ବିଜେଡି ଏବେ ଏକ ନୂଆ ସ୍ଲୋଗାନ ଧରି ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି— ‘୨୪ ବର୍ଷର ନବୀନ ସରକାର ବନାମ ୨୪ ମାସର ମୋହନ ସରକାର’। ଏହି ସ୍ଲୋଗାନ ଦେଇ ଲୋକଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଛି ଦଳ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ସ୍ଲୋଗାନରେ ବିଜେଡିକୁ କେତେ ସଫଳତା ମିଳିବ?
ନିକଟରେ ଶଙ୍ଖ ଭବନରେ ବିଜେଡିର ଏକ ବଡ଼ ଚିନ୍ତନ କିମ୍ବା ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଞ୍ଚଳିକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦଳର ସମସ୍ତ ନେତା ଓ କର୍ମୀମାନେ ଏବେ ସିଧାସଳଖ ଜନସାଧାରଣଙ୍କ ପାଖକୁ ଯିବେ। ନବୀନ ବାବୁଙ୍କ ୨୪ ବର୍ଷର ସୁଶାସନ ଏବଂ ବିଜେପିର ଏହି ୨୪ ମାସର ଶାସନ ଭିତରେ କ’ଣ ଫରକ୍ ରହିଛି, ତାହା ଲୋକଙ୍କୁ ବୁଝାଇବେ।
କିନ୍ତୁ ଏଠାରେ ଏକ ବଡ଼ ରାଜନୈତିକ ପ୍ରଶ୍ନ ଉଠୁଛି— କୌଣସି ରାଜନୈତିକ ଦଳ ସମୁଖରେ ଯେତେବେଳେ ଏଭଳି ବଡ଼ ଚ୍ୟାଲେଞ୍ଜ ଆସେ, ସେତେବେଳେ ସେହି ଦଳ କେମିତି ପ୍ରତିକ୍ରିୟା ବା Response ପ୍ରକାଶ କରୁଛି? ତାହା ହିଁ ତାର ଭବିଷ୍ୟତ ସ୍ଥିର କରେ।
ରାଜନୀତିର ଦୁଇଟି ଜିନିଷ ବହୁତ ଗୁରୁତ୍ୱପୂର୍ଣ୍ଣ— ପ୍ରଥମଟି ହେଉଛି ‘Response to a challenge’ (ଚ୍ୟାଲେଞ୍ଜକୁ ସାମ୍ନା କରିବାର ତରିକା) ଏବଂ ଦ୍ୱିତୀୟଟି ହେଉଛି ‘Reaction to a situation’ (ପରିସ୍ଥିତି ଉପରେ ତୁରନ୍ତ ପ୍ରତିକ୍ରିୟା)।
ଏହାର ଏକ ବଡ଼ ଉଦାହରଣ ନିକଟରେ ଓଡ଼ିଶାରେ ଦେଖିବାକୁ ମିଳିଛି। ଚାମେଲି ଓଝା ନାମକ ଜଣେ ମହିଳା ସରପଞ୍ଚଙ୍କ ସହ ଘଟିଥିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ କଂଗ୍ରେସ ନେତାମାନେ, ବିଶେଷ କରି ଭକ୍ତ ଚରଣ ଦାସ ଏବଂ କଟକର ମହିଳା ବିଧାୟିକା ସୋଫିଆ ଫିରଦୋସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାଜନୈତିକ ରାସ୍ତା ତିଆରି କଲେ। ସରକାରଙ୍କୁ ଘେରିଲେ।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ସମ୍ବେଦନଶୀଳ ଘଟଣାରେ ରିଆକ୍ଟ କରିବାକୁ ୩ ରୁ ୪ ଦିନ ସମୟ ଲାଗିଗଲା। ବିଜେଡିର ଏହି ‘Late Reaction’ ବା ବିଳମ୍ବିତ ପ୍ରତିକ୍ରିୟା ସ୍ପଷ୍ଟ କରୁଛି ଯେ, ଦଳ ଏବେ ତୁରନ୍ତ ସରକାର କିମ୍ବା ପ୍ରଶାସନକୁ ଘେରିବା ଭଳି ସ୍ଥିତିରେ ନାହିଁ। ଦଳ ପାଖରେ ଗ୍ରାଉଣ୍ଡ ସ୍ତରରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ବହୁତ ଅଭାବ ଦେଖିବାକୁ ମିଳୁଛି।
ବିଜେଡିର ସବୁଠାରୁ ବଡ଼ ଦୁର୍ବଳତା ଏବେ ସାମ୍ନାକୁ ଆସିଛି, ତାହା ହେଉଛି— ଦଳର କୌଣସି ଦ୍ୱିତୀୟ ଧାଡ଼ିର ନେତା ବା ଉତ୍ତରାଧିକାରୀ ନାହାନ୍ତି। ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ବି ଦଳରେ ନବୀନଙ୍କ ପରେ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ।
ଆଜି ବି ଦଳର ବଡ଼ ବଡ଼ ନେତାମାନେ କାର୍ତ୍ତିକେୟନ ବାବୁ କିମ୍ବା ସୁଜାତା କାର୍ତ୍ତିକେୟନଙ୍କ ଭୂମିକାକୁ ନେଇ ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱରେ ଅଛନ୍ତି। ନିଜ ଦଳର ନେତାମାନଙ୍କର ହିଁ ନିଜ ନେତୃତ୍ୱ ଉପରେ ଆଉ ଭରସା ପାଉନାହିଁ। ଯେଉଁ ଦଳରେ ଭିତରେ ଭିତରେ ଏତେ ଅବିଶ୍ୱାସ, ସେମାନେ ମୈଦାନରେ ବିରୋଧୀଙ୍କ ସହ ଲଢ଼ିବେ କେମିତି?
