ଭାରତୀୟ ଗଣତନ୍ତ୍ରର ଇତିହାସରେ ଏମିତି ଏକ ସମୟ ଥିଲା, ଯେତେବେଳେ ଦେଶର ଭାଗ୍ୟ କୌଣସି ସରକାରୀ ଦପ୍ତର କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ‘୭ ରେସ୍ କୋର୍ସ ରୋଡ୍’ରେ ସ୍ଥିର ହେଉନଥିଲା। ବରଂ ଦେଶର ଭାଗ୍ୟ ନିର୍ଦ୍ଧାରଣ ହେଉଥିଲା ଦିଲ୍ଲୀର ଏକ ଆଲିସାନ ଆଶ୍ରମରେ। ଏମିତି ଏକ ସମୟ ଥିଲା, ଯେତେବେଳେ ଦେଶର ବଡ଼ ବଡ଼ ପ୍ରଧାନମନ୍ତ୍ରୀ ଏବଂ ଶକ୍ତିଶାଳୀ ନେତାମାନେ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ହାତ ଯୋଡ଼ି ତଳେ ବସୁଥିଲେ।

ଗୈରିକ ବସ୍ତ୍ର, ମାଥାରେ ଲମ୍ବା ତିଲକ, ହାତରେ ରୁଦ୍ରାକ୍ଷ ମାଳ। କିନ୍ତୁ ମୁଣ୍ଡ ଭିତରେ ଚାଲୁଥିଲା ସାରା ଦୁନିଆର ରାଜନୀତିକୁ ନିଜ ଆଙ୍ଗୁଠିରେ ନଚାଇବାର ଏକ ବିରାଟ ଚକ୍ରବ୍ୟୂହ। ସେ ଥିଲେ ଭାରତ ଇତିହାସର ସବୁଠାରୁ ରହସ୍ୟମୟ, ସବୁଠାରୁ ବିବାଦୀୟ ଏବଂ ସବୁଠାରୁ ଶକ୍ତିଶାଳୀ ତାନ୍ତ୍ରିକ – ଚନ୍ଦ୍ରାସ୍ୱାମୀ।
କ’ଣ ଥିଲା ଚନ୍ଦ୍ରାସ୍ୱାମୀଙ୍କର ସେହି କଳା ଡାଏରୀର ପୃଷ୍ଠା ? ଯେଉଁଠି ଲୁଚି ରହିଛି ବିଶ୍ୱସ୍ତରୀୟ ଷଡ଼ଯନ୍ତ୍ର, ସତ୍ତାର ମୋହ, କୋଟି କୋଟି ଟଙ୍କାର ପ୍ରତାରଣା ଏବଂ ହତ୍ୟାକାଣ୍ଡର ଭୟଙ୍କର ସତ୍ୟ।”
ନେମିଚନ୍ଦ୍ର ଜୈନରୁ ଚନ୍ଦ୍ରାସ୍ୱାମୀ ହେବାର ଯାତ୍ରା
“ଏହି ରହସ୍ୟମୟ କାହାଣୀର ଆରମ୍ଭ ହୁଏ ସାଲ୍ ୧୯୪୮ରେ, ରାଜସ୍ଥାନର ଅଲୱର ଜିଲ୍ଲାରୁ। ସେଠାରେ ଏକ ସାଧାରଣ ଜୈନ ପରିବାରରେ ଗୋଟିଏ ପୁଅ ଜନ୍ମ ହୋଇଥିଲା, ଯାହାର ନାମ ରଖାଯାଇଥିଲା ନେମିଚନ୍ଦ୍ର ଜୈନ। ତାଙ୍କ ପିତା ଧର୍ମଚନ୍ଦ୍ର ଜୈନ ପେଶାରେ ଜଣେ ସାଧାରଣ ମହାଜନ ଥିଲେ। ନେମିଚନ୍ଦ୍ରଙ୍କ ମନ ପାଠପଢ଼ାରେ ଆଦୌ ଲାଗୁନଥିଲା। ପିଲାଦିନୁ ହିଁ ତାଙ୍କର ଆଗ୍ରହ ଥିଲା ଲୋକଙ୍କୁ ପ୍ରଭାବିତ କରିବା ଏବଂ ରହସ୍ୟମୟ ବିଦ୍ୟା ଶିଖିବା ଉପରେ।
