ଭାରତର ପଡ଼ୋଶୀରେ ଏବେ ଏକ ବଡ଼ ପରମାଣୁ ଯୁଦ୍ଧର ପ୍ରସ୍ତୁତି ଚାଲିଛି। ଆଉ ଏହି ପ୍ରସ୍ତୁତି କୌଣସି ପାକିସ୍ତାନ କରୁନାହିଁ, ବରଂ ଏହା ପଛରେ ରହିଛି ଚୀନର ସବୁଠାରୁ ବଡ଼ ଚକ୍ରାନ୍ତ। ସାଟେଲାଇଟ୍ ଚିତ୍ରରୁ ଏବେ ଏମିତି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି, ଯାହା ସାରାବିଶ୍ୱର ନିଦ ହଜାଇ ଦେଇଛି। ଚୀନର ଜନଶୂନ୍ୟ ମରୁଭୂମି ଭିତରେ ହଠାତ୍ ଶହ ଶହ ପରମାଣୁ ମିସାଇଲ୍ ରଖିବା ପାଇଁ ଗୁପ୍ତ ବଙ୍କର ବା ମିସାଇଲ୍ ସାଇଲୋ (Missile Silos) ତିଆରି ଚାଲିଛି।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଚୀନ୍ ଏହି ଯୁଦ୍ଧ ପ୍ରସ୍ତୁତି କାହା ପାଇଁ କରୁଛି? କଣ ଭାରତ ପାଇଁ ଏହା ଏକ ବଡ଼ ସଙ୍କଟର ସଙ୍କେତ? ଆମେରିକାକୁ ଡରାଇବା ପାଇଁ ଏହା ଚୀନର କୌଣସି ନୂଆ ଗେମ୍ ପ୍ଲାନ କି? ଚୀନର ଇରାନ ଏବଂ ତାଇୱାନ ମଡେଲ୍ କଣ, ଏବଂ ଯଦି ସତରେ ଏହି ପରମାଣୁ ଯୁଦ୍ଧ ଆରମ୍ଭ ହୁଏ, ତେବେ ଭାରତର ଭୂମିକା କଣ ରହିବ?
ଚୀନର ଏହି ଆକ୍ରାମକ ନୀତି କିଛି ନୂଆ ନୁହେଁ। ଏହାର ଇତିହାସକୁ ଯଦି ଆମେ ଦେଖିବା, ତେବେ ୧୯୪୯ ମସିହାରେ, ଯେତେବେଳେ ଭାରତ ସ୍ୱାଧୀନ ହେବାର ଠିକ୍ ଦୁଇ ବର୍ଷ ପରେ ଚୀନରେ କମ୍ୟୁନିଷ୍ଟ ଶାସନ ଆସିଲା, ସେତେବେଳେ ସେଠାକାର ଶାସକ ମାଓ ଜେଡଙ୍ଗ (Mao Zedong) ଏକ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଆଗାମୀ ୧୦୦ ବର୍ଷ ମଧ୍ୟରେ ଚୀନ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେବ। ଏମିତି ଏକ ଦେଶ, ଯିଏ ଆମେରିକାକୁ ଦବାଇବ, ଭାରତକୁ ବି ଦବାଇବ ଏବଂ ସାରା ଏସିଆ ତଥା ସମଗ୍ର ବିଶ୍ୱରେ କେବଳ ଚୀନର ହିଁ ଦବଦବା ରହିବ।
ଆଜି ମାଓ ଜେଡଙ୍ଗଙ୍କର ସେହି ସାମ୍ରାଜ୍ୟବାଦୀ ନୀତିକୁ ଆଗକୁ ବଢ଼ାଉଛନ୍ତି ବର୍ତ୍ତମାନର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। କିନ୍ତୁ ଏଠାରେ ଭାବିବା କଥା ଯେ, ଆଜିଠୁ କିଛି ବର୍ଷ ପୂର୍ବେ ଚୀନ୍ ପାଖରେ ପରମାଣୁ ବୋମାର ସଂଖ୍ୟା ବହୁତ ସୀମିତ ଥିଲା। ତେବେ ହଠାତ୍ ଏମିତି କଣ ହେଲା ଯେ ଚୀନ୍ ନିଜର ପରମାଣୁ ଶକ୍ତିକୁ ଏତେ ଦ୍ରୁତ ଗତିରେ ବଢ଼ାଇବାକୁ ଲାଗିଲା?