ଅନ୍ୟପଟେ, ବିଜେପି ସରକାରକୁ ଆସିବା ମାତ୍ରେ ନବୀନ ବାବୁଙ୍କ ଦୁର୍ଗ ଉପରେ ସିଧାସଳଖ ଆକ୍ରମଣ ଆରମ୍ଭ କରିଦେଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସଂକ୍ରାନ୍ତରେ ଗଠିତ ‘ଜଷ୍ଟିସ ଏସ୍. ନାଇଡୁ କମିଶନ’ ରିପୋର୍ଟକୁ ନବୀନ ବାବୁ ଗାଏବ କରିଦେଇଥିବା ନେଇ ବର୍ତ୍ତମାନର ସରକାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ‘ଫାଇଲ୍ ଚୋର’ ବୋଲି ମଧ୍ୟ କୁହାଯାଉଛି।
ଏତେ ବଡ଼ ସଙ୍ଗୀନ ଅଭିଯୋଗ ପରେ ମଧ୍ୟ ନବୀନ ପଟ୍ଟନାୟକ କିମ୍ବା ବିଜେଡି ପକ୍ଷରୁ କୌଣସି ଶକ୍ତ ପ୍ରତିଆକ୍ରମଣ ବା Counter Attack ଦେଖିବାକୁ ମିଳୁନାହିଁ। ଏହି ନୀରବତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ନୀରବତା କ’ଣ ପ୍ରମାଣ କରୁଛି? ସେମାନେ କ’ଣ ଭିତରେ ଭିତରେ ଏହି ଅଭିଯୋଗକୁ ସ୍ୱୀକାର କରିନେଉଛନ୍ତି, ନା ସେମାନଙ୍କ ପାଖରେ ଉତ୍ତର ନାହିଁ?
ଏଥିରେ କୌଣସି ସନ୍ଦେହ ନାହିଁ ଯେ ନବୀନ ବାବୁ ଓଡ଼ିଶାର ଜଣେ ବହୁତ ଜନପ୍ରିୟ ନେତା ଏବଂ ତାଙ୍କର ବ୍ୟକ୍ତିଗତ କ୍ଲିନ୍ ଇମେଜ୍ ଲୋକଙ୍କ ଭିତରେ ଏବେ ବି ଅଛି। କିନ୍ତୁ କେବଳ ଭାବମୂର୍ତ୍ତିରେ ନିର୍ବାଚନ ଜିତି ହୁଏନାହିଁ। ସେହି ଜନପ୍ରିୟତାକୁ ଭୋଟ୍ରେ ବଦଳାଇବା ପାଇଁ ଯେଉଁ ସାଂଗଠନିକ ଏବଂ ରାଜନୈତିକ କୌଶଳ ଦରକାର, ତାହା ଦଳ ପାଖରେ ଆଦୌ ଦେଖାଯାଉନାହିଁ।
ଯଦି ବିଜେଡିର ଗତ ୨୦୦୯, ୨୦୧୪, ୨୦୧୯ ଏବଂ ୨୦୨୪ ନିର୍ବାଚନର ସମୀକ୍ଷା କରିବା, ତେବେ ଗୋଟିଏ ବଡ଼ ସତ ସାମ୍ନାକୁ ଆସିବ। ବିଜେଡି ପାଇଁ ନିର୍ବାଚନ କୌଣସି ଗ୍ରାଉଣ୍ଡ୍ ସ୍ତରର ନେତା ଲଢ଼ୁନଥିଲେ, ବରଂ ଏହାକୁ ‘ଅଫିସରମାନେ’ ହିଁ ପରିଚାଳନା କରୁଥିଲେ। ବିଜେଡି ପ୍ରକୃତରେ ଏକ କ୍ୟାଡର-ବେସ୍ ଦଳ ନଥିଲା, ଏହା ଥିଲା ଏକ ‘Officer-Driven Machine’।
ଜିଲ୍ଲାର କଲେକ୍ଟର ହେଉ, ତହସିଲଦାର ହେଉ କି ଆଇଆଇସି (IIC), ଏହି ଅଫିସରମାନଙ୍କ ଦ୍ୱାରା ହିଁ ବିରୋଧୀଙ୍କୁ ଦବାଇ ରଖାଯାଉଥିଲା ଏବଂ ନିର୍ବାଚନ ପରିଚାଳନା କରାଯାଉଥିଲା। ନେତାମାନେ କେବଳ ନିମିତ୍ତ ମାତ୍ର ଥିଲେ।
