ଆଜି ଆମେ ଭାରତୀୟ ଗଣତନ୍ତ୍ର ଇତିହାସର ଏକ ସବୁଠାରୁ ବଡ଼ ଏବଂ ସ୍ମରଣୀୟ ଦିନର ସାକ୍ଷୀ ହେବାକୁ ଯାଉଛେ। ଭାରତୀୟ ରାଜନୈତିକ ମହାସମରର ସେହି ଦୁଇ ଶୀର୍ଷ ନେତା, ଯେଉଁମାନେ ନିଜ ନିଜ ଯୁଗରେ ସାରାଦେଶର ଲୋକଙ୍କ ମନକୁ ଶାସନ କରିଛନ୍ତି, ଆଜି ସେମାନଙ୍କର ଏକ ବଡ଼ ଐତିହାସିକ ରେକର୍ଡର ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଏକ ନୂତନ ଏବଂ ଅଦ୍ଭୁତପୂର୍ବ ରେକର୍ଡ ସ୍ଥାପନ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଇତିହାସରେ ସେ ସବୁଠାରୁ ଅଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ କାର୍ଯ୍ୟକାଳ ପୂରଣ କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।

ଗତବର୍ଷ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱର କ୍ରମାଗତ କାର୍ଯ୍ୟକାଳର ରେକର୍ଡକୁ ଭାଙ୍ଗିଥିଲେ.। ଆଉ ଆଜି ଜୁନ୍ ୧୦ରେ ସେ ପଣ୍ଡିତ ନେହେରୁଙ୍କୁ ମଧ୍ୟ ଓଭରଟେକ୍ କରି ସାରିଛନ୍ତି । ଏହି ବଡ଼ ସଫଳତା ସାମ୍ନାକୁ ଆସିବା ପରେ ଏବେ ସାରାଦେଶରେ ପଣ୍ଡିତ ନେହେରୁ ଏବଂ ନରେନ୍ଦ୍ର ମୋଦୀଙ୍କ ଶାସନ ଶୈଳୀ ଓ ନିର୍ବାଚନୀ ଗଣିତର ତୁଳନା କରାଯାଉଛି। ପଣ୍ଡିତ ନେହେରୁ ଏପରି ଏକ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଯେତେବେଳେ ଦେଶରେ ପ୍ରକୃତ ଅର୍ଥରେ କୌଣସି ଶକ୍ତିଶାଳୀ ବିରୋଧୀ ଦଳ ହିଁ ନ ଥିଲେ, ତଥାପି ଏକ ନୂତନ ଜନ୍ମିତ ରାଷ୍ଟ୍ର ପାଇଁ ଅନେକ ଆହ୍ୱାନ ରହିଥିଲା। ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ସମୟରେ ତିନି ତିନିଥର ନିର୍ବାଚନ ଜିତୁଛନ୍ତି ଯେତେବେଳେ ଶହ ଶହ ଆଞ୍ଚଳିକ ଏବଂ ଜାତୀୟ ଦଳ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ସର୍ବଶକ୍ତି ଲଗାଇ ଦେଇଛନ୍ତି।
କିନ୍ତୁ କେମିତି ନେହେରୁ ନିରନ୍ତର ସେହି ସମୟରେ ଜିତି ଆସୁଥିଲେ ଏବଂ ଆଜିର ଏହି କଠିନ ଯୁଗରେ ମୋଦୀ କେମିତି ବାରମ୍ବାର ନିଜର ବିଜୟ ଯାତ୍ରା ଜାରି ରଖିଛନ୍ତି।