୨୦୧୮ ମସିହା ପର୍ଯ୍ୟନ୍ତ ଚୀନ୍ ପାଖରେ ମାତ୍ର ୨୫୦ଟି ପରମାଣୁ ହତିଆର ଥିଲା। କିନ୍ତୁ ୨୦୧୮ ରୁ ୨୦୨୬ ମଧ୍ୟରେ, ମାତ୍ର କେଇଟା ବର୍ଷ ଭିତରେ ଚୀନ୍ ଏହାକୁ ବଢ଼ାଇ ପ୍ରାୟ ୬୦୦ରେ ପହଞ୍ଚାଇ ସାରିଲାଣି! ଯେଉଁଠି ଆଜି ଭାରତ ପାଖରେ ପ୍ରାୟ ୧୯୦ ଏବଂ ପାକିସ୍ତାନ ପାଖରେ ୧୭୦ଟି ପରମାଣୁ ହତିଆର ଅଛି, ସେଠାରେ ଚୀନ୍ ପାଖରେ ୬୦୦ ପରମାଣୁ ବୋମା ରହିବା ନିଶ୍ଚିତ ଭାବରେ ଏକ ବଡ଼ ଚେତାବନୀ।
ଚୀନ୍ର ସବୁଠାରୁ ବଡ଼ ଶତ୍ରୁ ବୋଧହୁଏ ଭାରତ, ସେଥିପାଇଁ ସେ ଏତେ ହତିଆର ତିଆରି କରୁଛି। କିନ୍ତୁ ବାସ୍ତବତା ତାହା ନୁହେଁ। ଚୀନ୍ ଭାରତକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ମାନେ ସତ, କିନ୍ତୁ ସେ ନିଜର ଅସଲ ପ୍ରତିଯୋଗୀ ବା ସବୁଠାରୁ ବଡ଼ ବିପଦ ଆମେରିକାକୁ ମନେକରେ। କାରଣ ଆମେରିକା ପାଖରେ ୫୦୦୦ରୁ ଅଧିକ ପରମାଣୁ ହତିଆର ଅଛି। ଆମେରିକାର ଏୟାର ଡିଫେନ୍ସ ସିଷ୍ଟମ, ଅତ୍ୟାଧୁନିକ ଡ୍ରୋନ୍ ଏବଂ ଷ୍ଟେଲଥ୍ ବମ୍ବର ବିମାନ ଆଗରେ ଚୀନ୍ ନିଜକୁ ଦୁର୍ବଳ ମନେକରେ।
ଆମେରିକାର ପ୍ରସିଦ୍ଧ B-2 ଷ୍ଟେଲଥ୍ ବମ୍ବର ବିମାନକୁ ଦେଖି ଚୀନ୍ ତାହାର ଅବିକଳ ନକଲ ବା କପି କରି ନିଜ ପାଇଁ ମଧ୍ୟ ସେମିତି ଏକ ଯୁଦ୍ଧବିମାନ ତିଆରି କରିଛି। ଚୀନ୍ ଭଲ ଭାବରେ ଜାଣିଛି ଯେ ଭବିଷ୍ୟତରେ ଯଦି ସେ ଏସିଆ ମହାଦେଶରେ କୌଣସି ବଡ଼ ଯୁଦ୍ଧ ଲଢ଼ିବ, ତେବେ ତା’ ସାମ୍ନାରେ ଭାରତ ନୁହେଁ, ବରଂ ଆମେରିକା ଆସି ଛିଡ଼ା ହେବ।
ଏବେ ପ୍ରଶ୍ନ ଆସୁଛି—ଚୀନ୍ ଏବଂ ଆମେରିକା ପରସ୍ପର ଭିତରେ କାହିଁକି ଲଢ଼ିବେ? ଏମାନଙ୍କ ଭିତରେ ବିବାଦର ଅସଲ କାରଣ କଣ? ଏହି ବିବାଦର ନାଁ ହେଉଛି ‘ତାଇୱାନ’। ଯେମିତି ଆମେ ଅଖଣ୍ଡ ଭାରତ କଥା କହିବା ବେଳେ ପାକିସ୍ତାନ କିମ୍ବା ବାଂଲାଦେଶ ଦିନେ ଆମର ଅଂଶ ଥିଲା ବୋଲି ଭାବୁ, ଠିକ୍ ସେମିତି ଚୀନ୍ ଦାବି କରେ ଯେ ତାଇୱାନ ହେଉଛି ତାର ନିଜର ଅଂଶ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ତାଇୱାନ ଉପରେ ପ୍ରାୟ ୫୦ ବର୍ଷ ଶାସନ କରିଥିଲା, ସେଥିପାଇଁ ଆଜି ମଧ୍ୟ ତାଇୱାନରେ ଚୀନ ସଂସ୍କୃତି ଅପେକ୍ଷା ଜାପାନର ସଂସ୍କୃତି ଏବଂ ବିକାଶର ଛାପ ବେଶୀ ଦେଖିବାକୁ ମିଳେ।
