ବର୍ତ୍ତମାନ ଦେଶର ରାଜନୀତିରେ ଗୋଟିଏ ବଡ଼ ରୋଗ ବ୍ୟାପିବାରେ ଲାଗିଛି। ଯେଉଁ ରୋଗଟି ଏବେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି, ଆଲୋଚନା ହେଉଛି ଯେ ସେହି ସମାନ ରୋଗ ଏବେ ଓଡ଼ିଶାରେ ବି ବ୍ୟାପିବାକୁ ଯାଉଛି।
ଆଉ ସେହି ରୋଗଟି କଣ ଜାଣନ୍ତି? ତାହା ହେଉଛି—‘ଦଳ ଭାଙ୍ଗିବା ରୋଗ’ ବା ଆଞ୍ଚଳିକ ଦଳକୁ ଦୁର୍ବଳ କରିବାର ରୋଗ।
ଆମ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କୁହାଯାଉଥିବା ବିଜୁ ଜନତା ଦଳ ବା ବିଜେଡି (BJD) ରେ ଏକ ବଡ଼ ବିଭାଜନ ହେବାକୁ ଯାଉଛି ବୋଲି ଗତକାଲିଠାରୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ସମୟରେ, ବିଜେପିର ସବୁଠାରୁ ବଡ଼ ଚାଣକ୍ୟ, ଦେଶର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ବିଶ୍ୱସ୍ତ ସହଯୋଗୀ ଅମିତ ଶାହ ଆଗାମୀ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ରାଜନୈତିକ ମହଲରେ ଏବେ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି—ଶାହଙ୍କ ଏହି ଓଡ଼ିଶା ଗସ୍ତ କାଳରେ କ’ଣ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ? ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶାରେ କଣ ‘ଅପରେସନ ଶଙ୍ଖ’ କାର୍ଯ୍ୟକାରୀ ହେବାକୁ ଯାଉଛି?
ବିଜେଡି ଭିତରେ ଧାଁ ଦଉଡ଼ ଓ ସାଂସଦ-ବିଧାୟକଙ୍କ ଅସନ୍ତୋଷ
୨୦୨୪ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରଠାରୁ ବିଜେଡି ଭିତରେ ଯେଉଁ ଆଭ୍ୟନ୍ତରୀଣ କନ୍ଦଳ ଚାଲିଛି, ତାହା ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ନିର୍ବାଚନ ପରଠାରୁ ବିଜେଡିର ୩ ଜଣ ରାଜ୍ୟସଭା ସାଂସଦ ଦଳ ଏବଂ ସାଂସଦ ପଦରୁ ଇସ୍ତଫା ଦେଇ ସାରି ବିଜେପିରେ ସାମିଲ ହୋଇସାରିଛନ୍ତି। କଥା ଏତିକିରେ ସରିନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଦଳରେ ଥିବା ବାକି ୫ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ମିଶିବା ପାଇଁ ପୂରା ଗୋଡ଼ ଟେକି ବସିଛନ୍ତି। ସେମାନେ କେବଳ ଦିଲ୍ଲୀ ଦରବାରରୁ ସବୁଜ ସଂକେତ ବା ଗ୍ରୀନ୍ ସିଗନାଲ୍କୁ ଅପେକ୍ଷା କରିଛନ୍ତି।
କେବଳ ସାଂସଦ ନୁହନ୍ତି, ବିଧାୟକ ସ୍ତରରେ ମଧ୍ୟ ସ୍ଥିତି ଅତ୍ୟନ୍ତ ସଂଗୀନ। ଚର୍ଚ୍ଚା ହେଉଛି ଯେ, ବିଜେଡିର ୩୦ରୁ ଅଧିକ ବିଧାୟକ ଦଳର ବର୍ତ୍ତମାନର ନୀତି, ଦିଗହୀନ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀ ଉପରେ ତୀବ୍ର ଅସନ୍ତୁଷ୍ଟ ଅଛନ୍ତି। ଏହି ଅସନ୍ତୁଷ୍ଟ ବିଧାୟକମାନେ ଆଗାମୀ ଦିନରେ କାହା ସହ ଯିବେ? ସେମାନେ କଣ ବିଜେପିରେ ସାମିଲ ହେବେ, ନା ଶିବସେନା କିମ୍ବା ଏନସିପି ଭଳି ବିଜେଡିରୁ ଅଲଗା ହୋଇ ଏକ ସମାନ୍ତରାଳ ଗୋଷ୍ଠୀ ଗଠନ କରିବେ? ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସମ୍ପୂର୍ଣ୍ଣ ଉଷ୍ମ ହୋଇପଡ଼ିଛି।