ତେବେ ଏହା ପଛରେ ରହିଛି ଆଇନଗତ ଏବଂ ଗାଣିତିକ ଦିନ ସଂଖ୍ୟାର ଗୁପ୍ତ ହିସାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ୨୬ ମେ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ସେ ଯଥାକ୍ରମେ ୨୦୧୯ ଏବଂ ୨୦୨୪ ସାଧାରଣ ନିର୍ବାଚନ ଜିତି କ୍ରମାଗତ ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଜି ଜୁନ୍ ୧୦ ତାରିଖ ସୁଦ୍ଧା, ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ମୋଟ କାର୍ଯ୍ୟକାଳ ୪,୩୯୯ ଦିନ ହୋଇଯାଇଛି।
ଅନ୍ୟପକ୍ଷରେ, ଆମେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ବି ୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ସେ ମନୋନୀତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଭାରତୀୟ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ ଆନୁଷ୍ଠାନିକ ଗଣତାନ୍ତ୍ରିକ ସାଧାରଣ ନିର୍ବାଚନ ୧୯୫୧-୫୨ରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ଲୋକସଭା ଗଠନ ପରେ ପଣ୍ଡିତ ନେହେରୁ ଏକ ନିର୍ବାଚିତ ସରକାରର ପ୍ରଧାନମନ୍ତ୍ରୀ ଭାବେ ମୋଟ ୪,୩୯୮ ଦିନ ଦେଶ ପାଇଁ ସେବା କରିଥିଲେ । ଯଦିଓ ପଣ୍ଡିତ ନେହେରୁଙ୍କର ସ୍ୱାଧୀନତା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ର ମୋଟ କାର୍ଯ୍ୟକାଳ ୧୬ ବର୍ଷ ୨୮୬ ଦିନ ଥିଲା, କିନ୍ତୁ ପ୍ରଥମ ସାଧାରଣ ନିର୍ବାଚନ ପରଠାରୁ ତାଙ୍କର ନିର୍ବାଚିତ କାର୍ଯ୍ୟକାଳ ୪,୩୯୮ ଦିନ ଥିଲା । ଯାହାକୁ ଆଜି ନରେନ୍ଦ୍ର ମୋଦୀ ୪,୩୯୯ ଦିନ ସହ ଅତିକ୍ରମ କରି ସାରିଛନ୍ତି।

ତେବେ କିପରି ଥିଲା ସେ ସମୟର ସାମାଜିକ ଓ ରାଜନୈତିକ ବାତାବରଣ । କୁହାଯାଏ ସେତେବେଳେ ସମୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଆଉ ଏବେ ସମ୍ପୂର୍ଣ୍ଣ ଅଲଗା । ଭାରତର ଗଣତନ୍ତ୍ର ବହୁତ ବିଶାଳ ଏବଂ ଏହା ନିରନ୍ତର ପରିବର୍ତ୍ତନଶୀଳ । ଆଜି ଆମେ ଯେଉଁ ଧରଣର ତୀବ୍ର ଏବଂ କଠିନ ପ୍ରତିଯୋଗିତାମୂଳକ ରାଜନୀତି ଦେଖୁଛୁ, ତାହା ୧୯୫୦ ଏବଂ ୧୯୬୦ ଦଶକରେ ଆଦୌ ନ ଥିଲା । ପଣ୍ଡିତ ନେହେରୁଙ୍କ ସମୟରେ ଭାରତ ସଦ୍ୟ ସ୍ୱାଧୀନତା ପାଇଥିଲା । ସେତେବେଳେ ଦେଶରେ କଂଗ୍ରେସ ଦଳର ଏକ ପ୍ରଚଣ୍ଡ ଓ ଅଦ୍ଭୁତପୂର୍ବ ଉପସ୍ଥିତି ଥିଲା । କଂଗ୍ରେସ ସେତେବେଳେ କେବଳ ଏକ ସାଧାରଣ ରାଜନୈତିକ ଦଳ ନ ଥିଲା, ବରଂ ଏହା ଥିଲା ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ଲଢ଼ିଥିବା ମୁଖ୍ୟ ମହାଶକ୍ତି । ଫଳସ୍ୱରୂପ, ଭାରତର ସାଧାରଣ ଜନସାଧାରଣଙ୍କର କଂଗ୍ରେସ ପ୍ରତି ଏକ ଗଭୀର ଭାବପ୍ରବଣତା ଏବଂ ଅନ୍ଧ ବିଶ୍ୱାସ ରହିଥିଲା ।
ସେହି ସମୟରେ ଯଦିଓ ଆଇନଗତ ଭାବେ ଭାରତ ଏକ ‘ଏକକ-ଦଳୀୟ’ ରାଷ୍ଟ୍ର ନ ଥିଲା, ଅର୍ଥାତ୍ ଅନ୍ୟ ଦଳ ଗଠନ କରିବାର ସ୍ୱାଧୀନତା ଥିଲା, ତଥାପି ନିର୍ବାଚନୀ ରଣାଙ୍ଗନରେ କଂଗ୍ରେସର ପ୍ରଭାବ ଏତେ ଅଧିକ ଥିଲା ଯେ ବିରୋଧୀ ଦଳ ସମ୍ପୂର୍ଣ୍ଣ ନଗଣ୍ୟ ଥିଲେ। ଅଧିକାଂଶ ରାଜ୍ୟରେ କଂଗ୍ରେସ ହିଁ ଭୋଟରଙ୍କର ସ୍ୱାଭାବିକ ଏବଂ ଏକମାତ୍ର ପସନ୍ଦ ସାଜିଥିଲା। ବିରୋଧୀ ଦଳଗୁଡ଼ିକ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିଲେ, ସେମାନଙ୍କ ପାଖରେ ନା ଥିଲା ସଂଗଠନ, ନା ଥିଲା ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ, ଆଉ ନା ଥିଲା କୌଣସି ଜାତୀୟ ସ୍ୱୀକୃତି। ଏଭଳି ଏକ ପରିବେଶରେ ପଣ୍ଡିତ ନେହେରୁଙ୍କ ଲୋକପ୍ରିୟତା ଆକାଶଛୁଆଁ ଥିଲା । ସେ ଆଧୁନିକ ଭାରତ, ଗଣତନ୍ତ୍ର, ଶିଳ୍ପାୟନ ଏବଂ ଧର୍ମନିରପେକ୍ଷତା ବିଷୟରେ କହୁଥିଲେ । ଦେଶର ଲୋକେ ତାଙ୍କୁ ରାଷ୍ଟ୍ର ନିର୍ମାଣର ମୁଖ୍ୟ ନାୟକ ବୋଲି ଭାବୁଥିଲେ । ତେଣୁ ନେହେରୁ ଯେଉଁ ୧୯୫୨, ୧୯୫୭ ଏବଂ ୧୯୬୨ ସାଧାରଣ ନିର୍ବାଚନ ଜିତିଥିଲେ, ତାହା କେବଳ ଏକ ସାଧାରଣ ନିର୍ବାଚନୀ ବିଜୟ ନ ଥିଲା, ବରଂ ସେହି ନୂତନ ଭାରତର ଗଠନ ପ୍ରତି ଦେଶବାସୀଙ୍କର ଏକ ଭାବପ୍ରବଣ ଅନୁମୋଦନର ମୋହର ଥିଲା।

ଏହା ପରେ କେମିତି ଚାଲୁଛି ‘ନରେନ୍ଦ୍ର ମୋଦୀଙ୍କ ଯୁଗ’ । ମୋଦୀଙ୍କ ଯୁଗ ପଣ୍ଡିତ ନେହେରୁଙ୍କ ଯୁଗଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଯଥେଷ୍ଟ ଜଟିଳ । ଆଜିର ସମୟରେ ଭାରତର ରାଜନୀତି ବହୁତ ବ୍ୟାପକ ଏବଂ ଆଞ୍ଚଳିକ ସ୍ତରରେ ଶକ୍ତିଶାଳୀ ହୋଇସାରିଛି । ଏବେ ଦେଶରେ କେବଳ ଗୋଟିଏ କିମ୍ବା ଦୁଇଟି ଦଳ ନାହାନ୍ତି, ବରଂ ଜାତୀୟ ଦଳ ସହିତ ପ୍ରତିଟି ରାଜ୍ୟରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଅଛନ୍ତି, ଯେଉଁମାନେ ନିଜ ନିଜ ଜାତି, ବର୍ଗ, ଭାଷା ଏବଂ କ୍ଷେତ୍ରବାଦ ଉପରେ ଆଧାର କରି ରାଜନୀତି କରୁଛନ୍ତି । ଆଜି ସମୟ ଏମିତି ଯେ, ସାମାନ୍ୟ କିଛି ଛୋଟ ଛୋଟ ଆଞ୍ଚଳିକ ଦଳ ମଧ୍ୟ ଏକାଠି ହୋଇ ବଡ଼ ବଡ଼ ଜାତୀୟ ଦଳର ନିର୍ବାଚନୀ ସମୀକରଣକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇପାରନ୍ତି।
ବର୍ତ୍ତମାନର ଏହି ନୂତନ ରାଜନୀତିର ସବୁଠାରୁ ବଡ଼ ଉଦାହରଣ ହେଉଛି ୨୦୨୪ ର ଲୋକସଭା ନିର୍ବାଚନ । ଏହି ନିର୍ବାଚନରେ ଶହ ଶହ ରାଜନୈତିକ ଦଳ ନିର୍ବାଚନ ମଇଦାନରେ ସକ୍ରିୟ ଥିଲେ। ଆଜିର ଭୋଟର ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ସଚେତନ, ଚତୁର ଏବଂ ଶିକ୍ଷିତ। ଗଣମାଧ୍ୟମ ଏବଂ ସବୁଠାରୁ ବଡ଼ ଶକ୍ତି ସାଜିଥିବା ‘ସୋସିଆଲ ମିଡିଆ’ (Social Media) ଆଜି ନିର୍ବାଚନୀ ପ୍ରଚାରକୁ ପ୍ରତ୍ୟେକ ନାଗରିକଙ୍କ ମୋବାଇଲ୍ ଫୋନ୍ ସ୍କ୍ରିନ୍ ପର୍ଯ୍ୟନ୍ତ ନେଇଆସିଛି। ପ୍ରତ୍ୟେକ ଛୋଟ ବଡ଼ ପ୍ରସଙ୍ଗ ଉପରେ ଦିନରାତି ଟିଭିରେ ଏବଂ ସୋସିଆଲ ମିଡିଆରେ ତୀବ୍ର ବିତର୍କ ହେଉଛି। ପ୍ରତ୍ୟେକ ଲୋକସଭା ଆସନର ଜାତିଗତ ଓ ଆଞ୍ଚଳିକ ସମୀକରଣ ସମ୍ପୂର୍ଣ୍ଣ ଅଲଗା। ଏଭଳି ଏକ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏବଂ ଆହ୍ୱାନପୂର୍ଣ୍ଣ ପରିବେଶରେ କୌଣସି ଜଣେ ନେତାଙ୍କ ପାଇଁ ଲଗାତାର ତୃତୀୟ ଥର ଦେଶର କ୍ଷମତାକୁ ଫେରିବା ଆଦୌ ସହଜ କଥା ନୁହେଁ।
ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହିତ କେନ୍ଦ୍ରରେ ସରକାର ଗଠନ କରିଥିଲେ, ଯେଉଁଠି କଂଗ୍ରେସର ୧୦ ବର୍ଷର ଶାସନର ଅନ୍ତ ଘଟିଥିଲା । ଏହା ପରେ ୨୦୧୯ ରେ, ସେ ଆହୁରି ବଡ଼ ଜନାଦେଶ ଏବଂ ପ୍ରଚଣ୍ଡ ବହୁମତ ସହିତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଲେ । ତଥାପି, ନିକଟରେ ଶେଷ ହୋଇଥିବା ୨୦୨୪ ନିର୍ବାଚନରେ ବିଜେପି ନିଜ ବଳରେ ବହୁମତରୁ ସାମାନ୍ୟ ବଞ୍ଚିତ ହୋଇଥିଲା, କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଅର୍ଥାତ୍ ଏନଡିଏ ସ୍ପଷ୍ଟ ବହୁମତ ହାସଲ କରିବାରେ ସଫଳ ହେଲା । ଏହି ସଫଳତା ଆଧାରରେ ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଏବଂ ପଣ୍ଡିତ ନେହେରୁଙ୍କ ପରେ ଦେଶର ଦ୍ୱିତୀୟ ନେତା ଭାବେ ଲଗାତାର ତିନିଟି କାର୍ଯ୍ୟକାଳ ପୂରଣ କରିବାର ଏକ ବିରାଟ ଗୌରବ ହାସଲ କଲେ । କିନ୍ତୁ ଦୁଇ ନେତାଙ୍କ ବିଜୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଅଲଗା ଥିଲା। ଜଣଙ୍କ ପାଖରେ ଇତିହାସର ଆଶୀର୍ବାଦ ଥିଲା ତ ଆଉ ଜଣଙ୍କ ପାଖରେ ଆଧୁନିକ ସଂଗଠନ ଓ କଲ୍ୟାଣକାରୀ ଯୋଜନାର ବ୍ରହ୍ମାସ୍ତ୍ର ରହିଛି।

ସଂକ୍ଷେପରେ ଏହି ଦୁଇ ମହାନ ନେତାଙ୍କ ନିର୍ବାଚନୀ ପରିବେଶ ଏବଂ ରଣନୀତି ମଧ୍ୟରେ କଣ ରହିଥିଲା ବଡ଼ ପାର୍ଥକ୍ୟ :-
- ଜବାହରଲାଲ ନେହେରୁଙ୍କ ପାଇଁ ରାଜନୈତିକ ପରିବେଶ କଂଗ୍ରେସ ପାଇଁ ଏକଚାଟିଆ ଥିବାବେଳେ ବିରୋଧୀ ଦୁର୍ବଳ ଥିଲେ। ନରେନ୍ଦ୍ର ମୋଦୀଙ୍କ ପାଇଁ ଅତ୍ୟନ୍ତ ପ୍ରତିଯୋଗିତାମୂଳକ, ଶହ ଶହ ଆଞ୍ଚଳିକ ଦଳର ଉପସ୍ଥିତି ରହିଛି।
- ଜବାହରଲାଲ ନେହେରୁଙ୍କ ପାଇଁ ବିଜୟର ମୂଳ ଆଧାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ପ୍ରେରଣା ଓ ଭାବପ୍ରବଣତା ଥିବାବେଳେ ନରେନ୍ଦ୍ର ମୋଦୀଙ୍କ ପାଇଁ ଦୃଢ଼ ଜାତୀୟତାବାଦ, ହିନ୍ଦୁତ୍ୱ ଏବଂ ଲୋକାଭିମୁଖୀ ବିକାଶ ରହିଛି।
- ଜବାହରଲାଲ ନେହେରୁଙ୍କ ପାଇଁ ଯୋଗାଯୋଗର ମାଧ୍ୟମ କେବଳ ରେଡିଓ ଏବଂ ସୀମିତ ଖବରକାଗଜ, ଗ୍ରାମୀଣ ସଭା ଥିବାବେଳେ ନରେନ୍ଦ୍ର ମୋଦୀଙ୍କ ପାଇଁ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ, ସୋସିଆଲ ମିଡିଆ ଏବଂ ମୋବାଇଲ ପ୍ରଚାର ରହିଛି।
- ଜବାହରଲାଲ ନେହେରୁଙ୍କ ପାଇଁ ମୁଖ୍ୟ ଭୋଟର ଶକ୍ତି ସ୍ଥିରତା ଚାହୁଁଥିବା ଦେଶର ସାଧାରଣ ସାକ୍ଷର ଓ ନିରକ୍ଷର ଜନତା ଥିବାବେଳେ ନରେନ୍ଦ୍ର ମୋଦୀଙ୍କ ପାଇଁ ମହିଳା ଭୋଟର, ଯୁବପିଢ଼ି ଏବଂ କେନ୍ଦ୍ରୀୟ ଯୋଜନାର ସିଧାସଳଖ ଲାଭାର୍ଥୀ ଗୋଷ୍ଠୀ ରହିଛନ୍ତି।