ତାଇୱାନ ନିଜକୁ ଏକ ସ୍ୱାଧୀନ ଦେଶ ବୋଲି କହୁଥିବା ବେଳେ ଚୀନ୍ ଏହାକୁ ଗ୍ରହଣ କରେନାହିଁ। ଆଉ ଏହି ତାଇୱାନକୁ ସବୁ ପ୍ରକାରର ସାମରିକ ଏବଂ ରାଜନୈତିକ ସମର୍ଥନ ଦେଉଛି ଆମେରିକା। ଯଦି ଆମେ ଭୂଗୋଳକୁ ଦେଖିବା, ତେବେ ଆମେରିକା ଚୀନକୁ ତିନି ପଟୁ ଘେରି କି ରଖିଛି। ଦକ୍ଷିଣ କୋରିଆରେ ଆମେରିକା ସେନା ଅଛି, ଜାପାନରେ ଆମେରିକା ସେନା ଅଛି ଏବଂ ତାଇୱାନର ସମୁଦ୍ର ଚାରିପାଖରେ ଆମେରିକାର ବଡ଼ ବଡ଼ ଯୁଦ୍ଧ ଜାହାଜ ସବୁବେଳେ ପଇତରା ମାରୁଛନ୍ତି।
ସି ଜିନପିଙ୍ଗ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଯେକୌଣସି ମୂହୁର୍ତ୍ତରେ ତାଇୱାନ ଉପରେ ଆକ୍ରମଣ କରି ଏହାକୁ ଚୀନ ସହ ମିଶାଇବେ। ଅପରପକ୍ଷରେ ଆମେରିକା ଚେତାବନୀ ଦେଇଛି ଯେ ତାଇୱାନ ଉପରେ ହାତ ଦେଲେ ପ୍ରଥମେ ଆମେରିକା ସହ ଯୁଦ୍ଧ ଲଢ଼ିବାକୁ ହେବ। କିନ୍ତୁ ଆମେରିକା ଏହି ଛୋଟ ଦେଶ ପାଇଁ ଏତେ ଆଗ୍ରହ କାହିଁକି ଦେଖାଉଛି? ଏହାର କାରଣ ହେଉଛି—‘ମାଇକ୍ରୋ ଚିପ୍ସ’ ବା ‘ସେମିକଣ୍ଡକ୍ଟର’ (Semiconductor Chips)। ଆଜିର ଦୁନିଆରେ ସ୍ମାର୍ଟଫୋନ୍, ଗାଡ଼ି, ମିସାଇଲ୍ ଠାରୁ ଆରମ୍ଭ କରି ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ସ ଜିନିଷରେ ଯେଉଁ ଚିପ୍ ବ୍ୟବହାର ହୁଏ, ତାର ସବୁଠାରୁ ବଡ଼ ଉତ୍ପାଦକ ହେଉଛି ତାଇୱାନ। ଯଦି ତାଇୱାନ ଉପରେ ଚୀନର କବଜା ହୋଇଯାଏ, ତେବେ ସାରା ବିଶ୍ୱର ଟେକ୍ନୋଲୋଜି ଚୀନ ହାତକୁ ଚାଲିଯିବ। ଆମେରିକା ଏହା କଦାପି ଚାହେଁନାହିଁ। ସେଥିପାଇଁ ଆମେରିକା ସହ ଟକ୍କର ନେବାକୁ ଚୀନ୍ ନିଜର ପରମାଣୁ ଶକ୍ତିକୁ ଦୁଇଗୁଣା କରିବାରେ ଲାଗିଛି।