ଯୌବନ ଅବସ୍ଥାରେ ପାଦ ଦେଉ ଦେଉ ସେ ଘରଦ୍ୱାର ସବୁ ଛାଡ଼ି ପଳାଇଲେ। ସେ ବିହାରର ଘଞ୍ଚ ଜଙ୍ଗଲ ଏବଂ ନେପାଳର ପାର୍ବତ୍ୟ ଅଞ୍ଚଳରେ ଅନେକ ତାନ୍ତ୍ରିକଙ୍କ ସମ୍ପର୍କରେ ଆସିଲେ। କୁହାଯାଏ, ସେ ଆସାମର ପ୍ରସିଦ୍ଧ କାମାକ୍ଷା ଦେବୀଙ୍କ ପୀଠରେ କଠିନ ସାଧନା କରିଥିଲେ ଏବଂ ଦେବୀଙ୍କ ସିଦ୍ଧି ପ୍ରାପ୍ତ କରିଥିବା ଦାବି କରିଥିଲେ। ଯେତେବେଳେ ସେ ସେଠାରୁ ଫେରିଲେ, ସାଧାରଣ ପିଲା ନେମିଚନ୍ଦ୍ର ଜୈନ ସେତେବେଳକୁ ହଜିଯାଇଥିଲେ, ଆଉ ତାଙ୍କ ସ୍ଥାନରେ ଜନ୍ମ ନେଇଥିଲା ଏକ ନୂଆ ଚେହେରା – ଚନ୍ଦ୍ରାସ୍ୱାମୀ।”
ଦିଲ୍ଲୀ ଦରବାରରେ ପ୍ରବେଶ ଏବଂ ପ୍ରଥମ ବଡ଼ ଶିଷ୍ୟ

“ଚନ୍ଦ୍ରାସ୍ୱାମୀଙ୍କ ପାଖରେ ଏକ ବିଲକ୍ଷଣ ପ୍ରତିଭା ଥିଲା। ସେ କୌଣସି ବି ବଡ଼ ନେତାଙ୍କ ଚେହେରା ଦେଖି ତାଙ୍କର ଦୁର୍ବଳତାକୁ ଚିହ୍ନି ପାରୁଥିଲେ। ତା’ପରେ ନିଜର ଭବିଷ୍ୟବାଣୀର ଜାଲରେ ସେମାନଙ୍କୁ ଏମିତି ଫସାଉଥିଲେ ଯେ ସେମାନେ ତାଙ୍କର ଗୋଲାମ ପାଲଟି ଯାଉଥିଲେ।
ଏହି ସମୟରେ ତାଙ୍କର ଦେଖା ହୁଏ ଆନ୍ଧ୍ରପ୍ରଦେଶର ଜଣେ ପ୍ରଭାବଶାଳୀ ନେତା ପି. ଭି. ନରସିଂହ ରାଓଙ୍କ ସହ। ନରସିଂହ ରାଓ ଥିଲେ ଚନ୍ଦ୍ରାସ୍ୱାମୀଙ୍କ ଜୀବନର ପ୍ରଥମ ଏବଂ ସବୁଠାରୁ ବଡ଼ ଶିଷ୍ୟ। ଆଉ ଏହି ସମ୍ପର୍କ ହିଁ ଚନ୍ଦ୍ରାସ୍ୱାମୀଙ୍କ ପାଇଁ ଦିଲ୍ଲୀର କ୍ଷମତାର ସବୁଠାରୁ ବଡ଼ ଦରଜା ଖୋଲିବାର ଚାବି ପାଲଟିଗଲା।”
ଆନ୍ତର୍ଜାତିକ ସାମ୍ରାଜ୍ୟ ; ସିଆଇଏ ରୁ ମାର୍ଗାରେଟ୍ ଥାଚର୍
- “୧୯୮୦ ଦଶକ ଆସୁ ଆସୁ ଚନ୍ଦ୍ରାସ୍ୱାମୀଙ୍କ ନାମ ଦିଲ୍ଲୀର କ୍ଷମତା ଗଳିରେ ଗୁଞ୍ଜରିତ ହେବାକୁ ଲାଗିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ତାଙ୍କର ସାମ୍ରାଜ୍ୟ କେବଳ ଭାରତରେ ସୀମିତ ନ ଥିଲା। ଚନ୍ଦ୍ରାସ୍ୱାମୀଙ୍କ ସମ୍ପର୍କ ଦୁନିଆର ସବୁଠାରୁ ବଡ଼ ଏବଂ କୁଖ୍ୟାତ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ (Arms Dealer) ଅଦ୍ନାନ ଖାସୋଗୀଙ୍କ ସହ ଯୋଡ଼ି ହୋଇଥିଲା।