ପ୍ରଦୀପ ପୁରୋହିତଙ୍କ ଦମ୍ଭୋକ୍ତି ବନାମ ମନମୋହନ ସାମଲଙ୍କ ମାପିଚୁପି ବୟାନ
ଏହି ନିଆଁରେ ଘିଅ ଢାଳିବା ଭଳି କାମ କରିଛି ବିଜେପିର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଏକ ବଡ଼ ବୟାନ। ପ୍ରଦୀପ ପୁରୋହିତ ଗଣମାଧ୍ୟମ ସାମ୍ନାରେ ଦମ୍ଭୋକ୍ତି ବାଢ଼ି କହିଛନ୍ତି ଯେ, ଆସନ୍ତା ମାସେ କିମ୍ବା ଦୁଇ ମାସ ମଧ୍ୟରେ ବିଜେଡିରେ ଏକ ବଡ଼ ଧରଣର ବିଭାଜନ ଦେଖିବାକୁ ମିଳିବ। ସେ ଉଦାହରଣ ଦେଇ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଟିଏମସି (TMC) ଏବେ ଦୁର୍ବଳ ହେଉଛି ଏବଂ ମହାରାଷ୍ଟ୍ରରେ ଶିବସେନା ଭାଙ୍ଗି ଯେଭଳି ଏକ ବଡ଼ ଗୋଷ୍ଠୀ ଏନଡିଏ (NDA) ସହ ସାମିଲ ହେଲେ, ଠିକ୍ ସେହିଭଳି ପ୍ରକ୍ରିୟା ଏବେ ଓଡ଼ିଶାରେ ବିଜେଡି ଭିତରେ ଆରମ୍ଭ ହୋଇସାରିଛି। ବିଜେଡିର ଏକ ବଡ଼ ଗୋଷ୍ଠୀ ବିଜେପିରେ ସାମିଲ ହେବେ, ନଚେତ୍ ସେମାନେ ଏକ ଅଲଗା ପାର୍ଟି ଗଠନ କରି ଏନଡିଏ ସରକାରକୁ ବାହାରୁ ସମର୍ଥନ ଦେବେ।
ମନମୋହନ ସାମଲଙ୍କ କୂଟନୈତିକ ଆଭିମୁଖ୍ୟ
କିନ୍ତୁ ଅପରପକ୍ଷରେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନକୁ ଯଦି ଆମେ ଦେଖିବା, ସେ ବେଶ୍ ମାପିଚୁପି କଥା କହିଛନ୍ତି। ସେ କହିଛନ୍ତି ଯେ—ପ୍ରତ୍ୟେକ ରାଜ୍ୟର ସ୍ଥିତି ଅଲଗା ଏବଂ ସେଠାକାର ରାଜନୈତିକ ପରିସ୍ଥିତି ଭିନ୍ନ। ପଶ୍ଚିମବଙ୍ଗ, ମହାରାଷ୍ଟ୍ର କିମ୍ବା ପଞ୍ଜାବର ସ୍ଥିତିକୁ ଦେଖି ଦଳର କେନ୍ଦ୍ରୀୟ ସଂସଦୀୟ କମିଟି ନିଷ୍ପତ୍ତି ନେଇଥାଏ। ଓଡ଼ିଶା ପାଇଁ ଏପର୍ଯ୍ୟନ୍ତ କୌଣସି ନୀତିଗତ ନିଷ୍ପତ୍ତି ହୋଇନାହିଁ କିମ୍ବା ବିଜେଡିର କୌଣସି ବିଧାୟକ ସିଧାସଳଖ ତାଙ୍କ ସହ ଯୋଗାଯୋଗରେ ନାହାନ୍ତି।
ଅବଶ୍ୟ, ମନମୋହନ ସାମଲ ଏହା ବି ସ୍ପଷ୍ଟ କରିଛନ୍ତି ଯେ ବିଜେଡି ଏବେ ତୃଣମୂଳ ସ୍ତରରେ ଭାଙ୍ଗୁଛି। ବୁଥ୍ ଏବଂ ୱାର୍ଡ ସ୍ତରରେ ଶତାଧିକ ନେତା-କର୍ମୀ ବିଜେପିରେ ମିଶୁଛନ୍ତି ଏବଂ ଯେଉଁମାନେ ବିଜେପିର ଚିନ୍ତାଧାରାକୁ ଗ୍ରହଣ କରି ଆସିବାକୁ ଚାହିଁବେ, ସେମାନଙ୍କ ପାଇଁ ଦଳର ଦ୍ୱାର ସଦାସର୍ବଦା ଉନ୍ମୁକ୍ତ ରହିଛି।
ବିଜେଡିର ପାଲଟା ଆରୋପ—”ଏହା ବିଜେପିର ମିଛ ଥୋପ”
ଏପଟେ ବିଜେପିର ଏହି ଆକ୍ରମଣ ପରେ ବିଜେଡି ଶିବିର ମଧ୍ୟ ଚୁପ୍ ବସିନାହିଁ। ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ପାଲଟା ଆରୋପ କରି ବିଜେପିକୁ କଡ଼ା କଟାକ୍ଷ କରିଛନ୍ତି। ସେ କହିଛନ୍ତି—”ଆମେ ଅପେକ୍ଷା କରିଛୁ ସେମାନେ ଆମ ଦଳରୁ କାହାକୁ ନେଉଛନ୍ତି।