ଚୀନ୍ ନିଜର ପରମାଣୁ ପ୍ରସ୍ତୁତି ପାଇଁ ଏକ ସ୍ପେଶାଲ୍ ମଡେଲ୍ ଆପଣାଇଛି, ଯାହାକୁ ‘ଇରାନ ମଡେଲ୍’ (Iran Model) କୁହାଯାଉଛି। ଆପଣମାନେ ଜାଣିଥିବେ, ଇରାନ ବିଷୟରେ ଏକ କଥା କୁହାଯାଏ—ଇରାନ ମାଟି ଉପରେ ଯେତିକି ଅଛି, ମାଟି ତଳେ ତା’ଠାରୁ ଅଧିକ ଅଛି। ଆମେରିକାର ଶହ ଶହ ପ୍ରତିବନ୍ଧକ ସତ୍ତ୍ୱେ ଇରାନ ମାଟି ତଳେ ନିଜର ପୂରା ଦୁନିଆ ଏବଂ ମିସାଇଲ୍ ସିଟି ତିଆରି କରି ରଖିଛି।
ଚୀନ୍ ଠିକ୍ ସେହିପରି ନିଜର ବିଶାଳ ମରୁଭୂମି ଅଞ୍ଚଳ—ଯେମିତି କି ‘ୟୁମେନ୍’ (Yumen), ‘ହାମି’ (Hami), ଏବଂ ‘ଓର୍ଡୋସ୍’ (Ordos) ଭଳି ତିନୋଟି ବଡ଼ ଜାଗାରେ ଶହ ଶହ ଗଭୀର ମିସାଇଲ୍ ସାଇଲୋ ବା ବଙ୍କର ତିଆରି କରିଛି। ସାଟେଲାଇଟ୍ ଉପରୁ ଦେଖିଲେ ଏହା କେବଳ ଛୋଟ ଛୋଟ ଗୋଲାକାର ବିନ୍ଦୁ ଭଳି ଦେଖାଯାଏ, କିନ୍ତୁ ମାଟି ତଳେ ଏହା ଅତ୍ୟନ୍ତ ଗଭୀର ଓ ଶକ୍ତିଶାଳୀ।
ଏଠାରେ ଚୀନର ସବୁଠାରୁ ବଡ଼ ଚତୁରତା କଣ ଜାଣନ୍ତି? ଚୀନ୍ ଏମିତି ଶହ ଶହ ସାଇଲୋ ତିଆରି କରିଛି, ଯାହା ଭିତରୁ ପ୍ରାୟ ଅଧାରୁ ଅଧିକ ଖାଲି ପଡ଼ିଛି! ଏହା ପଛର କାରଣ ହେଉଛି ଶତ୍ରୁ ଦେଶକୁ ବିଭ୍ରାନ୍ତ କରିବା। ଯଦି କୌଣସି ଦେଶ ଚୀନ୍ ଉପରେ ପ୍ରଥମେ ଆକ୍ରମଣ କରେ, ତେବେ ସେମାନେ ଜାଣିପାରିବେ ନାହିଁ କେଉଁ ବଙ୍କର ଭିତରେ ସତରେ ପରମାଣୁ ମିସାଇଲ୍ ଅଛି ଆଉ କେଉଁଟା ଖାଲି ଅଛି। ସାଟେଲାଇଟ୍ ମଧ୍ୟ ଏହାର ସଠିକ୍ ଚିତ୍ର ଦେଇପାରିବ ନାହିଁ। ଚୀନର ଭାବନା ହେଉଛି—ଯଦି ଯୁଦ୍ଧ ହୁଏ, ଶତ୍ରୁ ଆମର ମାଟି ଉପରେ ଥିବା ଏୟାରବେସ୍ ବା ସାମରିକ ଘାଟିକୁ ଧ୍ୱଂସ କରିଦେଇପାରେ, କିନ୍ତୁ ମାଟି ତଳେ ଲୁଚି ରହିଥିବା ଏହି ପରମାଣୁ ମିସାଇଲଗୁଡ଼ିକ ସୁରକ୍ଷିତ ରହିବ ଏବଂ ହଠାତ୍ ମାଟି ତଳୁ ବାହାରି ଶତ୍ରୁକୁ ସମ୍ପୂର୍ଣ୍ଣ ଶେଷ କରିଦେବ।
