପ୍ରତିରକ୍ଷା ଚୁକ୍ତିଗୁଡ଼ିକରେ ‘ମେକ୍ ଇନ୍ ଇଣ୍ଡିଆ’ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ ବୋଲି ଫ୍ରାନ୍ସ ମଧ୍ୟ ସ୍ପଷ୍ଟ କରିଛି।

ଡେଡ୍ଲାଇନ୍ ଏବଂ ଗୁଣବତ୍ତା ଏବେ ବି ବଡ଼ ସମସ୍ୟା
ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀ କ୍ରମାଗତ ଭାବରେ ସ୍ୱଦେଶୀ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି। ବରିଷ୍ଠ ସାମରିକ ଅଧିକାରୀମାନେ ବାରମ୍ବାର କହିଛନ୍ତି ଯେ, ଯଦି ସ୍ୱଦେଶୀ କମ୍ପାନୀଗୁଡ଼ିକ ସେମାନଙ୍କର ଆବଶ୍ୟକତାର ୭୫-୮୦% ବି ପୂରଣ କରନ୍ତି, ତେବେ ସେମାନେ ସେହି ଉତ୍ପାଦକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆତ୍ମନିର୍ଭରଶୀଳତାର ଏହି ଯାତ୍ରାରେ ବିଶ୍ୱାସ ବଜାୟ ରଖିବା ସବୁଠାରୁ ବଡ଼ ଆହ୍ୱାନ।
ଅନେକ ସ୍ୱଦେଶୀ କମ୍ପାନୀ ନିର୍ଦ୍ଧାରିତ ସମୟ ଏବଂ ଗୁଣବତ୍ତା ରକ୍ଷା କରିବାରେ ବହୁ ପଛରେ ପଡ଼ୁଛନ୍ତି। ଉଦାହରଣ ସ୍ୱରୂପ, ଭାରତୀୟ ବାୟୁସେନା ଗତ ଦୁଇ ବର୍ଷ ଧରି ସ୍ୱଦେଶୀ ଯୁଦ୍ଧବିମାନ ‘ତେଜସ୍ ମାର୍କ-୧ଏ’ (Tejas Mark-1A) ପାଇବାକୁ ଅପେକ୍ଷା କରି ରହିଛି। ଡେଡ୍ଲାଇନ୍ ଏତେ ଥର ଘୁଞ୍ଚିଲାଣି ଯେ, ଏବେ ଆଉ ନୂଆ ତାରିଖ କହିବା ମଧ୍ୟ କଷ୍ଟକର ହୋଇପଡ଼ିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
କେବଳ ବଡ଼ ପ୍ରତିଶ୍ରୁତି ନୁହେଁ, ପ୍ରଦର୍ଶନ ଜରୁରୀ
କେବଳ ସମୟ ନୁହେଁ, ବରଂ ପ୍ରତିଶ୍ରୁତି ମୁତାବକ ସେବା ଯୋଗାଇବାରେ ମଧ୍ୟ ଅନେକ ସମସ୍ୟା ଦେଖାଯାଉଛି। ଏକ ୱାଟର୍ ଡ୍ରୋନ୍ ଚୁକ୍ତିରେ କମ୍ପାନୀ ପ୍ରଥମେ ୫୦ ମାଇଲ୍ ଯୋଗାଯୋଗ ରେଞ୍ଜର (Range) ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ପରେ ମାତ୍ର ୧୦ ମାଇଲ୍ ଦେଇପାରିବ ବୋଲି କହିଥିଲା। ସେହିପରି ଅନ୍ୟ ଏକ କମ୍ପାନୀର ବୁଲେଟପ୍ରୁଫ୍ ଜ୍ୟାକେଟ୍ ପ୍ରାରମ୍ଭିକ ଟ୍ରାଏଲରେ ପାସ୍ କରିଥିଲେ ମଧ୍ୟ ସପ୍ଲାଇ ପରେ ଟେଷ୍ଟିଂରେ ଫେଲ୍ ହୋଇଥିଲା।
ଯଦିଓ ଏଭଳି ସ୍ଥିତିରେ କମ୍ପାନୀ ଉପରେ ଜୋରିମାନା ଲଗାଇବା କିମ୍ବା ଚୁକ୍ତି ବାତିଲ କରିବାର ବିକଳ୍ପ ସେନା ପାଖରେ ରହିଛି, ତଥାପି ଏହାଦ୍ୱାରା ପୁରା କ୍ରୟ ପ୍ରକ୍ରିୟା ପୁଣିଥରେ ପ୍ରଥମରୁ ଆରମ୍ଭ କରିବାକୁ ପଡ଼େ। ଫଳରେ ସେନାକୁ ଜରୁରୀ ଉପକରଣ ମିଳିବାରେ ବହୁ ବର୍ଷ ବିଳମ୍ବ ହୁଏ। ଏହିସବୁ କାରଣରୁ ଏବେ ସେନା ପକ୍ଷରୁ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ, କମ୍ପାନୀଗୁଡ଼ିକ ଯେତିକି ପାରିବେ ସେତିକି ହିଁ ପ୍ରତିଶ୍ରୁତି ଦିଅନ୍ତୁ। କାରଣ ଏହାଦ୍ୱାରା କେବଳ ଗୋଟିଏ ପ୍ରୋଜେକ୍ଟ ନୁହେଁ, ପୁରା ଶିଳ୍ପର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ବଢ଼ୁଛି ଉତ୍ପାଦନ : ବିଶ୍ୱାସ ଜିତିଲେ ହିଁ ମିଳିବ ସଫଳତା

ଅନ୍ୟପଟେ ଭାରତରେ ପ୍ରତିରକ୍ଷା ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାରୀ ଆକଳନ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ ସୁଦ୍ଧା ଭାରତର ପ୍ରତିରକ୍ଷା ଉତ୍ପାଦନ ୧.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଏଯାବତ୍ ସର୍ବାଧିକ ଏବଂ ଗତବର୍ଷ ତୁଳନାରେ ୧୫.୬ ପ୍ରତିଶତ ଅଧିକ। ଏଥିରେ ଘରୋଇ କମ୍ପାନୀଗୁଡ଼ିକର ଅଂଶଦାନ ୨୪ ପ୍ରତିଶତକୁ ବୃଦ୍ଧି ପାଇଛି।
ଭାରତ ଏବେ କେବଳ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ନୁହେଁ, ବରଂ ଏକ ପ୍ରମୁଖ ରପ୍ତାନିକାରୀ ଦେଶ ହେବା ଦିଗରେ ଦ୍ରୁତ ଅଗ୍ରସର ହେଉଛି। ତେବେ ଏହି ସଫଳତା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ କମ୍ପାନୀଗୁଡ଼ିକର କାର୍ଯ୍ୟଦକ୍ଷତା, ସଠିକ୍ ସମୟସୀମା ଏବଂ ନିଖୁଣ ଗୁଣବତ୍ତା ଉପରେ ହିଁ ନିର୍ଭର କରୁଛି। ସ୍ୱଦେଶୀ କମ୍ପାନୀଗୁଡ଼ିକୁ ବୁଝିବାକୁ ହେବ ଯେ ପ୍ରତିରକ୍ଷା କ୍ଷେତ୍ରରେ କେବଳ ଉନ୍ନତ ଜ୍ଞାନକୌଶଳ ନୁହେଁ, ବରଂ ସେନାର ଅତୁଟ ‘ବିଶ୍ୱାସ’ ହିଁ ସବୁଠାରୁ ମୂଲ୍ୟବାନ ପୁଞ୍ଜି।