- ଖାସୋଗୀଙ୍କ ମାଧ୍ୟମରେ ଚନ୍ଦ୍ରାସ୍ୱାମୀଙ୍କ ପହଞ୍ଚ ଆମେରିକାର ଗୁପ୍ତଚର ସଂସ୍ଥା ‘CIA’ ଏବଂ ଇସ୍ରାଏଲର ଗୁପ୍ତଚର ସଂସ୍ଥା ‘ମୋସାଦ’ (Mossad)ର ଏଜେଣ୍ଟମାନଙ୍କ ପର୍ଯ୍ୟନ୍ତ ହୋଇଥିଲା। ଏହି ତାନ୍ତ୍ରିକ ନିଜର ପ୍ରାଇଭେଟ୍ ଜେଟ୍ରେ ବୁଲୁଥିଲେ, ଦୁନିଆର ସବୁଠାରୁ ଦାମୀ ହୋଟେଲରେ ରହୁଥିଲେ ଏବଂ ତାଙ୍କର ଗୋଟିଏ ଇସାରାରେ ଆନ୍ତର୍ଜାତୀକ ସ୍ତରରେ ଅସ୍ତ୍ରଶସ୍ତ୍ର କାରବାରର ଡିଲ୍ ଫାଇନାଲ୍ ହେଉଥିଲା।
![]()
- ତାଙ୍କର ସମ୍ମୋହନ ଶକ୍ତି ଏମିତି ଥିଲା ଯେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବ୍ରୁନେଇର ସୁଲତାନ ମଧ୍ୟ ତାଙ୍କର ଭକ୍ତ ବନିଯାଇଥିଲେ। ସୁଲତାନ ଚନ୍ଦ୍ରାସ୍ୱାମୀଙ୍କ ଆଶ୍ରମ ପାଇଁ କୋଟି କୋଟି ଟଙ୍କାର ଫଣ୍ଡିଂ କରିଥିଲେ।
- କାହାଣୀରେ ସବୁଠାରୁ ଚମକାଇ ଦେଲା ଭଳି ମୋଡ଼ ସେତେବେଳେ ଆସିଲା, ଯେତେବେଳେ ବ୍ରିଟେନର ‘ଆଇରନ୍ ଲେଡି’ କୁହାଯାଉଥିବା ମାର୍ଗାରେଟ୍ ଥାଚର୍ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଚନ୍ଦ୍ରାସ୍ୱାମୀଙ୍କୁ ଭେଟିବାକୁ ଆସିଥିଲେ। କୁହାଯାଏ ଯେ, ଚନ୍ଦ୍ରାସ୍ୱାମୀ ଏକ ନାଲି କାଗଜରେ କିଛି ଲେଖି ଥାଚର୍ଙ୍କୁ ଦେଇଥିଲେ ଏବଂ ତାଙ୍କର ସେହି ଭବିଷ୍ୟବାଣୀ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଥିଲା। ଏହାପରେ ମାର୍ଗାରେଟ୍ ଥାଚର୍ ମଧ୍ୟ ତାଙ୍କର ବଡ଼ ପ୍ରଶଂସକ ପାଲଟିଯାଇଥିଲେ।”
ସତ୍ତାର ଚରମ ସୀମା ଏବଂ ଆଶ୍ରମର କଳା କାରନାମା
- “ଦିଲ୍ଲୀର କୁତୁବ ଇନଷ୍ଟିଚ୍ୟୁସନାଲ ଏରିଆରେ ଥିବା ତାଙ୍କର ଭବ୍ୟ ‘ବିଶ୍ୱ ଧର୍ମାୟତନ ଆଶ୍ରମ’ କେବଳ ପୂଜାପାଠର ସ୍ଥାନ ନ ଥିଲା, ବରଂ ଏହା ଆନ୍ତର୍ଜାତୀକ ସ୍ତରର ବଡ଼ ବଡ଼ ଗୁପ୍ତ ଷଡ଼ଯନ୍ତ୍ରର ପେଣ୍ଠସ୍ଥଳୀ ପାଲଟିଥିଲା।