ଏତିକି ନୁହେଁ, ପ୍ଲାନେଟ୍ ଲ୍ୟାବ୍ସ (Planet Labs) ର ସାଟେଲାଇଟ୍ ରିପୋର୍ଟ ଅନୁସାରେ, ଚୀନ୍ ମାଟି ତଳେ ଏକ ବିରାଟ ସୁଡ଼ଙ୍ଗ ଏବଂ କମାଣ୍ଡ ସେଣ୍ଟରର ଜାଲ ବିଛାଇ ସାରିଲାଣି। ଆପଣମାନେ ଚୀନର ପ୍ରସିଦ୍ଧ ‘ଦି ଗ୍ରେଟ୍ ୱାଲ୍ ଅଫ୍ ଚାଇନା’ (The Great Wall of China) ବିଷୟରେ ଶୁଣିଥିବେ, ଯାହା ମାଟି ଉପରେ ଦୁନିଆର ସବୁଠାରୁ ଲମ୍ବା ପ୍ରାଚୀର। କିନ୍ତୁ ଏବେ କୁହାଯାଉଛି ଯେ ଚୀନ୍ ମାଟି ତଳେ ମଧ୍ୟ ସେମିତି ଏକ ବିରାଟ ପରମାଣୁ ସୁରକ୍ଷିତ ପ୍ରାଚୀର ବା ସୁଡ଼ଙ୍ଗର ସାମ୍ରାଜ୍ୟ ତିଆରି କରିଛି, ଯାହା ଭିତରେ ବଡ଼ ବଡ଼ ମିସାଇଲ୍ ଲଞ୍ଚର୍ ଗାଡ଼ି ଗୁଡ଼ିକ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜରେ ଯାଇପାରିବେ।
ସେହିପରି ସମୁଦ୍ର ଭିତରୁ ଆକ୍ରମଣ କରିବା ପାଇଁ ଚୀନ୍ ନିଜର ପରମାଣୁ ବାହିତ ସବ୍ମେରିନ୍ ବା ବୁଡ଼ାଜାହାଜ ସଂଖ୍ୟା ମଧ୍ୟ ବଢ଼ାଇବାରେ ଲାଗିଛି। ଏହି ସମସ୍ତ ପ୍ରସ୍ତୁତି କେବଳ ଗୋଟିଏ ଲକ୍ଷ୍ୟ ନେଇ ଚାଲିଛି—ତାହା ହେଉଛି ଆଗାମୀ ବଡ଼ ଯୁଦ୍ଧ। ୨୦୨୧ ମସିହାରେ ସି ଜିନପିଙ୍ଗ ନିଜ ସେନାକୁ କହିଥିଲେ ଯେ, ୨୦୨୭ ମସିହା ସୁଦ୍ଧା ଚୀନ ସେନାକୁ ଏମିତି ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ, ଯାହା ବୋଧହୁଏ ତୃତୀୟ ବିଶ୍ୱଯୁଦ୍ଧ (World War 3) ର ରୂପ ନେଇପାରେ। ଚୀନର ‘ପିପୁଲ୍ସ ଲିବରେସନ ଆର୍ମି’ (PLA) କୁ ଏବେ ଏଆଇ (AI), ସାଇବର ୱାରଫେୟାର୍, ହାଇ-ଟେକ୍ ଲେଜର ହତିଆର ଏବଂ କେମିକାଲ୍ ୱେପନ୍ସ ବ୍ୟବହାର କରିବା ପାଇଁ ସ୍ପେଶାଲ୍ ଟ୍ରେନିଂ ଦିଆଯାଉଛି। କିଛି ଗୁପ୍ତ ରିପୋର୍ଟ ଅନୁସାରେ ଋଷିଆର ସେନା ମଧ୍ୟ ଚୀନ୍କୁ ଏହି ଯୁଦ୍ଧ କୌଶଳ ଶିଖାଇବାରେ ସାହାଯ୍ୟ କରୁଛି।
ଚୀନର ଏହି ପ୍ରସ୍ତୁତି କେବଳ ଆମେରିକା ପାଇଁ ନୁହେଁ, ବରଂ ଭାରତ ପାଇଁ ଏକ ବଡ଼ ବିପଦର ଘଣ୍ଟି। ଯଦି ଭବିଷ୍ୟତରେ ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ, ତେବେ ସେ ଏକ ସମୟରେ ଦୁଇଟି ମୋର୍ଚ୍ଚାରେ ଯୁଦ୍ଧ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି। ଚୀନର ନଜର ଭାରତର ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ସୀମା ଉପରେ ମଧ୍ୟ ରହିଛି।