- ଜବାହରଲାଲ ନେହେରୁଙ୍କ ପାଇଁ ସରକାରର ସ୍ୱଭାବ କଂଗ୍ରେସର ଏକକ ସଂଖ୍ୟାଗରିଷ୍ଠତା ସରକାର ଥିବାବେଳେ ନରେନ୍ଦ୍ର ମୋଦୀଙ୍କ ପାଇଁ ଏନଡିଏର ରାଜନୈତିକ ସନ୍ତୁଳନ ସରକାର ରହିଛି।
ପଣ୍ଡିତ ନେହେରୁଙ୍କ ସମୟରେ ନିର୍ବାଚନ କମିଶନ ମଧ୍ୟ ନୂତନ ଥିଲେ, ସାକ୍ଷରତା ହାର ବହୁତ କମ୍ ଥିଲା ଏବଂ ଯୋଗାଯୋଗର ମାଧ୍ୟମ ସୀମିତ ଥିଲା। ସେତେବେଳେ କଂଗ୍ରେସର ସଂଗଠନ ପ୍ରତ୍ୟେକ ଗାଁରେ ପହଞ୍ଚି ସାରିଥିଲା, ତେଣୁ ବିଜୟ ସ୍ୱାଭାବିକ ଥିଲା। କିନ୍ତୁ ଆଜି ମୋଦୀଙ୍କ ସମୟରେ ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ରଣନୀତି ଦ୍ୱାରା ପରିଚାଳିତ ହେଉଛି। ଆଜି ନିର୍ବାଚନ ଜିତିବା କେବଳ ଲୋକପ୍ରିୟତାର ବିଷୟ ନୁହେଁ, ବରଂ ଏହା ହେଉଛି ଡାଟା ମ୍ୟାନେଜମେଣ୍ଟ, ସମ୍ବଳର ସଠିକ୍ ବ୍ୟବହାର, ମେଣ୍ଟ ରାଜନୀତି ଏବଂ ନିଜର ପକ୍ଷକୁ ଗଣମାଧ୍ୟମରେ ସଠିକ୍ ଭାବେ ଉପସ୍ଥାପନ କରିବାର ଏକ ବଡ଼ ଚେସ-ଖେଳ। ମୋଦୀ ଏହି ଆଧୁନିକ ଖେଳର ସବୁଠୁ ବଡ଼ ମାଷ୍ଟର ବୋଲି ପ୍ରମାଣିତ ହୋଇଛନ୍ତି।
ଉଭୟ ନେତାଙ୍କ ସାମ୍ନାରେ ଥିବା ଆହ୍ୱାନ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପଣ୍ଡିତ ନେହେରୁଙ୍କ ଆହ୍ୱାନ ନିର୍ବାଚନ ଜିତିବା ଅପେକ୍ଷା ‘ରାଷ୍ଟ୍ର ନିର୍ମାଣ’ (Nation Building) ବିଷୟରେ ଅଧିକ ଥିଲା। ତାଙ୍କୁ ଦେଶର ନୂଆ ସମ୍ବିଧାନକୁ ସୃଷ୍ଟି କରି ତାହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିଥିଲା। ଦେଶକୁ ବିଭାଜନର ସେହି ଭୟଙ୍କର ଯନ୍ତ୍ରଣା ଓ ସାମ୍ପ୍ରଦାୟିକ ଦଙ୍ଗାରୁ ବାହାର କରି ଏକ ସୂତ୍ରରେ ବାନ୍ଧିବାକୁ ପଡ଼ିଥିଲା। ସେତେବେଳେ ଭାରତ ଭୟଙ୍କର ଦାରିଦ୍ର୍ୟ, ନିରକ୍ଷରତା ଏବଂ ଶିଳ୍ପ କ୍ଷେତ୍ରରେ ପଛୁଆପଣ ସହିତ ଲଢ଼ୁଥିଲା। ନେହେରୁଙ୍କ ସବୁଠାରୁ ବଡ଼ ଅବଦାନ ଥିଲା ଯେ, ସେହି କଠିନ ସମୟରେ ମଧ୍ୟ ସେ ଭାରତରେ ଗଣତନ୍ତ୍ରକୁ ବଞ୍ଚାଇ ରଖିଥିଲେ, ଯେଉଁ ସମୟରେ ଭାରତ ସହ ସ୍ୱାଧୀନ ହୋଇଥିବା ଅନେକ ଏସିଆ ଓ ଆଫ୍ରିକୀୟ ଦେଶରେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିଲା ଏବଂ ସେଠାରେ ସେନା ଶାସନ ଆରମ୍ଭ ହୋଇଯାଇଥିଲା।

ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଥିବା ଆହ୍ୱାନ ସମ୍ପୂର୍ଣ୍ଣ ଅଲଗା। ଆଜି ଭାରତ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ଗଣତନ୍ତ୍ର ଭାବେ ପ୍ରତିଷ୍ଠିତ, କିନ୍ତୁ ଆଜି ଦେଶର ୧୪୦ କୋଟି ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ଆକାଶଛୁଆଁ ହୋଇସାରିଛି। ଆଜିର ଯୁବପିଢ଼ି କେବଳ ସ୍ଥିରତା ଚାହାନ୍ତି ନାହିଁ, ସେମାନେ ଚାହାନ୍ତି ଚାକିରି, ଦ୍ରୁତ ଅର୍ଥନୈତିକ ବିକାଶ, ବୁଲେଟ୍ ଟ୍ରେନ୍, ସୁପରଫାଷ୍ଟ ଇଣ୍ଟରନେଟ୍ ଏବଂ ଡିଜିଟାଲ୍ ସେବା। ଏହା ସହିତ ଜାତୀୟ ସୁରକ୍ଷା ଓ ବିଶ୍ୱ ସ୍ତରରେ ଭାରତକୁ ଏକ ଗ୍ଲୋବାଲ ସୁପରପାୱାର ବନାଇବା ମଧ୍ୟ ମୋଦୀଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଏବେ ୨୦୨୪ ନିର୍ବାଚନ ପରେ ମୋଦୀଙ୍କ ସାମ୍ନାରେ ମେଣ୍ଟ ରାଜନୀତି (Coalition Politics)ର ନୂଆ ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଠି ତାଙ୍କୁ ନିଜର ସହଯୋଗୀ ଦଳଗୁଡ଼ିକୁ ସାଙ୍ଗରେ ନେଇ ନେତୃତ୍ୱର ସନ୍ତୁଳନ ରକ୍ଷା କରିବାକୁ ପଡ଼ୁଛି।
ଶେଷରେ ଏତିକି କୁହାଯାଇପାରେ ଯେ ପଣ୍ଡିତ ନେହେରୁ ଏବଂ ନରେନ୍ଦ୍ର ମୋଦୀଙ୍କୁ ଆମେ ସିଧାସଳଖ ତୁଳନା କରିପାରିବା ନାହିଁ, କାରଣ ଉଭୟ ଭିନ୍ନ ଯୁଗର ଏବଂ ଭିନ୍ନ ପରିସ୍ଥିତିର ନେତା। ନେହେରୁଙ୍କ ଭାରତ ଏକ ଶିଶୁ ଭଳି ନୂତନ ଥିଲା, କିନ୍ତୁ ମୋଦୀଙ୍କ ଭାରତ ଆଜି ଅତ୍ୟନ୍ତ ଆତ୍ମବିଶ୍ୱାସୀ ଏବଂ ପ୍ରତିଯୋଗିତାମୂଳକ। ତଥାପି ଗୋଟିଏ ସମାନତା ସ୍ପଷ୍ଟ—ଉଭୟ ନେତା ନିଜ ନିଜ ବ୍ୟକ୍ତିତ୍ୱ ବଳରେ ଭାରତୀୟ ରାଜନୀତିକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରିଛନ୍ତି ଏବଂ ଲଗାତାର ତିନି ତିନିଥର ଦେଶବାସୀଙ୍କ ଜନାଦେଶ ଜିତିଛନ୍ତି।
Also read : https://purvapaksa.com/4800-infiltrators-leave-from-bengal-tremors-in-bangladesh/