- ସାଲ୍ ୧୯୯୧ରେ ଯେତେବେଳେ ପି. ଭି. ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ଚନ୍ଦ୍ରାସ୍ୱାମୀଙ୍କ ଶକ୍ତି ଆକାଶଛୁଆଁ ହୋଇଗଲା। ଲୋକେ କହୁଥିଲେ ଯେ, ଦେଶର କ୍ୟାବିନେଟ୍ ମନ୍ତ୍ରୀମାନଙ୍କର ତାଲିକା ପ୍ରଥମେ ଚନ୍ଦ୍ରାସ୍ୱାମୀଙ୍କ ଆଶ୍ରମରେ ମଞ୍ଜୁର ହେଉଥିଲା, ତା’ପରେ ସରକାରଙ୍କ ପାଖକୁ ଯାଉଥିଲା।
- କିନ୍ତୁ ଆମେ ସମସ୍ତେ ଜାଣୁ, ଯେଉଁଠି ଅମାପ କଳାଧନ ଏବଂ ବେଆଇନ କ୍ଷମତା ଥାଏ, ସେଠାରେ ଦିନେ ନା ଦିନେ ଆଇନର ଶିକୁଳି କସି ହୋଇଯାଏ। ଚନ୍ଦ୍ରାସ୍ୱାମୀଙ୍କ ପାଖରେ ମଧ୍ୟ ସେହି ସମୟ ଆସି ପହଞ୍ଚିଲା।”
ବଡ଼ ବଡ଼ ଅପରାଧ ଏବଂ ଆଇନର ଶିକାର

“ଚନ୍ଦ୍ରାସ୍ୱାମୀଙ୍କ ଉପରେ ଏମିତି କିଛି ସଂଘାତିକ ମାମଲା ରୁଜୁ ହେଲା, ଯାହା ତାଙ୍କୁ ସିଧା ଜେଲ୍ର ଚାରି କାନ୍ଥ ଭିତରକୁ ଟାଣି ନେଇଥିଲା । ତେବେ କ’ଣ ଥିଲା ସେହି ୩ଟି ବଡ଼ ମାମଲା ବିଷୟରେ:
୧. ଲଖୁଭାଇ ପାଠକ ପ୍ରତାରଣା ମାମଲା (Lakhu Bhai Pathak Case): ଲଣ୍ଡନରେ ରହୁଥିବା ଭାରତୀୟ ସେଲିବ୍ରିଟି ବ୍ୟବସାୟୀ, ଯାହାଙ୍କୁ ‘ଆଚାରର କିଙ୍ଗ୍’ କୁହାଯାଉଥିଲା, ସେହି ଲଖୁଭାଇ ପାଠକ ଅଭିଯୋଗ ଆଣିଲେ ଯେ, ଚନ୍ଦ୍ରାସ୍ୱାମୀ ଭାରତରେ ପେପର ପଲ୍ପର ସରକାରୀ ଠେକା ଦେବା ନାଁରେ ତାଙ୍କଠାରୁ ୧ ଲକ୍ଷ ଡଲାର (ସେ ସମୟର ପ୍ରାୟ ୩୦ ଲକ୍ଷ ଟଙ୍କା) ଠକି ନେଇଛନ୍ତି। ଏହି ମାମଲା ଏତେ ଭୟଙ୍କର ଥିଲା ଯେ, ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ଚଳନ୍ତି ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓଙ୍କୁ ମଧ୍ୟ କୋର୍ଟରେ ସହ-ଅଭିଯୁକ୍ତ (Co-accused) ଭାବେ ଛିଡ଼ା ହେବାକୁ ପଡ଼ିଥିଲା। ଏହି ମାମଲାରେ ଚନ୍ଦ୍ରାସ୍ୱାମୀଙ୍କୁ ତିହାର ଜେଲ୍ ଯିବାକୁ ପଡ଼ିଥିଲା।