୧୯୫୧ ମସିହାରେ ଚୀନ୍ ତିବ୍ଦତ ଉପରେ ଜବରଦସ୍ତି କବଜା କରିଥିଲା। ବାସ୍ତବରେ ଭାରତର ସୀମା ଚୀନ୍ ସହ ନୁହେଁ, ବରଂ ତିବ୍ଦତ ସହ ଲାଗିଛି। ୧୯୫୧ ରୁ ନେଇ ୨୦୨୪ ମସିହା ଆରମ୍ଭ ପର୍ଯ୍ୟନ୍ତ ଚୀନ୍ କେବେ ମଧ୍ୟ ତିବ୍ଦତ ଅଞ୍ଚଳରେ ଏତେ ବଡ଼ ଭିତ୍ତିଭୂମି ବିକାଶ କରିନଥିଲା। କିନ୍ତୁ ୨୦୨୪ ଶେଷ ଆଡ଼କୁ ଏବଂ ବର୍ତ୍ତମାନ ସମୟରେ ଚୀନ୍ ଭାରତ ସୀମାନ୍ତ ତିବ୍ଦତ ଅଞ୍ଚଳରେ ହଠାତ୍ ବଡ଼ ବଡ଼ ପକ୍କା ସଡ଼ଙ୍ଗ, ସାମରିକ ଏୟାରଫିଲ୍ଡ ଏବଂ ମାଟି ତଳେ ସାମରିକ ସୁଡ଼ଙ୍ଗ ତିଆରି କରିବାରେ ଲାଗିଛି।
ଚୀନ୍ ଭଲ ଭାବରେ ମନେ ରଖିଛି ୧୯୬୨ ମସିହାର ଯୁଦ୍ଧ କଥା। ସେତେବେଳେ ଭାରତୀୟ ସେନା ପାଖରେ ପୂର୍ଣ୍ଣ ପ୍ରସ୍ତୁତି ନଥିଲା, ଆମର ସୈନିକମାନେ ଉପଯୁକ୍ତ ହତିଆର ଏବଂ ଗରମ କପଡ଼ା ବିନା ମଧ୍ୟ ବୀରତ୍ୱର ସହ ଲଢ଼ିଥିଲେ। ଚୀନ୍ ଉଚ୍ଚ ପାହାଡ଼ ଉପରେ ଥିବାରୁ ତାକୁ ଫାଇଦା ମିଳିଥିଲା। କିନ୍ତୁ ଆଜିର ଭାରତ ବଦଳି ଯାଇଛି। ଆଜି ଭାରତ ପାଖରେ ମଧ୍ୟ ସୀମାରେ ଦ୍ରୁତ ଗତିରେ ସେନା ପହଞ୍ଚାଇବା ପାଇଁ ସଡ଼ଙ୍ଗ ଓ ସୁଡ଼ଙ୍ଗର ଜାଲ ପ୍ରସ୍ତୁତ ଅଛି। ଚୀନ୍ ଏହାକୁ ଦେଖି ଡରିଯାଇଛି। ସେଥିପାଇଁ ସେ ଭାରତ ସୀମାକୁ ଲାଗି ଶହ ଶହ ମିସାଇଲ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ ତୈନାତ କରିବାରେ ଲାଗିଛି, ଯେମିତି କୌଣସି ଯୁଦ୍ଧ ପରିସ୍ଥିତିରେ ସେ ସେନାକୁ ସମସ୍ତ ସାମଗ୍ରୀ ସେକେଣ୍ଡ ଭିତରେ ଯୋଗାଇ ପାରିବ।
ଭାରତ ପାଇଁ ଦ୍ୱିତୀୟ ସବୁଠାରୁ ବଡ଼ ଚିନ୍ତା ହେଉଛି—ଚୀନ୍ ଏବଂ ପାକିସ୍ତାନର ମିଳିତ ଗୁପ୍ତ ବୁଝାମଣା ବା ‘ଟୁ-ଫ୍ରଣ୍ଟ ୱାର’ (Two-Front War) ର ସଙ୍କଟ। ଯଦି କେବେ ଭାରତ ପାକିସ୍ତାନ ସହ PoK (ପାକିସ୍ତାନ ଅଧିକୃତ କାଶ୍ମୀର) କୁ ନେଇ ଯୁଦ୍ଧ ଲଢ଼େ, ତେବେ ଚୀନ୍ ସେହି ଯୁଦ୍ଧ ଭିତରକୁ ନିଶ୍ଚିତ ଭାବେ ଡେଇଁପଡ଼ିବ। କାରଣ ୧୯୬୩ ମସିହାରେ ପାକିସ୍ତାନ ବେଆଇନ ଭାବେ PoKର ଏକ ବଡ଼ ଅଂଶ ‘ସକ୍ସଗ୍ରାମ ଭ୍ୟାଲି’ (Shaksgam Valley) ଚୀନକୁ ଉପହାର ସ୍ୱରୂପ ଦେଇଦେଇଥିଲା। ଏହା ବ୍ୟତୀତ ଚୀନର ବିରାଟ ‘ସିପେକ୍’ (CPEC – China Pakistan Economic Corridor) ପ୍ରୋଜେକ୍ଟ ମଧ୍ୟ PoK ଦେଇ ଗତି କରୁଛି। ତେଣୁ PoK ଉପରେ ବିପଦ ଆସିଲେ ଚୀନ୍ ନିଜର ସ୍ୱାର୍ଥ ରକ୍ଷା ପାଇଁ ପାକିସ୍ତାନ ପଟୁ ଭାରତ ଉପରେ ଆକ୍ରମଣ କରିପାରେ।
ଏହାର ଏକ ବଡ଼ ଉଦାହରଣ ଏବେ ସାମ୍ନାକୁ ଆସିଛି। ଚୀନ ନିଜର ରକେଟ୍ ସାହାଯ୍ୟରେ ପାକିସ୍ତାନର ପ୍ରାୟ ଅଧା ଡଜନରୁ ଅଧିକ ଗୁପ୍ତଚର ସାଟେଲାଇଟ୍ (Spy Satellites) ମହାକାଶକୁ ପଠାଇଛି। ଏହି ସାଟେଲାଇଟଗୁଡ଼ିକର ଅସଲ କାମ କଣ ଜାଣନ୍ତି? ଏଗୁଡ଼ିକ ଭାରତର ସୀମାନ୍ତ ଅଞ୍ଚଳ ଏବଂ ସାମରିକ ଘାଟି ଉପରେ ପ୍ରତି ମୂହୁର୍ତ୍ତରେ ନଜର ରଖୁଛନ୍ତି। ପାକିସ୍ତାନ ଏହି ଗୁପ୍ତ ତଥ୍ୟ ଚୀନକୁ ଦେଉଛି ଏବଂ ଚୀନ୍ ତା’ର ବ୍ୟବହାର ଭାରତ ବିରୋଧରେ ରଣନୀତି ତିଆରି କରିବାରେ କରୁଛି।
ଏତେ ସବୁ ପ୍ରସ୍ତୁତି ଏବଂ ମିସାଇଲ୍ ସତ୍ତ୍ୱେ, ଚୀନ୍ ମନରେ ଭାରତ ଏବଂ ଆମେରିକାକୁ ନେଇ ଏକ ବଡ଼ ଡର ରହିଛି। ଆସନ୍ତୁ ଜାଣିବା ଚୀନର ସେହି ଦୁର୍ବଳତା ବା ‘ଆକିଲିସ୍ ହିଲ୍’ (Achilles’ Heel) କଣ।
ପ୍ରଥମ ଡର ହେଉଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି। ଟ୍ରମ୍ପ ସିଧାସଳଖ ଆର୍ଥିକ ଏବଂ ସାମରିକ ପ୍ରତିବନ୍ଧକ ଲଗାଇବାରେ ବିଶ୍ୱାସ କରନ୍ତି। ଚୀନ୍ ପାଖରେ ସବୁ କିଛି ଥାଇପାରେ, କିନ୍ତୁ ତା’ ପାଖରେ ନିଜସ୍ୱ ତେଲ ଏବଂ ଗ୍ୟାସ୍ର ବଡ଼ ଭଣ୍ଡାର ନାହିଁ। ଚୀନ୍ ନିଜର ଶକ୍ତି ପାଇଁ ସମ୍ପୂର୍ଣ୍ଣ ଭାବେ ଉପସାଗରୀୟ ଦେଶ ବା ମିଡିଲ୍ ଇଷ୍ଟ (Middle East) ଉପରେ ନିର୍ଭରଶୀଳ। ଆଉ ଇରାନକୁ ଛାଡ଼ିଦେଲେ ସାଉଦି ଆରବ, ୟୁଏଇ ଭଳି ଅଧିକାଂଶ ଦେଶ ଆମେରିକାକୁ ନିଜର ବଡ଼ ଭାଇ ମାନନ୍ତି। ଯଦି ଆମେରିକା ଚାହିଁବ, ତେବେ ଚୀନକୁ ଯାଉଥିବା ତେଲ ଯୋଗାଣକୁ ସେ ବନ୍ଦ କରିଦେଇପାରେ।