ସେମାନେ ତ ଆମର ୩ ଜଣ ରାଜ୍ୟସଭା ସାଂସଦଙ୍କୁ ଜବରଦସ୍ତି ନେଇସାରିଛନ୍ତି। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ବିଜେଡିରୁ କୌଣସି ବିଧାୟକ କିମ୍ବା ନେତା ବିଜେପିକୁ ଯିବେ ବୋଲି ମୁଁ ଆଦୌ ଭାବୁନାହିଁ।”
ଅରୁଣ ସାହୁଙ୍କ କହିବା କଥା ହେଉଛି, ବିଜେପି ସରକାର ଗଠନ କରିବା ପରେ ନିଜ ଦଳ ଭିତରେ ହିଁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେହି ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଏତେ ବଢ଼ିଗଲାଣି ଯେ, ତାକୁ ଚାପି ରଖିବା ପାଇଁ ଏବଂ ଗଣମାଧ୍ୟମର ନଜର ହଟାଇବା ପାଇଁ ବିଜେପି ଏଭଳି ‘ମିଛ ଥୋପ’ ପକାଉଛି ଏବଂ ମିଛ ଗୁଜବ ସୃଷ୍ଟି କରୁଛି।
ଅସଲ ସଂକଟ—ଦିଗହୀନ ବିଜେଡି ଓ ଶଙ୍ଖ ଭବନର ସୀମିତତା
ରାଜନୈତିକ ବୟାନବାଜି ଯାହା ବି ହେଉନା କାହିଁକି, ଯଦି ଆମେ ବାସ୍ତବ ସ୍ଥିତିକୁ ଦେଖିବା, ତେବେ ସାଧାରଣ ନିର୍ବାଚନରେ ପରାଜୟ ପରଠାରୁ ବିଜେଡି ଏକ ବଡ଼ ସାଂଗଠନିକ ସଙ୍କଟ ଦେଇ ଗତି କରୁଛି। ଦଳରେ ଉତ୍କଟ ଗୋଷ୍ଠୀକନ୍ଦଳ ଏବଂ ଭବିଷ୍ୟତର ନେତୃତ୍ୱକୁ ନେଇ ଚାଲିଥିବା ଛକାପଞ୍ଝା ଯୋଗୁଁ ଦଳ ଏବେ ସଂପୂର୍ଣ୍ଣ ଦିଗହୀନ ଅବସ୍ଥାରେ ଅଛି। ନିକଟରେ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ଜନିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦଳ ସହ ଏବେ ମାତ୍ର ୪୨ ଜଣ ବିଧାୟକ ରହିଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟରେ ବିଜେପି ସରକାର ନିଜର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କ ପାଖକୁ ଯାଉଛି, ନିଜର ହିସାବ ଦେଉଛି। କିନ୍ତୁ ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ଯେଉଁ ବିଜେଡି ମଇଦାନକୁ ଓହ୍ଲାଇବା କଥା, ଲୋକଙ୍କ ସୁଖ-ଦୁଃଖରେ ଛିଡ଼ା ହେବା କଥା, ସେ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନେଇପାରିନାହିଁ। ବିଜେଡି ନିଜର ସମସ୍ତ କାର୍ଯ୍ୟକ୍ରମକୁ କେବଳ ଭୁବନେଶ୍ୱରର ‘ଶଙ୍ଖ ଭବନ’ର ଚାରି କାନ୍ଥ ମଧ୍ୟରେ ସୀମିତ ରଖିଛି। ତୃଣମୂଳ ସ୍ତରର କର୍ମୀମାନେ ଆଜି ନିଜକୁ ଅସହାୟ ମନେ କରୁଛନ୍ତି ଏବଂ ସେମାନଙ୍କ ମନୋବଳ ଭାଙ୍ଗିବାରେ ଲାଗିଛି।
ତେବେ ବର୍ତ୍ତମାନ ସାରା ଓଡ଼ିଶାର ନଜର ରହିଛି ଆଗାମୀ ୪ ତାରିଖ ଉପରେ, ଯେତେବେଳେ ବିଜେପିର କେନ୍ଦ୍ରୀୟ ଚାଣକ୍ୟ ଅମିତ ଶାହ ଓଡ଼ିଶା ମାଟିରେ ପାଦ ଦେବେ। ଶାହଙ୍କ ଗସ୍ତ ପରେ ଓଡ଼ିଶା ରାଜନୀତି କେଉଁ ମୋଡ଼ ନେବ? କଣ ସତରେ ବିଜେଡିର ଏକ ବଡ଼ ଗୋଷ୍ଠୀ ବିଜେପି ଆଡକୁ ଢଳିବେ? କଣ ଓଡ଼ିଶାରେ ସଫଳ ହେବ ‘ଅପରେସନ ଶଙ୍ଖ’? ଏହା କେବଳ ସମୟ ହିଁ କହିବ।
AlsoRead; https://purvapaksa.com/executive-engineers-trip-to-sri-lanka-for-gambling-vigilance-probes/