ଏବେ ଓଡ଼ିଶାରେ ସରକାର ବଦଳିବା ପରେ ସେହି ପୁରୁଣା ଅଫିସର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଦଳର ଯେଉଁ ନେତାମାନେ ବର୍ଷ ବର୍ଷ ଧରି କେବଳ ଅଫିସରଙ୍କ ଆଶ୍ରାରେ ରାଜନୀତି କରୁଥିଲେ, ସେମାନେ ଏବେ ଗ୍ରାଉଣ୍ଡରେ ସମ୍ପୂର୍ଣ୍ଣ ଅସହାୟ ବୋଧ କରୁଛନ୍ତି। ଲୋକଙ୍କ ସହ ସେମାନଙ୍କର ସିଧାସଳଖ ସମ୍ପର୍କ ତୁଟିଯାଇଛି।
ଅନ୍ୟପଟେ, ନବୀନ ବାବୁଙ୍କୁ ଏବେ ପ୍ରାୟ ୭୯ ବର୍ଷ ବୟସ। ଯଦିଓ ତାଙ୍କ ବାପା ପ୍ରବାଦ ପୁରୁଷ ବିଜୁ ବାବୁ ୮୨ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ, କିନ୍ତୁ ନବୀନ ବାବୁଙ୍କ ଏହି ଶାରୀରିକ ସ୍ଥିତିରେ ପୁଣିଥରେ ସାରା ଓଡ଼ିଶା ଖରାରେ ବୁଲି, ଗାଁ ଗାଁ ବୁଲି ନିଜର ପୁରୁଣା ସାଂଗଠନିକ ନେଟୱର୍କକୁ ଠିଆ କରିବା ଏତେ ସହଜ ନୁହେଁ। ଦଳ ହାତରୁ କ୍ଷମତା ଯିବା ପରେ ଏଭଳି କୌଣସି ଶକ୍ତିଶାଳୀ କର୍ମୀ ସଂଗଠନ ବା ନେଟୱର୍କ ନାହିଁ, ଯାହା ପ୍ରତ୍ୟେକ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିପାରିବ।
ତେବେ ଏତିକି କୁହାଯାଇପାରେ ଯେ, ‘୨୪ ବର୍ଷ ବନାମ ୨୪ ମାସ’ର ସ୍ଲୋଗାନ ଶୁଣିବାକୁ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବହୁତ ଭଲ ଲାଗିପାରେ, କିନ୍ତୁ ବାସ୍ତବ ରାଜନୀତିର ଗ୍ରାଉଣ୍ଡ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ।
ବିଜେଡି ଏବେ ବି ଓଡ଼ିଶାର ସବୁଠାରୁ ବଡ଼ ବିରୋଧୀ ଦଳ, ଯାହା ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ଲସ ପଏଣ୍ଟ ବା ଆଡଭାଣ୍ଟେଜ୍। କିନ୍ତୁ ନେତୃତ୍ୱର ଶୂନ୍ୟତା, ଅଫିସରମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତାର ପରିଣାମ ଏବଂ ଚ୍ୟାଲେଞ୍ଜକୁ ସାମ୍ନା କରିବାର ଉଚିତ ରଣନୀତି ଅଭାବରୁ ବିଜେଡି ଆଗାମୀ ଦିନରେ ଆହୁରି ବଡ଼ ସମସ୍ୟାରେ ପଡ଼ିବାକୁ ଯାଉଛି। ଦଳ ପାଖରେ ନେତା ତ ଅନେକ ଅଛନ୍ତି, କିନ୍ତୁ ବାସ୍ତବରେ ଦଳଟି ଏବେ ‘ନେତୃତ୍ୱ ବିହୀନ’ ମନେହେଉଛି। ଓଡ଼ିଶାର ରାଜନୈତିକ ଚିତ୍ର ବହୁତ ଶୀଘ୍ର ବଦଳିବାକୁ ଯାଉଛି ଏବଂ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି।
AlsoRead; https://purvapaksa.com/incentives-for-odia-food-in-restaurants-8-eligibility-rules/