୨. ସେଣ୍ଟ କିଟ୍ସ ଜାଲିଆତି (Sent Kitts Forgery Case): ୧୯୮୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭି. ପି. ସିଂହଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ‘ସେଣ୍ଟ କିଟ୍ସ’ ଦ୍ୱୀପର ଏକ ବ୍ୟାଙ୍କରେ ତାଙ୍କ ପୁଅ ଅଜୟ ସିଂହଙ୍କ ନାମରେ ଏକ ନକଲି ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଦେଖାଯାଇଥିଲା। ସିବିଆଇ ଯାଞ୍ଚରୁ ଜଣାପଡ଼ିଲା ଯେ, ଏହି ଆନ୍ତର୍ଜାତୀକ ଜାଲିଆତି ପଛରେ ମୁଖ୍ୟ ମଗଜ ଥିଲା ଚନ୍ଦ୍ରାସ୍ୱାମୀ ଏବଂ ତାଙ୍କର ସହଯୋଗୀ ମାମାଜୀ ଓରଫ୍ କୈଳାଶନାଥ ଅଗ୍ରୱାଲଙ୍କର।
୩. ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଏବଂ ଜୈନ କମିଶନ ରିପୋର୍ଟ: ଏହା ହେଉଛି ସବୁଠାରୁ ଦୁଃଖଦ ଏବଂ ଚମକାଇ ଦେଲା ଭଳି ଘଟଣା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଯାଞ୍ଚ କରୁଥିବା ଜଷ୍ଟିସ ଜୈନ କମିଶନ ନିଜ ରିପୋର୍ଟରେ ଚନ୍ଦ୍ରାସ୍ୱାମୀଙ୍କ ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ। ସନ୍ଦେହ କରାଯାଇଥିଲା ଯେ, ଚନ୍ଦ୍ରାସ୍ୱାମୀଙ୍କର ସେହି ଆନ୍ତର୍ଜାତୀକ ଶକ୍ତିମାନଙ୍କ ସହ ସମ୍ପର୍କ ଥିଲା, ଯେଉଁମାନେ ଏଲଟିଟିଇ (LTTE) କୁ ହତ୍ୟାକାଣ୍ଡ ପାଇଁ ଫଣ୍ଡିଂ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସାହାଯ୍ୟ କରିଥିଲେ।”
ଶେଷ ସମୟରେ ଗୁମନାମୀ ଏବଂ ମୃତ୍ୟୁ
“୧୯୯୬ରେ ନରସିଂହ ରାଓଙ୍କ ସରକାର ଗଲା ପରେ, ଚନ୍ଦ୍ରାସ୍ୱାମୀଙ୍କ ଖରାପ ସମୟ ଆରମ୍ଭ ହୋଇଗଲା। କୋର୍ଟ, କଚେରୀ, ଜେଲ୍ ଏବଂ ଗମ୍ଭୀର ରୋଗ ତାଙ୍କୁ ଚାରିଆଡ଼ୁ ଘେରି ଗଲା। ଯେଉଁ ତାନ୍ତ୍ରିକଙ୍କ ଗୋଟିଏ ଇସାରାରେ ଦିଲ୍ଲୀର ସତ୍ତା ହଲୁଥିଲା, ତାଙ୍କର ଶେଷ ସମୟ ଅତ୍ୟନ୍ତ ଅସହାୟତା ଏବଂ ଗୁମନାମୀ ଭିତରେ କଟିଥିଲା।