ଏବେ ଆସିବା ଚୀନର ଦ୍ୱିତୀୟ ଏବଂ ସବୁଠାରୁ ବଡ଼ ଡର ଉପରେ—ଯାହା ହେଉଛି ‘ଭାରତ’। ମିଡିଲ୍ ଇଷ୍ଟରୁ ଯେତେବେଳେ ତେଲ ଜାହାଜ ସବୁ ବାହାରନ୍ତି, ସେଗୁଡ଼ିକ ପାରସ୍ୟ ଉପସାଗର, ଆରବ ସାଗର ଦେଇ ହିନ୍ଦ ମହାସାଗର (Indian Ocean) ଭିତରକୁ ପ୍ରବେଶ କରନ୍ତି। ଏହି ହିନ୍ଦ ମହାସାଗରର ମଝିରେ ବସିଛି ଭାରତ।
ବିଶେଷ କରି ଆମର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଚ, ଯେଉଁଠି ଭାରତ ଏବେ ‘ଗ୍ରେଟ୍ ନିକୋବର ପ୍ରୋଜେକ୍ଟ’ (Great Nicobar Project) ମାଧ୍ୟମରେ ଏକ ବିଶାଳ ସାମରିକ ଏବଂ ନୌସେନା ଘାଟି ପ୍ରସ୍ତୁତ କରୁଛି।
ଚୀନକୁ ତେଲ ନେଇ ଯାଉଥିବା ପ୍ରତିଟି ଜାହାଜକୁ ‘ମଲାକ୍କା ପ୍ରଣାଳୀ’ ବା ‘ଷ୍ଟ୍ରେଟ୍ ଅଫ୍ ମଲାକ୍କା’ (Strait of Malacca) ଦେଇ ଅତିକ୍ରମ କରିବାକୁ ପଡ଼େ, ଯାହା ଆଣ୍ଡାମାନ ନିକୋବରର ବହୁତ ପାଖରେ। ଯଦି କେବେ ଚୀନ୍ ଭାରତ କିମ୍ବା ତାଇୱାନ ଉପରେ ଆକ୍ରମଣ କରେ, ତେବେ ଭାରତୀୟ ନୌସେନା ମଲାକ୍କା ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ବ୍ଲକ୍ ବା ବନ୍ଦ କରିଦେବାର କ୍ଷମତା ରଖେ। ଯଦି ସେହି ରାସ୍ତା ବନ୍ଦ ହୋଇଯାଏ, ତେବେ ମାତ୍ର କେଇଟା ଦିନ ଭିତରେ ଚୀନର ସମସ୍ତ ଗାଡ଼ି, ଫ୍ୟାକ୍ଟ୍ରି ଏବଂ ଯୁଦ୍ଧ ବିମାନରେ ତେଲ ସରିଯିବ ଏବଂ ଚୀନ୍ ଆଣ୍ଠୁ ମାଡ଼ିବାକୁ ବାଧ୍ୟ ହେବ। ଚୀନ୍ ଏହି ସଙ୍କଟକୁ ଭଲ ଭାବେ ଜାଣିଛି, ସେଥିପାଇଁ ସେ ପାକିସ୍ତାନର ବାଲୁଚିସ୍ତାନ ଦେଇ ଗ୍ୱାଦର ପୋର୍ଟ ପର୍ଯ୍ୟନ୍ତ ସର୍ଟକଟ୍ ରାସ୍ତା (CPEC) ତିଆରି କରୁଥିଲା। କିନ୍ତୁ ବାଲୁଚିସ୍ତାନର ସ୍ଥାନୀୟ ବିଦ୍ରୋହୀ ଏବଂ ଭାରତର କୂଟନୈତିକ ଚାପ ଯୋଗୁଁ ଚୀନର ସେହି ପ୍ରୋଜେକ୍ଟ ମଧ୍ୟ ଏବେ ଅଧାରେ ଅଟକି ରହିଛି।
AlsoRead; https://purvapaksa.com/brahmos-2-indias-new-invisible-weapon-growing-concern-for-china-and-pakistan/