ଶେଷରେ ୨୩ ମେ’ ୨୦୧୭ରେ, ୬୯ ବର୍ଷ ବୟସରେ ଏକ ହସ୍ପିଟାଲରେ ଚନ୍ଦ୍ରାସ୍ୱାମୀଙ୍କ ମୃତ୍ୟୁ ଘଟିଲା। ତାଙ୍କ ମୃତ୍ୟୁ ସହିତ ଭାରତୀୟ ରାଜନୀତି ଏବଂ ଆନ୍ତର୍ଜାତୀକ ସ୍ତରର ଅନେକ ବଡ଼ ବଡ଼ ରହସ୍ୟ ସବୁଦିନ ପାଇଁ ମାଟିରେ ମିଶିଗଲା।”
ମୃତ୍ୟୁ ପରେ ସାମ୍ରାଜ୍ୟ ପାଇଁ ଲଢ଼େଇ

- “କିନ୍ତୁ କାହାଣୀ ଏତିକିରେ ଶେଷ ହୋଇନଥିଲା। ଚନ୍ଦ୍ରାସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କର କୋଟି କୋଟି ଟଙ୍କାର ଆର୍ଥିକ ସାମ୍ରାଜ୍ୟ ଏବଂ ଦିଲ୍ଲୀର ମୂଲ୍ୟବାନ ଜମି ଉପରେ ସ୍ୱାର୍ଥପର ଲୋକଙ୍କ ନଜର ପଡ଼ିଲା। ଚନ୍ଦ୍ରାସ୍ୱାମୀ କୌଣସି ଆଇନଗତ ଉତ୍ତରାଧିକାରୀ କିମ୍ବା ବସିୟତ (Will) ଲେଖି ଯାଇନଥିଲେ।
- ଫଳସ୍ୱରୂପ, ତାଙ୍କର ନିଜ ଭାଇ ଏବଂ କିଛି ପୁରୁଣା ଶିଷ୍ୟଙ୍କ ମଧ୍ୟରେ ସେହି ଭବ୍ୟ ‘ବିଶ୍ୱ ଧର୍ମାୟତନ ଆଶ୍ରମ’ ଏବଂ ବେନାମୀ ସମ୍ପତ୍ତିର ମାଲିକାନା ପାଇଁ ଏକ ଦୀର୍ଘ ଏବଂ ମଇଳା କୋର୍ଟ ଲଢ଼େଇ ଆରମ୍ଭ ହୋଇଗଲା। ଆଜି ସେହି ଭବ୍ୟ ଆଶ୍ରମ, ଯେଉଁଠି କେବେ ଦୁନିଆର ସରକାର ବଦଳାଇବାର ଷଡ଼ଯନ୍ତ୍ର ରଚାଯାଉଥିଲା, ତାହା ନିଜର ଚମକ ହରାଇ ଏକ ପରିତ୍ୟକ୍ତ ସ୍ଥାନ ପାଲଟିଛି।”
- ଚନ୍ଦ୍ରାସ୍ୱାମୀଙ୍କର ଏହି ପୂରା କାହାଣୀ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ବଡ଼ ଦାଗ। ଯାହା ମନେ ପକାଇଦିଏ ଯେ, ଯେତେବେଳେ ଧର୍ମ, ଆଧ୍ୟାତ୍ମିକତା ଏବଂ ତନ୍ତ୍ରର ବ୍ୟବହାର ଭଗବାନଙ୍କୁ ପାଇବା ପାଇଁ ନୁହେଁ, ବରଂ କ୍ଷମତା, ସତ୍ତା ଏବଂ ସ୍ୱାର୍ଥ ପାଇଁ କରାଯାଏ, ସେତେବେଳେ ତାର ପରିଣାମ କେତେ ଭୟଙ୍କର ହୁଏ । କ୍ଷମତା ଏବଂ ପ୍ରତିପତ୍ତିର ବଡ଼ ବଡ଼ ଦୁର୍ଗ ମଧ୍ୟ ସମୟ ଆସିଲେ ଆଇନ ଆଗରେ ତାସର ପତ୍ର ଭଳି ଭାଙ୍ଗି ଚୁରମାର ହୋଇଯାଏ ।
- ଆଜି ଚନ୍ଦ୍ରାସ୍ୱାମୀ ଇତିହାସର ପୃଷ୍ଠାରେ ହଜି ଯାଇଥାଇ ପାରନ୍ତି, କିନ୍ତୁ ତାଙ୍କର ଏହି କଳା ଅଧ୍ୟାୟ ସବୁବେଳେ ସମାଜ ପାଇଁ ଏକ ଚେତାବନୀ ହୋଇ ରହିବ।


